ସଂଘର୍ଷ କରୁଥିବା ଲୋକ କାହୁଁ ଜାଣିବେ ଶ୍ରମିକ ଦିବସ

ଶ୍ରମିକ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ପାଇଁ ସାରା ବିଶ୍ବରେ ଏହି ଦିବସ ପାଳିତ ହୋଇଆସୁଛି। କାରଣ ବିକାଶରେ ଶ୍ରମିକ ମାନଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ଆର୍ଥିକ ଓ ସାମାଜିକ ବିକାଶରେ ଶ୍ରମିକ ମାନେ ଗୁଣ୍ଡୁଚିମୂଷା ଭଳି ସେମାନଙ୍କ ଭୂମିକା ନିର୍ବାହ କରିଆସୁଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ସ୍ବଳ୍ପ ପାରିଶ୍ରମିକରେ ଶ୍ରମିକ ଓ ଦିନମଜୁରିଆ ନିଜକୁ ନିୟୋଜିତ କରୁଛନ୍ତି। ପ୍ରତିଦିନ ହାଡ଼ଭଙ୍ଗା ପରିଶ୍ରମ କରି ନିଜ ପରିବାର ପାଇଁ ଦୁଇଓଳା ଦାନା ଯୋଗାଡ଼ କରୁଛନ୍ତି। ଆଉ ପ୍ରତିଦିନ ସେମାନେ ଜୀବନ ସହ ସଂଘର୍ଷ କରୁଛନ୍ତି। ହେଲେ ଯେଉଁ ମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ ହେଉଛି, ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏହି ଦିବସ ସଂର୍ପକରେ ଅଜ୍ଞ। ବର୍ତ୍ତମାନ ପରିସ୍ଥିତିରେ ପ୍ରଚଣ୍ଡ ରୌଦ୍ରରେ ଘରୁ ପାଦ କାଢ଼ିବା ବି କଷ୍ଟସାଧ୍ୟ ହେଉଥିବା ବେଳେ, ଦିନମଜୁରିଆ ଓ ଶ୍ରମିକମାନେ ପେଟ ଚାଖଣ୍ଡକ ପାଇଁ ସେମାନଙ୍କ ଜୀବନକୁ ବାଜିରେ ଲଗାଇଛନ୍ତି। ଅଂଶୁଘାତ ଓ ଟାଣଖରାକୁ ଭୟ ନାହିଁ। ଗୋଟିଏ ପଟେ ପରିବାରର ବୋଝ ଓ ଅନ୍ୟପଟେ ଟାଣ ଖରାରେ ମୁଣ୍ତ ଉପରେ ବହୁଛନ୍ତି କଙ୍କ୍ରିଟ, ଚିପ୍ସ୍ ଓ ବାଲିର ବୋଝ। ସରକାରୀ ଭାବେ ଖରାରେ କାମ କରିବା ଉପରେ ନିଷେଧାଦେଶ ଜାରି ହୋଇଥିଲେ ବି, ସେମାନେ ଖଟିବାକୁ ବାଧ୍ୟ ହେଉଛନ୍ତି।

SHARE BY