The Topmost

“The eyes believe themselves, the ears believe other people.”

ukraine couple marriage during the war

ଯୁଦ୍ଧଭୂମିରେ ବିବାହ

ପ୍ରତିଟି ମୂହୁର୍ତ୍ତରେ ବଞ୍ଚିବାର ସମ୍ଭାବନା ଏବଂ ଆଶଙ୍କା ମଧ୍ୟରେ ୟୁକ୍ରେନ ସୈନିକମାନେ ନିରନ୍ତର ନିଜ ମାଟି ପାଇଁ ଲଢେଇ ଜାରି ରଖିଛନ୍ତି । ଭବିଷ୍ୟତ କ’ଣ ହେବ ସେନେଇ କିିଛି ଚିନ୍ତା ନକରି ଶତ୍ରୁ ବିରୋଧରେ ଅସ୍ତ୍ର ଉଠାଇଛନ୍ତି । ତେଣୁ ଯୁଦ୍ଧଭୂମିରେ ହିଁ ପରସ୍ପରର ଜୀବନସାଥୀ ହେବାର ନିଷ୍ପତ୍ତି ନେଇ ଦୁଇ ୟୁକ୍ରେନ ସୈନିକ ବିବାହ କରିଛନ୍ତି । ୟୁକ୍ରେନର ବର୍ଡରରେ ହିଁ ସୈନ୍ୟ ପୋଷାକରେ ପରସ୍ପରର ହାତ ଧରିଛନ୍ତି ୧୧୨ତମ ବାଟାଲିଅନର ଲେସିଆ ଏବଂ ଭାଲେରୀ । ସାଥୀ ସେନାଙ୍କ ଗହଣରେ ୟୁକ୍ରେନର ଲୋକ ଗୀତର ଧୁନ୍‌ ଭିତରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ସେହିପରି ଯୁଦ୍ଧର ପ୍ରଥମ ଦିନରେ ହିଁ ୟୁକ୍ରେନର ୟାରିନା ଆରିଭା ଏବଂ ସ୍ୱିଭିଆଟୋସ୍ଲୋଭ ଫୁର୍ସିନ ବିବାହ କରିଥିଲେ । ଉଭୟ ହିଁ ଦେଶର ରକ୍ଷା ପାଇଁ ନିଜ ବିବାହର ପ୍ରଥମ ଦିନରେ ହିଁ ରାଇଫଲ୍‌ ନେଇ ଯୁଦ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଜଣେ ପ୍ରେମୀ ଯୁଗଳ ବିବାହ କରି ସୈନ୍ୟ ବର୍ଦ୍ଦି ପିନ୍ଧି ନିଜ ମ୍ୟାରେଜ ସାର୍ଟିଫିକେଟ ଦେଖାଉଥିବା ଏକ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ସେହପରି ଅନ୍ୟ ଜଣେ ପ୍ରେମୀଯୋଡ଼ି ଦେଶର ଓଡେସାରେ ଥିବା ଏକ ବମ୍‌ ସେଲଫରରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ସେହିପରି ଯୁଦ୍ଧର ପ୍ରଥମ ସପ୍ତାହରେ ରାଜଧାନୀ କ୍ୱିଭ୍‌ର ଏକ ହସ୍ପିଟାଲରେ ଦୁଇ ଡାକ୍ତର ଅନ୍ୟ ଡାକ୍ତରଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯୁଦ୍ଧର ଭୟାବହତାକୁ ଦେଖି ନିରାଡମ୍ବରରେ ବିବାହ ବଦଳରେ ହସ୍ପିଟାଲରେ କାର୍ଯ୍ୟରତ ଥିବା ବେଳେ ହିଁ ଦୁଇ ଡାକ୍ତର ପରସ୍ପର ବିବାହ କରିଛନ୍ତି । ତେବେ ତାଙ୍କର ବିବାହକୁ ସମ୍ପନ୍ନ କରିଛନ୍ତି ଆଉ ଜଣେ ଡାକ୍ତର ।
ୟୁକ୍ରେନ ସରକାରଙ୍କ ଏକ ରିପୋର୍ଟରୁ ଜଣାପଡ଼ିଛି ଋଷ ଆକ୍ରମଣ ପରେ ୟୁକ୍ରେନରେ ୪ ହଜାର ନୂତନ ବିବାହର ପଞ୍ଜୀକରଣ ହୋଇସାରିଛି । ପ୍ରାୟ ୩ ହଜାର ୯୭୩ ଦମ୍ପତି ଯୁଦ୍ଧ ସମୟରେ ଔପଚାରିକ ଭାବେ ବିବାହ କରି ନିଜ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଆଉ ଏକ ବୟାନରେ କୁହାଯାଇଛି ଯେ ଶତ୍ରୁ ପକ୍ଷରୁ ଆକ୍ରମଣ ସତ୍ତେ୍ୱ ଜୀବନ ଚାଲିବ ଏବଂ ଏକ ନୂଆ ଜୀବନର ଜନ୍ମ ହେବ । ଯୁଦ୍ଧ ଆରମ୍ଭ ପରେ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪ ହଜାର ୩୧୧ ନବଜାତ ଶିଶୁ ଜନ୍ମ ହୋଇଛନ୍ତି ।

