ଦୁନିଆରେ ବହୁତ ଆଶ୍ଚର୍ଯ୍ୟକର କଥା ଅଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାରେ ସମର୍ଥ । ତେବେ ଦୁନିଆରେ ଏପରି ଅନେକ ଗାଁ ଅଛି ଯେଉଁଠି ବିଭିନ୍ନ ପ୍ରକାର ଲୋକ ବାସ କରନ୍ତି । ତେବେ ଆସନ୍ତୁ ଜାଣିବା କିଛି ଗାଁର କିଛି ସ୍ୱତନ୍ତ୍ରତା ବିଷୟରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।
କୋଟିପତି ଗାଁ
ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାର ‘ହିୱାରେ ବାଜାର’ ହେଉଛି ଏପରି ଏକ ଗ୍ରାମ ଯାହା ଆମକୁ ବିଶ୍ୱାସ ଦିଏ ଯେ କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା କିଛି ବି ସମ୍ଭବ ହୋଇପାରେ । ଏକଦା ଦାରିଦ୍ର୍ୟ ଓ ମରୁଡ଼ି ସ୍ଥିତି ଦେଇ ଗତି କରୁଥିବା ଗାଁରେ ବର୍ତ୍ତମାନ ୮୦ରୁ ଅଧିକ ଲୋକ କୋଟିପତି । ୧୨ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ କ୍ୱଚିତ୍ ଗରିବ ଚାଷୀ ଦେଖିବାକୁ ମିଳିଥାନ୍ତି । ୩୦୫ ପରିବାରରୁ ୫୦ରୁ ଅଧିକ ପରିବାରର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ । କେବଳ ସେତିକି ନୁହେଁ ଏହି ଗାଁରେ ଗୋଟିଏ ବି ମଶା ନାହିଁ । ଗୋଟିଏ ମଶା ପାଇଲେ, ଉକ୍ତ ବ୍ୟକ୍ତିଙ୍କୁ ଗାଁର ସରପଞ୍ଚ ୪୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥାନ୍ତି । କହିବାକୁ ଗଲେ ଏହି ଗାଁର ଭାଗ୍ୟ ଲୋକମାନେ ନିଜେ ଲେଖିଛନ୍ତି ।
ଆଦର୍ଶ ଗାଁ ତଥା ହାଇଟେକ୍ ଗାଁ
ଗୁଜରାଟର ସାବରକାଣ୍ଠା ଜିଲ୍ଲାର ପୁଂସାରୀ ଗାଁରେ ୨୦୦୬ ପର୍ଯ୍ୟନ୍ତ ନା ବିଜୁଳି ଥିଲା, ନା ଗାଁ ଲୋକଙ୍କୁ ମିଳୁଥିଲା ମୌଳିକ ସୁବିଧା । ହେଲେ ୨୦୦୬ରେ ଯେତେବେଳେ ହିଂମାଶୁ ଭାଇ ନରେନ୍ଦ୍ର ପଟେଲ ସରପଞ୍ଚ ହେଲେ, ସେତେବେଳେ ବଦଳିଲା ଗାଁର ଚିତ୍ର । କ୍ଷୀର ନେଇଯାଉଥିବା ମହିଳାଙ୍କ ପାଇଁ ଅଟଳ ଏକ୍ସପ୍ରେସ୍ ନାମରେ ବସ୍ ସେବା ଆରମ୍ଭ ହେଲା । ପୁରା ଗାଁରେ ୱାଇଫାଇ, ସିସିଟିଭି, ୧୨୦ଟି ସ୍ପିକର ଲାଗିଲା । ଏପରିକି ପିଲାଙ୍କ ପରୀକ୍ଷା ଫଳାଫଳ ମଧ୍ୟ ଲାଉଡ୍ସ୍ପିକର୍ରେ ଘୋଷଣା କରାଯାଉଛି । ଏହି ଗାଁରେ ପ୍ରତି ଘରେ ଘରେ ଶୌଚାଳୟ, ଡ୍ରେନେଜ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ ପାଠପଢ଼ା ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚଳନ୍ତା ଲାଇବ୍ରେରୀର ସୁବିଧା ଦିଆଯାଇଛି । ସ୍ୱଚ୍ଛତା ପ୍ରତି ମଧ୍ୟ ଖାସ୍ ଧ୍ୟାନ ରଖାଯାଏ ।
ଦୁଆର ଛୁଇଁଲେ ଫାଇନ ନେଉଥିବା ଗାଁ
ହିମାଚଳପ୍ରଦେଶ କୁଲ୍ଲì ଘାଟିର ଉତ୍ତରପୂର୍ବ ସ୍ଥିତି ମଲାଣା ଗାଁର ଲୋକମାନେ ଆର୍ଯ୍ୟା ବଂଶଜ ବୋଲି ନିଜକୁ ବିବେଚନା କରିଥାନ୍ତି । ଅନ୍ୟ ଲୋକକଥା ଅନୁଯାୟୀ ଗ୍ରାମବାସୀମାନେ ସମ୍ରାଟ ସିକନ୍ଦରଙ୍କ ସୈନିକଙ୍କର ବଂଶୋଦ୍ଭବ ବୋଲି କହିଥାନ୍ତି । ଏଠାର ଲୋକମାନେ ରାଜ୍ୟର ଅନ୍ୟ ବାସିନ୍ଦାଙ୍କଠାରୁ ଭିନ୍ନ ଭାଷାରେ କହିଥାନ୍ତି । ମଲାଣାରେ କେହି ଦୁଆର ଛୁଇଁଲେ ଜୋରିମାନା ବାବଦକୁ ୧୦୦୦ରୁ ୨୭୦୦ ପର୍ଯ୍ୟନ୍ତ ଟଙ୍କା ଦେବାକୁ ପଡ଼ିଥାଏ । ଏହାସହ ମଦ୍ୟପାନ ଏବଂ ମାଂସ ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ଫାଇନ ଦେଇଥାନ୍ତି । ପଞ୍ଚାୟତର ମୁଖିଆଙ୍କ କହିବା ଅନୁଯାୟୀ ଦେବତାଙ୍କ ଆଦେଶକୁ କଡ଼ା ଭାବେ ପାଳନ କରାଯାଏ । ଗାଁର ପ୍ରବେଶ ଗେଟ୍ରେ ଇଂରାଜୀ ଏବଂ ହିନ୍ଦୀରେ ଲେଖାହୋଇଥିବା ନିୟମ ଓ ଆଇନକୁ ପଢ଼ି ଗାଁରେ ପ୍ରବେଶ କରିବାକୁ କୁହାଯାଇଥାଏ ।
ବିଚିତ୍ର ପାଣିଟାଙ୍କି ଥିବା ଗାଁ
