ଆଦିକବି ବାଲ୍ମୀକି ରାମାୟଣରୁ ଛୋଟ ପଂକ୍ତିଟିଏ
କପିଶ୍ରେଷ୍ଠ ସୁଗ୍ରୀବଙ୍କ ନିର୍ଦ୍ଦେଶରେ ନଳ ଏବଂ ନୀଳ (ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ସନ୍ତାନ) ସେତୁବନ୍ଧ କାର୍ଯ୍ୟ ପରିଚାଳନା କରୁଥାନ୍ତି । ହନୁମାନ, ଅଙ୍ଗଦ ଆଦି କପିଗଣ ବଡ଼ବଡ଼ ପଥର ଖଣ୍ଡ ଆଣି ନଳ ଓ ନୀଳଙ୍କୁ ଦେଉଥାନ୍ତି । ଏବଂ ସେ ପଥର ଖଣ୍ଡ ମାନ ନଳ, ନୀଳ ସଜାଇ ବନ୍ଧ ତିଆରିରେ ବ୍ୟସ୍ତ ଥାନ୍ତି। ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ ସମସ୍ତେ ଆନନ୍ଦରେ ମଜ୍ଜି ଯାଇଥାନ୍ତି। ପ୍ରଭୁ ଶ୍ରୀରାମ ଲକ୍ଷ କଲେ, ଏକ ଛୋଟ ଗୁଣ୍ଡୁଚି ସମୁଦ୍ର ପାଣିରେ ବୁଡି-ଉଠି ବାଲିରେ ଗଡିଯାଇ ବନ୍ଧ ଉପରେ ଦେହକୁ ଝାଡି ଦେଉଥାଏ । ବାରମ୍ବାର ଏହି ପରି କରୁଥାଏ । ପ୍ରଭୁ ତାକୁ ପାଖକୁ ଡାକି ପଚାରିଲେ ତୁ ଏପରି କଣ କରୁଛୁ? ଗୁଣ୍ଡୁଚି କହିଲା ଯେ ଯାହା ସାଧ୍ୟ ଅନୁସାରେ ବନ୍ଧ କାର୍ଯ୍ୟରେ ସହଯୋଗ କରୁଛି । ମୁଁ ତ ପଥରଖଣ୍ଡ ଆଣିପାରିବିନାହିଁ । ତେଣୁ ଧୂଳିକଣା କିଛି ଝାଡି ଦେଇ କାର୍ଯ୍ୟରେ ସହଯୋଗ କରୁଛି । ପ୍ରଭୁ ଶ୍ରୀରାମ ଆସ୍ଵାସନା ଦେଇ ତାର ଦେହକୁ ଟିକେ ଆଉଁସି ଦେଲେ । ଏବଂ ତାକୁ ଧନ୍ୟବାଦ ଦେଲେ । ତେବେ ସେହି ଦିନଠାରୁ ପ୍ରଭୁଙ୍କ ଅଙ୍ଗଲାଗି ତା ଦେହରେ ତିନିଟି ଧଳା ଗାର ପଡ଼ିଗଲା।

ସେତୁବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରାୟ, ସେନାପତି ସୁଗ୍ରୀବ ଆଦେଶ ଦେଲେ ଆଉ ପଥର ଆଣିବା ଦରକାର ନାହିଁ । ମାତ୍ର ଏହି ସମୟକୁ ହନୁମାନ ଗୋଟିଏ ବିଶାଳକାୟ ପାହାଡ଼ ଆଣି ଆସୁଥିଲେ । ସୁଗ୍ରୀବଙ୍କ ଆଦେଶ ଶୁଣି ଉକ୍ତ ସ୍ଥାନରେ ପାହାଡ଼ଟି ରଖିଦେବାରୁ, ପାହାଡ଼ କହିଲେ ଅନ୍ୟ ସମସ୍ତ ପଥର ଓ ପାହାଡ଼ ପ୍ରଭୁଙ୍କ ପଦରଜ ପାଇ ମୋକ୍ଷ ହୋଇଯିବେ ଅଥଚ ମୁଁ ହତଭାଗା ଯେ ପ୍ରଭୁଙ୍କ ଦର୍ଶନ ପାଇଲିନାହିଁ। ହନୁମାନ ଏହା ଶୁଣି ପ୍ରଭୁ ଶ୍ରୀରାମଙ୍କୁ କହିବାରୁ, ପ୍ରଭୁ କହିଲେ ହେ ହନୁମାନ ତୁମେ ଯାଇ ପାହାଡ଼କୁ କୁହ ଯେ- ମୁଁ ଦ୍ଵାପର ଯୁଗରେ ତାଙ୍କୁ ସାତ ଦିନ ମସ୍ତକରେ ଧାରଣ କରିବି, ଏହିପରି ତାଙ୍କର ଅଭିଳାଷ ପୂରଣ ହେବ।ଆଉ ଦ୍ୱାପର ଯୁଗରେ ଠିକ୍ ଏହି ପରି ହିଁ ହେଲା । ଏପରି ଭାବରେ ପ୍ରଭୁ ଯୁଗେଯୁଗେ ନିଜ ଭକ୍ତଙ୍କ ସବୁ ମନୋବାଞ୍ଛା ପୂରଣ କରୁଥିବାର କିମ୍ବଦନ୍ତୀ ଓ ଜନଶୃତି ରହିଛି ।

More Stories
ଦୂର ହେଲା ପର୍ବ ପର୍ବାଣୀ ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ହେଲା ପାଞ୍ଜି ସୁଧାର
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..