ଜୀବନର ସବୁଠାରୁ ବଡ ଉପଲବ୍ଧିହେଲା ନିଜେ ନିଜକୁ ଚିହ୍ନିବା । ନିଜ ମନର ଭାବକୁ ଶଂସୟ ନରଖି ଅନ୍ୟ ଆଗରେ ପ୍ରକାଶ କରିବା ବେଳେବେଳେ ବ୍ୟକ୍ତିଙ୍କ ପାଇଁ କଠିନ ହୋଇପଡେ । ଏହି ସମୟରେ ସେମାନେ ଖୋଜିଥାଆନ୍ତି ଏଭଳି ଏକ ପ୍ରକ୍ରିୟା ଯାହା ସାହାଯ୍ୟରେ ସେମାନେ ନିଜ ଭାବ ପ୍ରକାଶ କରିପାରିବେ । ବର୍ତ୍ତମାନ ଏଭଳି ବ୍ୟକ୍ତିଙ୍କର ସାହାରା ସାଜିଛି ଏକ୍ସପ୍ରେସିଭ୍ ଆର୍ଟ ଥେରାପି । ଯାହା ଏମାନଙ୍କୁ ଯୋଗାଉଛି ଜୀବନକୁ ଉପଭୋଗ କରିବାର ନୂଆ ରାହା ।
ଆଜିକାଲି ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଅନେକ ଅଗ୍ରଗତି କରିଛି । ବିଭିନ୍ନ ରୋଗ ପାଇଁ ଭିନ୍ନଭିନ୍ନ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ସେହି ତାଲିକାରେ ଏକ ନୂତନ ପଦ୍ଧତି ଏକ୍ସପ୍ରେସିଭ୍ ଆର୍ଟ ଥେରାପି ସାମିଲ ହୋଇଛି । ଏହା ଏକ ଏଭଳି ପ୍ରକ୍ରିୟା ଯେଉଁଥିରେ ଅନେକ ପ୍ରକାରର ପ୍ରଣାଳି ରହିଛି ଯାହାକୁ ବ୍ୟବହାର କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରିବ । ଏଥିରେ ସଙ୍ଗୀତ, ଡ୍ରାମା, ନୃତ୍ୟ, ଦୃଶ୍ୟ କଳା, କାହାଣୀ ଲେଖା ଆଦି ରହିଛି । ଯାହାକୁ ବ୍ୟବହାର କରି ଜଣେ ବ୍ୟକ୍ତିର ବିଭିନ୍ନ ପ୍ରକାରର ଉନ୍ନତି ହୋଇପାରିବ । ଏହି ପ୍ରକ୍ରିୟାର ମୌଳିକ ଉଦ୍ଦେଶ୍ୟ ଜଣେ ବ୍ୟକ୍ତିକୁ ନିଜ ସହିତ ପରିଚୟ କରାଇବା । ସମୟେ ସମୟେ କେହିକେହି ନିଜକୁ ଭୁଲି ବିଭିନ୍ନ କାମ କରିଥାଆନ୍ତି । ସେହିଭଳି ବ୍ୟକ୍ତିଙ୍କୁ ନିଜ ସହିତ ପୁଣିଥରେ ପରିଚୟ କରାଇବାରେ ଏକ୍ସପ୍ରେସିଭ୍ ଆର୍ଟ ଥେରାପି ସହାୟକ ହୋଇଥାଏ । ଏହି ଥେରାପିକୁ ନିର୍ଦ୍ଧିଷ୍ଟ ଭାବେ ସୃଜନଶୀଳତାକୁ ଆଗକୁ ବଢାଇବା ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ବିଭିନ୍ନ ପ୍ରକାରର ସାମଗ୍ରୀର ବ୍ୟବହାର କରି