The Topmost

“The eyes believe themselves, the ears believe other people.”

ରାଷ୍ଟ୍ରପତିଙ୍କ ପାଇଁ ଗଦର-୨ର VIP ପ୍ରଦର୍ଶନ ହେଉନି !

ରାଷ୍ଟ୍ରପତିଙ୍କ ପାଇଁ ଗଦର-୨ର ଭିଆଇପି ପ୍ରଦର୍ଶନ ହେଉନାହିଁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ରାଷ୍ଟ୍ରପତି ଭବନରେ ଗଦର-୨ର ଭିଆଇପି ସ୍କ୍ରିନିଂ ହେଉଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ସରକାର ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଭବନରେ ଫିଲ୍ମ ପ୍ରଦର୍ଶନ ହେବା ଏକ ନିୟମିତ ଘଟଣା ଏବଂ ରାଷ୍ଟ୍ରପତି କୌଣସି ସ୍ବତନ୍ତ୍ର ସ୍କ୍ରିନିଂ ପାଇଁ ଇଚ୍ଛା ପ୍ରକାଶ କରି ନାହାନ୍ତି। ରାଷ୍ଟ୍ରପତି ମଧ୍ୟ ଏହି ଫିଲ୍ମ ଦେଖୁ ନାହାନ୍ତି ବୋଲି ପିଆଇବି ପକ୍ଷରୁ ଏକ ଫ୍ୟାକ୍ଟ-ଚେକ୍ ପୋଷ୍ଟରେ କୁହାଯାଇଛି । ଏକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଦର-୨ ଫିଲ୍ମ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ସେନ୍ସର ବୋର୍ଡ ପକ୍ଷରୁ ଗଦର-୨ ଟିମ୍‌କୁ କଲ୍ ଆସିଥିଲା । ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଡ୍ୟୁସର ଅନିଲ ଶର୍ମା ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଅନୁରୋଧକୁ ନେଇ ଖୁସି ବ୍ୟକ୍ତ କରିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ତଥା ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ଗଦର-୨ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିଲା ।