The Topmost

“The eyes believe themselves, the ears believe other people.”

ଥମୁନି ଆନ୍ଧ୍ରର ଦାଦାଗିରି, ନଜରରେ ଆଉ ଏକ ଗାଁ

ଦିନକୁ ଦିନ ବଢୁଛି ଆନ୍ଧ୍ର କଦାଦାଗିରି । ତେବେ ଏହା କେବଳ କୋଟିଆରେ ସୀମିତ ହୋଇ ରହିନାହିଁ ଆନ୍ଧ୍ରର ଅନୁପ୍ରବେଶ । ଓଡ଼ିଶାର ଅନ୍ୟ ସୀମାନ୍ତ ଗାଁକୁ ବି କବ୍‌ଜାକୁ ନେବା ପାଇଁ ପୂରା ଜୋର ଲଗାଇ ଦେଇଛି ଆନ୍ଧ୍ର । ୫ବର୍ଷ ମଧ୍ୟରେ ଅଳ୍ପ ଅଳ୍ପ କରି ଓଡ଼ିଶାର ୯୦ହେକ୍ଟର ଜମିକୁ ଆନ୍ଧ୍ର ଅକ୍ତିଆରକୁ ନେଇ ସାରିଲାଣି । ଯେଉଁ ଜମିରେ ଏବେ କାଜୁ ଉତ୍ପାଦନ କରୁଥିବା ସୂଚନା ରହିଛି । ଜୀବିକା ହରାଇବାପରେ ବାଧ୍ୟହୋଇ ସୀମାନ୍ତ ଗ୍ରାମବାସୀ ସ୍ବର ଉଠାଇଛନ୍ତି । ଖବର ପାଇ ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ତହସିଲଦାର ଏବଂ ବନ ବିଭାଗ କର୍ମଚାରୀ ତଦନ୍ତ କରିଛନ୍ତି । ଆନ୍ଧ୍ର ସୀମାକୁ ଲାଗି ରହିଛି ବନ୍ଧୁଗାଁ ବ୍ଲକ୍‌ର ରେବତୀଗୁଡ଼ା ଗାଁ । ୫ବର୍ଷ ତଳେ ଓଡ଼ିଶାର ଏହି ଫଳନ୍ତି ଜମି ଉପରେ ଆନ୍ଧ୍ରର ନଜର ପଡ଼ିଥିଲା । ଅଳ୍ପ ଅଳ୍ପ କରି ଜମି ନିଜ ଅକ୍ତିଆରକୁ ନେବା ପରେ ସେଠାରେ ଆନ୍ଧ୍ର ବନ ବିଭାଗ କାଜୁ ଗଛ ଲଗାଇଛି। ଚଳିତବର୍ଷ ଉକ୍ତ ଜମିରେ ରେବତୀଗୁଡ଼ା ଗ୍ରାମବାସୀ ଚାଷ କରିବାକୁ ପ୍ରସ୍ତୁତ ହେବାବେଳକୁ ଆନ୍ଧ୍ର ବନ ବିଭାଗ କର୍ମଚାରୀ ବାରଣ କରିଥିଲେ, ଯାହାକୁ ନେଇ ମାସକ ତଳେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି ଯୋଗୁ ବାଧ୍ୟହୋଇ ବନ୍ଧୁଗାଁ ତହସିଲଦାରଙ୍କୁ ଜଣାଇଥିଲେ ଗ୍ରାମବାସୀ । ଲୋକଙ୍କ ଅଭିଯୋଗରେ ସତ୍ୟତା ରହିଛି, ତେଣୁ ତୁରନ୍ତ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ରିପୋର୍ଟ ଦିଆଯିବ ବୋଲି ତହସିଲଦାର କହିଛନ୍ତି ।