The Topmost

“The eyes believe themselves, the ears believe other people.”

New factory in Mayurbhanj, opening employment opportunities

ମୟୂରଭଞ୍ଜରେ ନୂଆ କାରଖାନା, ଖୋଲିବ ନିଯୁକ୍ତି ସୁଯୋଗ

ମୟୂରଭଞ୍ଜରେ ଜିଏମ୍‌ ଆଇରନ୍ ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନି ୭୪୫ କୋଟି ଟଙ୍କା ନିବେଶରେ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିବ। କମ୍ପାନିର ଇସ୍ପାତ କାରଖାନା କ୍ଷମତା ୦.୨୩ ନିୟୁତ ଟନ୍ ରହିବ ଏବଂ ଏହା ଏକ ୪୫ ମେଗାୱାଟ୍‌ର କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ ମଧ୍ୟ ସ୍ଥାପନ କରିବ। ବୁଧବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ପ୍ରକଳ୍ପ ସମେତ ମୋଟ ୨୬ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି।

ଧାତବ, ରସାୟନ, ଅକ୍ଷୟ ଶକ୍ତି, ଆଇଟି, ପୋଷାକ, ପ୍ଲାଷ୍ଟିକ୍, ପ୍ୟାକେଜିଂ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକରେ ୫,୯୯୨.୯୨ କୋଟି ଟଙ୍କା ନିବେଶ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୯,୩୬୪ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ।

ଏଥର ବୈଠକରେ ମଞ୍ଜୁର ହୋଇଥିବା ଶିଳ୍ପ ପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ, କୋରାପୁଟ, ବାଲେଶ୍ବର, କଟକ, ଭଦ୍ରକ ଓ ପୁରୀରେ ସ୍ଥାପନ କରାଯିବ। ଶ୍ରୀଗଣେଶ ମେଟାଲିକ୍ସ ୬୦୪.୯୯ କୋଟି ଟଙ୍କା ବିନିଯୋଗରେ ଏହାର ସୁନ୍ଦରଗଡ଼ କାରଖାନାର ସମ୍ପ୍ରସାରଣ କରିବ। ସେହିପରି ଟାଇମ୍‌ସ ଷ୍ଟିଲ୍ ଆଣ୍ଡ୍ ପାୱାର ଏହାର ସୁନ୍ଦରଗଡ଼ କାରଖାନା ସମ୍ପ୍ରସାରଣରେ ୪୩୨.୫୦ କୋଟି ଟଙ୍କା ନିବେଶ କରିବ।

ଆର୍ଯ୍ୟନ ଇସ୍ପାତ୍ ଆଣ୍ଡ୍‌ ପାୱାର ସମ୍ବଲପୁର କାରଖାନାରେ ୩୨୩ କୋଟି ଟଙ୍କା ନିବେଶ କରିବ। ଏସ୍‌ଏସ୍‌ଏବି ଏନର୍ଜି ଆଣ୍ଡ୍‌ ମିନେରାଲ୍‌ସ ୨୧୨ କୋଟି ଟଙ୍କା ନିବେଶରେ କେନ୍ଦୁଝରରେ ଏକ ପେଲେଟ୍‌ କାରଖାନା ଓ ଅନ୍ୟାନ୍ୟ ୟୁନିଟ୍ ସ୍ଥାପନ କରିବ। ଭାସ୍କର ଷ୍ଟିଲ୍ ଆଣ୍ଡ୍‌ ଫେରୋ ଆଲଏଜ୍ ସୁନ୍ଦରଗଡ଼ରେ ୫୩୦ କୋଟି ଟଙ୍କା ନିବେଶ କରି ଆନୁଷଙ୍ଗିକ କାରଖାନା ସ୍ଥାପନ କରିବ। ଶ୍ୟାମଶକ୍ତି ମେଟାଲ୍‌ସ ସମ୍ବଲପୁରର ରେଙ୍ଗାଲିରେ ୬୫୦ କୋଟି ଟଙ୍କା ନିବେଶ କରିବ। କ୍ୟାବ୍‌କନ୍ ଇଣ୍ଡିଆ ସୁନ୍ଦରଗଡ଼ରେ ଆଲୁମିନିୟମ୍ କଣ୍ଡକ୍ଟର ଉତ୍ପାଦନ ପାଇଁ ୧୬୦ କୋଟି ଟଙ୍କା ବିନିଯୋଗ କରିବ। ଶ୍ରେୟସ୍‌ ଆଲୁମିନିୟମ୍ ଆଣ୍ଡ୍‌ ଆଲଏଜ୍ ଝାରସୁଗୁଡ଼ାରେ ୫୨ କୋଟି ଟଙ୍କା ନିବେଶ କରିବ।

ଏଟେର୍‌ନିସ୍ ଫାଇନ୍‌ କେମିକାଲ୍‌ସ ଗଞ୍ଜାମରେ ୩୦୦ କୋଟି ଟଙ୍କା ନିବେଶ କରି ଏକ ପରଫ୍ୟୁମେରି କାରଖାନା ସ୍ଥାପନ କରିବ। ଓଡ଼ିଶା କେମ୍‌ଟେକ୍‌ ଜଗତସିଂହପୁରରେ ୧୪୯.୪୫ କୋଟି ଟଙ୍କା ନିବେଶ କରିବ। ଇଣ୍ଡିଆ ଏକ୍ସପ୍ଲୋସିଭ୍‌ସ କେନ୍ଦୁଝରରେ ୫୪.୬୦ କୋଟି ଟଙ୍କା ଖଟାଇବ। ଏନ୍‌ଭିରୋକେୟାର ଇନ୍‌ଫ୍ରାସଲ୍ୟୁସନ୍ ବୌଦ୍ଧରେ ଏକ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବାରେ ୩୫୧ କୋଟି ଟଙ୍କା ନିବେଶ କରିବ। ସୋଲିସିସ୍‌ ସୋଲାର୍‌ ଖୋର୍ଦ୍ଧାରେ ସୋଲାର୍‌ ମଡ୍ୟୁଲ୍‌ ଉତ୍ପାଦନ କରିବା ଲାଗି ୫୯.୫୦ କୋଟି ଟଙ୍କା ନିବେଶ କରିବ।

ଶ୍ରୀହରି ସ୍ପିନର୍ସ ସୁନ୍ଦରଗଡ଼ରେ ୧୨୮ କୋଟି ଟଙ୍କା ନିବେଶ କରିବାକୁ ଥିବା ବେଳେ ଇଣ୍ଡିଆନ୍ ଷ୍ଟିଚେସ୍‌ ଖୋର୍ଦ୍ଧାରେ ୫୦.୫୫ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ରୁଷିଲ୍ ଡେକୋର୍ କୋରାପୁଟରେ ଏମ୍‌ଡିଏଫ୍‌ ଉତ୍ପାଦନ କାରଖାନା ବସାଇବାରେ ୫୦୪ କୋଟି ଟଙ୍କା ଏବଂ ପ୍ରତାପ ସିନ୍ଥେଟିକ୍‌ସ ବାଲେଶ୍ବରରେ ପିପି ଓଭେନ୍ ବ୍ୟାଗ୍ କାରଖାନା ପାଇଁ ୧୦୨.୫୦ କୋଟି ଟଙ୍କା ନିବେଶ କରିବ। ଏସ୍‌ବିଜିଏଲ୍‌ ଇନ୍‌ଫୋସିସଷ୍ଟମ୍‌ସ ଖୋର୍ଦ୍ଧାରେ ୬୦.୦୩ କୋଟି ଟଙ୍କା, ଇଷ୍ଟ ଇଣ୍ଡିଆ ପ୍ୟାକେଜିଂ ଖୋର୍ଦ୍ଧାରେ ୫୧ କୋଟି ଟଙ୍କା ଓ କେଏସ୍‌ଭି ପ୍ୟାକେଜିଂ କଟକରେ ୫୩.୫୧ କୋଟି ଟଙ୍କା ନିବେଶ କରିବ।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନନ୍ଦରାଜ ଏଗ୍ରୋଟେକ୍ ଖୋର୍ଦ୍ଧାରେ ୯୨.୬୦ କୋଟି ଟଙ୍କା ନିବେଶ କରିବାକୁ ଥିବା ବେଳେ ଡିଏନ୍ ସି ସେଲ୍‌ସ ଭଦ୍ରକରେ ଏକ ରାଇସ୍‌ ମିଲ୍ ସ୍ଥାପନ କରିବାରେ ୫୦.୪୩ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ପଣ୍ଡା ଇଷ୍ଟେଟ୍‌ସ ପକ୍ଷରୁ ଖୋର୍ଦ୍ଧାରେ ୧୧୨.୮୦ କୋଟି ଟଙ୍କା ନିବେଶରେ ଆଇଟି ଭିତ୍ତିଭୂମି ବିକାଶ କରାଯିବ। ଶୈଳବାଳା ଇନଫ୍ରାଷ୍ଟ୍ରକଚର୍ସ ପୁରୀ‌ରେ ୭୩.୨୦ କୋଟି ଟଙ୍କା ନିବେଶରେ ଏକ ରିସୋର୍ଟ ସ୍ଥାପନ କରିବ। ଗୋଦାବରୀ କମୋଡିଟିଜ୍ ତରଫରୁ ସୁନ୍ଦରଗଡ଼ରେ ୮୮.୫୯ କୋଟି ଟଙ୍କା ନିବେଶରେ ଏକ ୩ ଏମ୍‌ଟିପିଏର କୋଲ୍‌ ୱାସେରି ପ୍ରକଳ୍ପ ସ୍ଥାପନ କରାଯିବ।