The Topmost

“The eyes believe themselves, the ears believe other people.”

ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ବଢ଼ୁଛି ବିବାଦ

ବର୍ଷକୁ ଦୁଇଥର ହେବ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା । ଯାହା ନୂତନ ଜାତୀୟ ଶିକ୍ଷା ନୀତିର ଅଂଶ  । ହେଲେ ସବୁ ରାଜ୍ୟର ମତାମତ ନେବା ଆବଶ୍ୟକ ଥିଲା  । ଷ୍ଟ୍ରେସ ଦୂର କରିବା ନାଁରେ ବିନା ରିସର୍ଚ୍ଚରେ ନୂଆ ପଦ୍ଧତି ଲାଗୁ କଲେ, ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ଦୁଇଟି ପରୀକ୍ଷାରୁ ଶ୍ରେଷ୍ଠ ରେଜଲ୍ଟକୁ ଫାଇନାଲ ଧରାଯିବ । ଏପରି କରି ଦଶମ ଓ ଦ୍ବାଦଶ ପରୀକ୍ଷାର ମହତ୍ବକୁ ଦୂରେଇବାକୁ ଜାତୀୟ ଶିକ୍ଷା ନୀତି ଦ୍ବାରା କେନ୍ଦ୍ର ସରକାର ଚକ୍ରାନ୍ତ କରୁଥିବା ଅନୁଭବ କରିଛନ୍ତି ଛାତ୍ରଛାତ୍ରୀ । ଏହା ଦ୍ବାରା ଭଲ ପଢ଼ୁଥିବା ଛାତ୍ରଛାତ୍ରୀର ପରିଶ୍ରମର ମହତ୍ବ ରହିବ ନାହିଁ । ହଠାତ ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ ଓ ସଂସ୍କାର ବିନା ସଚେତନତାରେ କିପରି କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ନୂଆ ଢାଞ୍ଚାରେ ପିଲାଏ ପରୀକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରାଜ୍ୟର ଆଞ୍ଚଳିକ ସ୍କୁଲ ଗୁଡିକରେ ଅନିଶ୍ଚିତତା ପ୍ରକାଶ କଲାଣି । ଏନେଇ ଚୁଡାନ୍ତ ନୀତି ନିର୍ଦ୍ଧାରଣ ପରେ ସ୍ପଷ୍ଟତା ଆସିବ । ହେଲେ ଏହି ଢିଲାପଣ ଛାତ୍ରଛାତ୍ରୀଙ୍କ ଭିତରେ ଅନୁଶାସନ ଓ ପରୀକ୍ଷା ପ୍ରତି ପ୍ରତିଯୋଗିତା କମାଇ ଦେବ । ବାରମ୍ବାର ଶିକ୍ଷା ନୀତିରେ ପରିବର୍ତ୍ତନ ସହ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେଲେ ଭବିଷ୍ୟତ କାର୍ଯ୍ୟନିଧି ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡିଛନ୍ତି । ପ୍ରବେଶିକା ଓ UPSC ପ୍ରସ୍ତୁତିରେ ଏହା ସହାୟକ ହେବ କି ବୋଲି ସେମାନେ ଚିନ୍ତାରେ ପଡିଛନ୍ତି । ପରୀକ୍ଷା ନିୟନ୍ତ୍ରଣ ପ୍ୟାନେଲ ନୂତନ ଢାଞ୍ଚାକୁ ନେଇ ଚୟନ କରି ପାରିବେ କି ବୋଲି ପ୍ରଶ୍ନ ଉଠୁଛି । ଏହି ଦ୍ବନ୍ଦ୍ବ ଭିତରେ ପିଲାମାନଙ୍କୁ କିପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ, ସେଥିପାଇଁ ଶିକ୍ଷକମାନେ ବି ଟେନସନରେ ପଡିଛନ୍ତି । ହଠାତ ନୂତନ ଢାଞ୍ଚା ନେଇ ଅବଗତ ନ କରି ଡବଲ ପରୀକ୍ଷା ବାଧକ ସାଜିପାରେ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି ।