The Topmost

“The eyes believe themselves, the ears believe other people.”

ନୋଟିସ ପରେ ବି କାହିଁକି ପଦ ଛାଡୁନାହାଁନ୍ତି ବିଜେଡି ନେତ୍ରୀ

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ବରଖାସ୍ତ କରାଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣାକୁ ୭ଦିନ ପୁରିଲାଣି । କିନ୍ତୁ ମହିଳା କମିଶନରେ ଥଇଥାନ ହୋଇଥିବା ବିଜେଡିର ଏହି ନେତ୍ରୀମାନେ ନିଜ କୁର୍ସି ଛାଡ଼ିବାକୁ ରାଜି ନାହାନ୍ତି ।

ସୂଚନା ଅନୁସାରେ, ବିଜେଡି ଶାସନକାଳରେ ରାଜ୍ୟ ମହିଳା କମିଶନରେ ଥଇଥାନ ହୋଇଥିବା ବିଜେଡି ନେତ୍ରୀମାନଙ୍କୁ ଗତ ୨୩ତାରିଖରେ ସେମାନଙ୍କୁ ପଦରୁ ବହିଷ୍କାର କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଦଳୀୟଭିତ୍ତିରେ ନିଯୁକ୍ତି ପାଇଥିବା ଏହି ନେତ୍ରୀମାନେ ନୈତିକତା ଦୃଷ୍ଟିରୁ ନିଜଆଡ଼ୁ ପଦରୁ ଇସ୍ତଫା ନଦେବାପରେ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ପରେ ମଧ୍ୟ ଏହି ନେତ୍ରୀମାନେ ନିଜଆଡ଼ୁ ପଦରୁ ଓହରିଯିବା ପରିବର୍ତ୍ତେ ରାଜ୍ୟର ବିଜେପି ସରକାରଙ୍କ ସହ ମୁହାଁମୁହିଁ ହେବା ପାଇଁ ସଜବାଜ ହେବା ଜାଣିବା ପରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଗତ ୨୮ତାରିଖରେ ଏହି ନେତ୍ରୀମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା । ରାଜ୍ୟ ସରକାର ନିଜ କ୍ଷମତାର ଉପଯୋଗ କରି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆଇନ-୧୯୯୩ର ଧାରା ୪(୩)(ଘ) ଓ(ଚ)ର ପ୍ରାବଧାନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ସରକାରଙ୍କ ଏଭଳି ମତିଗତି ଜାଣିବା ପରେ ମଧ୍ୟ ରାଜନୀତିକ ଥଇଥାନ ହୋଇଥିବା ଏହି ବିଜେଡି ନେତ୍ରୀମାନେ ନିଜ ପଦ ଛାଡ଼ିବା ପରିବର୍ତ୍ତେ ଆଇନଗତ ଲଢ଼େଇ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଏପରିକି ସରକାରଙ୍କ କାରଣଦର୍ଶାଅ ନୋଟିସର ଜବାବ ଦାଖଲ କରିଥିବା ଏହି ନେତ୍ରୀମାନେ ନିଜଆଡ଼ୁ ଇସ୍ତଫା ଦେଇ ସମ୍ମାନଜନକ ଭାବେ ନିଜ ପଦରୁ ଓହରିଯିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ସହ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ,ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ଆଗଧାଡ଼ିର ନେତ୍ରୀ । ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ମାସରେ ଅନ୍ୟ ୪ଜଣ ବିଜେଡି ନେତ୍ରୀଙ୍କୁ ଆୟୋଗର ସଦସ୍ୟା ଭାବେ ଅବସ୍ଥାପିତ କରାଯାଇଥିଲା ।

ତେବେ ରାଜ୍ୟରେ ଜୁନ୍ ମାସରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସମସ୍ତ ନିଗମ,ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ପଦବୀରେ ଥଇଥାନ ହୋଇଥିବା ବିଜେଡି ନେତାମାନଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦେଇଥିଲେ । କିନ୍ତୁ ରାଜ୍ୟ ମହିଳା ଆୟୋଗ ଓ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ବିଜେଡି ନେତ୍ରୀମାନଙ୍କୁ ହଟାଯାଇନଥିଲା । ସେମାନେ ନିଜଆଡ଼ୁ ଇସ୍ତଫା ନଦେବା ପରେ ରାଜ୍ୟ ସରକାର ଓଡ଼ିଶା ଆକ୍ଟ-୧୯୯୪ର ଧାରା ୩ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ବରଖାସ୍ତ କରିଥିବା ଜଣାପଡ଼ିଛି ।

SHARE BY