ସୁନା ସାଙ୍ଗକୁ ବଢୁଛି ତେଲ ଦର

ଭାରତ କିଣୁଥିବା ‌ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୮ ଡଲାର ସ୍ତରକୁ ଖସିଆସିଛି। ଗତ ଚାରି ବର୍ଷ (୪୭ ମାସ) ଭିତରେ ଏହା ତୈଳ ଦରର ସର୍ବନିମ୍ନ ସ୍ତର। ଏତେ ଅନୁକୂଳ ସ୍ଥିତି ସତ୍ତ୍ବେ ଦେଶବାସୀଙ୍କୁ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡ଼ୁଛି। ଶେଷ ଥର ପାଇଁ ୨୦୨୧ ମାର୍ଚ୍ଚରେ ଅଶୋଧିତ ‌ତୈଳ ଦର ୭୨.୪୭ ଡଲାର ସ୍ତରକୁ ଖସିଥିଲା।

୨୦୨୩-୨୪ରେ ଓମାନ ଓ ଦୁବାଇ ଜରିଆରେ ମଗାଯାଉଥିବା ତେଲ ଦର ଉଚ୍ଚ ସ୍ତରରେ ରହିଥିଲା। ବ୍ରେଣ୍ଟ କ୍ରୁଡ୍ ଦାମ୍ ତା’ଠାରୁ କମ୍ ଥିଲା। ଭାରତୀୟ ବିଶୋଧନାଗାରଗୁଡ଼ିକରେ ଏହି ତୈଳଗୁଡ଼ିକୁ ବିଶୋଧନ କରାଯାଉଛି। ଭାରତ ମଗାଉଥିବା ତେଲର ଦାମ୍ କମ୍ କରିବା ଲାଗି ବିଭିନ୍ନ ଦେଶରୁ ତେଲ ମଗାଇବାକୁ ପେଟ୍ରୋଲିୟମ୍ ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତବର୍ଷ ସୁପାରିସ କରିଥିଲା। ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ‘ଏସିଆ ପ୍ରିମିୟମ୍’ ଅସୁଲ କରୁଥିବାରୁ, ସେଠାରୁ ମଗାଯାଉଥିବା ତେଲ ଦାମ୍ ଅଧିକ ରହୁଛି। ଓପେକ୍ ରାଷ୍ଟ୍ରଗୁଡ଼ିକ ବିକ୍ରି ମୂଲ୍ୟ ବାହାରେ କିଛି ନିର୍ଦ୍ଦିଷ୍ଟ ଦେଶଠାରୁ ଏହି ପ୍ରିମିୟମ୍ ଅସୁଲ କରୁଛନ୍ତି।

ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ରୁଷ୍‌ରୁ ବିପୁଳ ତେଲ କିଣାଯାଉଥିଲା। ତେଣୁ ଭାରତର ତୈଳ ବାସ୍କେଟ୍‌ ହିସାବରେ ପରିବର୍ତ୍ତନ ଆଣିବାକୁ ଦାବି ହୋଇଥିଲା। ୨୦୨୩ ମାର୍ଚ୍ଚରେ ଭାରତ ଏହାର ସର୍ବାଧିକ ତେଲ ରୁଷ୍‌ରୁ ମଗାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଘୋଷଣା କରିବା ପରେ ବିଶ୍ବ ଅର୍ଥନୀତି ମନ୍ଥର ହେବାର ଆଶଙ୍କା ଥିବାରୁ ତୈଳ ଦର କମୁଛି। ତାହାର ପ୍ରଭାବରେ ବ୍ରେଣ୍ଟ୍‌ କ୍ରୁଡ୍‌ ଶସ୍ତା ହୋଇଛି। ଅନ୍ୟ ପକ୍ଷରେ, ଭାରତରେ ତୈଳ ବିପଣନ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୫ ଟଙ୍କା ଲାଭ କରୁଥିବା ଜଣାପଡ଼ିଥିଲା। ସେହି ଲାଭର କିଛି ଅଂଶକୁ ଗ୍ରାହକଙ୍କୁ ଦେବା ଲାଗି ତେଲ କମ୍ପାନି କିମ୍ବା ସରକାର କେହି ଚାହୁନାହାନ୍ତି। ଅଧିକ ‌ଟିକସ ଅସୁଲ କରିବା ଲାଗି କେନ୍ଦ୍ର ସରକାର ଲିଟର ପିଛା ଉତ୍ପାଦ ଶୁଳ୍କ ୨ ଟଙ୍କା ବଢ଼ାଇ ଦେବା ପରେ ପେଟ୍ରୋଲ ଓ ଡିଜେଲ ଦର କମିବାର ଯେଉଁ ସମ୍ଭାବନା ଥିଲା ତାହା ପ୍ରାୟ ଦୂର ହୋଇଯାଇଛି।

SHARE BY