କରୋନା ବଦଳାଇଛି ବଞ୍ଚିବାର ଢଙ୍ଗ । ଟେକ୍ନୋଲୋଜି ଉପରେ ନିର୍ଭରତା ବଢିଛି । ଯେଉଁ ପିଲାଙ୍କୁ ପାଠ ପଢିବା ବେଳେ ମୋବାଇଲ୍ ଛୁଇଁବା ମନାଥିଲା ସେମାନେ ମୋବାଇଲ୍ରେ ପାଠ ପଢୁଛନ୍ତି । ସେହିଭଳି ହଳଦୀ ଠାରୁ ଶାଢି ସବୁ କିଣାବିକା ହେଉଛି ମୋବାଇଲ୍ରେ । ସିନେମା ଦେଖିବା ହେଉ କିମ୍ବା ବାହାରର ଖାଦ୍ୟ ଖାଇବା କିଛି ପାଇଁ ଆଉ ବାହାରକୁ ଯିବାର ଆବଶ୍ୟକତା ପଡୁନାହିଁ । ଲାଗୁଛି ଯେପରି ଦୁନିଆ ମୋବାଇଲ୍ରେ ଅଟକି ରହିଛି ।
ଗତ ତିନି ବର୍ଷରେ କରୋନା ଅନେକ ପରିବର୍ତ୍ତନ ଆଣିଛି, ଯେଉଁଥିରୁ ଗୋଟିଏ ହେଲା ବଜାରର କିଣାବିକା । କରୋନାରୁ ହେଉଥିବା ସଂକ୍ରମଣ ଓ ଲକ୍ଡାଉନ୍ର ପ୍ରଭାବ ବଜାର ଉପରେ ସିଧା ପଡିଛି । ପୂର୍ବ ଦୁଇ ଥର ଭଳି ଏଥର ମଧ୍ୟ ଏହାର ପ୍ରଭାବ ସିଧାସିଧା ବଜାରରେ ହେଉଥିବା ଖୋଲା କିଣାବିକା ଉପରେ ପଡିଛି । ପୂର୍ବଥର ଭଳି ଏଥର ବଡ ଧରଣର ଲକ୍ଡାଉନ୍ ସଟ୍ଡାଉନ ନହେଲେ ମଧ୍ୟ, ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଥିବା ଡର କାରଣରୁ ଅନ୍ଲାଇନର ବ୍ୟବହାର ବଢିଛି । ଲୋକମାନେ ପୁଣି ଅନ୍ଲାଇନ୍ ସପିଂ ଦୁନିଆକୁ ଫେରିଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସର୍ଭେ ରିପୋର୍ଟ ସାମନାକୁ ଆସୁଛି । ଏଥିରେ ପ୍ରକାଶିତ ତଥ୍ୟ ଅନୁସାରେ ୮୪ ପ୍ରତିଶତ ଲୋକ ମହାମାରୀ ଆରମ୍ଭରୁ ଏଯାବତ୍ ଅନ୍ଲାଇନରେ ବିଭିନ୍ନ ସାମଗ୍ରୀ ମଗାଉଛନ୍ତି । ସେହିଭଳି ଏହି ଗ୍ରାହକଙ୍କ ମଧ୍ୟରେ ୧୮ରୁ ୧୪ ବର୍ଷର ଲୋକଙ୍କ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ଏବଂ ୩୫ରୁ ୫୪ବର୍ଷ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଲୋକ ଅନ୍ଲାଇନ୍ ସପିଂର ସାହାରା ନେଉଛନ୍ତି । ସଂକ୍ରମଣ ଭୟ କାରଣରୁ ଏମାନେ ଅଫ୍ଲାଇନ୍ ସପିଂକୁ ନା କହିସାରିଲେଣି । ତେବେ ଏବେ ମଧ୍ୟ କେତେକ ଲୋକ ବଜାର ଉପରେ ମଧ୍ୟ ଭରଷା କରୁଛନ୍ତି । ଏହି ଅନ୍ଲାଇନ୍ ସପିଂ ଉପରେ ସୋସିଆଲ ମିଡିଆର ପ୍ରଭାବ ମଧ୍ୟ ରହୁଛି । ଯୁବଗୋଷ୍ଠୀଙ୍କ ମଧ୍ୟରୁ ୫୫ ପ୍ରତିଶତ ଗ୍ରାହକ ସୋସିଆଲ ମିଡିଆରେ ଆସୁଥିବା ବିଭିନ୍ନ ବିଜ୍ଞାପନ ଦେଖି ସାମଗ୍ରୀ କିଣୁଛନ୍ତି । ଯେତଯେତେ ସମୟ ଗଡୁଛି ଅନ୍ଲାଇନ୍ରେ କିଣାବିକାର ଚାହିଦା ସେତେ ବଢୁଛି । ତଥ୍ୟ ଅନୁସାରେ ଏହି ପ୍ରଣାଳୀର କିଣାବିକାକୁ ଲୋକ ବେଶ୍ ପସନ୍ଦ କରୁଛନ୍ତି । ଏହି ପ୍ରଣାଳୀ କାରଣରୁ ସେମାନେ ସଂକ୍ରମଣରୁ ଦୂରେଇ ରହୁଥିବା ବେଳେ ସମୟ ମଧ୍ୟ ବଞ୍ଚୁଥିବା ଜଣାପଡିଛି । ଅନଲାଇନ ମୋଡ୍ରେ ମିଳୁଥିବା ଜିନିଷକୁ ସହଜରେ ଫେରାଇ କିମ୍ବା ମନମୁତାବକ ବଦଳ ମଧ୍ୟ କରିହେଉଛି । ଏହିଭଳି କିଛି ସୁବିଧା ଗ୍ରାହକଙ୍କୁ ବେଶି ଅନ୍ଲାଇନ୍ ସପିଂ ପାଇଁ ଆର୍କଷିତ କରୁଥିବା ନେଇ ଜଣା ପଡିଛି । ହେଲେ ଏହାର ଖରାପ ପ୍ରଭାବ ବଜାରରେ ବିକୁଥିବା ବ୍ୟବସାୟୀଙ୍କ ଉପରେ ପଡୁଛି । ଅନ୍ଲାଇନ୍ ସପିଂ କାରଣରୁ ସେମାନଙ୍କର ବେପାର ମାନ୍ଦା ହେବା ସହିତ ତାଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି ।
ଭାରତରେ ବଢିଛି ସପିଂ କ୍ରେଜ୍
ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ପୁଣି ଫେରିଛି କରୋନା ସଂକ୍ରମଣ । ଯାହାକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଲୋକମାନଙ୍କୁ ପୁଣି ଘରେ ରହିବାକୁ ବାଧ୍ୟ କରାଯାଇଛି । ତେବେ ଏସବୁ ମଧ୍ୟରେ ବାଜି ମାରିଛି ଅନ୍ଲାଇନ୍ ସପିଂ । ପୁଣି ଥରେ ଲୋକମାନେ ଅନ୍ଲାଇନ୍ ସପିଂକୁ ଫେରିଛନ୍ତି । ରୋଷେଇଘରର ହଳଦୀ ଠାରୁ ଆରମ୍ଭ କରି ଶୋଇବା ଘରର ବେଡ୍ସିଟ୍ ସବୁ ପାଇଁ ସେମାନେ ବର୍ତ୍ତମାନ ନିର୍ଭର କରୁଛନ୍ତି ଅନ୍ଲାଇନ୍ ଉପରେ । ପୁଣି ଫେରିଥିବା କଟକଣା କାରଣରୁ ଭାରତର ଇ- ରିଟେଲ୍ ମାର୍କେଟ୍ର ୨୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ଲାଇନ୍ ସପିଂ ଦୁନିଆରେ ଭାରତ ତୃତୀୟ ସ୍ଥାନରେ ରହିଛି । ଏହି ପ୍ରତିଶତ ଆଗକୁ ୫ବର୍ଷ ଭିତରେ ଆହୁରି ବଢିବ । ପ୍ରତିବର୍ଷ ଏହା ୨୫ରୁ ୩୦ ପ୍ରତିଶତ ବଢିବ ବୋଲି ଆକଳନ ମଧ୍ୟ କରାଯାଇଛି । ଏହି ଅନ୍ଲାଇନ୍ ସପିଂରେ ଲୋକମାନେ ଇେáାଟ୍ରୋନିକ, ମୋବାଇଲ, ପୋଷାକ ସମେତ ବିଭିନ୍ନ ଘରୋଇ ସାମଗ୍ରୀ ମଗାଉଛନ୍ତି । ସେଥିରେ ଗ୍ରସୋରି, ଘରେ ବ୍ୟବହାର ହେଉଥିବା ସାମଗ୍ରୀ ଆଦି ଖୁବ ଅଧିକ ମାତ୍ରାରେ କିଣାଯାଉଥିବା ଜଣାପଡିଛି । ସେହିଭଳି ଅନ୍ୟଏକ ରିପୋର୍ଟ ଅନୁସାରେ ପ୍ରାୟ ୪୦ ପ୍ରତିଶତ ଲୋକ ଅନ୍ଲାଇନ୍ ସପିଂ ସମୟରେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆରେ ଆସୁଥିବା ବିଭିନ୍ନ ବିଜ୍ଞାପନର ପ୍ରଭାବ ଏମାନଙ୍କ ଉପରେ ପଡୁଛି । କରୋନା ପରେ ଏହି ଅନ୍ଲାଇନ୍ ସପିଂ ସହରଠାରୁ ଗ୍ରାମ ସବୁ ସ୍ଥାନରେ ଦେଖିବାକୁ ମିଳିଛି । ପୂର୍ବରୁ ସାଧାରଣତଃ ଗ୍ରାମାଞ୍ଚଳରେ କମ ମାତ୍ରାରେ ଅନ୍ଲାଇନ୍ ସପିଂ ହେଉଥିଲା । ସମସ୍ତ ଲୋକ ନିଜର ଦୈନନ୍ଦିନ ସାମଗ୍ରୀ ପାଇଁ ବଜାର ଉପରେ ନିର୍ଭର କରୁଥିଲେ, ହେଲେ ବର୍ତ୍ତମାନ ସମସ୍ତେ ଛୋଟ ଠାରୁ ବଡ ସବୁ ସାମଗ୍ରୀ ପାଇଁ ଅନ୍ଲାଇନ୍ ଉପରେ ନିର୍ଭର କରୁଛନ୍ତି । ତେବେ ଆଉ ଏକ ରିପୋର୍ଟ ଅନୁସାରେ ଅନ୍ଲାଇନ୍ ସପିଂରେ ମହିଳାଙ୍କର ଭାଗିଦାରୀ ଅଧିକା ରହୁଛି । ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ ୧.୫ ଟାଇମ୍ସ ଅଧିକା ରହୁଛି । ମହିଳା ମାନେ ନିଜର ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ଘରର ଦରକାରୀ ସାମଗ୍ରୀ ସବୁ ଅନ୍ଲାଇନ୍ରେ କିଣୁଛନ୍ତି, ଯାହା ଏହି ସଂଖ୍ୟାକୁ ବଢାଇଛି ।
ଅନ୍ଲାଇନ୍ ମନୋରଞ୍ଜନ
କରୋନା କଟକଣାର ପ୍ରଭାବ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଭଳି ମନୋରଞ୍ଜନ ଉପରେ ମଧ୍ୟ ପଡିଛି । ଆଜି ପର୍ଯ୍ୟନ୍ତ ସିନେମା ପୂର୍ବଭଳି ହଲରେ ରିଲିଜ୍ ହୋଇପାରୁନାହିଁ । ଯେଉଁ କାରଣରୁ ସିନେମା ଗୁଡିକୁ ଅନେକ କ୍ଷତି ସହିବାକୁ ପଡିଛି । ଅଧିକାଂଶ ସିନେମାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଉଛି । ସେହିଭଳି କେତେକ ଦର୍ଶକ ଓଟିଟିରେ ସିନେମା ରିଲିଜ୍କୁ ପସନ୍ଦ କରୁଥିବା ବେଳେ ଅନେକ ସିନେମା ହଲ୍ର ଅନୁଭୂତିକୁ ମନେପକାଉଛନ୍ତି । ହଲ୍ର ମଜା ଘରେ ଆସୁନଥିବା ମତ ପ୍ରକାଶ ପାଉଛି । ସଂକ୍ରମଣକୁ ଆଖିରେ ରଖି ପ୍ରଥମେ ୫୦ ପ୍ରତିଶତରେ କ୍ଷମତାରେ ହଲ ଖୋଲାଯାଇଥିଲା । ହେଲେ ପରେ ସ୍ଥିତି ବିଗିଡିବାରୁ ଏହାକୁ ବନ୍ଦ କରିଦିଆଯାଇଛି । ଖାଲି ସିନେମା ହଲ ନୁହେଁ ବିଭିନ୍ନ ସିନେମା, ଟେଲି ଧାରାବାହିକର ସୁଟିଂରେ ମଧ୍ୟ ବାଧା ଉପୁଜିଛି । ସେହିଭଳି ମୁ୍ୟଜିକ୍ ଇଣ୍ଡଷ୍ଟ୍ରି ମଧ୍ୟ ଖୁବ୍ କ୍ଷତି ସହିଛି । କେଉଁଠି ବି ଲାଇଭି କନସଟ୍ ହେଉ କିମ୍ବା କୌଣସି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇପାରିନାହିଁ । କରୋନା ମନୋରଞ୍ଜନ ଦୁନିଆର ଆୟୋଜକଙ୍କ ସହ ଦର୍ଶକ ଉଭୟଙ୍କୁ ନିରାଶ କରିଛି ।
ଅନଲାଇନ୍ ଖାଦ୍ୟ ପସରା
କରୋନା ସମୟରେ ଅନ୍ଲାଇନ୍ରେ ଖାଦ୍ୟ ମଗାଇବାର ଚାହିଦା ବେଶ୍ ବଢିଛି । ଲୋକମାନେ ବର୍ତ୍ତମାନ ଘରେ ବସି ଖାଇବା ମଗାଇବାକୁ ବେଶି ସୁରକ୍ଷିତ ମଣୁଛନ୍ତି । ତେବେ ଅନ୍ଲାଇନ୍ରେ ମଗା ଯାଉଥିବା ଖାଦ୍ୟ ତାଲିକାରେ ସବୁଠାରୁ ଆଗରେ ରହିଛି ଚିକେନ୍ ବିରିୟାନି । ଏହି ତଥ୍ୟ ଅନୁସାରେ ପ୍ରତି ମିନିଟ୍ରେ ୧୧୫ଟି ବିରିଆନି ପ୍ଲେଟ୍ ମଗାଯାଉଛି । ଏହି ପ୍ଲେଟ୍ ସଂଖ୍ୟା ୨୦୨୦ରେ ୯୦ ଥିବାବେଳେ ବଢିବଢି ୧୧୫ରେ ପହଞ୍ଚିଛି । ସେହି ଭଳି ଏହି ତାଲିକାରେ ରହିଛି ଆଉ ଏକ ଖାଦ୍ୟ ସିଙ୍ଗଡା , ଯାହା ହେଉଛି ଭାରତୀୟଙ୍କ ପ୍ରିୟ ଜଳଖିଆ । ବର୍ଷକ ଭିତରେ ପ୍ରାୟ ୫ମିଲିଅନ ସିଙ୍ଗଡା ଅର୍ଡର ହୋଇଛି, ଯାହାର ଗଣତି ପ୍ରତିଦିନ ବଢୁଛି । ସେହିଭଳି ସିଙ୍ଗଡା ତଳକୁ ରହିଛି ପାଓ ଭାଜି । ଯାହା ହେଉଛି ଭାରତୀୟଙ୍କ ଦ୍ୱିତୀୟ ପସନ୍ଦର ଜଳଖିଆ, ଯାହା ୨.୧ ମିଲିଅନ ଅର୍ଡର କରାଯାଇଛି । ମିଠା ଭୋଜନରେ ରହିଛି ଗୋଲାପଜାମୁ ଓ ରସମଲାଇ ଯାହା । ଗୋଲାପଜାମୁ ୨.