ଜଳୁଛି ପୃଥିବୀ। ଦୀର୍ଘ ବର୍ଷଧରି ତାପମାତ୍ରାରେ ବୃଦ୍ଧି ଘଟିବାରେ ଲାଗିଛି। ବର୍ଷ ପରେ ବର୍ଷ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗୋଟିଏ ବର୍ଷର ରେକର୍ଡ ଆଉ ଏକ ବର୍ଷ ଭାଙ୍ଗି ନୁଆ ତାପମାତ୍ରା ରେକର୍ଡ ସୃଷ୍ଟି କରୁଛି। ବିଗତ ବର୍ଷରେ ଅନେକ ପ୍ରାଣ ହାନୀ ଘଟିଛି ଏହି ବର୍ଦ୍ଧିତ ତାପମାତ୍ରା କାରଣରୁ। ଗ୍ରୀଷ୍ମ ପ୍ରବାହ ଯେପରି ଏକ ବଡ ବିପତ୍ତି ଭାବେ ଉଭା ହୋଇଛି ମଣିଷ ସମାଜ ଆଗରେ।
ଭାରତରେ ଗ୍ରୀଷ୍ମ ପ୍ରବାହ
ଗ୍ରୀଷ୍ମ ପ୍ରବାହ ଯେପରି ଭାରତ ପାଇଁ ଏକ ଅଭିଶାପ ପାଲଟିଛି। ବିଗତ ଅନେକ ବର୍ଷଧରି ଗ୍ରୀଷ୍ମ ପ୍ରବାହ କାରଣରୁ ଅନେକ ଜୀବନ ଯାଉଛି। ଅନେକ ଆହତ ହେଉଛନ୍ତି। ଗତ ୨୦ ବର୍ଷ ଭିତରେ ପ୍ରାୟ ୮ହଜାରରୁ ଊଦ୍ଧ୍ୱର୍ ଲୋକଙ୍କର ଜୀବନ ନେଇଛି ଗ୍ରୀଷ୍ମ ପ୍ରବାହ। ଏହାକୁ ସରକାରଙ୍କ ପକ୍ଷରୁ ଜାତୀୟ ବିପତ୍ତି ଭାବେ ଘୋଷଣା ମଧ୍ୟ କରାଯାଇଛି। ଗ୍ରୀଷ୍ଣ ପ୍ରବାହ କାରଣରୁ ପ୍ରତିବର୍ଷ ଭାରତର କଲିକତା, ଓଡିଶା, ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଅନେକ ଲୋକଙ୍କର ଜୀବନ ଯାଇଥାଏ। ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ପ୍ରବଳ ଗରମ ଏପ୍ରିଲ ଅଧା ପର୍ଯ୍ୟନ୍ତ ଜାରି ରୁହେ। ୧୯୯୨ ମସିହାରୁ ଏହା ଭାରତ ପାଇଁ ବିପଦ ସାଜିଛି। ୧୯୯୨ରୁ ଆଜି ଯାଏଁ ପ୍ରାୟ ୨୨ହଜାର ଲୋକଙ୍କର ପ୍ରାଣହାନୀ ଘଟିଛି। ସରକାରଙ୍କ ବିଭିନ୍ନ ଉପାୟ ପାଇଁ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ କମିଛି ହେଲେ ତାପମାତ୍ରା ବଢିଚାଲିଛି। ଏହି ତାପମାତ୍ରା ବଢିବାର ଅନେକ କାରଣ ରହିଛି। ଦୀର୍ଘ ବର୍ଷର ପ୍ରାଣ ହାନୀର ତଥ୍ୟ ଦେଖିଲେ ଏଭଳି କିଛି ମିଳୁଛି। ୧୯୯୫ରେ ୩୫୦ରୁ କମ୍, ୧୯୯୮ରେ ୨୫୦୦,୨୦୦୨ରେ ୧୦୩୦, ୨୦୧୫ରେ ୨୫୦୦,୨୦୧୬ରେ ୧୬୦୦, ୨୦୧୯ରେ ୧୮୪ଜଣଙ୍କର ପ୍ରାଣହାନୀ ଘଟିଛି। ବର୍ତ୍ତମାନ ଅନେକ ଚେଷ୍ଟା ପରେ ମୃତ୍ୟୁ ହାରରେ କମିଛି କିନ୍ତୁ ତାପମାତ୍ରା ବଢିବାରେ ଲାଗିଛି।
ଗ୍ରୀଷ୍ମ ପ୍ରବାହର ପ୍ରଭାବ
