August 12, 2025

ଆଳୁ ସମସ୍ୟାକୁ ନେଇ କଣ କହିଲେ ମୋହନ ମାଝୀ

ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଖୁଚୁରା ବଜାରରେ ଆଳୁ ଦର କିଲୋଗ୍ରାମ୍ ପିଛା ୫୦ ଟଙ୍କାରେ ପହଞ୍ଚିଥିଲା। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ନ ଆସିବାରୁ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିବ ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ହେଲେ ଉତ୍ତରପ୍ରଦେଶରୁ ମଧ୍ୟ ଟ୍ରକ୍ ଆସି ନ ଥିଲା। ଫଳରେ ଦର ବଢିଚାଲିଥିଲା।

ଆଳୁ ଟ୍ରକ୍ ଆସିବା ସ୍ୱାଭାବିକ ହୋଇ ନଥିବାରