ଆପଣଙ୍କର ଲଗାତାର ଗଣ୍ଠି ଯନ୍ତ୍ରଣା, ମେରୁଦଣ୍ଡ ଯନ୍ତ୍ରଣା ସହ ମାଂସପେଶୀରେ ଯନ୍ତ୍ରଣା ହେଉଛି କି? ଆଉ ଆପଣ ବହୁ ଔଷଧ ଖାଇବା ପରେ ବି ଯନ୍ତ୍ରଣାରୁ ମୁକ୍ତି ପାଇପାରୁନାହାନ୍ତି କି? ଯଦି ଏଭଳି ଅବସ୍ଥା ଆପଣ ବହୁତ ଦିନ ଆଗରୁ ଭୋଗୁଛନ୍ତି ତେବେ ଏହା ଅଷ୍ଟିଓପୋରୋସିସ ହୋଇପାରେ | ଆଜି ଆମେ ଆପଣଙ୍କୁ ଅଷ୍ଟିଓପୋରୋସିସ ବାବଦରେ କହିବୁ | ଅଷ୍ଟିଓପୋରୋସିସ୍ ହେଉଛି ଏଭଳି ଏକ ଅବସ୍ଥା ଯାହାକି ଯେକୌଣସି ବୟସ ଶ୍ରେଣୀକୁ ପ୍ରଭାବିତ କରିଥାଏ କିନ୍ତୁ ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଏହା ବେଶି ଦେଖିବାକୁ ମିଳିଥାଏ | ଏହାକୁ ନିରବ ରୋଗ କୁହାଯାଏ କାରଣ ଲକ୍ଷଣଗୁଡିକ ସହଜରେ ଚିହ୍ନଟ ହୋଇପାରିନଥାଏ | ଯେତେବେଳେ ଲକ୍ଷଣ ପ୍ରକାଶ ପାଏ ସେତେବେଳେ ବହୁତ ଡେରି ହୋଇଯାଏ। ବିଶ୍ୱରେ ଦୁଇଶହ ନିୟୁତ ଲୋକ ଏହି ରୋଗରେ ପୀଡିତ | ମହିଳା ଏବଂ ପୁରୁଷ ଅନୁପାତ ୨:୧ରେ ଏହି ରୋଗ ଦେଖିବାକୁ ମିଳୁଥିବାବେଳେ ଅସ୍ଥି ଜମା କରିବା ପାଇଁ ଦାୟୀ ଇଷ୍ଟ୍ରୋଜେନ୍ ହରମୋନ୍ କମିଯିବା ଦ୍ୱାରା ହାଡ ନଷ୍ଟ ହୋଇଯାଏ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ବଢିଥାଏ | ତେବେ ଅଷ୍ଟିଓପୋରୋସିସ ହେବା ପଛର ଅନ୍ୟାନ୍ୟ କାରଣଗୁଡ଼ିକ ହେଉଛି ପାରିବାରିକ ଇତିହାସ, ଏଣ୍ଡୋକ୍ରାଇନ୍ ସମସ୍ୟା, ଧ୍ରୁମପାନ ଏବଂ ଷ୍ଟେରଏଡ୍ ପରି କିଛି ଔଷଧର ନିୟମିତ ସେବନ |
ଅଷ୍ଟିଓପୋରୋସିସ୍ ଅର୍ଥ ହେଉଛି ପୋରିଆ ହାଡ | ଏହା ଏକ ଅବସ୍ଥା ଯାହା ହାଡକୁ ଦୁର୍ବଳ କରି ଭାଙ୍ଗିବାର ଆଶଙ୍କା ସୃଷ୍ଟି କରେ | ଏକ ସୁସ୍ଥ ହାଡ ଭିତର ଅଂଶ ମହୁଫେଣା ପରି ଛୋଟ ଛୋଟ ସ୍ଥାନ ଥାଏ | ଅଷ୍ଟିଓପୋରୋସିସ ହେବାଦ୍ବାରା ସ୍ଥାନଗୁଡିକର ଆକାର ବଢ଼ାଇଦିଏ, ଯାହାଦ୍ୱାରା ହାଡ଼ର ଶକ୍ତି ଏବଂ ଘନତ୍ଵ ହରାଇଥାଏ | ତେଣୁ ହାଡର ବାହ୍ୟ ଦୁର୍ବଳ ଏବଂ ପତଳା ହୋଇଯାଏ | ଲୋକମାନେ ବେଳେବେଳେ ଏକ ଭଙ୍ଗା ବା ଦବିଯାଇଥିବା ମେରୁଦଣ୍ଡ ଦ୍ୱାରା ବ୍ୟାକପେନ୍, ସମୟ ସହିତ ଉଚ୍ଚତା ହ୍ରାସ, ଆଗକୁ ଝୁଙ୍କିଯିବା, ବାରମ୍ବାର ହାଡ଼ ଭାଙ୍ଗିବା ବିଷୟରେ ଅଭିଯୋଗ କରନ୍ତି | ଏଗୁଡ଼ିକ ଅଷ୍ଟିଓପୋରୋସିସର ମୁଖ୍ୟ ଲକ୍ଷଣ | ଏସବୁ ପ୍ରକାଶ ପାଇଲା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ। ଯଦି କେହି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେମାନେ ଜଣେ ଅର୍ଥୋପେଡିକ୍ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ |
ଡ଼ାକ୍ତର “ଟି-ସ୍କୋର” ଦ୍ୱାରା ଅଷ୍ଟିଓପୋରୋସିସ୍ ନିର୍ଣ୍ଣୟ କରନ୍ତି ଯାହା DEXA-Scan ବ୍ୟବହାର କରି ହାଡର ମିନେରାଲ୍ସର ଘନତ୍ଵ ମାପ କରିଥାଏ | ଏଥିରେ T-Score (-1) ପଯ୍ୟନ୍ତ ସୁସ୍ଥ ହାଡ଼, T-Score (-1 ରୁ -2.5) ପଯ୍ୟନ୍ତ ଅଷ୍ଟିଓପେନିୟା, ଓ (-2.5) ବା ତା ତଳକୁ ଅଷ୍ଟିଓପୋରୋସିସ୍ କୁହାଯାଏ। ଏହି ଅଷ୍ଟିଓପେନିୟା ସମୟରେ ଯଥାଚିତ ବ୍ୟବସ୍ଥା କଲେ ବିପଦରୁ ରକ୍ଷା ମିଳିଥାଏ। ଏହା ଜାଣିବା କଷ୍ଟକର। ଏଣୁ ୫୦ ବର୍ଷ ପରେ, ଏବାବଦରେ ବର୍ଷକୁ ଥରେ ଡାକ୍ତରଙ୍କ ପାଖେ ଯାଞ୍ଚ କରାଇ ନେବା ଉଚିତ୍। ଅଷ୍ଟିଓପୋରୋସିସ୍ ରୋକିବା ପାଇଁ ମୁଖ୍ୟ ତିନୋଟି କୌଶଳ ହେଉଛି ବ୍ୟାୟାମ ଓ ସୁଷମ ଖାଦ୍ୟ | ହାଡକୁ ସୁସ୍ଥ ରଖିବା ପାଇଁ ସହାୟକ ହେଉଥିବା ପୂଷ୍ଟିକର ଖାଦ୍ୟ ହେଉଛି ଗାଜର, କଖାରୁ, ମିଠା ଆଳୁ, ପାଳଙ୍ଗ ଶାଗ, ଫୁଲକୋବି, କମଳା ଓ ଅମୃତଭଣ୍ଡା | ହାଡ ସୁସ୍ଥ ହେବା ପାଇଁ ସପ୍ଲିମେଣ୍ଟସ୍ ଭିଟାମିନ୍-କେ ଏବଂ ଭିଟାମିନ୍-ଡି ଏକତ୍ର କାର୍ଯ୍ୟ କରେ | ଅସ୍ଥି ଗଠନ ଉପରେ ଭିଟାମିନ୍- ଡି ଏକ ସକରାତ୍ମକ ପ୍ରଭାବ ପକାଇଥାଏ | ଅଷ୍ଟିଓପୋରୋସିସରେ ଔଷଧ, ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ ହେଉଛି ଏକମାତ୍ର ବିକଳ୍ପ ଯାହା ଆପଣଙ୍କ ହାଡକୁ ସୁସ୍ଥ ରଖିପାରେ ଏବଂ ହାଡ ଭଙ୍ଗାକୁ ରୋକିବାରେ ସାହାଯ୍ୟ କରିଥାଏ |
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି