ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ବଲିଉଡ ଅଭିନେତା ସୂରଜ ପାଞ୍ଚୋଲି । ଏନେଇ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟର ରାୟ ଆସିବା ପରେ ସୂରଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ରାୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟା ଷ୍ଟୋରୀରେ ସେ ଲେଖିଛନ୍ତି, ସତ୍ୟ ସର୍ବଦା ଜିତେ । ଏହା ସହ ସେ ଏକ ଲାଲ୍ ହୃଦୟ ଏବଂ ଏକ ହାତ ଯୋଡା ଇମୋଜି ଦେଇଛନ୍ତି । ଇମୋଜି ତଳେ ହାସଟ୍ୟାଗ୍ ଦେଇ ସୂରଜ ଲେଖିଛନ୍ତି, ଭଗବାନ ମହାନ । ସେପଟେ ଏହି ରାୟ ଆସିବା ପରେ ଜିଆଙ୍କ ମା’ ରାବିୟା ଖାନ୍ କହିଛନ୍ତି ଯେ, ମୁଁ ହାର୍ ମାନିବି ନାହିଁ । ଲଢ଼େଇ ଜାରି ରଖିବି । ଦରକାର ପଡ଼ିଲେ ହାଇକୋର୍ଟ ନହେଲେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବି । ଉଲ୍ଲେଖଯୋଗ୍ୟ, ୨୦୧୩ରେ ମୁମ୍ବାଇସ୍ଥିତ ବାସଭବନରେ ୨୫ ବର୍ଷୀୟା ଜିଆ ଖାନ୍ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରେମିକ ସୂରଜ ପାଞ୍ଚୋଲି ଏବଂ ଜିଆଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ହେତୁ ସେ ଜୀବନ ହାରୁଥିବା ଜିଆ ଲେଖିଥିବା ଗୋଟାଏ ଚିଠିରୁ ଜଣାପଡ଼ିଥିଲା । ତେଣୁ, ଜିଆଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ବିଚାରି ସୂରଜଙ୍କୁ ଗିରଫ କରାଯାଇଥିଲା । କିନ୍ତୁ, ୨୦୧୩ ଜୁନ୍ରେ ଗିରଫ ହୋଇଥିବା ସୂରଜଙ୍କୁ ୨୦୧୩ ଜୁଲାଇରେ ଜାମିନ ମିଳିଯାଇଥିଲା । ଏବେ ପ୍ରମାଣ ଅଭାବରୁ ତାଙ୍କୁ ଦୋଷମୁକ୍ତ କରାଯାଇଛି ।
More Stories
ବିବାହ ପୂର୍ବରୁ କରନ୍ତୁନି ଏହି ସବୁ କାମ ନଚେତ୍..
ଦମଦାର ଅଭିନୟରେ ଦର୍ଶକ ଘାଇଲା..
ମୁସଲିମ୍ ବିବାହ ପରେ ସ୍ବରାଙ୍କ ରୂପକୁ ନେଇ ବିବାଦ