ଭାରତର ଭୂସ୍ୱର୍ଗ କାଶ୍ନୀର
ଭାରତର ଭୂସ୍ୱର୍ଗ କାଶ୍ନୀର ପାଇଁ ସମସ୍ତଙ୍କ ହୃଦୟରେ ରହିଛି ସ୍ୱତନ୍ତ୍ର ସ୍ଥାନ । ଏହାର ଡାଲ୍ହ୍ରଦ ଓ ଟୁଲିପ୍ ଗାର୍ଡେନ୍ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ । ନିଜର ପ୍ରାକୃତିକ ପରିବେଶ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କାଶ୍ମୀର ବର୍ତ୍ତମାନ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କୁ ନେଇ ଚର୍ଚ୍ଚାରେ । ଦେଶର ପର୍ଯ୍ୟଟନ ଇତିହାସରେ ଏହି ସ୍ଥାନ ରଚିଛି ନୂଆ ଇତିହାସ । ସବୁସମୟରେ ଦେଖାଦେଇଥିବା ଭୟ ବାତାବରଣରେ ମଧ୍ୟ ଚଳିତଥର ନିଜର ଦୀର୍ଘ ଦଶନ୍ଧିର ରେକର୍ଡ ଭାଙ୍ଗ ସୃଷ୍ଟି କରିଛି ନୂଆ ଅଧ୍ୟାୟ ।
କାଶ୍ମୀରରେ ଚଳିତ ବର୍ଷ ୧୦ ବର୍ଷର ରେକର୍ଡ ଭାଙ୍ଗିବାକୁ ଯାଉଛି । ଜାନୁଆରୀରୁ ଏପର୍ଯ୍ୟନ୍ତ ତିନି ଲକ୍ଷ ୪୦ ହଜାର ପର୍ଯ୍ୟଟକ ଭୂସ୍ୱର୍ଗ କାଶ୍ମୀରର ପରିଭ୍ରମଣ କରିସାରିଛନ୍ତି ଏବଂ ଆଗାମୀ ଗ୍ରୀଷ୍ମଦିନେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଭାରତ ସରକାରଙ୍କ ଦ୍ୱାରା ୨୦୧୯ରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଉପତ୍ୟକାରେ ସ୍ଥିତି ବେଶ୍ ଜଟିଳ ହୋଇଥିଲା ଏବଂ କିଛି ମାସ ଧରି କର୍ଫୁ୍ୟ ବଳବତ୍ତର ରହିଥିଲା । ଫଳସ୍ୱରୂପ ପର୍ଯ୍ୟଟନକ୍ଷେତ୍ର ଠପ୍ ହୋଇଯାଇଥିଲା । ଏହାପରେ କୋଭିଡ୍ ମହାମାରୀର ଚଡ଼କ ସମସ୍ତଙ୍କୁ କବାଟ କିଳି ରହିବାକୁ ବାଧ୍ୟ କରିଥିଲା । ଏପରି ଭାବେ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ଲୋକଙ୍କ ରୋଜଗାର ପନ୍ଥା ବୁଡ଼ିବାରେ ଲାଗିଥିଲା । ହେଲେ ଧୀରେଧୀରେ ଉପତ୍ୟକା ସ୍ଥିତିର ସୁଧାର ୨୦୨୨ରେ କାଶ୍ମୀର ଏକ ଭିନ୍ନ ରୂପ ପାଇଲା । ଜମ୍ମୁ ଓ କାଶ୍ମୀରର ପର୍ଯ୍ୟଟନ ସଚିବ ସରମଦ ହଫିଜ କହିଛନ୍ତି, ‘ଚଳିତ ବର୍ଷ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିବାରେ ଲାଗିଛନ୍ତି । କେବଳ ମାର୍ଚ୍ଚରେ ୧.୮ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିଛନ୍ତି ।’
