ଧାମନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ତାତି । ଜୋରସୋରରେ ପ୍ରଚାର କରୁଛନ୍ତି ୩ ଦଳ । ତେବେ ଉପନିର୍ବାଚନ କିଏ ଜିତିବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀପାବଳି ଓ ସୂର୍ଯ୍ୟପରାଗ ଥିବାରୁ ଦୁଇଦିନ ଧରି ପ୍ରଚାର ଧିମା ପଡ଼ିଥିବା ବେଳେ ଆଜି ଠାରୁ ପୁଣିଥରେ ପ୍ରଚାର ଜୋରଦାର ହେବ । ତେବେ ଆଜିଠାରୁ ଧାମନଗରରେ ହେଭିୱେଟଙ୍କ ପ୍ରଚାର ଦେଖିବାକୁ ମିଳିପାରେ । ବିଜେପିର ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ପ୍ରଚାର ମଇଦାନକୁ ଓହ୍ଲାଇବେ । କଂଗ୍ରେସ ଦଳର ପ୍ରାର୍ଥୀ ବାବା ହରେକୃଷ୍ଣଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ ପ୍ରଚାରରେ ଯୋଗ ଦେଇପାରନ୍ତି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ତାରା ବାହିନୀପତି ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ବିଜେଡି ପ୍ରାର୍ଥ ଅବନ୍ତି ଦାସଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦିଓ ଦଳ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ, କିନ୍ତୁ ଦଳ କହିଛି ଯେ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ବି ପ୍ରଚାରକୁ ଯାଇପାରନ୍ତି । ତେବେ ଯେଉଁ ସୂଚନା ମିଳିଛି, ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିପାରନ୍ତି । ସେହିପରି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ପ୍ରମିଳା ମଲ୍ଲିକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ସୁଲତା ଦେଓ, ସାଂସଦ ମଂଜୁଲତା ମଣ୍ଡଳଙ୍କ ସମେତ ବହୁ ବିଜେଡି ନେତା ଓ ମନ୍ତ୍ରୀ ପ୍ରଚାର କରିବେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