The Topmost

“The eyes believe themselves, the ears believe other people.”

charlie chaplin

An era of the great comedy king charlie chaplin.

କମେଡି ବାଦଶାହ
ଚାର୍ଲି ଚାପଲିନ୍‌ କମେଡି ଦୁନିଆର ଏକ ପରିଚିତ ନାଁ । ତାଙ୍କ ପ୍ରଂଶସକଙ୍କ ଭିତରେ ଦୀର୍ଘ ଦଶନ୍ଧିର ପିଢି ମିଳିଥାଆନ୍ତି । ସେ କମେଡିର ପରିଭାଷାକୁ ନିଜର ଅଭିନୟ ଜରିଆରେ ବଦଳାଇଦେଇଥିଲେ । ତେବେ ତାଙ୍କ ଜୀବନରେ ଅନେକ ଏଭଳି ଘଟଣା ରହିଛି ଯାହା ତାଙ୍କ ଚରିତ୍ର ଭଳି ବେଶ୍‌ ରୋଚକ ।

ଚାର୍ଲି ଚାପଲିନ୍‌ କହିଲେ ତାଙ୍କ ନିଶ, ଅସଜଡା ଢିଲା ପ୍ୟାଣ୍ଟ ଓ ଟାଇଟ୍‌ କୋଟ୍‌, ଏକ ଛୋଟ କଳା ହ୍ୟାଟ୍‌ , ଓଲଟା ଜୋତା ଓ ତାଙ୍କ ଅଙ୍କାବଙ୍କା ବଙ୍କୁଲି ବାଡିକୁ ବୁଝାଇଥାଏ । ଏହି କେତୋଟି ସାମଗ୍ରୀ ସେତେବେଳେ ମନୋରଞ୍ଜନର ଧାରାକୁ ବଦଳାଇଦେଇଥିଲା । ବିଭିନ୍ନ ନିର୍ବାକ ସିନେମାରେ ସେତେବେଳେ ତାଙ୍କର କ୍ରେଜ୍‌ ଅଧିକ ଦେଖାଯାଇଥିଲା । ସମସ୍ତେ ତାଙ୍କର ଚରିତ୍ରକୁ ପସନ୍ଦ କରିବା ସହିତ ସବୁ ସିନେମାରେ ଦେଖିବାକୁ ଚାହୁଁଥିଲେ ମଧ୍ୟ । ସେ କେବଳ ଯେ ଜଣେ ଭଲ କଳାକାର ଥିଲେ ତାହା ନୁହେଁ ଏଥିସହିତ ସେ ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ସହ ମୁ୍ୟଜିକ୍‌ କମ୍ପୋଜର ମଧ୍ୟ । ଲଣ୍ଡନ ୱାର୍କହାଉସ୍‌ରେ ବଢିଥିବା ଏହି ମହାନ କଳାକାର ପିଲାଦିନରୁ ଷ୍ଟେଜ୍‌ରେ ନିଜର କଳା ପ୍ରଦର୍ଶନ କରି ଆସିଛନ୍ତି । ୧୮୮୯ ଅପ୍ରେଲ୧୬ରେ ଲଣ୍ଡନରେ ଜନ୍ମହୋଇ ୧୯୭୭ ଡିସେମ୍ବର ୨୫ରେ ସୁìଇଜରଲାଣ୍ଡରେ ତାଙ୍କର ମୃତୁ୍ୟ ହୋଇଥିଲା । ବାପା ମା’ଙ୍କର ବିବାହ ବିଚ୍ଛେଦ ପରେ ସେ ଓ ତାଙ୍କ ଭାଇଙ୍କର ପୁରା ପିଲାଦିନ ୱାର୍କହାଉସ୍‌ ଓ ଚାରିଟି ହୋମ୍‌ରେ ବିତିଥିଲା । ଯାହା ତାଙ୍କୁ ଦେଇଥିଲା ଏକ ସଂଘର୍ଷପୂର୍ଣ୍ଣ ପିଲାଦିନ । ତେବେ ସମସ୍ତ ବାଧାକୁ ଅତିକ୍ରମ କରି ନିଜକୁ ଜଣେ ସଫଳ କିମ୍ବଦନ୍ତୀ ହାସ୍ୟକଳାକାର ଭାବେ ପ୍ରତିଷ୍ଟିତ କରିବାରେ ଚାର୍ଲି ସଫଳ ହୋଇଛନ୍ତି । ପ୍ରଥମ ଫିଚର ସିନେମା ‘ଦି କିଡ୍‌’ ଜରିଆରେ ୧୯୨୧ରେ ସେ ମନୋରଞ୍ଜନ ଦୁନିଆରେ ପାଦ ରଖିଥିଲେ । ଏହାପରେ ଅନେକ ସର୍ଟ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏହି ଯାତ୍ରା ୧୮୯୯ରେ ଆରମ୍ଭ ହୋଇଥିଲା ଯେତେବେଳେ ମାତ୍ର ୧୦ ବର୍ଷରେ ସେ ଏକ ଡ୍ୟାନ୍ସ ଗ୍ରୁପ୍‌ରେ ଯୋଗ ଦେଇଥିଲେ । ଏହି ଗ୍ରୁପ ସାରା ଇଂଲଣ୍ଡ ସହରରେ ବୁଲିବୁଲି ନୃତ୍ୟପରିବେଷଣ କରିଥାଏ ।