ଚର୍ମ ଜଳା ପୋଡା – ଅତ୍ୟଧିକ ଖରା କାରଣରୁ ଆମ ଚର୍ମରେ ଜଳାପୋଡା ହେବା ସହିତ ଗୋଲାପି ପଡିଯାଇଥାଏ।
ମୁଣ୍ଡ ବିନ୍ଧା- ଗ୍ରୀଷ୍ମ ପ୍ରବାହ କାରଣରୁ ମୁଣ୍ଡ ବିନ୍ଧା ହୋଇଥାଏ , ଏହାକୁ ଡାକ୍ତରୀ ଭାଷାରେ ଭଟିଗୋ କୁହନ୍ତି। ଏହି କାରଣରୁ ବ୍ୟକ୍ତିଙ୍କୁ ଠିଆ ହେବାରେ ସମସ୍ୟା ହୋଇଥାଏ। ନିଦ ନିଦ ଲାଗିବା ସହିତ ଚେତା ବୁଡିବାର ସମ୍ଭାବନା ରହିଛି।
ହିଟ୍ କ୍ରାମସ୍ – ଖରା କାରଣରୁ ଚେତା ଯିବା ସହ ୧୦୨ ପାଖାପାଖି ଜ୍ୱର ରହିଥାଏ।
ହିଟ୍ ଏକଜସନ – ଦୁର୍ବଳ ଲାଗିବା, ମୁଣ୍ଡ ବିନ୍ଧା, ବାନ୍ତି, ଅତ୍ୟଧିକ ଝାଳ ବୋହିବା, ଅତ୍ୟଧିକ ଖରା କାରଣରୁ ହିଟ୍ଷ୍ଟ୍ରୋକ ହେବା। ହିଟ୍ଷ୍ଟ୍ରୋକ କାରଣରୁ ଲୋକ କୋମାକୁ ମଧ୍ୟ ଯାଇପାରନ୍ତି।
କୃଷି
ମଣିଷ ଶରୀର ବ୍ୟତିତ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅନେକ କ୍ଷେତ୍ରରେ ମଧ୍ୟ ପଡିଥାଏ। ଗ୍ରୀଷ୍ମ ପ୍ରବାହର ଖରାପ ପ୍ରଭାବ କୃଷି ଉପରେ ପଡିଥାଏ। ଏହା ଫସଲର ଆକାର ଓ ପ୍ରକାର ଦୁଇଟି ଯାକ ଉପରେ ପ୍ରଭାବ ପକାଇଥାଏ। ଅତ୍ୟଧିକ ଖରା କାରଣରୁ ଫସଲର ପରିମାଣ କମୁଥିବା ବେଳେ ଏହାର ଗୁଣବତ୍ତା ମଧ୍ୟ କମିଥାଏ। ଏହାସହ ନୂଆ ଫସଲ ପାଇଁ ମଞ୍ଜି ମଧ୍ୟ ମିଳିନଥାଏ। ଏହି ସମୟ ଖରିଫ ପସଲର ସମୟ ହୋଇଥିବାରୁ ଏଥିରେ ଭାରିମାତ୍ରାରେ କ୍ଷତି ହୋଇଥାଏ। ଧାନ ଫସଲ ଏଥିରେ ଅଧିକ କ୍ଷତି ସହିଥାଏ।
ଜୀବିକା
ଗ୍ରୀଷ୍ମ ପ୍ରବାହର ପ୍ରଭାବ ଜୀବନ ସହ ଜୀବିକା ଉପରେ ମଧ୍ୟ ପଡିଥାଏ। ଗ୍ରୀଷ୍ମ ପ୍ରବାହରୁ ବଞ୍ଚିବାର ଏକ ବଡ ଉପାୟ ହେଉଛି ଘରେ ରହିବା। ହେଲେ ଦିନ ମଜୁରିଆ ମାନେ ଯଦି ଘରେ ରହିବେ ସେମାନଙ୍କ ପେଟ ପୋଷିବ କିଏ। ତେଣୁ ଗ୍ରୀଷ୍ମ ପ୍ରବାହରେ ସବୁଠାରୁ ବେଶି ହଇରାଣ ହୁଅନ୍ତି ଏମାନେ। ବାହାରକୁ ଗଲେ ଖରାରେ ଜୀବନ ଯିବାର ଭୟ, ଘରେ ରହିଲେ ଭୋକରେ ଜୀବନ ଯିବାର ଭୟ। ମଝିରେ ଛନ୍ଦି ହୋଇ ହଇରାଣ ହୁଅନ୍ତି ଏମାନେ। ସେମାନଙ୍କୁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଅନେକ ପରିଶ୍ରମ କରିବାକୁ ହୋଇଥାଏ।
ଗ୍ରୀଷ୍ମ ପ୍ରବାହ ରୋକିବାର ଉପାୟ
