ଆସୁଛନ୍ତି ମାଆ ଜଗତଜନନୀ । ତାଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ପୃଥିବୀବାସୀ । ସେପଟେ ଏନେଇ ରାଜଧାନୀର ଭିନ୍ନ ଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ତୋରଣ ନିର୍ମାଣ ଚାଲିଛି । ଏଥର ଦୁର୍ଗାପୂଜାରେ ଗୋଲ୍ଡେନ୍ ପ୍ୟାଲେସ୍ ନିର୍ମାଣ କରୁଛି ‘ଝାରପଡ଼ା ଦୁର୍ଗାପୂଜା ସମିତି’। ପଶ୍ଚିମବଙ୍ଗର ନାମକରା ଶିଳ୍ପୀ ପ୍ରତାପ ଗିରିଙ୍କ ସହ ୫୦ ଜଣ କାରିଗର ଗତ ଦେଢ଼ ମାସ ହେବ ତୋରଣ ନିର୍ମାଣରେ ଲାଗିଛନ୍ତି । ବାଉଁଶ, କାଠ ବିଟ୍, ଫାଇବର୍, ସନପ୍ୟାକ୍, ୟୁନିଫୋମ୍, ରଙ୍ଗିନ କାଚ ଇତ୍ୟାଦିରେ ହାରାହାରି ୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି ।
ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋଲକାତାର କାରିଗର ଦେବାଶିଷ ପାଲ୍ ଓ ଝାରପଡ଼ାର ବାପୁନି କବାଟ ନୂଆ ନୂଆ ଲାଇଟ୍ରେ ସଜାଇବେ । ୩ଟି ମୁଖ୍ୟ ଫାଟକ ସମେତ ୫ଟି ଫାଟକ ମାଧ୍ୟମରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁକୁ ରୂପଦେବ ଏଲ୍ଇଡି ଓ ମେକାନିକାଲ୍ ଷ୍ଟ୍ରକ୍ଚର୍ । ଏହି ପୂଜା ଏଥର ୧୩ ବର୍ଷରେ ପଦାର୍ପଣ କରୁଛି। ସମିତି ପକ୍ଷରୁ ୪୦ ଲକ୍ଷ ଟଙ୍କାର ବ୍ୟବବରାଦ ରଖାଯାଇଛି । କଟକ କାରିଗର ମାନସ ବେହେରା ୧୨ ଫୁଟ ଉଚ୍ଚତାର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଏବଂ ବିଶ୍ବଜିତ୍ ଦାସ ୨୦ ଫୁଟ ଉଚ୍ଚତାର ବୁଲେନ୍ ଓ ସୁନେଲି ମେଢ଼ ତିଆରି କରୁଛନ୍ତି ।
ଅନ୍ୟପଟେ କଳିଙ୍ଗ ଦୁର୍ଗାପୂଜା କମିଟି ପକ୍ଷରୁ ନୂଆ କରି ହେଉଥିବା ଦୁର୍ଗାପୂଜା ପାଇଁ ୫୦ ଲକ୍ଷ ଟଙ୍କାର ବଜେଟ୍ କରାଯାଇଛି । ତେଣୁ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣପୋଡ଼ି ମଧ୍ୟ ଆୟୋଜନ କରାଯାଇଛି । କିସ୍ ରୋଡ୍ ଜଗନ୍ନାଥ ମନ୍ଦିର ନିକଟରେ ମଣ୍ଡପ ନିର୍ମାଣ କାମ ଚାଲିଛି । ପ୍ରଥମ ଥର କରୁଥିଲେ ହେଁ କମିଟି ପକ୍ଷରୁ ମହୀଶୂର ପ୍ରାସାଦ ଢାଞ୍ଚାରେ ପୂଜା ମଣ୍ଡପ କରାଯାଉଛି । କିସ୍ ରୋଡ୍ର ବିଭିନ୍ନ ସ୍ଥାନରେ ଝଲମଲ ଲାଇଟ୍ ଗେଟ୍ ନିର୍ମାଣ ଚାଲିଛି ।
More Stories
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..