ଭାରତରେ ଏଭଳି ଅନେକ ସହର ରହିଛି ଯାହାର ଦୁଇ ଦୁଇଟି ନାଁ ଅଛି । ଅର୍ଥାତ ଏହି ସହରଗୁଡିକର ପୂର୍ବରୁ ଗୋଟିଏ ନାମ ଥିବାବେଳେ ଏହାକୁ ବଦଳାଯାଇ ଆଉ ଏକ ନାଁ ରଖାଯାଇଛି । ଏହି ତାଲିକା ବହୁତ ଲମ୍ବା । ଏହି ଲମ୍ବା ତାଲିକାରେ ଏଭଳି କେତେକ ସହର ରହିଛି, ଯାହା ନାମ ପରିବର୍ତ୍ତନ ପାଇଁ ଚର୍ଚ୍ଚାରେ ରହିଛି । ଏହି ପ୍ରକ୍ରିୟା ଅନେକ ସମୟରେ ଚାଲିଥାଏ । ବର୍ତ୍ତମାନ ଉତ୍ତରପ୍ରଦେଶରେ ଆଗକୁ ହେବାକୁ ଥିବା ୧୨ଟି ସ୍ଥାନର ନାମ ପରିବର୍ତ୍ତନ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
୨୬୮ ବର୍ଷ ପୂର୍ବେ ଅଲୀଗଡ଼ର ନାମ ରାମଗଡ଼ ଥିଲା । ଏହା ପୂର୍ବରୁ ଏଠାରେ କୋଇଲ ଜନଜାତି ବସବାସ କରୁଥିବାରୁ ଏହିସ୍ଥାନକୁ କୋଇଲ ନାମରେ ମଧ୍ୟ ଜଣାଶୁଣା ଥିଲା । ପୁଣି ୧୭୫୩ରେ ଜାଟ୍ ସରକାର ସରୁଜମଲ ଏବଂ ନଜାଫ ଖାନଙ୍କ ମଧ୍ୟରେ ଘୋସର ଯୁଦ୍ଧ ହୋଇଥିଲା । ସେତେବେଳେ ନଜାଫ ଖାନ ଏହି ସହରକୁ ଅକ୍ତିଆର କରିଥିଲେ ଏବଂ ଏହାର ନାମ ଅଲୀଗଡ଼କୁ ପରିବର୍ତ୍ତିତ କରିଥିଲେ ।
ବର୍ତ୍ତମାନ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମୋଗଲ ଶାସକଙ୍କ ଦ୍ୱାରା ଦିଆଯାଇଥିବା ଅଲୀଗଡ଼ ସମେତ ୧୨ ଜିଲ୍ଲା ଓ ସହରର ନାମ ପରିବର୍ତ୍ତନ କରାଯିବାର ସମ୍ଭାବନା ରଖିଥିବା ସୂଚନା ମିଳିଛି । ଯୋଗୀ ସରକାର କ୍ଷମତାକୁ ଆସିବା ପରଠାରୁ ଉତ୍ତରପ୍ରଦେଶରେ ସାଂସ୍କୃତିକ ଐତିହ ଏବଂ ପୌରାଣିକ ଗୁରୁତ୍ୱକୁ ପ୍ରାଥମିକତାରେ ସାମିଲ କରାଯାଇଛି । ତେଣୁ ଯୋଗୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମୁଗଲସରାୟ ରେଳ ଷ୍ଟେଶନର ନାମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ନାମ ଉପରେ ରଖାଯାଇଥିଲା । ସେହିପରି ଆଲ୍ଲାହାବାଦକୁ ପ୍ରୟାଗରାଜ ଏବଂ ଫୈଜାବାଦର ନାମ ବଦଳାଇ ଅଯୋଧ୍ୟା କରାଯାଇଥିଲା । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଭାରତରେ ସହରର ନାମ ପରିବର୍ତ୍ତନର ରାଜନୀତି ୭୦୦ରୁ ଅଧିକ ବର୍ଷ ପୁରୁଣା ।
ୟୁପିରେ ବଦଳିବ ୧୨ ସହରର ନାମ
ପୁରୁଣା ନାମ ନୂଆ ପ୍ରସ୍ତାବିତ ନାମ
ଅଲୀଗଡ଼- ହରିଗଡ଼/ ଆର୍ଯ୍ୟଗଡ଼
ସମ୍ଭଲ- କáି ନଗର/ ପୃଥ୍ୱୀରାଜ ନଗର
ଫରୁଖାବାଦ- ପାଞ୍ଚାଲ ନଗର
ସୁଲତାନପୁର- କୁଶଭବନଗର
ଫିରୋଜାବାଦ- ଚନ୍ଦ୍ରନଗର
ଶାହଜହାଁପୁର- ଶାଜୀପୁର
ଆଗ୍ରା- ଅଗ୍ରବନ
ମେନପୁରୀ- ମ୍ୟାନ ପୁରୀ