ସରକାରଙ୍କ ତରଫରୁ ଅନେକ ଉପାୟ କରାଯାଇଛି ଏହି ସମସ୍ୟାର ସମାଧାନ ପାଇଁ। ଏହି ସମସ୍ୟାରୁ ମୁକ୍ତି ପାଇଁ ପିଇବା ପାଣିର ଭରପୂର ସୁବିଧା କରାଇବା, ପ୍ରତ୍ୟେକ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନରେ ଓଆର୍ଏସ୍ ବା ଚିନିଲୁଣ ପାଣି ରଖାଇବା, ଆପାତ୍ତକାଳୀନ ଡାକ୍ତରୀ ସୁବିଧା, ଜନସାଧାରଣଙ୍କୁ ଏହା ବିଷୟରେ ସଚେତନ କରାଇବା, ସ୍କୁଲ କଲେଜ ଆଦିର ସମୟ ବଦଳାଇବା, ଶ୍ରମିକ ଓ ଅନ୍ୟ କର୍ମଚାରୀଙ୍କର କାର୍ଯ୍ୟ ସମୟ ବଦଳାଇବା ଆଦି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ସଚେତନତା ପଦକ୍ଷେପ
– ସବୁବେଳେ ୧୨ଟାରୁ ୩ଟା ମଧ୍ୟରେ ଘରୁ ବାହାରନ୍ତୁ ନାହିଁ। ଛାଇ ସ୍ଥାନରେ ରୁହନ୍ତୁ।
– ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ। ନିଜ ସହିତ ମଧ୍ୟ ସବୁବେଳେ ପାଣି ରଖନ୍ତୁ।
– ହାଲୁକା କଟନ ପୋଷାକ ପିନ୍ଧନ୍ତୁ। ଏହାସହ ଛତା, ଜୋତା, କଳା ଚଷମା ବ୍ୟବହାର କରନ୍ତୁ।
– ବାହାରେ ଥିବା ବେଳେ ଅଧିକ ଶକ୍ତି ଖର୍ଚ୍ଚ ହେବା ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।
– ଓଦା ଗାମୁଛାରେ ମୁଣ୍ଡ ଢାଙ୍କନ୍ତୁ।
– ଖାଦ୍ୟରେ ପାଣି ଥିବା ଫଳ ଯେପରି ତରଭୂଜ, କାକୁଡି ଆଦି ଖାଆନ୍ତୁ। ମାଂସ, ବାଦାମ ଆଦି ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ।
– ନିଜ ପୋଷା ଜୀବକୁ ଛାଇରେ ରଖନ୍ତୁ।
– ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସଚେତନତାକୁ ଗ୍ରହଣ କରନ୍ତୁ।
– ଅସୁସ୍ଥ ଅନୁଭବ କଲେ ସଙ୍ଗେସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ।
ଅଂଶୁଘାତ ସମୟରେ କରିବେ କ’ଣ
– ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ଛାଇ ସ୍ଥାନକୁ ଆଣନ୍ତୁ। ତାଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଥଣ୍ଡା ପବନରେ ରଖନ୍ତୁ।
– ସମ୍ପୃକ୍ତଙ୍କ ଶରୀରକୁ ଓଦା କପଡାରେ ପୋଛଦିଅନ୍ତୁ। ଏହାସହ ତାଙ୍କୁ ଲେମ୍ବୁ ପାଣି ବା ଓଆର୍ଏସ୍ ପିଇବାକୁ ଦିଅନ୍ତୁ। ତେବେ ତାଙ୍କ ଚେତା ଥିବା ଅବସ୍ଥାରେ ତାଙ୍କୁ ଏସବୁ ପିଇବାକୁ ଦିଅନ୍ତୁ। ଯଦି ତାଙ୍କ ଚେତା ନାହିଁ ତେବେ କିଛି ଦିଅନ୍ତୁ ନାହିଁ। ସଙ୍ଗେସଙ୍ଗେ ଡାକ୍ତର ପରାମର୍ଶ କରନ୍ତୁ।
