କୌଣସି ଆତ୍ମୀୟସ୍ୱଜନଙ୍କର ମୃତ୍ୟୁ ସମୟରେ, ସେହି ସମୟକୁ ପୁଷ୍କର ଦୋଷ ଅଛି କି ନାହିଁ ଜାଣିବା ପାଇଁ ଆମେ ପାଞ୍ଜି ଦେଖୁ। କୌଣସି କୌଣସି ଦିନ ପୁଷ୍କର ଦୋଷ ନଥାଏ। ପୁଣି କୌଣସି ଦିନରେ ନିର୍ଦ୍ଦିଷ୍ଟ ସମୟକାଳ ଦର୍ଶାଇ ପୁଷ୍କର ଏକପାଦ, ଦୁଇପାଦ ଓ ତିନିପାଦ ଥିବା ଲେଖାଥାଏ।
ତିଥି, ବାର ଓ ନକ୍ଷତ୍ରକୁ ନେଇ ତିନିପ୍ରକାର ପୁଷ୍କର ଦୋଷ ଲାଗେ। ତିନିଟି ତିଥି: ଦ୍ୱିତୀୟା, ସପ୍ତମୀ ବା ଦ୍ୱାଦଶୀରେ ମୃତ୍ୟୁ ହେଲେ ପୁଷ୍କର ଦୋଷ ଲାଗେ। ସେହିପରି, ବାର ମଧ୍ୟରୁ ତିନିଟି: ମଙ୍ଗଳ, ଶନି ଓ ରବିବାରରେ ମୃତ୍ୟୁ ହେଲେ ପୁଷ୍କର ଦୋଷ ଲାଗିଥାଏ। ନକ୍ଷତ୍ର ମଧ୍ୟରୁ ଛଅଟି: କୃତ୍ତିକା, ପୁନର୍ବସୁ, ଉତ୍ତର ଫାଲ୍ଗୁନୀ, ବିଶାଖା, ଉତ୍ତରାଷାଢ଼ା, ପୂର୍ବଭାଦ୍ର ନକ୍ଷତ୍ରରେ ମୃତ୍ୟୁ ହେଲେ ପୁଷ୍କରଦୋଷ ଲାଗିଥାଏ। ତିଥି, ବାର ଓ ନକ୍ଷତ୍ର ମଧ୍ୟରୁ କୌଣସି ଗୋଟିଏ ପୁଷ୍କର ଲାଗିଥିଲେ ପୁଷ୍କର ଏକପାଦ, ଦୁଇଟି ପୁଷ୍କର ଲାଗିଥିଲେ ଦୁଇପାଦ ଓ ତିନିଟି ପୁଷ୍କର ଲାଗିଥିଲେ ତିନିପାଦ ପୁଷ୍କର ଦୋଷ ହୁଏ।
ପୁଷ୍କର ଦୋଷର ପ୍ରତିକାର ପାଇଁ ବିଧିମୁତାବକ ଛାଗଘୃତରେ ପୁଷ୍କର ଶାନ୍ତି ହୋମ କରାଯାଏ। କୁହାଯାଏ, ବାର ଦୋଷରେ କୃଷିହାନି, ତିଥିଦୋଷରେ ଗୋହାନି ଓ ନକ୍ଷତ୍ର ଦୋଷରେ କୁଟୁମ୍ବହାନି ହୋଇଥାଏ। ଶାସ୍ତ୍ର ଅନୁସାରେ, ବାରଦୋଷର ପ୍ରତିକାରପାଇଁ ଭୂମିଦାନ, ତିଥିଦୋଷ ପାଇଁ ଅନ୍ନଦାନ ଓ ନକ୍ଷତ୍ରଦୋଷ ପାଇଁ ତିଳକାଞ୍ଚନ ଦାନ କରିବାକୁ ହୁଏ।
ତେବେ ପୁଷ୍କର କଥାଟି ସଂପୂର୍ଣ୍ଣ ଅଶୁଭ ନୁହେଁ। ପୁଷ୍କର ବୃଦ୍ଧିକାରକ ଯୋଗ। ଏହି ସମୟରେ ଶୁଭ କାର୍ଯ୍ୟ କଲେ ମଧ୍ୟ ଦ୍ୱିପୁଷ୍କର ବା ତ୍ରିପୁଷ୍କର ହିସାବରେ ତାହାର ଦୁଇଗୁଣା ବା ତିନିଗୁଣା ଫଳ ମିଳେ ବୋଲି ବିଶ୍ୱାସ କରାଯାଏ।
ପୁଷ୍କର ନାମରେ ସ୍ନାନଯୋଗ ମଧ୍ୟ ରହିଛି। ଗଙ୍ଗା, ଗୋଦାବରୀ, କୃଷ୍ଣା ଓ କାବେରୀ ନଦୀମାନଙ୍କରେ ଏହି ସ୍ନାନଯୋଗ ପଡ଼େ। ରବି ଓ ବୃହସ୍ପତି ମକର ରାଶିରେ ଥିବା ସମୟରେ ରବିବାର ଦିନ ପୂର୍ଣ୍ଣିମା ପଡ଼ିଲେ, ଗଙ୍ଗାରେ ପୁଷ୍କର ସ୍ନାନଯୋଗ, ସିଂହ ରାଶିରେ ଥାଇ ରବି ରାହୁସଂଯୁକ୍ତ ହେଲେ ଓ ଗୁରୁବାରରେ ପୂର୍ଣ୍ଣିମା ହେଲେ ଗୋଦାବରୀରେ ପୁଷ୍କର, ରବି ମେଷ ରାଶିରେ ବୃହସ୍ପତିଙ୍କ ସଙ୍ଗେ ସଂଯୁକ୍ତ ହେଲେ ଓ ସୋମବାର ଦିନ ଶୁକ୍ଳାଷ୍ଟମୀ ହେଲେ କାବେରୀରେ ପୁଷ୍କର, ରବି କର୍କଟ ରାଶିରେ ରାହୁ ସହିତ ମିଳିତ ହେଲେ ଯଦି ସୋମବାର ଦିନ ପୂର୍ଣ୍ଣିମା ବା ଅମାବାସ୍ୟା ହୁଏ ତେବେ କୃଷ୍ଣାରେ ପୁଷ୍କର ସ୍ନାନଯୋଗ ପଡ଼େ।
More Stories
ଅଷ୍ଟ ଦିଗପାଳଙ୍କର କଣ ରହିଛି ପ୍ରଭାବ
ପାନ ଖାଇଲେ ମିଳିଥାଏ ଏହି ସବୁ ସୁଫଳ..
ଏପରି ନାରୀ ଆଣି ଦିଅନ୍ତି ସୌଭାଗ୍ୟ..