February 15, 2026

ଚଳିତ ବର୍ଷ ପୃଥିବୀକୁ ୨ଟି ଚନ୍ଦ୍ରଗ୍ରହଣ

ଚଳିତ ବର୍ଷ ୨ଟି ସୂର୍ଯ୍ୟୋପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ହେବାର ଅଛି । ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ସଂଘଟିତ ହୋଇସାରିଛି ବୋଲି ଜଣାପଡ଼ିଛି । ଏପ୍ରିଲ ୨୦ ତାରିଖ‌ ସକାଳ ୭ଟା ବାଜି ୪ମିନିଟରୁ ମଧାହ୍ନ ୧୨ଟା ବାଜି ୨୯ ମିନିଟ ପର୍ଯ୍ୟନ୍ତ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ହୋଇଥିଲା । ତେବେ ଏହି ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟମାନ ହୋଇନଥିଲା । ଅଷ୍ଟ୍ରେଲିଆ, ଦକ୍ଷିଣ ଏସିଆ ଓ  ପୂର୍ବ ଏସିଆରେ ଏବଂ ଭାରତ ମହାସାଗର, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏହା ଦୃଶ୍ୟମାନ ହୋଇଥିଲା । ପରାଗ ହେଉ କି ଗ୍ରହଣ, ପ୍ରତି ମହାଜାଗତିକ ଚଳନର ସୂତକ କାଳ ରହିଥ‌ାଏ । ଯେହେତୁ ଏହି ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟମାନ ହୋଇନଥିଲା, ତେଣୁ ଏହାର ସୂତକ କାଳକୁ ମଧ୍ୟ ଧରାଯାଇ ନଥିଲା । ସୌର ଜଗତରେ ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ ଏବଂ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ ବୋଲି ଆମେ ସମସ୍ତେ ଜାଣିଛେ । ଏହି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲୁଥିବା ବେଳେ ଯେଉଁ ଦିନ ଚନ୍ଦ୍ର ଘୁରୁଥିବା ଅବସ୍ଥାରେ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଏକ ସରଳ ରେଖାରେ ଅବତୀର୍ଣ୍ଣ ହୋଇଥ‌ାଏ, ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକର କିଛି ଅଂଶ ଚନ୍ଦ୍ରଙ୍କଦ୍ୱାରା ଆଚ୍ଛାଦିତ ହୋଇଥାଏ। ଏହି ପ୍ରକ୍ରିୟାକୁ ସୂର୍ଯ୍ୟୋପରାଗ ବୋଲି କୁହାଯାଇଥାଏ ।

SHARE BY