କେମିତି କଟୁଛି ଜୀବନ
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସାଧାରଣ ଲୋକଙ୍କ ଜୀବନ ବାଜିରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ଜୀବନହାନିର ଡର ଲାଗିରହିଛି । ସମଗ୍ର ଦୁନିଆରେ ବଢୁଥିବା ଶରଣାର୍ଥୀଙ୍କ ସଙ୍କଟକୁ ନେଇ ଜାତିସଂଘ କହିଛି ଯେ ୟୁକ୍ରେନ ଉପରେ ଋଷର ଆକ୍ରମଣରୁ ନିଜକୁ ବଞ୍ଚେଇବା ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଦେଶ ଛାଡ଼ୁଛନ୍ତି । ଆଉ ଏହି ଶରଣାର୍ଥୀଙ୍କ ସଂଖ୍ୟା ୧.୫ ମିଲିୟନରୁ ଅଧିକ ହୋଇଛି, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠୁ ଦ୍ରୁତଗତିରେ ବଢୁଥିବା ଶରଣାର୍ଥୀ ସଙ୍କଟ ପାଲଟିଛି ।
ଆକାଶରୁ ପ୍ରତିଦିନ ବୋମା ବର୍ଷଣ ଦେଖି ଲୋକମାନେ ନିଜ ଘରୁ ପଳାୟନ କରୁଛନ୍ତି । ୟୁକ୍ରେନବାସୀଙ୍କ ପାଇଁ ଏହି ସଙ୍କଟ ସୁଡ଼ଙ୍ଗ ପରି ହୋଇଗଲାଣି, ଯାହାର ମୁଖ ତ ଖୋଲିଛି କିନ୍ତୁ ଏହାର ଅନ୍ତ କେଉଁଠି କେହି ବି ଜାଣିନାହାନ୍ତି । ଏପରିକି ଜଣେ ଲୋକ ନିଜେ ଜାଣିପାରୁନି ଯେ ସେ ଘରୁ ବାହାରି କେଉଁ ଆଡ଼କୁ ଯିବ । ଏପରିସ୍ଥିତିରେ ଯାହାର ପାଦ ଯେଉଁ ଦେଶ ଆଡ଼କୁ ବଢି ଚାଲିଲା ସେହି ଦେଶ ମୁହାଁ ହୋଇ ଚାଲିବାକୁ ଲାଗିଲା । ଚାଲିବା ହିଁ କେବଳ ଏକମାତ୍ର ବାଟ । ନା ଅଛି ଖାଦ୍ୟ, ନା ଅଛି ପିଇବାକୁ ପାଣି, ନା ଶୋଇବାକୁ ମୁଣ୍ଡ ଉପରେ ଛାତ । ଯୁଦ୍ଧ ଆରମ୍ଭ ହେବା ପରେ ଏଠାରେ ବ୍ୟାଙ୍କ ଓ ଦୋକାନ ବଜାର ବନ୍ଦ ହୋଇଯାଇଛି । ଫଳରେ ଲୋକମାନଙ୍କ ପାଖରେ ଖାଦ୍ୟପେୟ କିମ୍ବା ଟଙ୍କା ନାହିଁ । ତେଣୁ ୟୁକ୍ରେନବାସୀ ଭୋକଉପାସରେ ଦିନ କଟାଉଛନ୍ତି । ତେବେ ସୂଚନା ଅନୁଯାୟୀ ଜଣାପଡ଼ିଛି ନିଜ ପେଟ ପାଇଁ ଲୋକମାନେ ଦୋକାନ ବଜାରରୁ ସାମଗ୍ରୀ ଲୁଟ୍‌ କରିବାରେ ଲାଗିଛନ୍ତି । ଏକ ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ିବାକୁ ବାଧ୍ୟ ହେଲେଣି । ଦେଶ ଛାଡ଼ିଥିବା ଅଧିକାଂଶ ଲୋକଙ୍କ ମଧ୍ୟରେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତି ସାମିଲ ଅଛନ୍ତି । ଏକ ରିପୋର୍ଟ ଅନୁଯାୟୀ ୟୁକ୍ରେନରେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହେଲାଣି ଏବଂ ହଜାରରୁ ଅଧିକ ଆହତ ହୋଇଛନ୍ତି ।
କିଛି ଦିନ ତଳେ ୟୁକ୍ରେନର ଜଣେ ବ୍ୟକ୍ତି ନିଜ ଝିଅକୁ ବସ୍‌ରେ ସୁରକ୍ଷିତ ସ୍ଥାନକୁ ପଠାଇବା ବେଳର ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ହୋଇଛି । ତେବେ ଏହି ଦୃଶ୍ୟ କେବଳ ଜଣେ ପିତାର ନୁହେଁ । ଏପରି ବହୁ ୟୁକ୍ରେନର ପୁରୁଷମାନେ ନିଜ ପତ୍ନୀ ଏବଂ ସନ୍ତାନକୁ ନିରାପଦ ସ୍ଥାନକୁ ପଠାଇ ଦେଶ ପାଇଁ ଲଢିବାକୁ ଚାଲିଯାଉଛନ୍ତି । ଦେଶ ପାଇଁ ପଛକୁ ହଟୁନାହାନ୍ତି ଦେଶର ସାହାସୀ ବ୍ୟକ୍ତି । ସେହିପରି ଋଷର ବୋମା ମାଡ଼ରେ ବହୁ ପିଲା ଏବେ ଅନାଥ ହୋଇଛନ୍ତି ।

