ହାର ମାନିଛି ବୟସ
ବେଳେ ବେଳେ ଆମେ ଜୀବନରେ ବିଭିନ୍ନ ଅସୁବିଧାକୁ ନେଇ ଭଗବାନଙ୍କ ପାଖରେ ଅଭିଯୋଗ କରିଥାଉ । ହେଲେ ଏଭଳି ମଧ୍ୟ କେତେକ ଲୋକ ଅଛନ୍ତି, ଯାହାଙ୍କର ଦୁଃଖକଷ୍ଟ ଦେଖିଲେ ନିଜ ଅସୁବିଧା ବହୁତ ଛୋଟ ଲାଗିଥାଏ । ସେହିଭଳି ଜଣେ ଦମ୍ପତ୍ତି ଅଛନ୍ତି କର୍ଣ୍ଣାଟକରେ । ଯେଉଁମାନେ ନିଜର ବ୍ୟବସାୟକୁ ଚାଲୁ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ସେମାନେ ମାତ୍ର ୫୦ ଟଙ୍କାରେ ଦେଉଛନ୍ତି ପେଟପୁରା ଖାଦ୍ୟ । କେବଳ ପେଟପୁରା ନୁହେଁ , ଯିଏ ଯେତେ ଚାହିଁବ ସିଏ ସେତେ ଖାଇପାରିବ । ତାଙ୍କର ଏହି ବ୍ୟବସାୟ ଏବେର ନୁହେଁ , ଏହା ଦୀର୍ଘବର୍ଷ ଧରି ଚାଲିଆସିଛି । ୧୯୫୧ରେ ଦମ୍ପତ୍ତି ଦ୍ୱୟ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ସେବେଠାରୁ ବ୍ୟବସାୟକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ସେମାନେ । ନିଜର ବଢୁଥିବା ବୟସକୁ କାମର ରାସ୍ତାରେ ମଧ୍ୟ ଆସିବାକୁ ଦେଇନାହାନ୍ତି । ସର୍ବଦା ଖୁସିମନରେ ଗ୍ରାହକଙ୍କୁ ଖାଇବା ପରଷିଛନ୍ତି । ହୋଟେଲ୍ଟିର ନାଁ ରହିଛି ଗଣେଷ ପ୍ରସାଦ । କମ ପଇସାରେ ଘରୋଇ ଖାଦ୍ୟ ଏଠାକୁ ଗ୍ରାହକଙ୍କୁ ଟାଣିନେଇଥାଏ । ସମସ୍ତେ ଏହି ଦମ୍ପତ୍ତିଙ୍କ ହାତ ରନ୍ଧା ଖାଇବା ସହ ସେଠାରୁ ଜୀବନରେ କେବେ ନହାରିବାର ପ୍ରେରଣା ନେଇ ଫେରିଥାଆନ୍ତି । କର୍ଣ୍ଣାଟକର ମନିପାଲର ରାଜଗୋପାଲ ନଗର ରୋଡରେ ଏହି ହୋଟେଲ୍ଟି ରହିଛି । ଜଣେ ଫୁଡ୍ ବ୍ଲଗର ନିଜ ବ୍ଲଗରେ ହୋଟେଲଟିକୁ ସ୍ଥାନ ଦେବା ପରେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
1 thought on “Age is just a number.”