ଫୁଲ ଏବଂ ଅନ୍ୟ ଚାଷ ସହ ପର୍ଯ୍ୟଟନ ମଧ୍ୟ କାଶ୍ମୀରର ଅର୍ଥବ୍ୟବସ୍ଥାର ଆଧାର । ରିପୋର୍ଟ ଅନୁସାରେ ରାଜ୍ୟର ଆର୍ଥିକସ୍ଥିତିରେ ପର୍ଯ୍ୟଟନର ଯୋଗଦାନ ପ୍ରାୟ ୭ ପ୍ରତିଶତ ରହିଛି । ଭାରତର ଭୂସ୍ୱର୍ଗ ଏବଂ ପୂର୍ବର ସ୍ୱିଜରଲାଣ୍ଡ ପରି ବିଶେଷଣରେ ସୁସଜ୍ଜିତ ଏହି ସ୍ଥାନ ମୋଗଲଙ୍କଠାରୁ ଆରମ୍ଭ କରି ଇଂରେଜ ପର୍ଯ୍ୟନ୍ତ, ଭାରତ ଉପରେ ରାଜୁତି କରିଥିବା ସମସ୍ତ ଶାସକଙ୍କ ପ୍ରିୟ ରହିଆସିଛି । ଶ୍ରୀନଗରର ଡାଲ୍ ହ୍ରଦ୍ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏସିଆର ସବୁଠୁ ବଡ଼ ଟୁଲିପ୍ ଗାର୍ଡେନ ଏବଂ ଗ୍ଲେସିଅରର ପାହାଡ଼ ଲୋକଙ୍କୁ ଆକର୍ଷିତ କରିଥାଏ ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋଲୋଭା ପରିବେଶକୁ ଉପଭୋଗ କରିବା ପାଇଁ ଦେଶବିଦେଶରେ ପର୍ଯ୍ୟଟକମାନେ କାଶ୍ମୀରକୁ ପ୍ରାଧାନ୍ୟ ଦେଇଥାନ୍ତି । ଆତଙ୍କବାଦୀ ଆକ୍ରମଣ ଭୟ ସତ୍ତେ୍ୱ ପ୍ରତି ବର୍ଷ ହଜାର ହଜାର ପର୍ଯ୍ୟଟକ କାଶ୍ମୀର ଭ୍ରମଣରେ ମସଗୁଲ୍ ଥିବା ବେଳେ ହଠାତ୍ ୨୦୧୯ରେ ତୁରନ୍ତ କାଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଗଲା । ଗୁଲମର୍ଗ, ସୋନମର୍ଗ ଏବଂ ପହଲଗାମ ପରି ସ୍ଥାନରେ ବନ୍ୟ ସୌନ୍ଦର୍ଯ୍ୟର ଆନନ୍ଦ ନେଉଥିବା ପର୍ଯ୍ୟଟକଙ୍କ ପାଇଁ ଏହି ନିର୍ଦ୍ଦେଶ ଏକ ଝଟକା ପରି ଲାଗିଲା । ଏକ ସରକାରୀ ନିର୍ଦ୍ଦେଶରେ ଆତଙ୍କବାଦୀ ବିପଦ ଦର୍ଶାଇ ପର୍ଯ୍ୟଟକଙ୍କୁ ଜମ୍ମୁ ଓ କାଶ୍ମୀର ଛାଡ଼ିବା ପାଇଁ କୁହାଗଲା । କିଛି ଦିନରେ ଛୁଟି କଟାଇବାକୁ ଆସିଥିବା ସମସ୍ତ ୨୫ ହଜାର ଭ୍ରମଣକାରୀ ପ୍ରାଣବିକଳରେ ଜୀବନ ବଞ୍ଚାଇବା ପାଇଁ କାଶ୍ମୀର ମାଟି ଛାଡ଼ିଥିଲେ । ଏହାପରେ, ୫ ଅଗଷ୍ଟରେ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରାଗଲା । ଏହି ଘଟଣାକ୍ରମର ଆଗାମୀ ଅଢେଇ ବର୍ଷ ପର୍ଯ୍ୟଟନ ପର୍ଯ୍ୟଟନ ଶିଳ୍ପ ଉପରେ ଅନ୍ଧାର ଭିତରକୁ ଠେଲିହୋଇଗଲା, ଯେଉଁଥିରେ ଘାଟିର ଏହି ମୁଖ୍ୟ ଆର୍ଥିକ ଆଧାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଗଲା ।