ଗାଜିପୁର- ଗଢ଼ିପୁରୀ
ଦେୱବନ୍ଦ- ଦେନବୃନ୍ଦପୁର
ରସୁଲାବାଦ- ଦେବଗଡ଼
ସିକନ୍ଦରା- ଆଦର୍ଶନଗର
ପରିବର୍ତ୍ତିତ ସହର
ଉର୍ଦ୍ଦୁ ବଜାର- ହିନ୍ଦୀ ବଜାର
ହୁମାୟନପୁର- ହନୁମାନ ନଗର
ମୀନା ବଜାର- ମାୟା ବଜାର
ଅଲୀନଗର- ଆର୍ଯ୍ୟ ନଗର
ଆଲ୍ଲାହାବାଦ- ପ୍ରୟାଗରାଜ
ଫୈଜାବାଦ- ଅଯୋଧ୍ୟା
ମୁଗଲସରାୟ ରେଳ ଷ୍ଟେଶନ- ପଣ୍ଡିକ ଦୀନଦୟାଲ ଉପାଧ୍ୟାୟ ଷ୍ଟେଶନ
ନାମ ପରିବର୍ତ୍ତନ କରିବାରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମଧ୍ୟ ପଛରେ ନାହାନ୍ତି । ଉତ୍ତରପ୍ରଦେଶରେ ଗତ ୧୦ ବର୍ଷ ମଧ୍ୟରେ ୧୧ ଜିଲ୍ଲା ମଧ୍ୟରୁ ୯ଟିର ନାମ ଅଖିଳେଶ ଯାଦବ ବଦଳାଇଛନ୍ତି ।
ପୁରୁଣା ନାମ ନୂଆ ନାମ
ପ୍ରବୁଦ୍ଧ ନଗର- ଶାମଲୀ
ଭୀମ ନଗର- ସମ୍ଭଲ
ପଞ୍ଚଶୀଳ ନଗର- ହାପୁଡ଼
ମହାମାୟା ନଗର- ହାଥରସ
ଜ୍ୟୋତିବା ଫୁଲେ ନଗର-ଅମରୋହା
କାଶୀରାମ ନଗର- କାସଗଞ୍ଜ
ଛତ୍ରପତି ଶାହୁଜୀ
ମହାରାଜ ନଗର- ଅମେଠୀ
ରାମାବାଈ ନଗର- କାନପୁର ଦେହାତ
ସନ୍ତ ରବିଦାସ ନଗର- ଭଦୋହୀ
ସେହିପରି ବିଏସପି ସୁପ୍ରିମୋ ମାୟାବତୀ ଲକ୍ଷ୍ନୋର ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟର ନାମ ବଦଳାଇ ତାଙ୍କ ପାର୍ଟିର ଆଦର୍ଶ ପୁରୁଷ ଛତ୍ରପତି ଶାହୁଜୀ ମହାରାଜଙ୍କ ନାମ ଉପରେ ହିଁ ରଖିଥିଲେ । ମାୟାବତୀ କାନପୁର ଦେହାତର ନାମ ପରିବର୍ତ୍ତନ କରି ରାମାବାଈ ନଗର, ସମ୍ଭଲର ଭୀମନଗର, ଶାମଲୀର ପ୍ରବୁଦ୍ଧନଗର ଏବଂ ହାପୁଡ଼ର ପଞ୍ଚଶୀଳ ନଗର କରିଥିଲେ । କିନ୍ତୁ ୨୦୧୨ରେ ମୁଖ୍ୟମନ୍ତ୍ରୀ ହେବା ପରେ ଅଖିଳେଶ ଯାଦବ ଏହି ସହରଗୁଡ଼ିକର ନାମ ପରିବର୍ତ୍ତନ କରାଇ ପୁଣି ଥରେ ପୁରୁଣା ନାମ ରଖିଥିଲେ ।
ନାମ ପରିବର୍ତ୍ତନ ରାଜନୀତିରେ କଂଗ୍ରେସର ରେକର୍ଡ
ଯେକୌଣସି ସହର, ଜିଲ୍ଲା କିମ୍ବାର ରାଜ୍ୟର ନାମ ପରିବର୍ତ୍ତନ ଆଜିର ପ୍ରସଙ୍ଗ ନୁହେଁ । ବହୁ କାଳରୁ ଏପରିକି ମୋଗଲ ଶାସନ କାଳରୁ ସହରର ନାମ ପରିବର୍ତ୍ତନ କରାଯାଇଛି । ଏହି ନାମ ପରିବର୍ତ୍ତନ ପଲିଟିକ୍ସରେ ଦେଶର ବଡ଼ ତଥା ପୁରୁଣା ଦଳ କଂଗ୍ରେସ ମଧ୍ୟ ପଛରେ ନାହିଁ । କଂଗ୍ରେସର ତିନି ବଡ଼ ନେତା ତଥା ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ନାମ ଉପରେ ବହୁ ଶିକ୍ଷାନୁଷ୍ଠାନ, ବଜାର ଆଦିର ନାଁ ରଖାଯାଇଛି । ୧୨ ଜାନୁଆରୀ ୧୯୯୬ରେ କଂଗ୍ରେସ ପାର୍ଟି ସରକାର ଦିଲ୍ଲୀର ମୁଖ୍ୟ ବଜାର କନାର୍ଟ ପ୍ଲେସ୍କୁ ରାଜୀବ ଚୌକ କରିଥିଲେ । ତେବେ ଏହି କନାର୍ଟ ପ୍ଲେସର ନାମ ବ୍ରିଟେନର ରାଜପରିବାରର ସଦସ୍ୟ ଡୁ୍ୟକ୍ ଅଫ୍ କନାର୍ଟଙ୍କ ନାଁ ଉପରେ ସ୍ଥାନିତ କରାଯାଇଥିଲା । ସେହିପରି ୨୦୧୩ର ଏକ ରିପୋର୍ଟ ଆଧାରରେ ସ୍ପଷ୍ଟ ହୋଇଥିଲା ଯେ କଂଗ୍ରେସ ସରକାର ୪୨୦ଟି ସଂସ୍ଥା, ଯୋଜନା ତଥା ସ୍ଥାନର ନାମ ଗାନ୍ଧୀ ପରିବାରଙ୍କ ନାମରେ ରଖାଯାଇଛି । ସେଗୁଡ଼ିକ ହେଲା ୫୨ଟି ରାଜ୍ୟ ଯୋଜନା, ୭୪ଟି ସଡ଼କ ଓ ଭବନ, ୯୮ଟି ଶିକ୍ଷାନୁଷ୍ଠାନ, ୫୨ଟି ପୁରସ୍କାର, ୧୯ଟି ଷ୍ଟାଡିୟମ, ୩୭ଟି ଅନ୍ୟ ସଂସ୍ଥା. ୨୮ଟି କ୍ରୀଡ଼ା ପ୍ରତିଯୋଗିତା, ୩୯ଟି ହସ୍ପିଟାଲ, ୧୫ଟି ନାସନାଲ ସେଞ୍ଚୁରୀ, କେନ୍ଦ୍ର ଯୋଜନା ଏବଂ ୫ଟି ଏୟାରପୋର୍ଟ ।
ମୋଗଲ ଆରମ୍ଭ କରିଥିଲେ ପରମ୍ପରା
ଭାରତସ୍ୱାଧୀନ ହେବାପରଠୁ ଆଜି ପର୍ଯ୍ୟନ୍ତ ଶତାଧିକ ସହରର ନାମକୁ ପରିବର୍ତ୍ତିତ କରାଯାଇଛି । ହେଲେ ଦେଶରେ ସହରର ନାମ ପରିବର୍ତ୍ତନର ଖେଳ ପ୍ରାୟ ୭୧୮ ବର୍ଷ ପୁରୁଣା । ଇତିହାସରୁ ଜଣାପଡ଼େ ଯେ ସୁନାର ଦେଶ ଭାରତକୁ ଯିଏ ବି ଶାସନ କରିଛନ୍ତି, ସେମାନେ ନିଜ ନାମ ଅନୁସାରେ କିମ୍ବା ଉଚ୍ଚାରଣକୁ ସହଜ କରିବା ପାଇଁ ନାମ ବଦଳାଉଥିଲେ । ଏହି ପରମ୍ପରା କେଉଁ କାଳରୁ ଚାଲି ଆସୁଛି । ୧୩୦୩ ମସିହାରେ ଚିତୌଡ଼ଗଡ଼ ଦୁର୍ଗକୁ କବ୍ଜା କରିବା ପରେ ଅଲାଉଦ୍ଦିନ ଖିଲଜୀ ତାଙ୍କ ପୁଅ ଖିଜ୍ର ଖାନଙ୍କ ନାମ ଉପରେ ଏହି ସହରର ନାମ ଖିଜରାବାଦ ରଖିଥିଲେ । ହେଲେ କିଛି ବର୍ଷ ପରେ ରାଜପୁତମାନେ ଏହି ଦୁର୍ଗକୁ ଅକ୍ତିକାର କରି ପୁଣି ଥରେ ସହରର ନାମ ସେହି ପୁରୁଣା ଚିତୌଡ଼ଗଡ଼ କରିଥିଲେ । ଏହାର ଦୀର୍ଘ ୧୭ ବର୍ଷ ପରେ ମହମ୍ମଦ ବିନ୍ ତୁଗଲକ ମହାରାଷ୍ଟ୍ରର ସହର ଦେବଗିରିର ନାମ ବଦଳାଇ ଦୌଲତାବାଦ ଏବଂ ବାରଙ୍ଗଲ୍କୁ ସୁଲତାନପୁର କରିଥିଲେ । କହିବାକୁ ଗଲେ ମୋଗଲ ଶାସକମାନେ ସହରର ନାମ ବଦଳାଇବାର ପରମ୍ପରା ଆରମ୍ଭ କରିଥିଲେ । ଯେଉଁ କ୍ଷେତ୍ରଗୁଡ଼ିକ ଉପରେ ସେ ବିଜୟ ହାସଲ କରୁଥିଲେ, ସେଠାକାର ସହର ଓ ଗାଁର ନାମ ମଧ୍ୟ ତାଙ୍କ ଅନୁସାରେ ହୋଇଯାଉଥିଲା । କେତେକ ମଧ୍ୟକାଳୀନ ଶାସକମାନେ ସହର ବସାଇଥିଲେ ଏବଂ ସେହି ସହରଗୁଡ଼ିକର ନାମ ତାଙ୍କ ପରିବାରର ସଦସ୍ୟ କିମ୍ବା ନିଜସ୍ୱ ନାମ ଉପରେ ରଖୁଥିଲେ । ଉଦାହରଣ ସ୍ୱରୁପ ଦିଲ୍ଲୀ ଶାସନ ଗଦିରେ ବସିଲା ପରେ ମହମ୍ମଦ ବିନ ତୁଗଲକ ରାଜଧାନୀ ଦିଲ୍ଲୀକୁ ନେଇ ଦେବଗିରିରେ ସ୍ଥାପିତ କରିଥିଲେ, ତାପରେ ସେ ଦେବଗିରିର ନାମ ବଦଳାଇ ଦୌଲତାବାଦ କରିେଦେଲେ । ୧୬୨୮ରେ ଶାହଜାହାଁ ମୋଗଲ ସମ୍ରାଟ ଅକବରଙ୍କ ନାଁ ଉପରେ ଆଗ୍ରାର ନାମ ଅକରାବାଦ ରଖିଥିଲେ । ଏକ ରିପୋର୍ଟ ଅନୁସାରେ ଭାରତର ୭୦୪ଟି ସ୍ଥାନର ନାମ କେବଳ ୬ ମୋଗଲ ଶାସକଙ୍କ ନାମନୁସାରେ ରହିଛି । ଏହି ମୋଗଲଙ୍କ ମଧ୍ୟରେ ବାବର, ହୁମାୟୁନ, ଅକବର, ଜାହାଙ୍ଗୀର, ଶାହଜାହାଁ ଏବଂ ଔରଙ୍ଗଜେବ ସାମିଲ ଅଛନ୍ତି । ଏଥିମଧ୍ୟରେ ଅକବରଙ୍କ ନାମରେ ଦେଶର ୨୫୧ଟି ଗାଁ, ଔରଙ୍ଗଜେବଙ୍କ ନାମରେ ୧୭୭, ଜାହାଙ୍ଗୀରଙ୍କ ନାମ ୧୪୧, ଶାହଜାହାଁଙ୍କ ନାମ ୬୩, ବାବରଙ୍କ ନାମ ଉପରେ ୬୧ ଏବଂ ହୁମାୟୁନଙ୍କ ନାଁ ଅନୁଯାୟୀ ୧୧ଟି ସ୍ଥାନର ନାମ ରହିଛି । ଏହା ବ୍ୟତୀତ ଦେଶରେ ପ୍ରାୟ ୭୦ ଅକବରପୁର ଏବଂ ୬୩ଟି ଔରଙ୍ଗବାଦ ରହିଛି । କୁହାଯାଏ ଯେ ମୋଗଲ ଶାସକଙ୍କ ମଧ୍ୟରେ ଔରଙ୍ଗଜେବ ସବୁଠୁ ଅଧିକ ରାଜନୈତିକ, ବିଚାର ଦୃଷ୍ଟିକୋଣ ଏବଂ ମତଭେଦ ଅନୁସାରେ ସହରର ନାମ ପରିବର୍ତ୍ତନ କରିଥିଲେ । ୧୬୬୦ରେ ଔରଙ୍ଗଜେବ ଗୁଜରାଟର ଜାମନଗର ସହରର ନାମ ପରିବର୍ତ୍ତିତ କରି ଇସଲାମନଗର କରିଥିଲେ । କେବଳ ସେତିକି ନୁହେଁ ମୋଗଲ ଶାସକ ଔରଙ୍ଗଜେବ ମରାଠାଙ୍କ ସହର ସତାରାକୁ ଆଜମତାର ରଖିଥିଲେ । ୧୬୬୦ରେ ମଲିକ ଅମ୍ବରରେ ବସିଥିବା ସହର ଖଡକୀର ନାମ ତାଙ୍କ ପୁଅ ଫତେହ ଖାନ ଫତେହ ନଗର କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ଔରଙ୍ଗାବାଦ ନାମ ଦେଇଥିଲେ ।
ଟିପୁ ସୁଲତାନ ଓ ଇଂରେଜ
୧୭୮୨ରେ ପିତା ହାଇଦର ଅଲୀଙ୍କ ପରେ ଟିପୁ ସୁଲତାନ ମୈସୁରର ରାଜା ହୋଇଥିଲେ । ସେ ମୈସୁରର ନାମ ବଦଳାଇ ନଜରାବାଦ କରିଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ସହର ଯଥା ମଙ୍ଗଲୋରକୁ ଜଲାଲାବାଦ, ଧାରୱାକୁ ଖୁର୍ଶିଦ-ସୱାଦ, କାଲିକଟକୁ ଇସଲାମବାଦ, ମଦିକେରୀକୁ ଜାଫରାବାଦ ନାମ ଦେଇଥିଲେ । ୧୭୯୯ରେ ଇଂରେଜ ଏବଂ ମୈସୁର ରାଜାଙ୍କ ମଧ୍ୟରେ ଚତୁର୍ଥ ଯୁଦ୍ଧ ହୋଇଥିଲା । ଏଥିରେ ଟିପୁ ମୃତୁ୍ୟବରଣ କରିଥିଲେ । ଏହାପରେ ଇଂରେଜ ପୁଣି ଥରେ ସହରର ପୁରୁଣା ନାମକୁ ବଜାୟ ରଖିଥିଲେ । ହେଲେ ମୁସଲିମ ସମ୍ପ୍ରଦାୟଙ୍କ ସଂଖ୍ୟାଧିକ ଏବଂ ରାଜନୈତିକ ଲାଭ ପାଇଁ ଇଂରେଜମାନେ ନଜରାବାଦର (ମୈସୁର) ନାମ ପରିବର୍ତ୍ତନ କରିନଥିଲେ । କିନ୍ତୁ ଇଂରେଜମାନେ ପରବର୍ତ୍ତୀ ସମୟରେ କେତେକ ସହର ନାମ ପରିବର୍ତ୍ତନ କରିଥିଲେ । ଯଥା କାନପୁରରୁ କୋୱନପୁର୍ ଏବଂ ପୁଣେରୁ ପୁନା ।