୧ ମିଲିଅନ ଅର୍ଡର ହୋଇଥିବା ବେଳେ ରସମଲେଇ ୧.୨୭ ମିଲିଅନ ଅର୍ଡର ହୋଇଛି । ସେହିଭଳି ପ୍ରକାଶିତ ତଥ୍ୟ ଅନୁସାରେ ଲୋକମାନେ ୨୦୨୧ରେ ପ୍ରାୟ ୨୮ ମିଲିଅନ ଫଳ ଓ ପନିପରିବା ଅନ୍ଲାଇନ୍ରୁ ମଗାଇଛନ୍ତି, ଯାହା ୨୦୨୨ରେ ବଢିବାର ଆକଳନ କରାଯାଇଛି ।
ବଞ୍ଚନ୍ତୁ ସାଇବର କ୍ରାଇମ୍ରୁ
ବର୍ତ୍ତମାନ ଦୁନିଆରେ ସମସ୍ତେ ଅନ୍ଲାଇନ୍ ଉପରେ ନିର୍ଭର କରି ରହୁଛନ୍ତି । ତେବେ ଏହି ପ୍ରକ୍ରିୟାରେ ସୁବିଧା ସହିତ ଅନେକ ଅସୁବିଧା ମଧ୍ୟ ଆସୁଛି । ଅନ୍ଲାଇନ୍ରେ ସାମଗ୍ରୀ କିଣିବା ହେଉ କିମ୍ବା କୌଣସି ସାମଗ୍ରୀ ପାଇଁ ପଇସା ଦେବା ହେଉ ଅନେକ ସମୟରେ ସାଇବର ଠକେଇ ହେଉଥିବା ଦେଖିବାକୁ ମିଳୁଛି । ଏହା ଆଗରୁ ହେଉଥିଲେ ମଧ୍ୟ ବର୍ତ୍ତମାନ କୋଭିଡ ସମୟରେ ଏହା ବଢିବାରେ ଲାଗିଛି । କରୋନା କଟକଣା କାରଣରୁ ଲୋକମାନଙ୍କର ଅନ୍ଲାଇନ୍ରେ କାର୍ଯ୍ୟ ବଢିଛି ଯାହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ ମାନେ ।
ସପିଂ ନାମରେ ଠକେଇ
ଲକ୍ଡାଉନ୍ ସମୟରେ ଲୋକମାନେ ସର୍ବାଧୀକ ଅନଲାଇନ୍ ସପିଂ କରୁଛନ୍ତି । ତେବେ ଏହି ସମୟରେ ଅନେକ ଗ୍ରାହକ ସାଇବର ଠକେଇର ଶିକାର ହେଉଛନ୍ତି । ଅନ୍ଲାଇନ୍ ସପିଂ ସାଇଟ୍ର ଅବିକଳ ନକଲ େୱବସାଇଟ୍ କରି ଅପରାଧୀ ମାନେ ଗ୍ରାହକଙ୍କୁ ଫସାଇ ଥାଆନ୍ତି । ସେହିଭଳି ଏହି ଅପରାଧୀ ମାନେ କେତେକ ସମୟରେ ଲୋକଙ୍କୁ ଠକିବା ପାଇଁ ସୋସିଆଲ ମିଡିଆର ମଧ୍ୟ ସହାୟତା ନେଇଥାଆନ୍ତି । ସେଠାରେ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଆକୃଷ୍ଠ କରନ୍ତି । ଏବଂ ପରେ ସେମାନଙ୍କୁ ଠକିଥାଆନ୍ତି । ତେଣୁ ସର୍ବଦା ଅନ୍ଲାଇନ୍ ସପିଂ ପୂର୍ବରୁ ଯେଉଁଥିରୁ କିଣୁଛନ୍ତି, ସେହି ସାଇଟ୍ଟିର ବିଶ୍ୱାସନୀୟତାକୁ ପରଖନ୍ତୁ । ସଠିକ୍ ତଥ୍ୟ ମିଳିବା ପରେ ସେଥିରୁ କିଣାକିଣି କରନ୍ତୁ ।
ଚାକିରି ଦେବା ନାଁରେ ଠକେଇ