charlie chaplin
charlie chaplin @thetopmost-01

ହାସ୍ୟଭୂଷା
କେବଳ ହାସ୍ୟ ଅଭିନେତାମାନଙ୍କ କାର୍ଯ୍ୟ ନୁହେଁ, ରୂପ ମଧ୍ୟ ହସ ସୃଷ୍ଟି କରେ । ଚାର୍ଲି ଚାପଲିନ ଏହାର ଜଣେ ପ୍ରକୃଷ୍ଟ ଉଦାହରଣ ଯିଏ ତାଙ୍କ ବେଶଭୂଷା ଦ୍ୱାରା ବିଶ୍ୱପରିଚିତ ହୋଇଥିଲେ । ଯେକୌଣସି ବ୍ୟକ୍ତି ଯଦି ଚାର୍ଲିଙ୍କ ପରି ହ୍ୟାଟ୍‌, ପ୍ୟାଣ୍ଟ୍‌. କୋଟ୍‌ ଏବଂ ଜୋତା ପିନ୍ଧି ମୁହଁରେ ହିଟଲରଙ୍କ ପରି ନିଶ ଲଗାଇ ଦିଅନ୍ତି, ତାଙ୍କୁ ସମସ୍ତେ ଚାର୍ଲି ଚାପଲିନ୍‌ ହିଁ ଭାବିବେ । ଉନବିଂଶ ଶତାବ୍ଦୀରେ ଚାର୍ଲିଙ୍କ ଏହି ବେଶଭୂଷା ଅଦ୍ୱିତୀୟ ଥିଲା ।
ଜଣେ କମ୍‌ ଉଚ୍ଚତାର ବ୍ୟକ୍ତି, ଯାହାଙ୍କ ମୁଣ୍ଡରେ ଏକ ଗୋଲ୍‌ ଆକାରର ହ୍ୟାଟ୍‌ । ଧଳା ଶାର୍ଟ ସହ ଢିଲା ବ୍ୟାଗୀ ପ୍ୟାଣ୍ଟ୍‌ ଏବଂ ଟାଇଟ୍‌ ଓ ଛୋଟ ଜ୍ୟାକେଟ୍‌ । ମୁହଁରେ ଅଜବ ଦେଖାଯାଉଥିବା ନିଶ । ଜୋତାର ସାଇଜ୍‌ ମଧ୍ୟ ବଡ଼ (୧୪ ନମ୍ବର), ତା ପୁଣି ଓଲଟା । ଆଉ ହାତରେ ଏକ ଲମ୍ବା ବାଡ଼ି । ଏହି ବେଶଭୂଷାର କଳ୍ପନା ଥିଲା ୧୯୧୪ରେ ଆସିଥିବା ଫିଲ୍ମ ‘କିଡ୍‌ ଅଟୋ ରେସ୍‌ ଆଟ୍‌ ଭେନିସ୍‌’ର ଏକ ଚରିତ୍ର ‘ଦ ଟ୍ରମ୍ପ’ର, ଯାହା ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିସହ ଏହି ଚରିତ୍ର ଚାର୍ଲି ଚାପଲିନଙ୍କ ପରିଚୟ ପାଲଟିଥିଲା, ଯାହାକୁ ସେ ନିଜେ ହିଁ ଗଢି ଥିଲେ ମାତ୍ର ୨୪ ବର୍ଷ ଆୟୁରେ । ତେବେ ଏହି ଐତିହାସିକ ଗେଟ୍‌ଅପ୍‌ ପାଇଁ ଚାର୍ଲି ତାଙ୍କ ସାଥୀ କମେଡିଆନ ତଥା କଳାକାରଙ୍କଠାରୁ ଜିନିଷ ନେଇଥିଲେ । ଏଥିମଧ୍ୟରୁ ରସ୍କି ଫ୍ୟାଟି ଅର୍ବକଲ୍‌ରୁ ହ୍ୟାଟ୍‌ ଏବଂ ପ୍ୟାଣ୍ଟ୍‌, ଚେଷ୍ଟର କୋକ୍ନଲିନ୍‌ଠୁ କୋଟ୍‌ ଏବଂ ଫୋର୍ଡ ଷ୍ଟଲିଂଠୁ ତାଙ୍କର ୧୪ ନମ୍ବର ଜୋତା ଆଣିଥିଲେ । କେବଳ ହାତରେ ଥିବା ବାଡ଼ି ହିଁ ନିଜସ୍ୱ ଥିଲା । ଚାର୍ଲି ଏସମ୍ପର୍କରେ କହିଛନ୍ତି, ‘ତାଙ୍କୁ ବିଲକୁଲ୍‌ ହିଁ ଧାରଣା ନଥିଲା ଯେ ସେ କିପରି ମେକଅପ୍‌ କରିବେ । ଫିଲ୍ମ ‘ମେକିଂ ଓ ଲିଭିଂ’ରେ ତାଙ୍କର ଗେଟଅପ୍‌କୁ ସାମ୍ବାଦିକମାନେ ପସନ୍ଦ କରିନଥିଲେ । ତେଣୁ ଯେତେବେଳେ ସେ ଆଲମାରୀ ଆଡ଼କୁ ବଢିଥିଲେ, ସେତେବେଳେ ତାଙ୍କ ମନରେ ଆସିଥିଲା ଯେ ଏବେ ସେ ତାଙ୍କ ଲୁକ୍‌ରେ ବିରୋଧଭାଷା ଆଣିବେ । ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ବୟସ୍କ ଦେଖାଯିବା ପାଇଁ ସେ ନିଶ ଲଗାଇଥିଲେ । ଏହାପରେ ସେ ଟ୍ରମ୍ପ ଚରିତ୍ରକୁ ଚିହ୍ନିଥିଲେ ଏବଂ ଷ୍ଟେଜ୍‌ରେ ପହଞ୍ଚିବା ମାତ୍ରେ ହିଁ ସେ ଚରିତ୍ରରେ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିଯାଇଥିଲେ ।’
ସେତେବେଳେ ନିର୍ବାକ ଫିଲ୍ମର ଯୁଗ ଥିଲା । କିନ୍ତୁ ଚାର୍ଲିଙ୍କ ପୋଷାକ ଧନୀଙ୍କୁ ସମାଲୋଚନା ଏବଂ ଗରିବ ଲୋକଙ୍କ ଲାଳସାକୁ ବଡ଼ ପରଦାରେ ପ୍ରକାଶ କରୁଥିଲା । ଚାର୍ଲିଙ୍କ ଏହି ‘ଦ ଟ୍ରମ୍ପ’ ଚରିତ୍ର ଥିଲା ଜଣେ ଖାମଖିଆଲି ବ୍ୟକ୍ତିର ଯିଏ ନିଜ ବ୍ୟବହାର ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଥିଲା । ଯଦିଓ ସ୍କ୍ରିନ୍‌ରେ ଦ ଟ୍ରମ୍ପ ପାଇଁ ସମସ୍ତେ ବିରକ୍ତି ହେଉଥିଲେ, ହେଲେ ଦର୍ଶକଙ୍କୁ ଏହି ଚରିତ୍ର ଖୁବ ହସାଉଥିଲା । ଚାର୍ଲି ନିଜର ୧୦ଟି ଫିଲ୍ମରେ ଏହି ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ୧୯୩୬ରେ ଆସିଥିବା ଫିଲ୍ମ ‘ମଡର୍ନ ଟାଇମ୍ସ’ରେ ଚାପଲିନ୍‌ ଦ ଟ୍ରମ୍ପ ଚରିତ୍ରକୁ ଅବସର ଦେଇଥିଲେ ।

charlie chaplin
charlie chaplin @thetopmost-01

ଫ୍ୟାଶନେବୁଲ୍‌ କମେଡିଆନ
ବୋଲର୍‌ ହ୍ୟାଟ୍‌: କଳା ରଙ୍ଗର ଏହି ଟୋପିକୁ ବବ୍‌ ହ୍ୟାଟ୍‌, ବିଲି କୋକ୍‌, ଡର୍ବି ହ୍ୟାଟ୍‌ ମଧ୍ୟ କୁହାଯାଏ । ବ୍ରିଟିଶ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ୟୁନିଫର୍ମର ଏହା ଅଭିନ୍ନ ଅଂଶ ଥିଲା । ୧୮୪୯ରେ ବ୍ରିଟିଶ ସୈନିକ ଏଡୱର୍ଡ କୋକ୍‌ ପ୍ରଥମେ ବୋଲର୍‌ ହ୍ୟାଟ୍‌ ପ୍ରସ୍ତୁତ କରିଥିଲେ ।
ବ୍ୟାଗୀ ପ୍ୟାଣ୍ଟ୍‌: ଏହାକୁ ଗ୍ରାଣ୍ଡ୍‌ପା ପ୍ୟାଣ୍ଟ୍‌ ମଧ୍ୟ କୁହାଯାଉଥିଲା । ଚାର୍ଲି ତାଙ୍କ ସାଥୀ କଳାକାରଙ୍କ ପ୍ୟାଣ୍ଟ୍‌ ପିନ୍ଧିଥିଲେ ଯାହା ସାଇଜ୍‌ରେ ବଡ଼ ଥିଲା ଏବଂ ତାହାକୁ ଅଣ୍ଟା ଉପରକୁ ବନ୍ଧାଯାଇଥିଲା । ସେସମୟରେ ପ୍ୟାଣ୍ଟରେ ଜିପ୍‌ ବଦଳରେ ବଟନ ଲଗାଯାଉଥିଲା ।
ଟେଲକୋଟ୍‌: ଚାର୍ଲି ବିନା ଆଇରନ ହୋଇଥିବା ଧଳା ଶାର୍ଟ ସହ ଏକ ଟୋଲକୋଟ୍‌ ପିନ୍ଧିଥିଲେ । ଏହା କଳାରଙ୍ଗର ଏବଂ ସାଇଜ୍‌ରେ ବହୁତ ଛୋଟ ଥିଲା । ଏହି କୋଟ୍‌ର ଆଗ ଭାଗ ଛୋଟ ଏବଂ ପଛକୁ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ଥିଲା । ତେଣୁ ଏହାକୁ ଟେଲ୍‌କୋଟ୍‌ କୁହାଯାଏ । ୧୮ ଶତାବ୍ଦୀରେ ଏହାକୁ ଘୋଡ଼ାଚାଳକମାନେ ପିନ୍ଧୁଥିଲେ ।
ଜୋତା: ଏହା ଚାର୍ଲିଙ୍କ ଲୁକ୍‌କୁ ସମ୍ପୂର୍ଣ୍ଣ କରୁଛି । ବାସ୍ତବରେ ସେ ପାଞ୍ଚ ନମ୍ବରର ଜୋତା ପିନ୍ଧୁଥିଲେ, କିନ୍ତୁ ଟ୍ରମ୍ପ ପାଇଁ ସେ ୧୪ ନମ୍ବରର ଜୋତା ପିନ୍ଧିଥିଲେ । ଏହି ଚମଡ଼ା ଜୋତା ପଲିସ୍‌ କରାଯାଉନଥିଲା । ପାଦରୁ ଏତେ ବଡ଼ ଜୋତା ନ ବାହାରିବା ପାଇଁ ସେ ଓଲଟା ପିନ୍ଧୁଥିଲେ । ଏହା ତାଙ୍କ ପାଇଁ ଟ୍ରେଡ୍‌ମାର୍କ ଷ୍ଟାଇଲ ପାଲଟିଲା ।

charlie chaplin
charlie chaplin @thetopmost-01

ଚାର୍ଲିଙ୍କ ପ୍ରସିଦ୍ଧ କଥନ ତଥା ବିବୃତ୍ତି
୧. ଏହି ଦୁନିଆରେ କିଛି ବି ସ୍ଥାୟୀ ନୁହେଁ, ଆମର ସମସ୍ୟା ବି ନୁହେଁ ।
୨. ମୋତେ ବର୍ଷାରେ ବୁଲିବା ପସନ୍ଦ, କାରଣ ଏଥିରେ କେହି ମୋର ଲୁହ ଦେଖିପାରିବେ ନାହିଁ ।
୩. ଆମ ଜୀବନରେ ସେହି ଦିନ ସବୁଠୁ ବେକାର ହୋଇଥାଏ, ଯେଉଁ ଦିନ ଆମେ ହସିନଥାଉ ।
୪. ଜୀବନରେ ଆପଣଙ୍କ ପାଖରେ ଯାହା ବି ଅଛି, ତାହାର ଆନନ୍ଦ ନିଅନ୍ତୁ ଏବଂ ହସନ୍ତୁ ।
୫. ଯଦି ଆପଣ ଚାପ ଅନୁଭବ କରୁଛନ୍ତି, ତାହେଲେ ଆପଣ ବ୍ରେକ୍‌ ନିଅନ୍ତୁ ।
୬. ଜଣେ ଭଲ ସାଙ୍ଗ ଏକ ଭଲ ଔଷଧ ସହ ସମତୁଲ୍ୟ ।
୭. ଏହି ଜୀବନ ପୁର୍ନବାର ମିଳିବନାହିଁ, ଏହାକୁ ଉପଭୋଗ କର ।