ସ୍ୱାଧୀନ ପରେ
ଦେଶ ସ୍ୱାଧୀନତା ପାଇବା ପରେ ଇଂରେଜଙ୍କ ପ୍ରଭାବକୁ ନଷ୍ଟ କରାଇବା ପାଇଁ ଦିଲ୍ଲୀର କିସ୍ୱେୱ ରୋଡ୍କୁ ରାଜପଥ ଏବଂ କର୍ଜନ ରୋଡ୍କୁ କସ୍ତୁରବା ଗାନ୍ଧୀ ମାର୍ଗ ନାମ ଦିଆଗଲା । ସେପଟେ ସେହି ବର୍ଷରେ ହିଁ ଜୁ³ଲପୁରେର ନାମ ବଦଳାଇ ଜବଲପୁର କରାଗଲା । ତେବେ ସ୍ୱାଧୀନ ଦେଶରେ ପ୍ରଥମ ଥର ସହର ଭାବେ ଜବଲପୁରର ନାମ ପରିବର୍ତ୍ତନ କରାଯାଇଥିଲା । ଏହାର କିଛି ବର୍ଷ ପର୍ଯ୍ୟନ୍ତ ଏହି ନାମ ପରିବର୍ତ୍ତନର ପରମ୍ପରାରେ ବିରାମ ଲାଗିଥିଲା । ଏହାପରେ ସ୍ଥାନ ନାମ ବଦଳାଇବାର ବଡ଼ ପରିବର୍ତ୍ତନ ୧୯୫୬ରେ ଷ୍ଟେଟ୍ ରିଅର୍ଗାନାଇଜେସନ୍ ଜରିଆରେ ଆସିଥିଲା । ସେହି ବର୍ଷ ସମ୍ପୂର୍ଣ୍ଣାନନ୍ଦ ବନାରସରୁ ବାରାଣାସୀ ରଖିଥିଲେ । ଏହି ନାମ ବରୁଣା ଏବଂ ଅସୀ ନଦୀର ନାମକୁ ସଂଯୁକ୍ତ କରି ରଖାଯାଇଥିଲା । କାନପୁର ସହରର ନାମ ଥରେ ନୁହେଁ କି ଦୁଇଥର ନୁହେଁ ବରଂ ୨୧ଥର ବଦଳାଯାଇଥିଲା । ଶେଷରେ ୧୯୪୮ରେ ଏହାକୁ କାନପୁର ନାମ ମିଳିଥିଲା ।
ଗଣତନ୍ତ୍ର ରାଷ୍ଟ୍ରରେ ନାମ ପରିବର୍ତ୍ତନର ଦ୍ୱିତୀୟ ପର୍ଯ୍ୟାୟ
ଭାରତରେ ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନର ଧାରା ପୁଣି ଥରେ ୧୯୮୦-୧୯୯୦ ଦଶକରେ ଜୋର ଧରିଥିଲା । ଇଂରେଜ ଶାସନକୁ ମନେ ପକାଉଥିବା କହି ୧୯୯୫ରେ ବିଜେପି-ଶିବସେନା ସରକାର ବମ୍ବେର ନାମ ପରିବର୍ତ୍ତିତ କରି ମୁମ୍ବାଇ କରିଥିଲେ । ସେହି ସମୟରେ କେନ୍ଦ୍ର ସରକାର ମୁମ୍ବାଇ ନାମକୁ ବିରୋଧ କରିଥିଲେ । ସେତେବେଳେ କେବଳ ମୁମ୍ବାଇ ନୁହେଁ କେତେକ ରାଜ୍ୟର ରାଜଧାନୀର ନାମ ପରିବର୍ତ୍ତନ କରାଗଲା । ୧୯୯୬ରେ ତାମିଲନାଡୁର ରାଜଧାନୀ ମଦ୍ରାସରୁ ଚେନ୍ନାଇ ରଖାଗଲା । ଏହିପରି ଭାବେ ୨୦୦୧ରେ କଲକତାରୁ କୋଲକତା କରାଗଲା । କୁହାଯାଏ ଯେ ଇଂରେଜଙ୍କ ଦ୍ୱାରା ଭୁଲ ଉଚ୍ଚାରଣ ଯୋଗୁଁ କୋଲକାତାର ନାମ କଲକତା ହୋଇଯାଇଥିଲା ।
ବିଶ୍ୱର ପ୍ରଥମ ସହର ଉରୁକ
ସହର ତଥା ସିଟି ଶବ୍ଦ ଲାଟିନ ଭାଷାର ସିଭିଟାସ ଶଦ୍ଦରୁ ଆସିଛି, ଯାହାର ଅର୍ଥ କମୁ୍ୟନିଟି ହୋଇଥାଏ । ବିଶ୍ୱର ସବୁଠୁ ପୁରୁଣା ସହର ଉରୁକକୁ ବିବେଚନା କରାଯାଏ । ଏହି ସହର ୪୫୦୦ ଖ୍ରୀଷ୍ଟପୂର୍ବ ଦକ୍ଷିଣ ମେସୋପୋଟାମିଆର ସୁମେରିୟନ ରାଜା ଦ୍ୱାରା ବସାଯାଇଥିଲା । ଇରାକ, ଇରାନ, ତୁର୍କୀ, କୁେଏତ ଏବଂ ସିରିୟା ସେହି ସମୟରେ ମେସୋପୋଟାମିଆ ସଭ୍ୟତାରେ ସାମିଲ ହୋଇଥିଲା । ଉରୁକ ସହରକୁ ୱାର୍କା ନାମରେ ମଧ୍ୟ ଜଣାଯାଉଥିଲା । ୨୦୦୦ ଖ୍ରୀଷ୍ଟପୂର୍ବରେ ଏହାକୁ ବେବିଲୋନିଆ ନାମରେ ଲୋକ ଚିହ୍ନିଲେ । ଏବେ ଏହି ସହର ଇରାକରେ ଅବସ୍ଥିତ । ଦୁନିଆର ପ୍ରଥମ ସହର ଉରୁକର ନାମ ସୁମେରିୟନ ଭାଷାର ଆଧାର ଉପରେ ରଖାଯାଇଥିଲା । ଉରୁକ ସୁମେରିୟନ ସାମ୍ରାଜ୍ୟରେ ପଥରରୁ ନିର୍ମିତ ମନ୍ଦିରର ବିଶେଷତାକୁ ଦର୍ଶାଇଥାଏ ।
ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା
ଯେକୌଣସି ଜିଲ୍ଲା କିମ୍ବା ସହରର ନାମ ପରିବର୍ତ୍ତନ କରିବାକୁ ଚାହିଁଲେ ସେହି ଜିଲ୍ଲା ବା ସହରର ପ୍ରତିନିଧିଙ୍କୁ ଐତିହାସିକ ପ୍ରମାଣପତ୍ର ସହ ସରକାରଙ୍କୁ ନିବେଦନ କରିବାକୁ ପଡ଼ିଥାଏ । କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଏହାକୁ ବିଧାନସଭାରେ ପାରିତ କରାଯାଏ । ଏହାପରେ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥାଏ । ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିବା ପରେ ଅଧିସୂଚନା ପାଇଁ ଗୃହମନ୍ତ୍ରାଳୟ ନିକଟକୁ ପଠାଯାଏ । ଗୃହମନ୍ତ୍ରାଳୟ ଏହାକୁ ଗ୍ରହଣ କିମ୍ବା ଖାରଜ କରିପାରନ୍ତି । ରାଜ୍ୟସରକାର ପୁଣି ଥରେ ନାମ ପରିବର୍ତ୍ତନର ଅଧିସୂଚନା ଜାରି କରନ୍ତି କିମ୍ବା ସୂଚୀପତ୍ର ପ୍ରକାଶିତ କରିଥାନ୍ତି । ଏହାପରେ ରାଜ୍ୟ ସରକାର ଏକ ନୋଟିସ ଜିଲ୍ଲା ସରକାରଙ୍କ ପାଖକୁ ପଠାଇଥାନ୍ତି । ଆକଳନ ଅନୁଯାୟୀ ଗୋଟିଏ ଜିଲ୍ଲାରେ ୮୦-୯୦ ସରକାରୀ ବିଭାଗ ଥାଏ । ଏହାର ନାମ ବଦଳିବା ସହ ପୁରୁଣା ଦସ୍ତାବିଜକୁ ପରିବର୍ତ୍ତିତ କରାଇ ନୂଆ ନାମ ସହ ପ୍ରସ୍ତୁତ କରାଯାଏ । ସମସ୍ତ ସରକାରୀ ବୋର୍ଡରେ ନୂଆ ନାମ ଲେଖାଯାଏ । ସରକାରୀ ଏବଂ ବେସରକାରୀ ସଂସ୍ଥାର ନାମ ଫଳକରେ ମଧ୍ୟ ନାମ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଏ ।
ଗୁରୁଗାଓଁ ରୁ ଗୁରୁଗ୍ରାମ
୨୦୧୬ରେ ହରିୟାଣାର ଗୁରୁଗାଓଁର ନାମ ବଦଳାଯାଇ ରଖାଯାଏ ଗୁରୁଗ୍ରାମ । ଗୁରୁଗ୍ରାମ ସହର ଭାରତର କର୍ପୋରେଟ୍ ହବ୍ ବୋଲି ବିବେଚିତ ହୋଇଥାଏ । ଗୁରୁଗାଓଁର ନାଁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନାଁରୁ ପ୍ରେରିତ । ଲୋକକଥା ଅନୁସାରେ ଏହି ଗାଁକୁ ପାଣ୍ଡବମାନେ ଗୁରୁ ଦକ୍ଷିଣା ଭାବେ ପ୍ରଦାନ କରିଥିଲେ ତେଣୁ ଏହାର ନାଁ ଗୁରୁ ଗ୍ରାମ । ଯାହା ଧୀରେ ଧୀରେ ଅପଭ୍ରଂଶ ହୋଇ ଗୁରୁଗାଓଁରେ ପରିଣତ ହୋଇଥିଲା । ତେବେ ବର୍ତ୍ତମାନ ଏହା ଗୁରୁଗ୍ରାମ ନାଁରେ ପରିଚିତ ।
