ଝାରସୁଗୁଡା ରେ ଖୋଲିବ ସୁପର ସ୍ସେସାଲ୍ ହସ୍ପିଟାଲ

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ସାରା ଦେଶରେ ୧୦୦ ଶଯ୍ୟା ବିଶିଷ୍ଟ ୨୩ଟି ନୂଆ ହସ୍ପିଟାଲ୍ ସ୍ଥାପନ କରିବ। ଓଡ଼ିଶାର ଝାରସୁଗୁଡ଼ାରେ ସେଥିରୁ ଗୋଟିଏ ହସ୍ପିଟାଲ୍ ଖୋଲାଯିବ। ଅନ୍ୟ ହସ୍ପିଟାଲ୍‌ଗୁଡ଼ିକ ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିାଗଡ଼, ଗୋଆ, ଗୁଜରାଟ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଖୋଲାଯିବ। ଏହା ବ୍ୟତୀତ, ଇଏସ୍‌ଆଇସି ପକ୍ଷରୁ ପାଞ୍ଚ ଜଣ ଡାକ୍ତର ସୁବିଧା ଥିବା ଡିସ୍‌ପେନ୍‌ସେରି ୬୨ଟି ସ୍ଥାନରେ ଖୋଲାଯିବ। ମହାରାଷ୍ଟ୍ରରେ ୪୮, ଦିଲ୍ଲୀରେ ୧୨ ଓ ହରିୟାଣାରେ ୨ଟି ଡିସ୍‌ପେନ୍‌ସେରି ଖୋଲାଯିବ।

ରବିବାର ଶ୍ରମ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇଏସ୍‌ଆଇସିର ୧୮୮ତମ ବୈଠକରେ ଏହି ନିଷ୍ପତ୍ତି ନିଆଇଛି। ଏହାର ସ୍ବାସ୍ଥ୍ୟ ବୀମା ସ୍କିମ୍‌କୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ଇଏସ୍‌ଆଇସି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସ୍କିମ୍ ସାରା ଦେଶରେ ଉପଲବ୍ଧ ହେବ। ବର୍ତ୍ତମାନ ଏହି ସ୍କିମ୍‌ ୪୪୩ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ଓ ୧୫୩ଟି ଜିଲ୍ଲାରେ ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି। ୧୪୮ଟି ଜିଲ୍ଲା ଏବେବି ଏହି ସ୍କିମ୍‌ର ଲାଭ ପାଇବାରୁ ବଞ୍ଚିତ ରହିଛନ୍ତି। ସେହି ସବୁ ଜିଲ୍ଲା ପର୍ଯ୍ୟନ୍ତ ଏହି ସ୍କିମ୍‌କୁ ପହଞ୍ଚାଇବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ହେଲ୍‌ଥକେୟାର ଲିଙ୍କ୍‌ ୱାର୍କର୍‌ମାନଙ୍କ ଲାଗି ଇଏସ୍‌ଆଇସି ଏହାର ମେଡିକାଲ୍ କଲେଜଗୁଡ଼ିକରେ ସାର୍ଟିଫିକେଟ୍ କୋର୍ସ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଇଏସ୍‌ଆଇସି ଏହାର ମେଡିକାଲ୍ ସେବାକୁ ମଧ୍ୟ ବ୍ୟାପକ କରିବ। ନୂଆ ଡିସ୍‌ପେନ୍‌ସେରି ତଥା ଶାଖା କାର୍ଯ୍ୟାଳୟ ଖୋଲିବା, ମୋଡିଫାଏଡ୍‌ ଇନ୍‌ସ୍ୟୁରାନ୍ସ ପ୍ରାକ୍ଟିସନରମାନଙ୍କୁ ଏମ୍‌ପାନେଲ୍ କରିବା ଓ ଆୟୁଷ୍ମାନ ଭାରତ ଅଧୀନରେ ହସ୍ପିଟାଲ୍‌ଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରି ଏହା ନିଜର ସେବାକୁ ବ୍ୟାପକ କରିବାକୁ ଯୋଜନା ରଖିଛି। ଇଏସ୍‌ଆଇସି କାର୍ଡଧାରୀମାନେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏମ୍‌ପାନେଲ୍‌ ହୋଇଥିବା ହସ୍ପିଟାଲ୍‌ଗୁଡ଼ିକରେ କ୍ୟାସ୍‌ଲେସ୍‌ ସୁବିଧା ପାଇପାରିବେ। ଏବେ ଦେଶର ୧୫୭ଟି ଜିଲ୍ଲାରେ ଇଏସ୍‌ଆଇ ସ୍ବାସ୍ଥ୍ୟ ବୀମା ସ୍କିମ୍ ହିତାଧିକାରୀମାନେ କ୍ୟାସ୍‌ଲେସ୍‌ ସୁବିଧା ପାଉଛନ୍ତି।

ଇଏସ୍‌ଆଇସି ପକ୍ଷରୁ ଫରିଦାବାଦ ଓ ଚେନ୍ନାଇରେ ଥିବା ହସ୍ପିଟାଲ୍‌ରେ ରେଡିଏସନ୍ ଅଙ୍କୋଲୋଜି ଓ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଖୋଲାଯିବ। ସେହିପରି ତେଲେଙ୍ଗାନା, ଅଲୱରରେ ଥିବା ହସ୍ପିଟାଲ୍‌ରେ ଦୁଇଟି କ୍ୟାଥ୍‌ ଲ୍ୟାବ୍‌ ମଧ୍ୟ ସ୍ଥାପନ କରାଯାଇଛି। ପୁନେରେ ଥିବା ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ରେ ୫୦୦ ଶଯ୍ୟାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳନା ହେଉଥିବା କିଛି ହସ୍ପିଟାଲ୍‌କୁ ନିଜେ ପରିଚାଳନା କରିବାକୁ ମଧ୍ୟ ଇଏସ୍‌ଆଇସି ନିଷ୍ପତ୍ତି ନେଇଛି।

SHARE BY