ଷ୍ଟେଜ୍‌ କଳାକାର ଭାବେ ଜୀବନ ଆରମ୍ଭ
୧୯୦୩ ରୁ ୧୯୦୮ ପର୍ଯ୍ୟନ୍ତ ସେ ବିଭିନ୍ନ ଷ୍ଟେଜ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମାତ୍ର ୧୪ ବର୍ଷ ବୟସରୁ ସେ ଷ୍ଟେଜ୍‌ ଶୋ’ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ କେସି’ସ ସର୍କସ ନାମରେ ଏକ କମ୍ପାନୀରେ ଯୋଗ ଦେଇଥିଲେ । ଏହାପରେ ଧୀରେଧୀରେ ସେ ବିଭିନ୍ନ ଷ୍ଟେଜ୍‌ ଶୋ’ କରିବା ଆରମ୍ଭ କରିଥିଲେ । କିଛିଦିନ ପରେ ସେ ସମୟର ପରିଚିତ କମେଡି ଥିଏଟର୍‌ ଗ୍ରୁପ ‘ଦି କାର୍ନୋ କୋ’ରେ ଚାର୍ଲି ଯୋଗ ଦେଇଥିଲେ । ଏହି ଗ୍ରୁପ ବୁଲିବୁଲି ଥିଏଟର ନାଟକ ପ୍ରଦର୍ଶନ କରିଥାଏ । ତେବେ ଏହି ସମୟ ତାଙ୍କର ଭାଗ୍ୟରେ ଏକ ବଡ ପରିବର୍ତ୍ତନ ଆଣିଥିଲା । ସେ ୧୯୧୩ରେ ଦି କାର୍ନୋରେ କାମ କରୁଥିବା ବେଳେ ‘ନୁ୍ୟୟର୍କ ମୋସନ୍‌ ପିକଚର୍ସ’ର ନଜରରେ ଆସିଥିଲେ । ଏହା ପରେ ତାଙ୍କର ସଫଳତାର ଯାତ୍ରା ଆରମ୍ଭ ହୋିଥିଲା । ଏହି ସମୟରେ ତାଙ୍କର ସାପ୍ତାହିକ ଦରମା ୧୫୦ ଡଲାର ରହିଥିଲା ।
ପ୍ରଥମ ସିନେମା
୧୯୧୪ରେ ସେ ପ୍ରଥମ ସର୍ଟ ସିନେମା ‘ମେକିଂ ଏ ଲିଭିଂ’ ଜରିଆରେ ଡେବୁ୍ୟ କରିଥିଲେ । ଏଥିରେ ତାଙ୍କୁ ଏକ ଲମ୍ବା ନିଶ ସହ ଦର୍ଶକ ଦେଖିଥିଲେ । ଯାହା ପରେ ଏହି ନିଶ ତାଙ୍କ ଲୁକ୍‌ର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଥିଲା । ଏହି ସିନେମାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ସେହିଭଳି ୧୯୧୪ରେ ‘କିଡ୍‌ ଅଟୋ ରେସ୍‌ ଆଟ୍‌ ଭେନିସ୍‌’ରେ ତାଙ୍କର ଚରିତ୍ର ଲିଟିଲ୍‌ ଟ୍ରାମ୍ପ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ତେବେ ଏହା ପରେ ସେ ଲିଟିଲ୍‌ ଟ୍ରାମ୍ପର ୩୫ଟି କମେଡି ସଟ୍‌ ତିଆରି କରିଥିଲେ । ସେ ସବୁ ଜିନିଷକୁ ନିଆରା ଢଙ୍ଗରେ କରିବାକୁ ଚାହୁଁଥିଲେ, ଯାହା ତାଙ୍କୁ ଭିଡ ଭିତରେ ଅଲଗା କରିଥିଲା । ତାଙ୍କର ବେଶ ପୋଷାକ ତାଙ୍କୁ ବେଶି ନିଆରା କରିଥାଏ ।
ପ୍ରଥମ ନିର୍ଦ୍ଦେଶନା
୧୯୧୪ରେ ହିଁ ସେ ନିଜର ପ୍ରଥମ ନିର୍ଦ୍ଦେଶିତ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମ ନିର୍ଦ୍ଦେଶିତ କାର୍ଯ୍ୟ ହେଲା ‘ଟେ୍ୱଣ୍ଟି ମିନିଟ୍‌ ଅଫ୍‌ ଲଭ’ । ସେହିଭଳି ୧୯୧୫ରେ ସେ ନିର୍ମାଣ କରିଥିଲେ ‘ ଦି ଟ୍ରାମ୍ପ’ । ସେହିଭଳି ୧୯୧୬ରେ ସେ ସେତେବେଳର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା କଳାକାରରେ ଭାବେ ପରିଚିତ ହୋଇଥିଲେ । ସେତେବେଳେ ସେ ଏକ ମୁ୍ୟଚାଲ୍‌ ସିନେମା କମ୍ପାନୀ ସହିତ ୬୭୦,୦୦୦ ଡଲାରର କଣ୍ଟ୍ରାକଫ ସାଇନ୍‌ କରିଥିଲେ ଯାହା ତାଙ୍କୁ ସବୁଠାରୁ ଅଧିକ ପାରିଶ୍ରମିକ ଦେଇଥିଲା । ସେ ମୁ୍ୟଚାଲ ସିନେମା ପାଇଁ ଅନେକ କମେଡି ସର୍ଟ ସିନେମାର ନିର୍ମାଣ କରିଛନ୍ତି ।

