ଓଡ଼ିଶାର ଖଣିଗୁଡ଼ିକରୁ କୋଇଲା ସରି ଆସୁଛି। ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାର ୩ଟି ଖଣିରୁ କୋଇଲା ସରିଯିବାରୁ ତାହାକୁ ବନ୍ଦ କରି ଦିଆଯାଉଛି। ୨୦୩୦ ସୁଦ୍ଧା ଆଉ ୬ଟି ଖଣି ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଛି। ସେଥିମଧ୍ୟରେ ୪ଟି ଭୂତଳ କୋଇଲା ଖଣି ରହିଛି। ଏହି ଖଣିଗୁଡ଼ିକର ଉତ୍ପାଦନ କ୍ଷମତା ଦିନକୁ ଦିନ ହ୍ରାସ ପାଉଛି।
୩ଟି ଖଣି ଲାଭଜନକ ହୋଇପାରୁ ନାହିଁ। ଏଥିସହ ୨୦୪୦ ସୁଦ୍ଧା ତାଳଚେରରେ ଥିବା ଲିଙ୍ଗରାଜ, ଅନନ୍ତ ଓ ଜଗନ୍ନାଥ ଖଣିରୁ କୋଇଲା ସରିଯିବ। ଇଣ୍ଟରନ୍ୟାସନାଲ ଫୋରମ୍ ଫର୍ ଏନ୍ଭର୍ନମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ୍ ଟେକ୍ନୋଲୋଜି(ଆଇଫରେଷ୍ଟ) ପକ୍ଷରୁ ପ୍ରକାଶିତ ‘ଜଷ୍ଟ ଟ୍ରାନଜିସନ୍ ଇନ୍ ଓଡ଼ିଶା ଫର୍ ଗ୍ରିନ୍ ଗ୍ରୋଥ୍ ଆଣ୍ଡ୍ ଗ୍ରିନ୍ ଜବସ୍’ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଏହି କ୍ଷେତ୍ରରେ ଥିବା ଆହ୍ବାନ ସମ୍ପର୍କରେ କୁହାଯାଇଛି ଯେ କୋଇଲା ଖୋଳି ସାରିବା ପରେ ଖଣିର ଜମିଗୁଡ଼ିକ ପୁନଃବ୍ୟବହାର ହେଉ ନ ଥିବାରୁ ତାହା ବଡ଼ ସମସ୍ୟା ପାଲଟିଛି। ୨୦୩୦ ସୁଦ୍ଧା ଏଭଳି ୧୧ ହଜାର ହେକ୍ଟରର ଖଣି ଜମି ଅବ୍ୟବହୃତ ହୋଇ ରହିବାର ଆଶଙ୍କା ରହିଛି। ଯାହାକୁ ପୁନଃବ୍ୟବହାର ଯୋଗ୍ୟ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ମୋଟ ୩୬ ହଜାର ୪୫୯ ହେକ୍ଟର ଜମିରେ କୋଇଲା ଖଣି ରହିଛି। ସେଥିମଧ୍ୟରୁ କାର୍ଯ୍ୟକ୍ଷମ ବାଣିଜ୍ୟିକ ଖଣି ୨୪,୮୯୫.୫ ହେକ୍ଟର, କ୍ୟାପ୍ଟିଭ୍ ଖଣି ୬,୮୩୦ ହେକ୍ଟରରେ ରହିଛି। ୪,୭୩୪ ହେକ୍ଟର ଜମିରୁ କୋଇଲା ସରିଯାଇଛି। ରାଜ୍ୟର ବାର୍ଷିକ କୋଇଲା ଉତ୍ପାଦନ କ୍ଷମତା ୩୫୨ ନିୟୁତ ଟନ୍ ଥିବା ବେଳେ ବର୍ତ୍ତମାନ ମାତ୍ର ୨୩୫ ନିୟୁତ ଟନ୍ କୋଇଲା ଉତ୍ପାଦନ ହେଉଛି। ଏହାର ଅର୍ଥ ହେଉଛି ଯେ କୋଇଲା ଖଣିଗୁଡ଼ିକର କ୍ଷମତା କେବଳ ୬୭% ପର୍ଯ୍ୟନ୍ତ ଉପଯୋଗ ହୋଇପାରୁଛି। ପୂର୍ବରୁ ଥିବା କୋଇଲା ଖଣିଗୁଡ଼ିକର ଉତ୍ପାଦନ କ୍ଷମତାକୁ ଆଉ ୧୦୦ ନିୟୁତ ଟନ୍ ବଢ଼ାଇଲେ, ଯେଉଁ ସବୁ ନୂଆ କୋଇଲା ଖଣି ଆସିବ ତାହା ସେତେଟା ପ୍ରଭାବଶାଳୀ ରହିବ ନାହିଁ। ଭବିଷ୍ୟତରେ ସେହି ଖଣିଗୁଡ଼ିକୁ କୌଣସି ସଂସ୍ଥା ନେବାକୁ ଆଗ୍ରହ ପ୍ରକାଶ କରି ନ ପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍(ଏମ୍ସିଏଲ୍) ପକ୍ଷରୁ ଓଡ଼ିଶାରେ ଉତ୍ପାଦିତ ହେଉଥିବା କୋଇଲା ମଧ୍ୟରୁ ୯୯% ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହାର ହେଉଛି। ଯେହେତୁ ଭାରତ ଅକ୍ଷୟଶକ୍ତି ଆଡ଼କୁ ଅଗ୍ରସର ହେଉଛି ସେଥିପାଇଁ ୨୦୩୦ ମଧ୍ୟ ଭାଗ ସୁଦ୍ଧା କୋଇଲା ଚାହିଦା ଏହାର ସର୍ବୋଚ୍ଚ ସୀମାରେ ପହଞ୍ଚିବ। ଏହାପରଠାରୁ ତାହା ହ୍ରାସ ପାଇବ। ଫଳରେ ନୂଆ କୋଇଲା ଖଣିଗୁଡ଼ିକ ଅର୍ଥନୈତିକ ଦୃଷ୍ଟି କୋଣରୁ ଲାଭଦାୟକ ହୋଇ ରହିବ ନାହିଁ। ଏବେ ୨୨ଟି ଓପନ୍କାଷ୍ଟ ଖଣିରୁ ବାର୍ଷିକ ୩୫୦.୫୫ ନିୟୁତ ଟନ୍ କୋଇଲା ଉତ୍ପାଦିତ ହେଉଛି, ଯେଉଁଥିରେ ୩୮ ହଜାର ଲୋକ କାର୍ଯ୍ୟ କରୁଛନ୍ତି। ୪ଟି ଭୂତଳ କୋଇଲା ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ୨.୪୨ ନିୟୁତ ଟନ୍ ରହିଥିବା ବେଳେ ୨,୫୧୫ ଶ୍ରମିକ କାର୍ଯ୍ୟ କରୁଛନ୍ତି। ବାଣିଜ୍ୟିକ ଓ କାପ୍ଟିଭ୍ କୋଇଲା ଖଣି ଓଡ଼ିଶାର ୪ଟି ଜିଲ୍ଲା ଯଥା ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ରହିଛି। ସେଥିମଧ୍ୟରେ ତାଳଚେର ହଟ୍ସ୍ପଟ୍ ପାଲଟିଛି। ଯେଉଁଠାରେ ୯ଟି ଖଣିରୁ ୧୨୧ ନିୟୁତ ଟନ୍ କୋଇଲା ଉତ୍ପାଦନ କ୍ଷମତା ରହିଛି। ତାଳଚେର ବ୍ୟତୀତ ଝାରସୁଗୁଡ଼ା ଓ ଲଖନପୁର ବ୍ଲକ୍ କୋଇଲା ଉତ୍ପାଦନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି।
ଆହୁରି କୁହାଯାଇଛି ଯେ ଓଡ଼ିଶା ହେଉଛି ଭାରତର ବୃହତ୍ତମ କୋଇଲା ଉତ୍ପାଦନକାରୀ ରାଜ୍ୟ। ଦେଶର ୨୪% କୋଇଲା ଓଡ଼ିଶାରେ ଉତ୍ପାଦିତ ହେଉଛି। ଏମ୍ସିଏଲ୍ ଓ କୋଲ୍ ଇଣ୍ଡିଆ ଲିମିଟେଡ୍(ସିଆଇଏଲ୍) ୨୦୬ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରୁଛନ୍ତି। ଏହି କ୍ଷେତ୍ରରେ ୪୦,୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ରହିଛି। ସେଥିମଧ୍ୟରୁ କେବଳ ଏମ୍ସିଏଲ୍ରେ ୩୫,୪୪୦ ଜଣ କାର୍ଯ୍ୟରତ ଅଛନ୍ତି। ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକରେ କେବଳ ୫୭% ଶ୍ରମିକ ଖଣି କାର୍ଯ୍ୟରେ ନିୟୋଜିତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।
More Stories
ଚଳିତମାସ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ
ଶେଷରେ ମୁଣ୍ଡ ନୁଆଁଇଲା RINL
ବିଫଳତାର 5 କାରଣ, ଯାହା ଆପଣଙ୍କୁ ଆଗକୁ ବଢେଇଦିଏନି