କରୋନା କାରଣରୁ ଅନେକ ଲୋକଙ୍କର ଚାକିରି ସମସ୍ୟା ଦେଖାଦେଇଛି । ଯେଉଁ କାରଣରୁ ଅନେକ ଲୋକ ଅନ୍ଲାଇନ୍ରେ ଚାକିରି ଖୋଜିବାରେ ଲାଗିଛନ୍ତି । ତେବେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ । କାମ ଦେବା ବାହାନାରେ ମଧ୍ୟ ଲୋକଙ୍କୁ ଠକା ଯାଉଛି । ସେମାନଙ୍କୁ କାମ ଦିଆଯିବ ବୋଲି କହି ସେମାନଙ୍କ ଠାରୁ ଅର୍ଥ ନିଆଯାଉଛି ହେଲେ ଲୋକଙ୍କୁ ଚାକିରି ମିଳୁନାହିଁ । ଠକ ମାନେ ଲୋକଙ୍କୁ କୌଣସି ନାମୀଦାମୀ କମ୍ପାନୀ ନାଁରେ ମିଛରେ ଯୋଗାଯୋଗ କରିବା ସହିତ ଚାକିରି କରାଇ ଦେବେ ବୋଲି ପ୍ରତିଶୃତି ଦେଉଛନ୍ତି । ହେଲେ ପରେ ଏହା ମିଛ ବୋଲି ଜଣାପଡୁଛି । ସର୍ବଦା ଏଭଳି ଠକାମିରୁ ବଞ୍ଚନ୍ତୁ ।
ଆପ୍ ସାହାଯ୍ୟରେ ଠକାମି
ଆଜିକାଲି ଅନେକ ଆପ୍ ଆସୁଛି, ଯାହାକୁ ବ୍ୟବହାର କରି ଅର୍ଥ ଉପାର୍ଜନ କରିହେଉଛି । ତେବେ ଏଥି ମଧ୍ୟରେ କେତେକ ଆପ ନକଲି ହୋଇଥାଆନ୍ତି । ଏହି ଆପ୍ ସାହାଯ୍ୟରେ ଜଣଙ୍କର ମୋବାଇଲ୍ରେ ଥିବା ସମସ୍ତ ତଥ୍ୟ ହ୍ୟାକ୍ କରିହୋଇଥାଏ । ଏହାର ଫାଇଦା ଉଠାଇ ଅପରାଧୀ ମାନେ ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ କରିଥାଆନ୍ତି ।
କିଭଳି ବଞ୍ଚିବେ
ବିଶେଷଜ୍ଞଙ୍କ ମତରେ ସାଇବର ଅପରାଧରୁ ବଞ୍ଚିବାକୁ ହେଲେ ବିଭିନ୍ନ କଥା ପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ଯଦି ଆପଣ କିଛି ରାଶି ଉପହାରରେ ଜିତିଥିବା ହେଉ କିମ୍ବା କୌଣସି କମ୍ପାନୀରେ ଚାକିରି ନେଇ କୌଣସି ଇ-ମେଲ ଆପଣଙ୍କୁ ଆସୁଛି, ତେବେ ପ୍ରଥମେ ଏହା ସତ କି ନାହିଁ ତାହା ଚେକ୍ କରନ୍ତୁ । ସେହିଭଳି ଏଭଳି ମେଲର ଉତ୍ତରରେ ନିଜର ସବିଶେଷ ତଥ୍ୟ ଦିଅନ୍ତୁ ନାହିଁ । କୌଣସି ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଲିଙ୍କ ବିଷୟରେ ଜାଣିନିଅନ୍ତୁ । ସେହିଭଳି ସୋସିଆଲ ନେଟ୍ୱାର୍କିଂ ସାଇଟ୍ରେ ନିଜର ଦରକାରୀ ତଥ୍ୟ ଦିଅନ୍ତୁ ନାହିଁ ।




More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..