ବିବାହ
ତେବେ କଳାରେ ନିପୂଣ ଏହି କମେଡିଆନଙ୍କର ବ୍ୟକ୍ତିଗତ ଜୀବନ ବେଶ୍‌ ରୋଚକପୂର୍ଣ୍ଣ ଥିଲା । ୧୯୧୮ରେ ୨୯ବର୍ଷ ବୟସରେ ସେ ୧୬ ବର୍ଷୀୟ ମିଲ୍‌ଡ୍ରେଡ୍‌ ହାରିସ୍‌ଙ୍କୁ ବିବାହ କରିଥିଲେ । ସେତେବେଳେ ମିଲ୍‌ଡ୍ରେଡ୍‌ ହାରିସ୍‌ ଜଣେ ପରିଚିତ ଶିଶୁ କଳାକାର ଥିଲେ । ତେବେ ଏହି ବିବାହ ବେଶି ସମୟ ତିଷ୍ଟି ନଥିଲା, ୧୯୨୦ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା । ସେହି ସମୟରେ ହାରିସ୍‌ଙ୍କୁ କିଛି ସମ୍ପତ୍ତି ସହିତ ୧୦୦,୦୦୦ ଡଲାର ଅର୍ଥ ଭରପୋଷଣ ଭାବେ ମିଳିଥିଲା । ଏହାପରେ ୧୯୨୪ରେ ସେ ଲିତା ଗ୍ରେଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଲିତାଙ୍କୁ ୧୬ ବର୍ଷ ହୋଇଥିବା ବେଳେ ଚାପଲିନ୍‌ଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ତେବେ ଏହି ବିବାହ ମଧ୍ୟ ବେଶି ଦିନ ଚାଲି ପାରିନଥିଲା, ମାତ୍ର ୩ ବର୍ଷ ପରେ ଅର୍ଥାତ୍‌ ୧୯୨୭ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଏହା ସେ ସମୟର ସବୁଠାରୁ ଦାମୀ ବିବାହ ବିଚ୍ଛେଦ ଥିଲା । ଏଥିରେ ଭରଣପୋଷଣ ବାବଦକୁ ଚାପଲିନ୍‌ଙ୍କୁ ୮୨୫,୦୦୦ ଡଲାର ଦେବାକୁ ପଡିଥିଲା । ସେହିଭଳି ଏହି ବିବାହ ବିଚ୍ଛେଦ ବାବଦକୁ ନ୍ୟାୟିକ ଖର୍ଚ୍ଚ ଏକ ମିଲିଅନ ଡଲାର ହୋଇଥିଲା । ଏହାପରେ ୧୯୩୬ରେ ଅଭିନେତ୍ରୀ ପୱìଲେଟ୍ଟେ ଗୋଡ୍‌ରାଡ୍‌ଙ୍କୁ ବିବାହ କରିଥିଲେ, ସେ ମଧ୍ୟ ଚାପଲିନ୍‌ଙ୍କ ଠାରୁ ବୟସରେ ଅନେକ ସାନ ଥିଲେ । ସେମାନେ ୧୯୪୨ରେ ଅଲଗା ହୋଇଥିଲେ । ଏହାପରେ ଚାର୍ଲି ୧୯୪୩ରେ ନିଜର ଚତୁର୍ଥ ବିବାହ କରିଥିଲେ । ଚତୁର୍ଥ ପତ୍ନୀଭାବେ ସେ ଓନା ଓ’ନେଇଲ୍ଲିଙ୍କୁ ଗ୍ରହଣ କରିଥିଲେ । ବିବାହ ବେଳକୁ ଓନାଙ୍କ ବୟସ ମାତ୍ର ୧୮ ବର୍ଷ ଥିବା ବେଳେ ଚାର୍ଲିଙ୍କୁ ୫୪ ବର୍ଷ ହୋଇଥିଲା । ଚାର୍ଲିଙ୍କର ବିଭିନ୍ନ ବିବାହରୁ ୧୧ଜଣ ସନ୍ତାନ ଜନ୍ମନେଇଥିଲେ ।

ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସହାୟତା
୧୯୧୮ରେ ଚାପଲିନ୍‌ ନିର୍ମାଣ କରିଥିଲେ ‘ଦି ବଣ୍ଡ’ ନାମରେ ଏକ ଛୋଟ ସିନେମା ପ୍ରସ୍ତୁତ କରିଥିଲେ । ଏହି ସିନେମାଟି ସେ ନିଜ ଖର୍ଚ୍ଚରେ ନିର୍ମାଣ କରିଥିଲେ । ଏହାର ଉଦ୍ଦେଶ୍ୟଥିଲା ପ୍ରଥମ ବିଶ୍ୱ ଯୁଦ୍ଧରେ ହୋଇଥିବା କ୍ଷତିରେ ନିଜର ଯୋଗଦାନ କରିବା । ସିନେମାଟିରେ ବିଭିନ୍ନ ପ୍ରକାର ବଣ୍ଡ ଯେଭଳି ବନ୍ଧୁତ୍ୱ, ବିବାହ ଆଦିକୁ ସ୍ଥାନ ଦିଆଯାଇଥିଲା ।

ୟୁନାଇଟେଡ୍‌ ଆର୍ଟିଷ୍ଟ ଷ୍ଟୁଡିଓର ସ୍ଥାପନା
୧୯୧୯ରେ ଚାପଲିନ୍‌ ଅଭିନେତ୍ରୀ ମ୍ୟାରି ପିକ୍‌ଫର୍ଡ, ଅଭିନେତା ଡୋଉଗ୍ଲାସ୍‌ ଫେୟାରବ୍ୟାଙ୍କସ୍‌ ଏବଂ ନିର୍ଦ୍ଦେଶକ ଡି. ଡବ୍ଲì୍ୟ ଗ୍ରିଫଥସଙ୍କ ସହ ମିଶି ୟୁନାଇଟେଡ୍‌ ଆର୍ଟିଷ୍ଟ ଷ୍ଟୁଡିଓର ନିର୍ମାଣ କରିଥିଲେ ।

କମେଡିରେ ହିଟଲର୍‌ଙ୍କୁ ସମାଲୋଚନା
୧୯୪୦ରେ ତାଙ୍କର ପୂର୍ଣ୍ଣ କଥାଚିତ୍ର ‘ଦି ଗ୍ରେଟ୍‌ ଡାଇରେକଫର’ ରିଲିଜ୍‌ ହୋଇଥିଲା । ଏଥିରେ ହିଟଲର୍‌ ଓ ନାଜିଜିମ୍‌ ସମ୍ଭନ୍ଧରେ ବିଦ୍ରୁପ କରାଯାଇଥିଲା । ଏଥିରେ ଚାପଲିନ୍‌ ଦୁଇଟି ଚରିତ୍ରରେ ନଜର ଆସିଥିଲେ, ଗୋଟିଏ ଜେୱିସ୍‌ ବାର୍ବର ଓ ଫାସିଷ୍ଟ ଲିଡର ଆଡେନୋଏଡ୍‌ ହ୍ୟାନିକେଲ୍‌ । ଏହି ସିନେମାଟି ଶ୍ରେଷ୍ଠ କଳାକାର ଓ ଶ୍ରଷ୍ଠ ସିନେମା ପାଇଁ ଆକାଡୋମୀ ପୁରସ୍କାରରେ ନୋମିନେଟଡେ ହୋଇଥିଲା । ଏହି ସିନେମାରେ ଚାପଲିନ୍‌ ଦେଇଥିବା ଭାଷଣ ସେ ସମୟରେ େଲାକଙ୍କ ଭିତରେ ବେଶ୍‌ ଆଦୃତ ହୋଇଥିଲା । ତେବେ ଏହି ସମାଲୋଚନା ତାଙ୍କୁ ମହଙ୍ଗା ପଡିଥିଲା, ଯାହାଫଳରେ ତାଙ୍କୁ ଦେଶ ଛାଡିବାକୁ ପଡିଥିଲା ।

