ଆସନ୍ତା ମାସ ୫ରେ କୋଲକାତାରେ ପୂର୍ବାଞ୍ଚଳ ପରିଷଦର ୨୫ତମ ବୈଠକ ଅନୁଷ୍ଠିତ ହେବ। ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ । କୋଲକାତାସ୍ଥିତ ରାଜ୍ୟ ସଚିବାଳୟର ନବାନ୍ନ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇଜଣ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ସଂପୃକ୍ତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।ବୈଠକରେ ମଧ୍ୟ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ରାଜ୍ୟମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ପାଇଁ ଆଞ୍ଚଳିକ ପରିଷଦ ବୈଠକ ଆୟୋଜନ କରାଯାଇଥାଏ । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ରାଜ୍ୟମାନଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରିଥାଏ । କେନ୍ଦ୍ର-ରାଜ୍ୟ ଓ ଅନ୍ତଃରାଜ୍ୟ ପ୍ରସଙ୍ଗଗୁଡ଼ିକ ବୈଠକରେ ମଧ୍ୟ ଉପସ୍ଥାପନ କରାଯାଇଥାଏ । ବୈଠକରେ ବିଭିନ୍ନ ପ୍ରସଙ୍ଗର ସମାଧାନ ଉପରେ ଗୁରୁତ୍ବ ଦିଆଯାଇଥାଏ । ଶେଷ ଥର ପାଇଁ ୨୦୨୦, ଫେବ୍ରୁଆରି ୨୮ରେ ଭୁବନେଶ୍ବରସ୍ଥିତ ଲୋକସେବା ଭବନରେ ୨୪ତମ ପୂର୍ବାଞ୍ଚଳ ଜୋନ୍ ପରିଷଦ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା, କୋଇଲା ରୟାଲ୍ଟି ସଂଶୋଧନ ଓ କ୍ଲିନ୍ ଏନର୍ଜି ସେସ ରାଜ୍ୟକୁ ପ୍ରଦାନ ଆଦି ଦାବି କରିଥିଲେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