ବ୍ୟାଙ୍ଗଲୋର୍ରୁ ବେଙ୍ଗାଲୁରୁ
ଏହି ସହରର ନାଁ ଅନେକ ବର୍ଷ ପୂର୍ବରୁ ବଦଳାଯାଇଥିଲା । ପଶ୍ଚିମ ଗଙ୍ଗ ରାଜବଂଶ ସମୟର ଏକ ଶିଳାଲିପି ଅନୁସାରେ ଏଠାରେ ୮୯୦ ସିଇରେ ଏକ ଯୁଦ୍ଧ ହୋଇଥିଲା । ସେତେବେଳେ ସହରଟି ୧୦୦୪ ମସିହା ପର୍ଯ୍ୟନ୍ତ ଗଙ୍ଗ ରାଜ୍ୟର ଅଂଶଥିଲା । ସେତେବେଳେ ଏହାର ନାମ ଥିଲା ବେଙ୍ଗଭଲ୍ଲରୁ । କାଳକ୍ରମେ ଏହି ନାଁରେ ପରିବର୍ତ୍ତନ ଆସିଥିଲା । ୨୦୦୬ରେ ଏହା ବାଙ୍ଗାଲୋର ନାମରେ ନାମିତ ହୋଇଥିଲା । ଏହାପରେ ୨୦୧୪ରେ ଏହାର ନାମ ବଦଳାଯାଇ ବେଙ୍ଗାଲୁରୁ ରଖାଯାଇଛି ।
ବମ୍ବେରୁ ମୁମ୍ବାଇ
ଆଜିକାଲି ମୁମ୍ବାଇ ନାମରେ ପରିଚିତ ସହରର ପୂର୍ବରୁ ଅନେକ ନାଁ ଥିଲା । ଅନେକଥର ପରିବର୍ତ୍ତନ ହେବା ପରେ ଏହାର ନାଁ ମୁମ୍ବାଇ ରଖାଯାଇଛି । ୧୬ ଶହ ୧୭ ଶହ ଶତାବ୍ଦୀ ସମୟରେ ଏହାର ନାଁ ଅନେକ ଥିଲା ଯଥା – ମୋବୟାଁ(୧୫୨୫), ବମ୍ବାୟମ୍ (୧୫୫୨), ବମ୍ବାଇଁ( ୧୫୫୨), ବମ୍ବାୟା(୧୫୩୮), ବୁନ୍ ବେ(୧୬୯୦), ବମ୍ବାଇମ୍ (୧୬୬୬) ଆଦି । ବ୍ରିଟିଶ୍ ଶାସନ ସମୟରେ ଏହାର ନାଁ ବମ୍ବେ ହିଁ ରହିଥିଲା । ତେବେ ଏହାକୁ ୧୯୯୬ରେ ବଦଳାଯାଇ ମୁମ୍ବାଇ ରଖାଯାଇଥିଲା । ଏହି ନାଁଟି ମୁମ୍ବା ବା ମହାଅମ୍ବା ଶବ୍ଦରୁ ଆସିଛି ।
ତ୍ରିଭନ୍ଦୁରମ୍ରୁ ଥିରୁବନ୍ତପୁରମ୍
୧୯୯୧ ପର୍ଯ୍ୟନ୍ତ କେରଳର ଥିରୁବନ୍ତପୁରମର ନାମ ତ୍ରିଭନ୍ଦୁରମ ରହିଥିଲା । ୧୯୯୧ରେ କେରଳ ସରକାର ଏହାକୁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି ଶବ୍ଦଟି ମାଲାୟଲମରେ ଉଚ୍ଚାରଣ ହୋଇଥାଏ ଏବଂ ଏହାର ଅର୍ଥ ଭଗବାନ ଅନନ୍ତଙ୍କୁ ବୁଝାଇଥାଏ । ଏହା ଭାରତର ଏକ ପୁରାତନ ସହର ଭାବେ ପରିଚିତ ।
କଲକତାରୁ କୋଲକାତା
୨୦୦୧ରେ କଲିକାତାର ନାଁ ପରିବର୍ତ୍ତନ କରାଯାଇ ଔପଚାରିକ ଭାବେ କୋଲକାତା କରାଯାଇଥିଲା । ଏହି ନାଁ ଟି ବଙ୍ଗାଳୀ ନାଁ କୋଲିକତାରୁ ଆସିଛି । ଏହି ନାମଟି ବ୍ରିଟିଶ ଅମଳର ଏକ ଗ୍ରାମର ନାଁ, ଯେଉଁନାମରୁ କୋଲକତା ଅଣାଯାଇଛି ।
ମାଡ୍ରାସ୍ରୁ ଚେନ୍ନାଇ
ମାଡ୍ରାସ ନାମଟି ମଡ୍ରାସାପାଟ୍ଟିନମ୍ରୁ ଊଦ୍ଧୃତ । ମଡ୍ରାସାପାଟ୍ଟିନମ୍ ଏକ ଗ୍ରାମର ନାଁ ଯାହା ଫର୍ଟ ସେଣ୍ଟ ଗର୍ଗରେ ଉପସ୍ଥିତ । ତେବେ ୧୯୯୬ରେ ମାଡ୍ରାସ୍କୁ ପରିବର୍ତ୍ତନ କରାଯାଇ ଚେନ୍ନାଇ ରଖାଯାଇଥିଲା । ଏହି ନାମଟି ଚେନ୍ନା କେସବ ପେରୁମାଲ ଟେମ୍ପୁଲ ନାମ ଅନୁସାରେ ରଖାଯାଇଛି ବୋଲି ଲୋକକଥା ରହିଛି, ହେଲେ ଏହାର କୌଣସି ପ୍ରମାଣ ନାହିଁ ।