୧୨ ମିନିଟ୍‌ର ଷ୍ଟାଣ୍ଡି େୱବେସନ୍‌
୧୯୭୨ ମସିହାରେ ତାଙ୍କୁ ମିଳିଥିଲା ସମ୍ମାନଜନକ ଆକାଡେମୀ ପୁରସ୍କାର । ସେ ଏହାକୁ ଆମେରିକାରେ ଗ୍ରହଣ କରିଥିଲେ । ତେବେ ଏହି ଉତ୍ସବରେ ଏକ ସ୍ୱତନ୍ତ୍ର ଘଟଣା ଘଟିଥିଲା । ଏଠାରେ ଚାପ୍‌ଲିନ୍‌ଙ୍କୁ ଷ୍ଟାଣ୍ଡିଂ େୱବେସନ୍‌ ଦର୍ଶକଙ୍କ ତରଫରୁ ମିଳିଥିଲା । ଏହି ଷ୍ଟାଣ୍ଡିଂ େୱବେସନ୍‌ ୧୨ ମିନିଟ୍‌ ଧରି ଚାଲିଥିଲା । ଚାର୍ଲିଙ୍କ ପ୍ରଶଂସକ ବୈଜ୍ଞାନିକ ଅଲବର୍ଟ ଆଇନଷ୍ଟାଇନ ଏବଂ ବ୍ରିଟେନର ରାଣୀ ହୋଇଥିବା ବେଳେ ଚାର୍ଲି ନିଜେ ମହାତ୍ମାଗାନ୍ଧିଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ ।

ମୃତୁ୍ୟ ପରେ ବି ଚର୍ଚ୍ଚାରେ
ଅନେକ ଦିନ ଧରି ରୋଗାଗ୍ରସ୍ତ ହେବା ପରେ ଚାପଲିନ୍‌ଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ମୃତ ଦେହକୁ ସୁଇଜରଲାଣ୍ଡର କର୍ସିଅର ସୁର୍‌ ଭେଭି ଶ୍ମଶାନରେ ପୋତା ଯାଇଥିଲା । ତେବେ ଚାପଲିନ୍‌ଙ୍କ ମୃତୁ୍ୟର ଠିକ୍‌ ବର୍ଷକ ପରେ ଏକ ଅଭାବନୀୟ ଘଟଣା ଘଟିଥିଲା । ତାଙ୍କ ଶବକୁ କେତେକ ଶ୍ମଶାନ ଡକାୟତ ଚୋରି କରିନେଇଥିଲେ । ପ୍ରାୟ ୧୧ ସପ୍ତାହ ପରେ ଲେକ୍‌ ଜେନେଭା ନିକଟରୁ ତାଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ଏହାକୁ ପୁଣିଥରେ ଏକ କଂକ୍ରିଟ୍‌ ତଳେ ପୋତାଯାଇଥିଲା । ୧୮୮୯ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୯୭୭ ମସିହା ଡିସେମ୍ବର ୨୫ କ୍ରିସମାସ୍‌ ଦିନ ସରିଥିଲା । ତେବେ ଏହି ଯାତ୍ରା ସରିବା ପରେ ମଧ୍ୟ ଜାରି ରହିଛି । ଆଜି ମଧ୍ୟ ସେ କମେଡି ପ୍ରିୟଙ୍କ ମଧ୍ୟରେ ଜୀବନ୍ତ ରହିଛନ୍ତି । ଆଜି ବି ଯୁବପିଢିଙ୍କ ମଧ୍ୟରେ ଚାର୍ଲି ଚାପ୍‌ଲିନ୍‌ଙ୍କର କ୍ରେଜ ଦେଖିବାକୁ ମିଳିଥାଏ, ଅନେକ କମେଡିଆନଙ୍କର ପ୍ରେରଣାର ଉତ୍ସ ସେ ହୋଇଥାଆନ୍ତି । ଅନେକ ତାଙ୍କୁ ଦେଖିଦେଖି କମେଡି ଶିଖିଥାଆନ୍ତି । କିଛି ନକହି ଲୋକଙ୍କୁ ହସାଇବାର ଅଦ୍ଭୁତ କଳା ତାଙ୍କୁ ସର୍ବଦା ଲୋକଙ୍କ ହୃଦୟରେ ଜୀବନ୍ତ ରଖିବ ।

https://thetopmost.in/?p=1275

https://thetopmost.in/?p=1368

https://thetopmost.in/?p=1359

https://thetopmost.in/?p=1362

https://thetopmost.in/?p=1337