ବହୁ ପ୍ରାଚୀନ କାଳରୁ ମୁନି ଋଷିଙ୍କ ଚିନ୍ତାଧାରାରୁ ପର୍ବପର୍ବାଣିର ସୃଷ୍ଟି । ଆଜିର ବିଜ୍ଞାନ ଓ ଆଧୁନିକ ଯୁଗରେ ମଧ୍ୟ ଲୋକଙ୍କ ମଧ୍ୟରେ ରହିଛି ପର୍ବପର୍ବାଣୀ ପାଇଁ ଦୁର୍ବଳତା । ସହରରୁ ଆରମ୍ଭ କରି ଗ୍ରାମାଞ୍ଚଳ ସବୁଠି ଲୋକେ ନିଷ୍ଠା ଓ ଉଲ୍ଲାସର ସହ ପର୍ବପର୍ବାଣିକୁ ପାଳନ କରୁଛନ୍ତି । ପର୍ବପର୍ବାଣି ପାଳନରେ ଧନୀ ଗରିବର କୌଣସି ଭେଦଭାବ ନଥାଏ, ଆବଶ୍ୟକ ଥାଏ କେବଳ ମାନସିକତା । କ୍ଳାନ୍ତ କର୍ମମୟ ଜୀବନକୁ ସରସ, ସୁନ୍ଦର କରିଥାଏ ଆମର ପର୍ବପର୍ବାଣି । ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଏହି ପୂଣ୍ୟ ଭୂମି ଉତ୍କଳରେ ଭରି ରହିଛି ପର୍ବପର୍ବାଣିର ଅଦ୍ଭୁତପୂର୍ବ ମାଦକତା ଓ ହସଖୁସିର ଲହର । ଓଡ଼ିଶାର ସଂସ୍କୃତି ଏତେ ବ୍ୟାପକ ଯେ, ଏଠାରେ ପରମ୍ପରାର ସୁବର୍ଣ୍ଣ ଐତିହ୍ୟ ଚିର ଜାଜ୍ଜଲ୍ୟମାନ । ସାଧାରଣତଃ ପର୍ବପର୍ବାଣି ବିଭିନ୍ନ ଭିତ୍ତିଭୂମି ଉପରେ ପର୍ଯ୍ୟବେଶିତ ହୋଇଥାଏ । କେତେକ ଧର୍ମ ଆଧ୍ୟାତ୍ମିକତାର ପ୍ରତୀକ ହୋଇଥିବା ବେଳେ ଆଉ କେତେକ କୃଷି ଭିତ୍ତିକ ପର୍ବପର୍ବାଣି ।
ଓଡିଶାର ପୁରପଲ୍ଲୀରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଫାଲଗୁନ ଦଶମୀରୁ ଏହି ଯାତ୍ରା ଆରମ୍ଭ ହୋଇ ହୋଲିରେ ଶେଷ ହୋଇଥାଏ । ଏହାର ପାଳନ ବୈଷ୍ଣବଧର୍ମ ପରମ୍ପରାରର ପ୍ରଚାର ଓ ପ୍ରସାର ପାଇଁ ହୋଇଥାଏ । ଏହା ସହିତ ଦୋଳପର୍ବ ଗାଁ -ଗାଁ , ଗୋଷ୍ଠୀ- ଗୋଷ୍ଠୀ ,ବ୍ୟକ୍ତି- ବ୍ୟକ୍ତି ମଧ୍ୟରେ ଏକ ସ୍ନେହ ସଦ୍ଭାବ ସୃଷ୍ଟି କରିଥାଏ । ଏହି ପର୍ବପର୍ବାଣିକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଲୋକକଥା ଏହି ପର୍ବପର୍ବାଣିକୁ ନେଇ ରହିଛି । ହୋଲି ବା ଦୋଳପୂର୍ଣ୍ଣିମାକୁ ରାଧା କୃଷ୍ଣଙ୍କର ଅନନ୍ୟ ପ୍ରେମର ଉଦାହରଣ ଭାବେ ପୂରାଣରେ ବର୍ଣ୍ଣିତ ରହିଛି ।
ସେହିଭଳି ଏହି ପର୍ବ ପଛରେ ଅନ୍ୟାନ ବର୍ଣ୍ଣନା ମଧ୍ୟ ରହିଛି । ଏହା ଲୋକଙ୍କ ମଧ୍ୟରେ ବସନ୍ତ ଉତ୍ସବ ନାମରେ ମଧ୍ୟ ପରିଚିତ । ହୋଲି, ଯାହା ଦୋଳପୂର୍ଣ୍ଣମୀ ପରଦିନ ପାଳନ କରାଯାଇଥାଏ । ଆବାଳ ବୃଦ୍ଧବନିତା ସମସ୍ତେ ଏକାଠି ହୋଇ ହସଖୁସିରେ ବିଭିନ୍ନ ପ୍ରକାର ରଙ୍ଗ ହୋଲି ଖେଳିଥାନ୍ତି । ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ । କେଉଁଠି ଦହି ହାଣ୍ଡି ଭାଙ୍ଗାଯାଥିବାବେଳେ କେଉଁଠି ଖାଲି ଅବିରରେ ହୋଲି ଖେଳାଯାଇଥାଏ । ଭାଇଚାରା ସ୍ୱରୂପ ସେଦିନ ଏକାଠି ବସି ଭୋଜିଭାତ ମଧ୍ୟ ଖାଇଥାନ୍ତି । ଦୋଳଯାତ୍ରା ଓ ହୋଲି ଶ୍ରୀ ଶ୍ରକୃଷ୍ଣଙ୍କ ଗୋପଲୀଲାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦଭାଗବତ ବର୍ଣ୍ଣିତ ରାସଲୀଲାର ସ୍ମୃତିବହନ କରିଥାଏ । ଏହି ଦିନ ଗାଁଗାଁରେ ଦୋଳ ମେଳନର ଆୟୋଜନ କରାଯାଇଥାଏ । ଯେଉଁଠାରେ ସମସ୍ତେ ଏକାଠି ହୋଇ ଠାକୁରଙ୍କୁ ପୂଜା କରିବା ସହିତ ହୋଲିଦିନ ରଙ୍ଗ ଅବିରରେ ହୋଲି ପାଳନ କରନ୍ତି ।
1 thought on “ଆମ ଓଡିଆଙ୍କ ଭିନ୍ନ ପରମ୍ପରା ଓ ପର୍ବପର୍ବାଣି: ଓଡିଶାର ଦୋଳ ପର୍ବ”