କିଭଳି ଜଣେ ନିଜର କଳାତ୍ମକ ବିକାଶ କରିପାରିବ ସେ ନେଇ ଏହି ପ୍ରକ୍ରିୟାରେ ଧ୍ୟାନ ଦିଆଯାଇଥାଏ । ଏହା ମାନସିକ ସ୍ତରରେ ଚାପ ଗ୍ରସ୍ତ ଥିବା ବ୍ୟକ୍ତିଙ୍କ ପାଇଁ ବେଶ୍ ସହାୟକ ହୋଇଥାଏ । ବେଳେବେଳେ ଜଣେ ମାନସିକ ରୋଗୀ ନିଜର ମାନସିକ ଅବସ୍ଥା ବିଷୟରେ ଅନ୍ୟ ଆଗରେ ପ୍ରକାଶ କରିବାରେ ଅସମର୍ଥ ହୋଇଥାଆନ୍ତି । ତେବେ ସେହି ସ୍ଥାନରେ ଏହି ଏକ୍ସପ୍ରେସିଭ୍ ଆର୍ଟ ଥେରାପି ସାହାଯ୍ୟରେ ସେମାନେ ନିଜର ଭାବନାକୁ ଅନ୍ୟଆଗରେ ବିନା କୁଣ୍ଠାରେ ପ୍ରକାଶ କରିବାରେ ସମର୍ଥ ହୋଇପାରିବେ । ଏହା ସେମାନଙ୍କୁ ନିଜକୁ ବୁଝିବାରେ ସାହାଯ୍ୟ କରିବ, ଯାହା ଫଳରେ ସେମାନେ ନିଜ ମନ କଥା କିମ୍ବା ଯେ କୌଣସି ସମସ୍ୟା ବିଷୟର ଅନ୍ୟ ଆଗରେ ପ୍ରକାଶ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଚାପ ଓ ବିଷାଦ କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନଶୈଳୀ ନିରାଶାରେ ଭରିଯାଉଛି । ସେହିଭଳି ଅନେକ ଥର ନିଜ ସହ ଘଟିଥିବା ଦୁଃଖଦ ଘଟଣାକୁ ଭୁଲି ପାରନ୍ତି ନାହିଁ ଏବଂ ବ୍ୟକ୍ତିଟି ଡିପ୍ରେସନ ତଥା ମାନସିକ ଅବସାଦରେ ରହିଥାନ୍ତି । ବେଳେବେଳେ ସ୍ଥିତି ନିୟନ୍ତ୍ରଣହୀନ ହୋଇ ଲୋକମାନେ ଆତ୍ମହତ୍ୟା ପରି ଘୂର୍ଣ୍ଣ୍ୟ ପ୍ରଥାକୁ ଆପଣାଇବାକୁ ପଛେଇ ନଥାନ୍ତି । ଏପରି ପରିସ୍ଥିତିରେ ସେମାନଙ୍କ ଚିକିତ୍ସା ପାଇଁ ଏକ୍ସପ୍ରେସିଭ ଆର୍ଟ ଥେରାପି ବହୁତ ଭଲ ସାଧନ ପାଲଟିଛି । ଏପରିକି ଦୁର୍ଷ୍କମ ପୀଡ଼ିତା ଏବଂ ମାନସିକ ରୋଗରେ ପୀଡ଼ିତଙ୍କର ଚିକିତ୍ସା ପାଇଁ ମଧ୍ୟ ଆର୍ଟ ଥେରାପିକୁ ବ୍ୟବହାର କରାଯାଉଛି ।
ଡ୍ରିପେସନ ରିପୋର୍ଟ
ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ୍ ମେଣ୍ଟାଲ୍ ହେଲ୍ଥ ଆଣ୍ଡ୍ ନୁ୍ୟରୋ ସାଇନ୍ସର ଏକ ସର୍ଭେ ଅନୁଯାୟୀ ଦେଶର ମୋଟ ଜନସଂଖ୍ୟାର ୨.୭ ପ୍ରତିଶତ ଅଂଶ କୌଣସି ନା କୌଣସି କାରଣରୁ ଡିପ୍ରେସନ ପରି ସାଧାରଣ ମାନସିକ ସମସ୍ୟାର ଶିକାର ହୋଇଛନ୍ତି । ଏଥିସହ ୫.୨ ପ୍ରତିଶତ ଲୋକ କେବେ ନା କେବେ ଏ ପ୍ରକାର ରୋଗରେ ପୀଡ଼ିତ ହୋଇସାରିଛନ୍ତି । ୧୨ଟି ରାଜ୍ୟରେ କରାଯାଇଥିବା ଅନେ୍ୱଷଣରୁ ଜଣାପଡ଼ିଛି ଯେ ୧୫ କୋଟି ଲୋକ ଯେକୌଣସି ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏମାନଙ୍କୁ ତୁରନ୍ତ ଡାକ୍ତରଙ୍କ ସହଯୋଗ ଦରକାର । ଏହାରି ମଧ୍ୟରେ ୧୦ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ଡାକ୍ତରୀ ସହାୟତା ମିଳିପାରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସମଗ୍ର ବିଶ୍ୱରେ ୧୦ ପ୍ରତିଶତ ଗର୍ଭବତୀ ମହିଳା ଏବଂ ମା’ ହେବା ପରେ ୧୩ ପ୍ରତିଶତ ମହିଳା ଉଦାସୀନତା ଦେଇ ଗତି କରିଛନ୍ତି । କେବଳ ମହିଳା ନୁହେଁପିଲାମାନେ ମଧ୍ୟ ଡିପ୍ରେସନର ଶିକାର ହେଉଛନ୍ତି । ବ୍ରିଟେନର ୟୁନିଭର୍ସିଟି ଅଫ୍ ଏକ୍ସେଟର ଏକ ରିସର୍ଚ୍ଚ ରିପୋର୍ଟ ଦାବି କରିଛି ଯେ ଆଜିକାଲି ସମାଜର ଆଶା ଅନୁଯାୟୀ ଆଦର୍ଶ ଏବଂ ଭଲ ଝିଅ ହେବା ପାଇଁ ବିଦ୍ୟାଳୟ ଓ ପରିବାର ପକ୍ଷରୁ ପଡ଼ୁଥିବା ଚାପ କିଶୋରୀଙ୍କୁ ମାନସିକ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇଛି ।
ମନର କଥା କହିବା ସହଜ
ଯେତେବେଳେ କୌଣସି କାରଣରୁ ଜଣେ ବ୍ୟକ୍ତି ଉଦାସୀନତା କିମ୍ବା ଚାପରେ ଥାଏ ଏବଂ ସେ କହିବା ସ୍ଥିତିରେ ନଥାଏ, ସେତେବେଳେ ନିଜ କଥାକୁ ଭଲ ଭାବରେ ପ୍ରକାଶ କରିବାକୁ ସକ୍ଷମ ହୋଇପାରେ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କର ଭାବନା କଳା ମାଧ୍ୟମରେ ପ୍ରକାଶ ପାଇଥାଏ । ଏହାର ବୈଜ୍ଞାନିକ ଭିତ୍ତି ମଧ୍ୟ ରହିଛି । ଏହି ଥେରାପିରେ ପେଣ୍ଟିଂ, ସ୍କେଚ୍, କୋଲାଜ୍ ମେକିଂ, ରଙ୍ଗ କରିବା, ମୂର୍ତ୍ତି କଳା ଅନ୍ତର୍ଭୁକ୍ତ । ସେହି କଳା ମାଧ୍ୟମରେ ହୃହୟର କଥା ପ୍ରକାଶିତ ହୋଇଥାଏ । ମାନସିକ ଆଘାତରେ ପୀଡ଼ିତ ଏବଂ ଦୁର୍ଷ୍କମ ପୀଡ଼ିତାଙ୍କ ଚିକିତ୍ସା ପାଇଁ ଏହି ଥେରାପି ଅତ୍ୟନ୍ତ ପ୍ରଭାବଶାଳୀ । ଏଥିରେ କର୍ମଶାଳା ମାଧ୍ୟମରେ ଚାପ, ସମାଧାନ ହୋଇପାରୁନଥିବା ପ୍ରଶ୍ନଗୁଡ଼ିକୁ ଏକ ସୃଜନଶୀଳ ଉପାୟରେ ଅପସାରିତ କରାଯାଇଥାଏ ଏବଂ ଖରାପ ସ୍ମୃତିଗୁଡ଼ିକ ଦୂରେଇ ଯାଇପାରେ ।
କ୍ରିଏଟିଭ୍ ଉପାୟରେ ହେବ ଚିକିତ୍ସା
ମନୋଚିକିତ୍ସକଙ୍କ କହିବା ଅନୁଯାୟୀ, କଳା ମାଧ୍ୟମେର ନିଜକୁ ବ୍ୟକ୍ତ କରିବା କେଉଁ କାଳରୁ ଚାଲିଆସୁଛି । ହେଲେ ମାନସିକ ରୋଗରେ ପେଣ୍ଟିଂ, କଲରିଂର ସାହାଯ୍ୟରେ ନିଜକୁ ପ୍ରକାଶ କରିବାର ଉପାୟ ବହୁତ ପ୍ରଭାବଶାଳୀ ଧରାଯାଇଥାଏ । ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମାନସିକ ଚାପଗ୍ରସ୍ତ ଥିବା ଲୋକମାନେ ଆର୍ଟ ଥେରାପିରୁ ଆରାମ ଅନୁଭବ କରିଥାନ୍ତି । ଏହା ଏକ ସର୍ଜନାତ୍ମକ ପ୍ରକ୍ରିୟା, ଯାହା ଦ୍ୱାରା ମାନସିକ, ଶାରୀରିକ ଏବଂ ଭାବନାତ୍ମକ ଉପାୟରେ ରୋଗୀମାନେ ନିଜକୁ ସାହାଯ୍ୟ କରିପାରନ୍ତି । ପ୍ରତି ଆୟୁର ଲୋକ, ଏପରିକି ଛୋଟ ହେଉ କି ବୟସ୍କ ଏହି ଥେରାପି ନେଇଥାନ୍ତି । ଏହା ସହଯୋଗରେ ୭୦-୮୦ପ୍ରତିଶତ ଠିକ୍ ହୋଇପାରନ୍ତି ।
ପୁନଃ ବଞ୍ଚିବାକୁ ପ୍ରୟାସ
ଅତିଥିରେ ଘଟିଥିବା ଘଟଣାକୁ ବଦଳାଇବା ଅସମ୍ଭବ, କିନ୍ତୁ ପୁଣି ଥରେ ସାଧାରଣ ଜୀବନ ବଞ୍ଚିବାକୁ ପ୍ରୟାସ କରିବାକୁ ପଡ଼ିବ । ଏହା ଆପଣଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ହେବା ସହ ସାମାଜିକ ଜୀବନ ପାଇଁ ବହୁତ ଆବଶ୍ୟକ । ଏକ୍ସପ୍ରେସ୍ ଆର୍ଟ ଥେରାପି ପ୍ରତି ବୟସର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହୋଇଥାଏ । ଶାରୀରିକ ବିକାରଗ୍ରସ୍ତ, ଦୁର୍ଷ୍କମ, ଅଟିଜମ୍ (ଅପସ୍ମାତ୍), ଅକ୍ଷମତା ଦେଇ ଗତି କରୁଥିବା ଲୋକମାନଙ୍କୁ ଡାନ୍ସ ଥେରାପି ଦିଆଯାଇଥାଏ । ଏହା ବ୍ୟତୀତ ଯଦି କେହି ଯୁବକଯୁବତୀ କିମ୍ବା କିଶୋରକିଶୋରୀ କୌଣସ ରିଲେସନସିପ୍ କାରଣରୁ ମାନସିକ ଅବସାଦରେ ରହିଥାନ୍ତି, ସେମାନଙ୍କୁ ଫ୍ରି ରାଇଟିଂ ଥେରାପି ଦିଆଯାଏ ।
ବୁଷ୍ଟ୍ ହେବ ମେଣ୍ଟାଲ୍ ହେଲ୍ଥ
ଏକ୍ସପ୍ରେସ୍ ଆର୍ଟ ଥେରାପିଷ୍ଟଙ୍କ କହିବା ଅନୁଯାୟୀ ଅନେକ ଥର ଲୋକମାନେ ନିଜ ଜୀବନରେ ବିଫଳ ଅନୁଭବ କରିଥାନ୍ତି । ଏହା ମଧ୍ୟ ମାନସିକ ଚାପରେ ରହିବା ଏକ ପ୍ରମୁଖ କାରଣ । ନୂଆ କାମ କରିବା ପାଇଁ ଭୟ କରିଥାନ୍ତି । ସେମାନେ ଭାବନ୍ତି ଯେ ଜୀବନରେ କିଛି ହାସଲ କରିପାରିବେ ନାହିଁ । ଏପରି ଲୋକଙ୍କୁ କଳା କାର୍ଯ୍ୟକ୍ରମ ଜରିଆରେ ମନର ଭୟକୁ ଦୂର କରାଯାଏ । କଳା ଥେରାପି ଏମାନଙ୍କ ପାଇଁ ଭଲ । ସେମାନଙ୍କର ଟ୍ୟାଲେଣ୍ଟକୁ ବାହାର କରିବା ପାଇଁ ରଙ୍ଗ ଏବଂ ତୂଳୀ ଦିଆଯାଏ, ଯାହା ଫଳରେ ସେମାନେ ନିଜ ଭିତରେ ଚାଲୁଥିବା ଅସନ୍ତୋଷର ଭାବକୁ କାଗଜରେ ଆଙ୍କି ଦିଅନ୍ତି । ଏହାର ଲକ୍ଷ୍ୟ ଲୋକଙ୍କୁ ମାନସିକ ବିଷାଦରୁ ବାହାର କରି ଖୁସିରେ ରହିବା ପାଇଁ ପ୍ରୋତ୍ସାହିତ କରିବା ।
ବୃଦ୍ଧି କରାଏ ଫୋକସ୍
ଆର୍ଟ ଥେରାପି ଲୋକଙ୍କୁ ଫୋକସ୍ ରଖିବାରେ ସାହାଯ୍ୟ କରିଥାଏ । ଆପଣ ଯେବେ ବିଚଳିତ ହୁଅନ୍ତି, ସେବେ କୌଣସି କାମରେ ଧ୍ୟାନ ଦେଇପାରନ୍ତି ନାହିଁ । ହେଲେ ଆର୍ଟ ଥେରାପି ପୁର୍ନବାର ଫୋକସ କରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ ନିଜ ଭିତରେ ଥିବା ନକାରାତ୍ମକ ଭାବନାକୁ ଦୂରରେ ରଖିଥାଏ, ଧୈର୍ଯ୍ୟଶୀଳ କରାଇଥାଏ ।
ପ୍ରତି ଆୟୁବର୍ଗଙ୍କ ପାଇଁ ଉପକାରୀ
