ମା’ ମଙ୍ଗଳାଙ୍କ ଚଇତି ମଙ୍ଗଳବାରକୁ ନେଇ ଯେଉଁ ଓଷାକଥା ଓଡ଼ିଆରେ ମିଳେ, ସେଥିରେ କୁହାଯାଇଛି, ସ୍ୱର୍ଗରେ ନିତେଇ ଧୋବଣୀ ଓ ମର୍ତ୍ତ୍ୟରେ ଚଇତି ହାଡ଼ିଆଣୀ ଏ ଓଷା କରନ୍ତି। ଘରକୁ ଲିପିପୋଛି, ଚାନ୍ଦୁଆ ବାନ୍ଧି, ଘିଅଦୀପ ଦେଇ, ଆଠଖିଅ ସୂତାରେ ଆଠ ଗଣ୍ଠି ପକାଇ, ଚଇତି ସେହି ପୂଜା କରୁଥିଲା। ଓଷାବିଧି ମୁତାବକ ଆଠଟି ଗୁଆ, ଆଠକେରା ଦୁବ, ଆଠଗୋଟି ଚାଉଳ ଏବଂ ଆଠବର୍ଣ୍ଣି ଫୁଲ ଓ ଆଠବର୍ଣ୍ଣ ଫଳ ବି ପୂଜାରେ ଲାଗୁଥିଲା। ଏପରିକି ଚକୁଳିପିଠା, ମୁଆଁ, ଶାକର, ଆଠବର୍ଣ୍ଣ ଖଜା ଏବଂ ଗୋଟି ଅଟକାଳି ବି ଭୋଗ ଦେଉଥିଲା। କିନ୍ତୁ ତା’ର ପୂଜା ସଂପୂର୍ଣ୍ଣ ସାତ୍ତ୍ୱିକ ନଥିଲା। କାରଣ, ସେହି ପୂଜାରେ ସେ ଗଞ୍ଜେଇପଣା, କୁକୁଡ଼ାଡିମ୍ବ, ମଦ, ଶେଉଳମାଛ, ଶୁଖୁଆ ପୋଡ଼ା ଓ ଛେଳି ବି ଭୋଗ ଲଗାଉଥିଲା।
ସେ ରାଇଜର ରାଣୀ ଚଇତିଠାରୁ ବୁଝି ସର୍ବମଙ୍ଗଳାଙ୍କର ଓଷା ପୂଜା କଲେ। ସେତେବେଳେ ଲୋକେ ଯାଇ ରାଜାଙ୍କୁ କହିଲେ- ପାଟମହାଦେଈ ଚଇତି ହାଡ଼ିଆଣୀକୁ ଡାକିଆଣି ମଦ, ମାଛ, ଶୁଖୁଆ ପୋଡ଼ା ଓ କୁକୁଡ଼ାଡିମ୍ବ ଆଦି ଦେଇ ଓଷା ପୂଜୁଛନ୍ତି। ତାହା ଶୁଣି ରାଜା କହିଲେ- ଏହା ମହାପାପ। କିନ୍ତୁ ରାଜା ଆସି ଦେଖିଲାବେଳକୁ ମଦ ନବାତପଣା ଓ କୁକୁଡ଼ାଡିମ୍ବ କୋରା ମହାପ୍ରସାଦ ହୋଇଯାଇଥିଲା। ଫଳରେ ରାଜା ଚଇତି ହାଡ଼ିଆଣୀକୁ ସମ୍ମାନ ଦେଇ, ତା’ ମୁଣ୍ଡରେ ଶାଢ଼ି ବାନ୍ଧିଥିଲେ।
ଏଣୁ ଏହି ଓଷାକଥା ସୂଚାଏ, ଯେ ମା’ ମଙ୍ଗଳା ପ୍ରଥମେ ସମାଜର ନିମ୍ନବର୍ଗଙ୍କ ଦ୍ୱାରା ଉପାସିତ ହେଉଥିଲେ। ତାଙ୍କ ପୂଜାରେ ତାନ୍ତ୍ରିକ ବିଧି ପ୍ରଚଳିତ ଥିଲା। ପରେ ଉଚ୍ଚବର୍ଣ୍ଣର ଲୋକେ ତାଙ୍କର ପୂଜା କଲେ। ଫଳରେ ଏହି ଦେବୀ ବୈଷ୍ଣବୀ ହେଲେ। ମା’ ବିମଳାଙ୍କ ପରି ସେ ହେଲେ କୈବଲ୍ୟ ଲୋଲୁପିନୀ।
କାକଟପୁରର ମା’ ମଙ୍ଗଳାଙ୍କ ଦୈନନ୍ଦିନ ନୀତିରୁ ଏହାର ପ୍ରମାଣ ମିଳେ। ତାଙ୍କର ପ୍ରତିଦିନର ପ୍ରାତଃନୀତି ଶେଷରେ ତାଙ୍କୁ ଶୁଖିଲି ମହାପ୍ରସାଦ ଅର୍ପଣ କରାଯାଏ। ସେହିପରି, ପ୍ରତିମାସର କୃଷ୍ଣ ଓ ଶୁକ୍ଳ ଏକାଦଶୀରେ ମଧ୍ୟ ମା’ଙ୍କୁ ଅନ୍ନ ମହାପ୍ରସାଦ ସମର୍ପିତ ହୋଇଥାଏ।
More Stories
ବର୍ଷା ହେବ ଧନ, ଏମିତି କରନ୍ତୁ କୁମାରୀ ପୂଜା
ଏହି ସବୁ ସୁଗୁଣରେ ଭରପୁର ହଳଦୀ
ରାମ ନବମୀ ପାଇଁ ଅନୁମତି ନାହିଁ