ପଞ୍ଜାବ ଜଲନ୍ଧରର ଉªାଲା ଗାଁ ପ୍ରତ୍ୟେକ ଘରେ ଥିବା ବିଚିତ୍ର ପାଣିଟାଙ୍କି ପାଇଁ ଜଣାଶୁଣା । ଏଠାରେ ଥିବା ପ୍ରତ୍ୟେକ ଘର ସ୍ୱତନ୍ତ୍ର ପାଣି ଟାଙ୍କି ନମୁନା ଦ୍ୱାରା ଚିହ୍ନିତ କରାଯାଏ । ପ୍ରତି ଘରର ଛାତ ଉପରେ ଆପଣ କୌଣସି ସାଧାରଣ ପାଣିଟାଙ୍କି ଦେଖିବାକୁ ପାଇବେ ନାହିଁ । ବରଂ ଏଠାରେ ଆପଣ ଅନେକ ଆକାରର ଟାଙ୍କି ଦେଖିବେ । ଯେପରିକି ବିମାନ, ଘୋଡା, ଗୋଲାପ, କାର, ବସ୍ ଇତ୍ୟାଦି । ଯଦି କାହାର ଛାତ ଉପରେ ଏକ ଆର୍ମି ଟ୍ୟାଙ୍କ୍ ଦେଖାଯାଏ, ତେବେ ବୁଝିଯିବେ ଯେ ସେହି ଘରୁ କିଛି ସଦସ୍ୟ ସେନାରେ ମୁତୟନ ଅଛନ୍ତି । ଯଦି ଆପଣ ଛାତ ଉପରେ ଏକ ବିମାନ ଦେଖନ୍ତି, ତେବେ ସେହି ଘରର ଲୋକମାନେ ପ୍ରବାସୀ ଭାରତୀୟ ହୋଇଥିବା ନିଶ୍ଚିତ ବୋଲି ଧରିନେବେ ।
ସ୍ୱଚ୍ଛ ଗାଁ
ମେଘାଳୟର ମାୱଲିନନୋଙ୍ଗ ଗାଁର ପରିଚୟ ହେଉଛି ଏହାର ପMା ରାସ୍ତା, ଆଲୋକିତ ରାସ୍ତା ଏବଂ ଚାରିଆଡ଼େ ପରିଷ୍କାର ପରିଚ୍ଛନତା । ଏଠାରେ ଥିବା ରାସ୍ତାଗୁଡ଼ିକ ଏତେ ପରିଷ୍କାର ଯେ ଗଛରୁ ଖସିଯାଇଥିବା ପତ୍ର ମଧ୍ୟ ଦୂରରୁ ଦେଖାଯାଏ । ଏଠାକାର ଲୋକମାନେ ନିଜ ଭାଗ୍ୟ ନିଜେ ବଦଳାଇ ଗାଁକୁ ଏକ ଆଦର୍ଶ ଗାଁରେ ପରିଣତ କଲେ । ଏହି ସୁନ୍ଦର ଗାଁରେ ପ୍ଲାଷ୍ଟିକ୍ ବ୍ୟବହୃତ ହୁଏ ନାହିଁ । ଏଠାରେ ବାଉଁଶରେ ନିର୍ମିତ ଡଷ୍ଟବିନ ବ୍ୟବହାର କରାଯାଏ । ମାୱଲିନନୋଙ୍ଗ ଗାଁର ଲୋକମାନେ ସାମଗ୍ରୀ ନେବା ପାଇଁ କପଡ଼ାରେ ତିଆରି ବ୍ୟାଗ ବ୍ୟବହାର କରନ୍ତି । ଗାଁ ମହିଳା ସଶକ୍ତିକରଣର ଏକ ଉଦାହରଣ ମଧ୍ୟ ଦେଇଥାନ୍ତି । ଏଠାରେ ପିଲାମାନେ ମାଆର ସାଙ୍ଗିଆ ପାଆନ୍ତି ଏବଂ ପୈତୃକ ସମ୍ପତ୍ତି ମା’ ଦ୍ୱାରା ଘରର ସାନ ଝିଅକୁ ମିଳେ ।
ରୋଷେୟାଙ୍କ ଗାଁ
ପୁଡୁଚେରୀରୁ ପ୍ରାୟ ୩୦ କିଲୋମିଟର ଦୂର କଲାୟୁର ଗାଁ ଭିଲେଜ୍ ଅଫ୍ କୁକ୍ସ ନାମରେ ସାରା ଦେଶରେ ଜଣାଶୁଣା । ଏକ ରିପୋର୍ଟ ଅନୁଯାୟୀ ଗାଁରେ ବର୍ତ୍ତମାନ ୨୦୦ ପୁରୁଷ ରୋଷେୟା । ଗାଁରେ ପୁରୁଷଙ୍କୁ ଭଲ ରୋଷେୟା ହେବା ପାଇଁ ୧୦ ବର୍ଷ ଧରି ପ୍ରଶିକ୍ଷିତ କରାଯାଏ । ଏସମସ୍ତ ରୋଷେୟା ବିବାହ ଏବଂ ବିଭିନ୍ନ ସମାରୋହରେ ଭୋଜି ପ୍ରସ୍ତୁତ କରିବାର ଅର୍ଡର ନେଇଥାନ୍ତି । ଜଣେ ପୁରୁଷ ରୋଷେୟା ଏକାଥରେ ହଜାର ଲୋକଙ୍କ ଖାଦ୍ୟ ମଧ୍ୟ ତିଆରି କରିପାରେ । ତେବେ ଏହି ପରମ୍ପରା ଦୀର୍ଘ ୫୦୦ ବର୍ଷ ଧରି ଚାଲିଆସୁଛି । ଏହି ଗାଁରେ ପ୍ରାୟ ୮୦ଟି ଘର ରହିଛି, ସେଥିମଧ୍ୟରୁ ୨୦୦ ପୁରୁଷ ଏବେ ରୋଷେୟା ଭାବେ ବିଭିନ୍ନ ସ୍ଥାନରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।
ସଂସ୍କୃତ କହୁଥିବା ଗାଁ
କର୍ଣ୍ଣାଟକର ମତ୍ତୁର ଗାଁରେ ପ୍ରବେଶ କରିବା ମାତ୍ରେ ଆପଣ କେବଳ ଶୁଣିବାକୁ ପାଇବେ ସଂସ୍କୃତ ଭାଷା । ମତ୍ତୁର ଦେଶର ଏକମାତ୍ର ଗାଁ ଭାବେ ଯେଉଁଠି ଆଜିବି ପ୍ରତି ଲୋକ ସଂସ୍କୃତରେ କଥାବାର୍ତ୍ତା ହୋଇଥାନ୍ତି । ଏହି ଗାଁର ଲୋକମାନେ ବୈଦିକ ଜୀବନଶୈଳୀକୁ ଆପଣାଇ ପ୍ରତିଦିନ ପ୍ରାଚୀନ ଗ୍ରନ୍ଥକୁ ଜପ କରିଥାନ୍ତି । ଏମାନଙ୍କ ପାଇଁ ସଂସ୍କୃତ ହିଁ ଭାବ ଆଦାନପ୍ରଦାନର ଏକମାତ୍ର ଭାଷା । ଏସବୁ ୧୯୮୧ରୁ ଆରମ୍ଭ ହୋଇଥିଲା, ଯେତେବେଳେ ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରୁଥିବା ସଂସ୍ଥା ସଂସ୍କୃତି ଭାରତୀ ମତ୍ତୁରରେ ୧୦ ଦିବସୀୟ ସଂସ୍କୃତ କର୍ମଶାଳାର ଆୟୋଜନ କରିଥିଲା । ଏହି ଗାଁରେ ପ୍ରାଚୀନ ବ୍ରାହ୍ମଣ ସମ୍ପ୍ରାଦୟର ନିବାସୀ, ଯେଉଁମାନେ ପ୍ରାୟ ୬୦୦ ବର୍ଷ ପୂର୍ବେ କେରଳରୁ ମତ୍ତୁର ଆସିଥିଲେ ଏବଂ ଏଠାରେ ହିଁ ସେମାନେ ବସତି ସ୍ଥାପନ କରିଥିଲେ । ମତ୍ତୁରରେ ଫଳ ବେପାରୀଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ମନ୍ଦିରର ପୂଜାରୀ ସଂସ୍କୃତ କହିଥାନ୍ତି ।
More Stories
ତୁରନ୍ତ ଭଲ ହୋଇଯିବ ଗ୍ୟାସ୍ଷ୍ଟ୍ରିକ୍
ଶରୀରରେ ଏହି ସମସ୍ୟା ଦେଖାଗଲେ ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ
ମୁହଁର ସବୁ ସମସ୍ୟାରୁ ପାଆନ୍ତୁ ମୁକ୍ତି