କୋଚିନ୍ରୁ କୋଚି
୧୪ଶହ ଶତାବ୍ଦି ସମୟରେ କୋଚି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜି୍ୟକ ସହର ଭାବେ ପରିଚିତ । ସେ ସମୟରେ କୋଚି ମସଲା ବ୍ୟବସାୟ ପାଇଁ ଖୁବ୍ ପରିଚିତ ଥିଲା । ଏହାସହିତ ଏହାକୁ ଆରବିଆନ୍ ସମୁଦ୍ରର ରାଣୀବୋଲି କୁହାଯାଇଥାଏ । କୋଚି ନାମଟି ମଲାୟଲମ ଶବ୍ଦ କୋଚ୍ଚୁ ଆହି ଶବ୍ଦରୁ ଆସିଛି, ଯାହାର ଅର୍ଥ ଛୋଟ ହ୍ରଦ । ୧୯୯୦ ମସିହାରେ ଔପଚାରିକଭାବେ ଏହାକୁ କୋଚି ନାମ ଦିଆଯାଇଥିଲା ।
ୱଲଫାୟରରୁ ବିଶାଖାପାଟ୍ଟନାମ
ବିଶାଖାପାଟ୍ଟନାମର ଇତିହାସ ପ୍ରାୟ ୬ଶହ ଖୀଷ୍ଟପୂର୍ବର । ଏହା ପ୍ରଥମରୁ କଳିଙ୍ଗ ରିଜନର ଅଂଶ ଥିଲା । ଏଥିସହିତ ଏହା ଭେଙ୍ଗି କିଙ୍ଗଡମ୍, ପଲ୍ଲଭ ଓ ଗଙ୍ଗ ରାଜବଂଶଙ୍କ ଦ୍ୱାରା ସାଶିତ ହୋଇଛି । ୧୯୮୭ରେ ଏହାର ନାମ ବଦଳାଯାଇ ବିଶାଖାପଟ୍ଟନମ ରଖାଯାଇଥିଲା ।
ବନାରସରୁ ବାରଣାସୀ
ବାରଣାସୀ ଉତ୍ତର ଭାରତର ସାଂସ୍କୃତିକ କେନ୍ଦ୍ର ଭାବେ ସାରା ବିଶ୍ୱରେ ପରିଚିତ । ଏଠାରେ ଥିବା ବିଭିନ୍ନ ଘାଟ, ମନ୍ଦିର, ଆଶ୍ରମ ଆଦି ବେଶ୍ ପରିଚିତ । ଏହାର ନାମ ୧୯୫୬ରେ ପରିବର୍ତ୍ତନ କରାଯାଇ ବାରଣାସୀ ରଖାଯାଇଥିଲା । ବାରଣାସୀ ନାମଟି ଦୁଇଟି ନଦୀର ନାମକୁ ନେଇ ରଖାଯାଇଛି, ଯଥା ବରୁଣ ଓ ଆସି ।
ପୋନାରୁ ପୁନେ
ପୁନେ ୧୮୭୫ ଓ ୧୯୧୦ ମଧ୍ୟରେ ଭାରତରେ ହୋଇଥିବା ସ୍ୱାଧୀନତା ସଂଗ୍ରାମ ସହ ବେଶ୍ ଜଡିତ । ଏହି ସହର ପ୍ରାୟ ୯୩୭ ଖୀଷ୍ଟପୂର୍ବର ବୋଲି ପ୍ରମାଣ ମଧ୍ୟ ମିଳିଛି । ଏହା ରାଷ୍ଟ୍ରକୁଟ ରାଜବଂଶ ସମୟର, ସେ ସମୟରେ ଏହାକୁ ପୂଣ୍ୟ ବିଷୟ ବୋଲି ସମ୍ବୋଧନ କରାଯାଉଥିଲା । ବ୍ରିଟିସ୍ ଅଧିକାରୀମାନେ ଏହାକୁ ପୁନା ବୋଲି ନାମ ଦେଇଥିଲେ । ହେଲେ ୧୯୭୮ରେ ଏହାର ନାମ ବଦଳାଯାଇ ପୁନେ ରଖାଯାଇଥିଲା ।
ରାଜ୍ୟର ବି ବଦଳିଛି ନାମ
ପୂର୍ବନାମ ବର୍ତ୍ତମାନନାମ ବର୍ଷ
ଆନ୍ଧ୍ର ଷ୍ଟେଟ୍ ଆନ୍ଧ୍ର ପ୍ରଦେଶ ୧୯୫୬
ମଧ୍ୟ ଭାରତ ମଧ୍ୟ ପ୍ରଦେଶ ୧୯୫୯
ମାଡ୍ରାସ ଷ୍ଟେଟ୍ ତାମିଲ ନାଡୁ ୧୯୬୯
ମୌସୁର ଷ୍ଟେଟ୍ କର୍ଣ୍ଣାଟକ ୧୯୭୩
ଓରିସା ଓଡ଼ିଶା ୨୦୧୧
ଟିପ୍ଏରାହ ତ୍ରିପୁରା ୧୯୪୯
ଟ୍ରାଭାନ୍କୋର – କୋଚିନ୍ କେରଳ ୧୯୫୬
ୟୁନାଇଟେଡ୍ ପ୍ରୋଭିନେକସ୍ ଉତ୍ତରପ୍ରଦେଶ ୧୯୫୦
ଉତ୍ତରାଞ୍ଚଳ ଉତ୍ତରାଖଣ୍ଡ ୨୦୦୭
1 thought on “ଗାଁର ନୂଆ ପରିଚୟ”