ସରକାରଙ୍କ ଦ୍ୱାରା ଜାରି ସୂଚନା
ୟେଲୋ ଓର୍ନିଂ – ହିଟ୍ ଆଲର୍ଟ
ଅରେଞ୍ଜ ଓର୍ନିଂ – ସିଭିଅର ହିଟ୍ ଆଲର୍ଟ
ରେଡ୍ ଓର୍ନିଂ – ଏକ୍ସଷ୍ଟ୍ରିମ ହିଟ ଆଲର୍ଟ
ବିଶ୍ୱତାପମାନ
ଆଜିକାଲି ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି। ଧୀରେ ଧୀରେ ପୃଥିବୀରୁ ଗଛ ଲୋପ ପାଇବାରେ ଲାଗିଛି। ପୃଥିବୀରେ ବର୍ତ୍ତମାନ ଗଢି ଉଠୁଥିବା କଂକ୍ରିଟ ଜଙ୍ଗଲ ପାଇଁ ଲୋପ ପାଉଛି ସବୁଜ ଜୀବନ୍ତ ଜଙ୍ଗଲ। ସହର, ବଜାର, ଫ୍ୟାକ୍ଟ୍ରି, କଳକାରଖାନା, ହୋଟେଲ ଆଦି ଗଢିବା ପାଇଁ ଅହରହ ଗଛ କଟା ଚାଲିଛି। ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ବଢିବାରେ ଲାଗିଛି। କେତେବେଳେ ଅଦିନିଆ ବାତ୍ୟ ଆସିଲାଣି ତ କେତେବେଳେ ଅଦିନିଆ ବନ୍ୟା। ଏହି ସବୁ କାରଣ ପାଇଁ ବଢି ଚାଲିଛି ବିଶ୍ୱତାପମାନ। ଯାହା ଗ୍ରୀଷ୍ମ ପ୍ରବାହର ମୂଳ କାରଣ। ୨୦ରୁ ୩୦ ବର୍ଷ ପୂର୍ବେ ପୃଥିବୀରେ ଛଅ ଋତୁ ଦେଖିବାକୁ ମିଳୁଥିଲା। ବର୍ଷା ଦିନେ ବର୍ଷା ହେଉଥିବା ବେଳେ ଖରା ଦିନେ ଖରା। ହେଲେ ବର୍ତ୍ତମାନ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏହା ପଛରେ ଗୋଟିଏ କାରଣ ବିଶ୍ୱ ତାପମାନ। ୧୮୮୦ ମସିହାରୁ ସ୍ଥଳ ଭାଗ ସହ ଜଳ ଭାଗ ମଧ୍ୟ ଗରମ ହେବାରେ ଲାଗିଛି। ଯାହାଫଳରେ ପୃଥିବୀର ପାଣିପାଗରେ ପରିବର୍ତ୍ତନ ହେଉଛି। ସେହିଭଳି ସବୁଜ ଘର ଗ୍ୟାସ ବା ଗ୍ରିନ୍ ହାଉସ ଗ୍ୟାସ କାରଣରୁ ପୃଥିବୀର ଆଭ୍ରେଜ ସରଫେସ୍ ତାପମାତ୍ରାରେ ହେଉଥିବା ବୃଦ୍ଧି ବିଶ୍ୱତାପମାନର ଆଉ ଏକ କାରଣ। ପୃଥିବୀରେ କାର୍ବୋନ ଡାଇଅକ୍ସାଇଡ୍, ମିଥେନ୍ ଭଳି ଗ୍ରିନ ହାଉସ ଗ୍ୟାସର ପରିମାଣ ବଢିଲେ ବିଶ୍ୱତାପମାନରେ ବୃଦ୍ଧି ଘଟେ। ବିଶ୍ୱ ତାପମାନରେ ବୃଦ୍ଧି କାରଣରୁ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବଢି ଚାଲିଛି।
2 thoughts on “Full article on India’s summer summery .”