ଯଦି କେହି ଛୋଟ ପିଲା ନିଜ ସହ ଘଟିଥିବା ଘଟଣାକୁ ଡର କିମ୍ବା ଦ୍ୱିଧାରୁ କହି ପାରନ୍ତି ନାହିଁ, ଏପରି ପରିସ୍ଥିତିରେ କଳା ମାଧ୍ୟମରେ ସେମାନେ ମନ କଥାକୁ ପ୍ରକାଶ କରିପାରନ୍ତି । ତେବେ ଏହି ପ୍ରକ୍ରିୟା ପ୍ରତି ବୟସର ଲୋକଙ୍କଠାରେ ଲାଗୁ ହୋଇଥାଏ । ଅନେକ ଥର ଦେଖାଯାଇଛି ଯେ ଦୁର୍ଷ୍କମ ପୀଡ଼ିତାମାନେ ନିଜ ସହ ଘଟିଥିବା ଅଘଟଣକୁ କାହା ସହ ସେୟାର କରିପାରନ୍ତି ନାହିଁ, ଯାହାଦ୍ୱାରା ସେମାନେ ନିଜ ଭିତରେ ହିଁ ଜଳି ଜଳି ବଞ୍ଚିଥାନ୍ତି । ଏହାପରେ ଧୀରେଧୀରେ ଡିପ୍ରେସନର ଶିକାର ହୋଇଥାନ୍ତି, ସେମାନଙ୍କ ପାଇଁ ଆର୍ଟ ଥେରାପି ସବୁଠୁ ଭଲ ଚିକିତ୍ସା ଭାବେ କାମ କରିଥାଏ ।
ପ୍ରକାର
ଆର୍ଟ ଥେରାପି – ଏହି ଥେରାପିରେ ବ୍ୟକ୍ତିଙ୍କୁ ବିଭିନ୍ନ ଉପାୟରେ ମନର ଭାଷାକୁ ପ୍ରକାଶ କରିବାକୁ ସୁଯୋଗ ମିଳିଥାଏ । ଏହି ଥେରାପିରେ ଚିକିତ୍ସା ହେଉଥିବା ବ୍ୟକ୍ତି ଡ୍ରଇଁ, ପେଣ୍ଟିଂ, ବିଭିନ୍ନ ସାମଗ୍ରୀ ଗଢିବା ଆଦିରେ ନିଜ ମନ ଭାବକୁ ପ୍ରକାଶ କରନ୍ତି । ଏହି କଳା ସାହାଯ୍ୟରେ ସେମାନେ ନିଜର ମାନସିକ ସ୍ଥିତିକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ।
ଡ୍ୟାନ୍ସ ଥେରାପି – ଡ୍ୟାନ୍ସ ଥେରାପିରେ ଲୋକଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ବ୍ୟାୟାମ କରାଯାଇଥାଏ । ଏହି ଶାରିରୀକ ଚଳପ୍ରଚଳ କାରଣରୁ ସେମାନେ ନିଜର ମାନସିକ ସ୍ୱାସ୍ଥ୍ୟ ସହ ସଠିକ୍ ଢଙ୍ଗରେ ଖାପଖୁଆଇ ପାରନ୍ତି । ଏହି ଥେରାପି କାରଣରୁ ସେମାନେ ମାନସିକ ଅବସାଦ, ଉଦ୍ବିଗ୍ନତା, ଦୁଃଶ୍ଚିନ୍ତା ଆଦିକୁ ଦୂରେଇବାରେ ସର୍ମଥ ହୋଇପାରୁଛନ୍ତି ।
ମୁ୍ୟଜିକ୍ ଥେରାପି- ଏହି ଥେରାପିରେ ସଙ୍ଗୀତର ସାହାଯ୍ୟ ନେଇ ସମସ୍ୟାଥିବା ବ୍ୟକ୍ତିଙ୍କର ମାନସିକ ସ୍ଥିତିକୁ ଠିକ୍ କରାଯାଇଥାଏ । ଦୁଶ୍ଚିନ୍ତାକୁ ଦୂର କରିବାକୁ ମଧ୍ୟ ଏହି ଥେରାପିକୁ ବ୍ୟବହାର କରାଯାଇଥାଏ ।
ରାଇଟିଂ ଥେରାପି – ରାଇଟିଂ ଥେରାପିରେ ନିଜ ମନକଥା ପ୍ରକାଶ କରିବା ବେଶ୍ ସହଜ ହୋଇଥାଏ । ଏହି ଥେରାପିରେ ସେମାନେ ଗୀତ ଓ କାହାଣୀ ଜରିଆରେ ନିଜର ମାନସିକ ସ୍ଥିତିକୁ ଜାହିର କରନ୍ତି ।
କୌଶଳ
- ୱାଟର କଲର ସାହାଯ୍ୟରେ ହାତରେ ଚିତ୍ର ଆଙ୍କିବା
- ମାଟିରେ ସାମଗ୍ରୀ ନିର୍ମାଣ
- ନୃତ୍ୟ
- ମାଗାଜିନ୍ରେ ଲେଖିବା
- କବିତା ଲେଖିବା
- ଡ୍ରାମା କରିବା
- ଗୀତ ଲେଖିବା
- ଗୀତ ଶୁଣିବା
- ରୋଲ୍ ପ୍ଲେ
- ସ୍କେଚିଂ
- ଫଟୋଗ୍ରାଫି
କାହା ପାଇଁ ସାହାଯ୍ୟ - ଆଙ୍ଗଜାଇଟ୍
- ମସ୍ତିଷ୍କ ସମସ୍ୟା
- ମନସ୍ତାପ
- ଖାଦ୍ୟ ଗ୍ରହଣରେ ସମସ୍ୟା
- ମାନସିକ ଦୁଶ୍ଚିନ୍ତା
- ପୋଷ୍ଟ ଟ୍ରମା
ପିଲାଙ୍କ ଉପରେ ପ୍ରଭାବ
ଛୋଟ ଶିଶୁଟିଏ ଯେଉଁ ବି ବୟସରୁ ହେଇଥାଉ, ତାଙ୍କର ମଧ୍ୟ ମନର କଥା ରହିଥାଏ । ତେବେ ଶିଶୁଙ୍କ କ୍ଷେତ୍ରରେ ନିଜ ମନର ଭାଷା ପ୍ରକାଶ କରିବାକୁ ଶବ୍ଦ ନଥାଏ । ବେଳେ ବେଳେ ଏହାର କାରଣ ବୟସ ହୋଇଥିବା ବେଳେ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ । ତେବେ ଏଭଳି କ୍ଷେତ୍ରରେ ଏକ୍ସପ୍ରେସ୍ଭି ଆର୍ଟ ଥେରାପି ଅନେକ ସାହାଯ୍ୟ କରିଥାଏ । ଶିଶୁ ମାନେ ରଙ୍ଗ ତୁଳୀ ସାହାଯ୍ୟରେ ନିଜ ମନର ଭାବନାକୁ ରୂପ ଦେଇଥାଆନ୍ତି । ଏହି ଥେରାପି ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ ସହାୟକ ହୋଇଥାଏ । ଛୋଟ ସମୟରୁ ନିଜର ମନର ଭାବକୁ ସୁସଜ୍ଜିତ ଢଙ୍ଗରେ ପ୍ରକାଶ କରିବା ଏକ ବୃହତ୍ତର ଉପଲବ୍ଧି । ଏହି ଥେରାପି କାରଣରୁ ପିଲାମାନେ ସାମାଜିକ ସମ୍ପର୍କ ସମ୍ବନ୍ଧରେ ଅଧିକା ଜାଣିଥାଆନ୍ତି । ସେମାନେ ଛୋଟଛୋଟ ଉତ୍ତରଦାୟିତ୍ୱ ନେବା ମଧ୍ୟ ଶିଖିଥାଆନ୍ତି, ଯାହା ତାଙ୍କୁ ଭବିଷ୍ୟତରେ ବେଶ୍ ସହାୟକ ହୋଇଥାଏ । ସେମାନଙ୍କର ଜାଣିବାର ପ୍ରକ୍ରିୟା, ମାନସିକ ସ୍ଥିତି, ଶାରିରୀକ ବୃଦ୍ଧିରେ ଉନ୍ନତ୍ତି ହୋଇଥାଏ । ତେଣୁ ଏକ୍ସପ୍ରେସିଭ୍ ଆର୍ଟ ଥେରାପି ପିଲାଙ୍କ ପାଇଁ ବେଶ୍ ଲାଭଦାୟକ ହୋଇଥାଏ ।
2 thoughts on “ଏକ୍ସପ୍ରେସିଭ୍ ଆର୍ଟ ଥେରାପି”