ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟଗୋଳ । ବିଜେଡି ବିଧାୟକମାନେ ପାଣ୍ଡିଆନଙ୍କ କଥାରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି, ତାଙ୍କର ଚାମଚାଗିରି କରୁଛନ୍ତି ବୋଲି ଶ୍ରୀ ମିଶ୍ର ଆକ୍ଷେପ କରିଥିଲେ। ଏହାକୁ ବିଜେଡି ସଭ୍ୟମାନେ ପ୍ରତିବାଦ କରିବାକୁ ଉଠିଥିଲେ ବି ପରେ ପୁଣି ପଛଘୁଞ୍ଚା ଦେଇଥିଲେ। ପର ମୁହୂର୍ତରେ ଏହାକୁ ସ୍ବୀକାର କରିବା ପରି ଅବସ୍ଥା ହୋଇଥିଲା ।
ଗତକାଲି କଂଗ୍ରେସ ପକ୍ଷରୁ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା ପାଇଁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗୃହୀତ ହୋଇଥିଲା। କିନ୍ତୁ ସେହି ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ପ୍ରଶ୍ନକାଳରେ ହୋହଲ୍ଲା କରିଥିଲା। ଦଳୀୟ ବିଧାୟକମାନେ ଆଲୋଚନାରେ ଭାଗ ନେବା ପରିବର୍ତ୍ତେ ସମାନ ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମଧ୍ୟାହ୍ନ ୧୨ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରଣ କଲେ। କହିଲେ, ଗତକାଲି ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ରାଜି ଥିଲେ। ତାହା ପରେ ବି ସେହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗୃହକୁ ବନ୍ଦ କରିଦିଆଗଲା। ଏଥି ପାଇଁ ଦାୟୀ କିଏ? ଆଜି ବାହାରେ ବିଜେଡିର କିଛି ବିଧାୟକଙ୍କ ସହ ଆଲୋଚନା ବେଳେ ସେମାନେ କହିଥିଲେ ଯେ ପାଣ୍ଡିଆନ କହିଲେ ବୋଲି ଏମିତି କଲୁ। ଏ ଗୃହକୁ କ’ଣ ପାଣ୍ଡିଆନ ଚଳାଇବେ? ଜଣେ ବାହାର ଲୋକ କଥାରେ ଗୃହ ପରିଚାଳିତ ହେବ?
ଏହି ସମୟରେ ବିଜେଡି ବିଧାୟକମାନେ ଠିଆ ହୋଇ ପ୍ରତିବାଦ କରିଥିଲେ। ଶ୍ରୀ ମିଶ୍ରଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି କହିଥିଲେ। କିନ୍ତୁ ଜୟନାରାୟଣ ଛାଡ଼ି ନଥିଲେ। ବିଜେଡି ସଭ୍ୟମାନଙ୍କୁ ଆହୁରି ଶାଣିତ ଭାଷାରେ ସମାଲୋଚନା କରିଥିଲେ। ସେମାନଙ୍କୁ ଆକ୍ଷେପ କରି କହିଥିଲେ, ଏମାନେ କ’ଣ କହିବେ। ଜରି ବୁହା, ଟେଣ୍ଟ୍ ବୁହା ଓ ଚଉକି ବୁହା ଲୋକ ବିଧାନସଭାକୁ ଆସିଯାଇଛନ୍ତି। ଏମାନଙ୍କର ବୁଦ୍ଧି ବିବେକ ନାହିଁ। ଗୃହରେ ସଭ୍ୟମାନଙ୍କ ସମୟ ଏମାନେ ନଷ୍ଟ କରୁଛନ୍ତି। ପାଣ୍ଡିଆନଙ୍କ ଚାମଚାଗିରି କରୁଛନ୍ତି। ପାଣ୍ଡିଆନଙ୍କ ଏକ ନମ୍ବର ଚାମଚା କିଏ ହୋଇପାରିବ, ସେଥିପାଇଁ ଏମାନଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏମାନଙ୍କର ନୈତିକତା ନାହିଁ।
ଜୟନାରାୟଣଙ୍କ ଏପରି ମନ୍ତବ୍ୟରେ ହଡ଼ବଡ଼େଇ ଯାଇଥିଲେ ବିଜେଡି ବିଧାୟକମାନେ। କେତେବେଳେ ଠିଆ ହୋଇ ପ୍ରତିବାଦ କରୁଥିଲେ ତ କେତେବେଳେ ବସି ପଡ଼ୁଥିଲେ। ଜୟନାରାୟଣ କହି ସାରିବା ପରେ ସେମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ହୋହଲ୍ଲା କରିଥିଲେ। ଏହି ସମୟରେ ବାଚସ୍ପତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କହିବା ପାଇଁ ଡାକିଥିଲେ। ସେ କହିଲେ, ଗୃହର ବରିଷ୍ଠ ସଦସ୍ୟ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି। ଗୃହର ସଦସ୍ୟ ନଥିବା ବ୍ୟକ୍ତିଙ୍କ ବିଷୟରେ ଏଠି ଆଲୋଚନା କରାଯାଇପାରିବ ନାହିଁ। ଯଦି କେଉଁ ବିଧାୟକ ତାଙ୍କୁ ଏହା କହିଛନ୍ତି, ତେବେ ସେ ତାଙ୍କ ନାମ ପ୍ରକାଶ କରନ୍ତୁ। ଏହାର ପ୍ରମାଣ ଦିଅନ୍ତୁ। ଏମିତି ମନଗଢ଼ା କଥା ନ କୁହନ୍ତୁ। ଚାଷୀ ପ୍ରସଙ୍ଗରେ ସରକାର ପଳାୟନପନ୍ଥୀ ସାଜିଛନ୍ତି। ଆମେ ଗତକାଲି ଗୃହରେ ସବୁ କାର୍ଯ୍ୟ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲୁ। କିନ୍ତୁ ସରକାର ଆମ ଦାବି ଶୁଣିଲେ ନାହିଁ। ଶ୍ରୀ ମିଶ୍ର ଯାହାଙ୍କ ନାମ ନେଇଛନ୍ତି, ସେ ଗୃହର ସଦସ୍ୟ ନ ଥିବାରୁ ତାଙ୍କ ନାମକୁ ଗୃହ ବିବରଣୀରୁ ବାଦ୍ ଦିଆଯାଉ।
ତେବେ ବାଚସ୍ପତି ପାଣ୍ଡିଆନଙ୍କ ନାମକୁ ଗୃହ ବିବରଣୀରୁ ବାଦ୍ ଦେଇ ନଥିଲେ। କିନ୍ତୁ ବିଜେଡି ସଭ୍ୟମାନେ ଶାନ୍ତ ପଡ଼ିଯାଇଥିଲେ। ଏହି ପ୍ରସଙ୍ଗରେ ଆଉ ସେମାନେ ଆଗକୁ ବଢ଼ି ନଥିଲେ। ଜୟନାରାୟଣଙ୍କ ହାଡ଼ଜଳା ଆକ୍ଷେପକୁ ସେମାନେ ହଜମ କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ। କାରଣ ଅଧିକ ପ୍ରତିବାଦ କଲେ ପାଣ୍ଡିଆନଙ୍କ ପାଇଁ ବିଜେଡି ଗୃହ ବନ୍ଦ କରିଦେଲା ବୋଲି ବାର୍ତ୍ତା ଯାଇଥାନ୍ତା। ତେଣୁ ଛକାପଞ୍ଝା ଭିତରେ ନିରବ ରହିବାକୁ ଉଚିତ ମଣିଥିଲେ।
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