ଯେଉଁଲୋକଙ୍କ ବିଶ୍ୱାସ ଥିଲା ଯେ ୨୦୨୦ରେ ରୋଜଗାର ପନ୍ଥାରେ ସୁଧାର ଆସିବ, ସେମାନଙ୍କ ଆଶାକୁ ପାଣି ଫୋଟକା କରିଦେଲା କରୋନା ମହାମାରୀ । କରୋନା ସଂକ୍ରମଣର ଭୟ କିଛି ମାତ୍ରରେ କମିବା ପରେ ପୁଣି କାଶ୍ମୀର ମୁହାଁ ହୋଇଥିଲେ ପର୍ଯ୍ୟଟକ । ହେଲେମଝିରେ କିଛି ସମୟ କାଶ୍ମୀର ବାସିନ୍ଦା ଅବସ୍ଥା ପୁଣି ଥରେ ଖରାପ ଆଡ଼କୁ ଗତି କରିଥିଲା । କାରଣ ରାଜନୈତିକ ଅନିଶ୍ଚିତତା ସହ ବେରୋଜଗାରିଆଙ୍କ ସହ ସଂଖ୍ୟା ବୃଦ୍ଧି । କାଶ୍ମୀର ଚାମ୍ବର ଅଫ୍ କର୍ମସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ ଅନୁସାରେ ଅଗଷ୍ଟ ୨୦୨୦ ସୁଦ୍ଧା ପ୍ରାୟ ୫ ଲକ୍ଷ ରୋଜଗାର ହରାଇବସିଥିଲେ । ହୋଟେଲ ଓ ହାଉସବୋଟ୍ ବନ୍ଦ ହୋଇଯାଇଥିଲା । ଏପରିକି ଡାଲ୍ ହ୍ରଦରେ ସ୍ଥିତି ହୋଟେଲରେ ନିଯୁକ୍ତି ଲୋକଙ୍କୁ ମାଲିକମାନେ ବାହାର କରିବାକୁ ବାଧ୍ୟ ହୋଇଥିଲେ ।
ଫେରୁଛି ଖୁସିର ଦିନ
ଦୀର୍ଘ ୩ ବର୍ଷର ସଂଘର୍ଷ ପରେ ଏବେ ୨୦୨୨ର ଗ୍ରୀଷ୍ମ ଘାଟିର ଉଠାପMା ଏବଂ ସବୁଜ ରାସ୍ତାରେ ପର୍ଯ୍ୟଟକ ପୁଣି ଥରେ ନଜର ଆସୁଛନ୍ତି । ହୋଟେଲ, ହାଉସବୋଟ୍, ଗେଟ୍ହାଉସ ୧୦୦ ପ୍ରତିଶତ ଫୁଲ୍ । ମେ’ ଶେଷ ସୁଦ୍ଧା ଆଗୁଆ ବୁକ୍ ହୋଇରହିଛି । ଏମାନଙ୍କ ଭଡ଼ା ବି ୧୦୦ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ରାତି ପାଇଁ ହଜାରରୁ ଦେଢ ହଜାର ଭଡ଼ା ଲାଗୁଥିବା ଶସ୍ତା ରୁମ୍ ଏବେ ୩ ହଜାର ଟଙ୍କାରେ ମିଳୁଛି । ସୂଚନା ଅନୁଯାୟୀ ଏହି ସ୍ଥିତି ଏବେ କାଶ୍ମୀରର ସମସ୍ତ ୪୫ ହଜାର ହୋଟେଲ ରୁମ୍ର ହୋଇଛି । ଅନ୍ୟପକ୍ଷରେ ଗତ ୩ ବର୍ଷ ଧରି ବେପାର ମାନ୍ଦା ହୋଇପଡ଼ିଥିବା ବେଳେ ବର୍ତ୍ତମାନ ଭ୍ରମଣକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବା କାରଣରୁ ବ୍ୟବସାୟୀଙ୍କ ସହ ଛୋଟ ଛୋଟ ବେପାରୀ ଲାଭବାନ ହେଉଛନ୍ତି । ଫଳ, ଫୁଲ, ଲୁଗା ବେପାରୀ ସହ ଶିକାରା ଚଲାଉଥିବା ବ୍ୟକ୍ତିଙ୍କ ପ୍ରତିଦିନ ହଜାରରୁ ଦେଢ ହଜାର ଟଙ୍କାର ଲାଭ ହେଉଛି । ଧୀରେଧୀରେ କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟନ ଉପରେ ନିର୍ଭର କରି ରହୁଥିବା ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ଭଲ ହୋଇ ଆସିଛି ।
ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ପ୍ରାରମ୍ଭରେ ଶ୍ରୀନଗର ଏୟାରପୋର୍ଟ ଏବଂ ନବନିର୍ମିତ ସୁଡଙ୍ଗ ଜରିଆରେ କାଶ୍ମୀରକୁ ଯୋଡୁଥିବା ଜାତୀୟ ରାଜପଥ ୪୪ରେ ପ୍ରତିଦିନ ପ୍ରାୟ ୭ ହଜାର ୫୦୦ ପର୍ଯ୍ୟଟକ ଉପତ୍ୟକାରେ ପହଞ୍ଚୁଛନ୍ତି । ଗତ ୩ ମାସରେ ଏଠାକୁ ପ୍ରାୟ ୩,୫ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି, ସେଥିମଧ୍ୟରୁ କେବଳ ମାର୍ଚ୍ଚରେ ୧.୮ ଲକ୍ଷ ଆସିଛନ୍ତି । ୨୦୨୨ର ପ୍ରଥମ ତିନିମାସ ଭିତରେ ଗୁଲମାର୍ଗ, ସୋନମାର୍ଗ ଏବଂ ପହଲଗାମରେ ତୁଷାରପାତ ଦେଖିବା ପାଇଁ ପ୍ରାୟ ୩ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିଲେ । ସଂଖ୍ୟାଧିକ ଆଗନ୍ତୁକଙ୍କୁ ଦେଖି ୨୩ ମାର୍ଚ୍ଚରେ ଶ୍ରୀନଗରରେ ୨୦ ଏକର ଜମିରେ ବିସ୍ତୃତ ଦେଶର ସବୁଠୁ ବଡ଼ ଟୁଲିପ ଗାର୍ଡେନକୁ ଖୋଲାଯାଇଥିଲା । ତେବେ ଟୁଲିପ ଗାର୍ଡେନ ଖୋଲିବାର ମାତ୍ର ୧୦ ଦିନ ମଧ୍ୟରେ ପ୍ରାୟ ୨ ଲକ୍ଷ ପର୍ଯ୍ୟଟକ ଆସିଥିବା ତଥ୍ୟ ମିଳିଛି । ଏଠାରେ ଟୁଲିପର ୬୮ କିସମ ଦେଖିବାକୁ ମିଳୁଛି । ଏହି ଅଦ୍ଭୁତପୂର୍ବ ବସନ୍ତ କାଶ୍ମୀର ଲୋକଙ୍କ ପାଇଁ ଆଣିଛି ଖୁସିର ଦିନ । ପରିବର୍ତ୍ତିତ ସ୍ଥିତି ହଜାର ହଜାର ଲୋକଙ୍କୁ ଚାକିରି ଦେଇଛି । ସେହିପରି ଟ୍ରାକିଂ ବ୍ୟବସ୍ଥାକୁ ପୁନରୁଦ୍ଧାର କରାଯାଇଛି । ଉତ୍ତର କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ଗୁରେଜ ଏବଂ ବଙ୍ଗସା ଘାଟି ପରି ଉଚ୍ଚ ସ୍ଥାନ ସମେତ ୭୫ଟି ଗନ୍ତବ୍ୟ ଖୋଲାଯାଇଛି । ଏହାପୂର୍ବରୁ ଏଠାରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଲଗାଯାଇଥିଲା, କିନ୍ତୁ ଫେବୃଆରୀ ୨୦୨୨ରେ ଭାରତ-ପାକିସ୍ତାନ ସଂଘର୍ଷର ବିରାମ ବୁଝାମଣା ଜାରି ହେବା ପରେ ଏହି ସ୍ଥାନ ପର୍ଯ୍ୟଟନ ମାନଚିତ୍ରକୁ ପୁଣି ଥରେ ଫେରିଥିଲା ।
ଆଗକୁ କାଶ୍ମୀରର ପର୍ଯ୍ୟଟନସ୍ଥଳୀକୁ ଅଧିକ ପ୍ରଚାରପ୍ରସାର କରିବା ପାଇଁ ପର୍ଯ୍ୟଟନର ସାମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯିବ ବୋଲି ସରମଦ ହଫିଜ କହିଛନ୍ତି । ସେହିପରି ଶ୍ରୀନଗରରେ ୨୦ଟି ଧାର୍ମିକସ୍ଥଳକୁ ଚିହ୍ନଟ କରାଯାଇଛି । ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଚଳିତ ବର୍ଷ ୭୮୬ କୋଟି ଟଙ୍କାର ପୁଞ୍ଜିନିବେଶ କରଯାଇଛି, ଯାହା ଗତ ବଜେଟ୍ରୁ ୫୦୯ କୋଟି ଅଧିକ । ଏଥିସହ ଆତଙ୍କବାଦର ପ୍ରଭାବ କମ୍ କାରଣରୁ ସଂଯୁକ୍ତ ଅରବ ଏମିରତର ଏକ ପ୍ରମୁଖ ବାଣିଜ୍ୟ ପ୍ରତିନିଧିମଣ୍ଡଳ କାଶ୍ମୀର ପର୍ଯ୍ୟଟନ କ୍ଷେତ୍ରରେ ଆଗ୍ରହ ଦେଖାଇଛନ୍ତି । ବର୍ତ୍ତମାନର ସିଜନକୁ ୨୦୧୬ସହ ତୁଳନା କରାଯାଉଛି, ଯେତେବେଳେ ୧୨ ଲକ୍ଷରୁ ଅଧିକ ପର୍ଯ୍ୟଟକ ଘାଟିରେ ସମୟ ବିତାଉଥିଲେ । ଏବେ ପୁଣି ଥରେ ଖୁସି ଫେରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।
ଓପନ ଏୟାର ଫ୍ଲୋଟିଂ ଥିଏଟର
ଜମ୍ମୁ କଶ୍ମୀରର ଅନ୍ୟତମ ଆକର୍ଷଣ ହେଲା ଡାଲ୍ ହ୍ରଦ । ଏହି ଡାଲ ହ୍ରଦରେ ରହିଛି ଓପନ୍ ଏୟାର ଫ୍ଲୋଟିଙ୍ଗ ଥିଏଟର । ଏହି ଥିଏଟର ଡାଲ ହ୍ରଦର ସୌନ୍ଦର୍ଯ୍ୟକୁ ଦୁଇଗୁଣା କରିଛି । ଏଠାରେ ଲୋକମାନେ ଖୋଲା ଆକାଶ ତଳେ ଡଙ୍ଗାରେ ଭାସୁଥିବା ଅବସ୍ଥାରେ ସିନେମାର ମଜା ନେଇପାରିବେ । ଏହି ଓପନ ଏୟାର ଫ୍ଲୋଟିଙ୍ଗ ଥିଏଟର ଉପାୟଟି ବେଶ୍ ସ୍ୱତନ୍ତ୍ର । ଏହା କାଶ୍ମୀରର ପର୍ଯ୍ୟଟକ ସଂଖ୍ୟା ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କାଶ୍ମୀରରେ ଭରି ରହିଥିବା ଅନ୍ୟ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ମଧ୍ୟରେ ଏହା ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଥାଏ ।
ଶୋଭା ବଢାଉଛି ପର୍ଯ୍ୟଟକ ଗାଁ
କାଶ୍ମୀରର ପର୍ଯ୍ୟଟକଙ୍କ ପାଇଁ ଏଠାରେ ବିଭିନ୍ନ ହୋଟେଲର ବ୍ୟବସ୍ଥା ରହିଛି । ହେଲେ ଏଠାରେ ଥିବା ପର୍ଯ୍ୟଟକ ଗାଁ ସେମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିଥାଏ । ଏଠାରେ ପର୍ଯ୍ୟଟକଙ୍କୁ ନିଜ ଘର ଭଳି ଅନୁଭୂତି ହୋଇଥାଏ । ବର୍ତ୍ତମାନ ହୋଟେଲ୍ ଠାରୁ ଏହି ବ୍ୟବସ୍ଥା ପର୍ଯ୍ୟଟକଙ୍କର ପସନ୍ଦ ତାଲିକାରେ ଆଗରେ ରହୁଛି । ଏଠାରେ ଥିବା ଏକାଧିକ ଗାଁରେ ଏହି ବ୍ୟବସ୍ଥା କରାଯାଇଛି, ଯାହା ସେମାନଙ୍କ ପାଇଁ ନୂଆ ରୋଜଗାରର ପନ୍ଥା ମଧ୍ୟ ଖୋଲିଛି । ଛୁଟି କାଟିବାକୁ ଆସୁଥିବା ପର୍ଯ୍ୟଟକ ସର୍ବଦା ଏକ ଶାନ୍ତି ପରିବେଶ ଦରକାର କରନ୍ତି । ତେଣୁ ସେମାନଙ୍କ ପାଇଁ ଏହି ଟୁରିଷ୍ଟ ଭିଲେଜ୍ ଏକ ସଠିକ ବିକଳ୍ପ ।
ସ୍ନୋ ଲିଓପାର୍ଡ