ବଞ୍ଚିବାକୁ ଭାରତୀୟଙ୍କ ପ୍ରୟାସ
ଯୁଦ୍ଧ ରଣଭୂମି ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଅପରେସନ୍‌ ଗଙ୍ଗା କାର୍ଯ୍ୟକ୍ରମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ୨୪ ତାରିଖରୁ ଋଷ ଯୁକ୍ରେନ ଉପରେ ଆକ୍ରମଣ କରିବା ପରେ ଭୟରେ ଭାରତୀୟମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପଳାୟନ କରିଥିଲେ । ଏହାରି ମଧ୍ୟରେ ଖାରକିଭ୍‌ରେ ଋଷ ସେନାଙ୍କ ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରªାଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟ ଭାରତୀୟମାନେ ଭୂତଳ ରାସ୍ତା, ମେଟ୍ରୋ ଷ୍ଟେସନ, ବଙ୍କର ଭିତରେ ରହି ନିଜ ପ୍ରାଣ ବଞ୍ଚାଉଥିଲେ । କେବଳ ଶୁଖିଲା ଖାଦ୍ୟ ନଚେତ୍‌ ଭୋକଉପାସରେ ଦିନରାତି କଟୁଥିଲା ବୋଲି କେତକ ଭାରତୀୟ ନାଗରିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ନିଜ ଦୁଃଖ ବଖାଣିଛନ୍ତି । ଏପରିକି ଗୁଳିଗୋଳା ଏବଂ ମିସାଇଲ ମାଡ଼ରୁ ବଞ୍ଚି ୟୁକ୍ରେନ ବର୍ଡର ପାର କରୁଥିଲେ ବୋଲି କହିଛନ୍ତି । ଏହାପରେ ରୋମାନିଆ, ପୋଲାଣ୍ଡ, ସ୍ଲୋଭାକିଆ ଏବଂ ହଙ୍ଗେରୀ ଦେଶର ସୀମାରେ ପହଞ୍ଚିବା ପରେ ସେମାନଙ୍କୁ ଏୟାରଲିଫଫ କରାଯାଇଥିଲା । ଯୁଦ୍ଧ ଆରମ୍ଭ ଏବଂ ସ୍ୱଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କ ପ୍ରତି ଚଲାପଥରେ ରହିଥିଲା ଯୁଦ୍ଧର ଭୟାନକ ଶବ୍ଦ ଏବଂ ଜୀବନହାନିର ଭୟ ।
ଧନୀ ଦେଶର ଲୋକ ଅଧିକ ଚିନ୍ତିତ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୬ଟି ଦେଶରେ ଏକ ଲକ୍ଷ ୫୦ ହଜାର ଲୋକଙ୍କ ଉପରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଧନୀ ଦେଶଗୁଡ଼ିକରେ ଲୋକଙ୍କ ମଧ୍ୟରେ ଅଧିକ ଚିନ୍ତାର ଭାବନା ରହିଛି । ନାଇଜେରିଆ ଓ ଚୀନର ଏକ ପ୍ରତିଶତରୁ କମ୍‌ ଲୋକ ଚିନ୍ତାର ଶିକାର ହୋଇଥିବା ବେଳେ ଆମେରିକା ଏବଂ ଅଷ୍ଟ୍ରେଲିଆରେ ଏହା ୮% ରହିଛି । ସେହିପରି ଉଚ୍ଚ ଆୟକାରୀ ଦେଶରେ ୫%, ମଧ୍ୟମ ଆୟକାରୀ ଦେଶରେ ୨.୮% ଏବଂ ସ୍ୱଳ୍ପ ଆୟକାରୀ ଦେଶରେ ୧.୬% ଜନସଂଖ୍ୟା ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ତେବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ଫଳରେ ଶରୀରର ଚାପର କ୍ଷତିକାରକ ପ୍ରଭାବକୁ ରକ୍ଷୀ କରିଥାଏ ।

ukraine couple marriage during the war

https://thetopmost.in/?p=1708

https://thetopmost.in/?p=340

https://thetopmost.in/?p=434

https://thetopmost.in/?p=1764

https://thetopmost.in/?p=1754