The Topmost

“The eyes believe themselves, the ears believe other people.”

ଏଣ୍ଡୋମେଟ୍ରିଓସିସ୍‌ କଣ, କେମିତି ନେବେ ଯତ୍ନ

ଏଣ୍ଡୋମେଟ୍ରିଓସିସ୍‌ ହେଉଛି ଏଭଳି ଏକ ସ୍ତ୍ରୀରୋଗ ଯାହା ମହିଳାମାନଙ୍କୁ ଜୀବନ ତମାମ ଅସହ୍ୟ ତଳିପେଟ ଯନ୍ତ୍ରଣା ଦେଇଥାଏ। ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଏହି ରୋଗର ନିରୂପଣ ବିଳମ୍ବିତ ହେଉଥିବାରୁ ସେମାନଙ୍କ ଉପରେ ତାହାର ନକାରାତ୍ମକ ପ୍ରଭାବ ପଡୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନାନୁଯାୟୀ, ବିଶ୍ବର ପ୍ରାୟ ୧୦ ପ୍ରତିଶତ (ପ୍ରାୟ ୧୯ କୋଟି) ପ୍ରଜନନକ୍ଷମ ବୟସର ମହିଳା ଓ ବାଳିକା ଏହି ରୋଗରେ ପୀଡ଼ିତ। ଏହା ମହିଳାଙ୍କ ଋତୁସ୍ରାବ, ସମ୍ଭୋଗ, ଅନ୍ତନାଳୀ କ୍ରିୟା ଓ ପରିସ୍ରା ବେଳେ ଭୀଷଣ ପେଟ ଯନ୍ତ୍ରଣା ଦେଇଥାଏ। ପୀଡ଼ିତାମାନଙ୍କ ମଧ୍ୟରୁ ୩୦ରୁ ୫୦ ପ୍ରତିଶତଙ୍କ ଠାରେ ବନ୍ଧ୍ୟାଦୋଷ ମଧ୍ୟ ଦେଖାଦେଇଥାଏ। ମହିଳାଙ୍କର ମାସିକ ଋତୁଚକ୍ର ବେଳେ ତଳିପେଟରେ କିଛି ଜୀବକୋଷ ଏଣ୍ଡୋମେଟ୍ରିଆଲ୍‌ ତନ୍ତୁ ପରି ବଢ଼ିଥା’ନ୍ତି ଏବଂ ପରେ ଭାଙ୍ଗିଯାଇ ବାହାରକୁ ବାହାରି ନପାରିଲେ ସେଠି ରକ୍ତ ଝରାଇଥା’ନ୍ତି। ଋତୁସ୍ରାବ ବେଳେ ରକ୍ତ ବାହାରକୁ ନିଷ୍କାସିତ ହୋଇଥିବା ବେଳେ ଏହି ଏଣ୍ଡୋମେଟ୍ରିଓସିସ୍‌ ରକ୍ତ କିନ୍ତୁ ଭିତରେ ରହିଯାଇ ଜଳାପୋଡ଼ା କରିବା ସହ ଅନ୍ୟ ତନ୍ତୁକୁ ଫଟାଇଦେଇଥାଏ। ଏହା ହିଁ ଅସହ୍ୟ ଯନ୍ତ୍ରଣାର କାରଣ ହୋଇଥାଏ। ଏହାର କୌଣସି ଉପଚାର କି ନିରାକରଣ ନାହିଁ। କିନ୍ତୁ ଯନ୍ତ୍ରଣା ଓ ଅନ୍ୟାନ୍ୟ ଲକ୍ଷଣର ସୁପରିଚାଳନା ସମ୍ଭବ। ତେବେ ଆମ ଦେଶର ସାର୍ବଜନୀନ ସ୍ବାସ୍ଥ୍ୟସେବାରେ ଏଣ୍ଡୋମେଟ୍ରିଓସିସ୍‌ ପରି ରୋଗକୁ ଆଦୌ ପ୍ରାଧାନ୍ୟ ଦିଆଯାଇନାହିଁ।

ଦିଲ୍ଲୀ ସ୍ଥିତ ‘ଦି ଜର୍ଜ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ୍‌ ହେଲ୍‌ଥ ଇଣ୍ଡିଆ’, ଭାରତୀୟ ଭେଷଜ ଗବେଷଣା ପରିଷଦ ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ମିଳିତ ଭାବେ କରାଯାଇଥିବା ଏକ ଅନୁଧ୍ୟାନରୁ ଭାରତରେ ପ୍ରାୟ ୪.୩ କୋଟି ମହିଳା ଏହି ରୋଗରେ ଆକ୍ରାନ୍ତ ବୋଲି ଜଣାଯାଇଛି। ତେଣୁ ସରକାର ତାଙ୍କ ପ୍ରମୁଖ ସ୍ବାସ୍ଥ୍ୟ ବୀମା ଯୋଜନାରେ ଏହି ଦୁଃସାଧ୍ୟ ରୋଗକୁ ଅନ୍ତର୍ଭୁକ୍ତ କରିବା ଲାଗି ପରାମର୍ଶ କରାଯାଇଛି। ଏହି ରୋଗରେ କେବଳ ମହିଳା ପୀଡ଼ିତ ହେଉଥିଲେ ହେଁ ଏହା ମହିଳାଙ୍କ ସମେତ ତାଙ୍କ ପୁରୁଷ ସାଥୀଙ୍କ ଲାଗି ମଧ୍ୟ ମାନସିକ ଓ ଆର୍ଥିକ ଆହ୍ବାନ ସୃଷ୍ଟି କରିଥାଏ। ତେଣୁ ଏହି ରୋଗର ଆଗୁଆ ନିରୂପଣ କରିବା ସହ ତାହାକୁ ଜାତୀୟ ସ୍ବାସ୍ଥ୍ୟ ମିସନ ଅଧୀନ ପ୍ରଜନନ, ମାତୃତ୍ବ, ନବଜାତ, ଶିଶୁ ଓ କିଶୋର ସ୍ବାସ୍ଥ୍ୟ (ଆର୍‌ଏମ୍‌ଏନ୍‌ସିଏଚ୍‌+ଏ) ଯୋଜନାରେ ସାମିଲ କରିବା ଲାଗି ଆବଶ୍ୟକ ନିୟମାବଳୀ ଜାରି କରିବାକୁ ଗବେଷକମାନେ ସୁପାରିସ କରିଛନ୍ତି।