କାଶ୍ନୀରରେ ଭରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ସ୍ନୋ ଲିଓପାର୍ଡ ବା ବରଫ ଚିତାବାଘ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ବେଶ୍ ସକ୍ଷମ । ଏହି ସ୍ନୋ ଲିଓପାର୍ଡ ଏକ ବିରଳ ପ୍ରଜାତିର, ଯାହା ଏଠାରେ ଦେଖାଯାଇଥାଆନ୍ତି । ଏହି ଚିତାବାଘ ନିଜ ପ୍ରଜାତିର ଏକ ସ୍ୱତନ୍ତ୍ର ପ୍ରାଣୀ ଅଟେ । ଏହାର ଲୋମ ସହ ଚମଡା ମଧ୍ୟ ଅଲଗା ପ୍ରକାରର ହୋଇଥାଏ, ଯାହା ଏହାକୁ ବରଫରେ ଚଲାବୁଲା କରିବାରେ ସହାୟତା କରିଥାଏ । ସେହିଭଳି ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ, କିନ୍ତୁ ଏହାକୁ ଦେଖିବାକୁ ଟିକେ ପରିଶ୍ରମ କରିବାକୁ ପଡିଥାଏ ।
ମୁ୍ୟଜିକାଲ ଫାଉଣ୍ଟେନ୍
ଡାଲ୍ ହ୍ରଦରେ ଫ୍ଲୋଟିଙ୍ଗ ଓପନ ଏୟାର ଥିଏଟର ଭଳି ମୁ୍ୟଜିକାଲ ଫାଉଣ୍ଟେନ୍ ଓ ଲେଜର ଶୋ’ ମଧ୍ୟ ଏହାର ଶୋଭା ବର୍ଦ୍ଧିତ କରୁଛି । ଏହି ମୁ୍ୟଜିକାଲ ଶୋ’କୁ ଉଭୟ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ବେଶ୍ ପସନ୍ଦ କରିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ୧୫ ମିନିଟ୍ ପାଇଁ ଏଠାରେ ଏହି ଶୋ’ କରାଯାଇଥାଏ । ଗୀତର ତାଳେତାଳେ ବିଭିନ୍ନ ରଙ୍ଗର ଫାଉଣ୍ଟେନ ଦର୍ଶକଙ୍କୁ ବେଶ୍ କିଛି ସମୟ ପାଇଁ ବାନ୍ଧି ରଖିଥାଏ । ଏହା ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ସହିତ ପର୍ଯ୍ୟଟକଙ୍କୁ ଏକ ନୂଆ ଅନୁଭୂତି ଦେଇଥାଏ ।
ଏସିଆର ସବୁଠାରୁ ବଡ ଟୁଲିପ୍ ଗାର୍ଡେନ୍
କାଶ୍ମୀରର ଶ୍ରୀନଗରରେ ରହିଛି ଏସିଆର ସବୁଠାରୁ ବଡ ଟୁଲିପ୍ ଗାର୍ଡେନ୍ । ବସନ୍ତ ଋତୁରେ ଏହି ଫୁଲ ବଗିଚା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଏହି ବଗିଚାକୁ ଇନ୍ଦିରା ଗାନ୍ଧୀଙ୍କ ସ୍ୃତ୍ତିରେ ତିଆରି କରାଯାଇଛି । ପ୍ରାୟ ୪୭ ଏକରରେ ଥିବା ଏହି ଗାର୍ଡେନ୍ରେ ପାଖାପାଖି ୧.୫ ମିଲିଅନ୍ ଟୁଲିପ୍ ଫୁଲ ଫୁଟିଥାଏ । ରଙ୍ଗବେରଙ୍ଗର ଏତେ ମାତ୍ରାରେ ଫୁଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବେଶ୍ ଆଗରେ ରହିଥାଏ । ଏହି ଗାର୍ଡେନରେ ପ୍ରାୟ ୬୮ ପ୍ରକାରର ଟୁଲିପ୍ ଫୁଲ ସହିତ ୬୮ପ୍ରକାରର ଅନ୍ୟ ଫୁଲ ମଧ୍ୟ ରହିଥାଏ ।
କେଶର ଦେଇଥାଏ ମିଠା ବସ୍ନା
କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଏହାର ପବନର ବାସ୍ନାକୁ ମିଠା କରିଥାଏ ଏଠାରେ ମିଳୁଥିବା କେଶର । ଭାରତର କେଶର ରାଜଧାନୀ ଭାବେ ପରିଚିତ ପାମ୍ପୋରୋର ଗାଁ ରହିଛି ଶ୍ରୀନଗରରେ । ଯେଉଁ ଗାଁର ପବନରେ ଭରି ରହିଛି ପାରମ୍ପରିକ କେଶର ଫୁଲର ବାସ୍ନା । ଏହି ଗାଁକୁ ଯିବା ସହିତ କେଶରର ଉତ୍ପାଦନ ଦେଖିବାକୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖାଯାଏ । ଉକ୍ତ ଗାଁରେ ପ୍ରାୟ ସମସ୍ତ ଲୋକ କେଶର କୃଷିରେ ନିୟୋଜିତ ।
ମହୁଚାଷ
କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଭଳି ଏଠିକାର ମହୁଚାଷ ମଧ୍ୟ ବେଶ୍ ପୁରୁଣା । ଅନେକ ସ୍ଥାନୀ ବାସିନ୍ଦା ମହୁ ଚାଷ କରିଥାଆନ୍ତି । ଏଠିକାର ଗାଁ ମାନଙ୍କରେ ଥିବା ବିଭିନ୍ନ ଫୁଲ ଗଛ ସଫଳ ମହୁଚାଷ ପଛର କାରଣ । ସେହିଭଳି ସମ୍ପୃକ୍ତ ଚାଷରେ ସ୍ଥାନୀୟ ବାସିନ୍ଦାଙ୍କୁ ବେଶି କିଛି ନିବେଶ କରିବାକୁ ପଡିନଥାଏ । ଏଠିକାର ପ୍ରାକୃତିକ ପରିବେଶ ଏହି ଚାଷକୁ ବେଶ୍ କିଛି ଯୋଗାଇଥାଏ, ଯାହା ମହୁ ଚାଷକୁ ଉନ୍ନତ ସ୍ତରକୁ ନେଇଥାଏ ।
ଓପନ୍ ରୁଫ ବସ
କାଶ୍ମୀର ସଡକରେ ଦୌଡୁଥିବା ଓପନ୍ ରୁଫ ବସ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଏକ ଆକର୍ଷଣ ସାଜିଥାଏ । ଏହି ବସରେ ବସିବାର ମଜା କିଛି ନିଆରା ରହିଥାଏ । ଦର୍ଶକମାନେ ଏଥିରେ ବସି କାଶ୍ମୀର ରାସ୍ତାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହଜ ହୋଇଥାଏ । ପର୍ଯ୍ୟଟକଙ୍କ ପାଇଁ କାଶ୍ମୀରର ସୋନ୍ଦର୍ଯ୍ୟକୁ ଉପଭୋଗ କରିବାର ଏହା ହେଉଛି ଏକ ନୂତନ ମାଧ୍ୟମ । ଏହି ସବୁ ବସ ପ୍ରତିଦିନ ଏଠାରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାଏ । ଏହିଭଳି ବିଭିନ୍ନ ଅନନ୍ୟ ଉପାୟ କାଶ୍ମିରୀ ପର୍ଯ୍ୟଟନକୁ ଏକନୂତନ ସ୍ତରକୁ ନେବା ସହିତ ବିଶ୍ୱ ବାସୀଙ୍କ ପାଖରେ ପହଞ୍ଚାଇଥାଏ ।

ଖାଦ୍ୟ
କୁଲଚା, ଦମଆଳୁ, ରୋଗାନ ଜୋସ୍, କହୱା, ଚାମନ, ହକା, ଶିର୍ ଚାଏ, ତେହର, ତବାକ୍ ମଜା, ୟଖନି, ରୋଥ୍, ଘୋସତବା





1 thought on “A fetcher story about heaven of india Kashmir.”