ନୀଳମାଧବଆବାସରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ବେ ଆଜି ଆଉ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ଘରେ ଚିକିତ୍ସା ଜାରିରହିଛି। ୬ ଦିନ ମଧ୍ୟରେ ୧୮୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାରୁ ଏବେ ଝାଡ଼ାବାନ୍ତିଙ୍କୁ ନିୟନ୍ତ୍ରଣକୁ ଆଣିବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ପାଲଟିଛି। ଗୋଟିଏ ପଟେ ଡାକ୍ତରୀ ଦଳ ଦିନରାତି ଏଠାରେ ଡେରା ପକାଇଥିବା ବେଳେ ଅନ୍ୟପଟେ ସଂକ୍ରମଣ ବାଣ୍ଟିବା ପଛରେ କିଏ ଦାୟୀ ତାକୁ ନେଇ କାଦୁଅ ଫିଙ୍ଗା ଜାରି ରହିଛି। ରାଜଧାନୀରେ ଏଭଳି ସମସ୍ୟା ପାଇଁ ବିଡିଏ, ବିଏମ୍ସି, ୱାଟ୍କୋ ପରି ବିଭିନ୍ନ ସଂସ୍ଥା ପରସ୍ପରକୁ ଦୋଷାରୋପ କରି ଚାଲିଛନ୍ତି। ପାଣି କିଭଳି ଦୂଷିତ ହେଲା, ପାଣି ଟାଙ୍କି ନିୟମିତ ସଫା କରିବା ଦାୟିତ୍ବ କାହାର, ୨୪ ଘଣ୍ଟିଆ ପାନୀୟ ଜଳ ସୁବିଧା କାହିଁକି ଉପଲବ୍ଧ ହୋଇପାରି ନାହିଁ ତାହାକୁ ନେଇ ଅଧିକାରୀଙ୍କ ମଧ୍ୟରେ ଯଣାଓଟରା ଲାଗିରହିଛି।
ଆଜି ତିନିଟି ଡାକ୍ତରୀ ଦଳ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି। ବିଲଡିଂର କେଉଁ ବ୍ଲକ୍ରେ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତି ହୋଇଛି। ଅର୍ବାନ୍ ମେଟ୍ରୋପଲିଟାନ ସର୍ଭିଲାନ୍ସ ୟୁନିଟ୍ର ମାଇକ୍ରୋବାୟୋଲୋଜିଷ୍ଟ, ଫୁଡ୍ ସେଫ୍ଟି ଏକ୍ସପର୍ଟ, କମ୍ୟୁନିକେସନ୍ ସ୍ପେସାଲିଷ୍ଟ ଓ ଏପିଡେମିଓଲୋଜିଷ୍ଟ ଘରକୁ ଘର ବୁଲି ଯାଞ୍ଚ କରିଛନ୍ତି। ଏଥିସହ ଔଷଧ ଓ ଓଆର୍ଏସ୍ ବିତରଣ କରିବା ସହ ଲୋକଙ୍କୁ ସଚେତନ କରାଇଛନ୍ତି। ଇତିମଧ୍ୟରେ ଆବାସର ସମସ୍ତ ବ୍ଲକ୍ର ପାଣି ଟାଙ୍କିଗୁଡ଼ିକର ସଫାକରାଯାଇଛି। ୫ ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କିଗୁଡ଼ିକୁ ଦୁଇଥର ସଫା କରାଯାଇ ସେଥିରେ ବିଶୁଦ୍ଧ ପାଣି ଭର୍ତ୍ତି କରିବା ଦିଗରେ ପଦକ୍ଷେପ ନିଆଯାଉଛି। ସେପଟେ ୱାଟ୍କୋ ପକ୍ଷରୁ ଟ୍ୟାଙ୍କର ସାହାଯ୍ୟରେ ଆଜି ମଧ୍ୟ ପିଇବା ପାଣି ଯୋଗାଇ ଦିଆଯାଇଛି।
ଅନ୍ୟପକ୍ଷରେ ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଆଜି ନୀଳମାଧବଆବାସରେ ପହଞ୍ଚି ଆକ୍ରାନ୍ତଙ୍କୁ ଭେଟିଛନ୍ତି। ଘରକୁ ଘର ବୁଲି ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିବା ସହ ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେ ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଆବାସରେ ରହୁଥିବା ଅଧିବାସୀଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରିଛନ୍ତି। ନିଜସ୍ବ ଉଦ୍ୟାମରେ ୮ଟି ପିଇବା ପାଣି ଟ୍ୟାଙ୍କର ଯୋଗାଇ ଦେଇଛନ୍ତି। ତାଙ୍କ ସହ ନାରୀନେତ୍ରୀ ରଶ୍ମିରେଖା ଜେନା, ପ୍ରଦୋଷ ଖୁଣ୍ଟିଆ, ରବୀନ ସାହୁ, କେ. ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
More Stories
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି
କେତେ ସ୍ବାସ୍ଥ୍ୟକର ଅଣ୍ଡା
ଏସିଡିଟି ପାଇଁ ଚିନ୍ତିତ କି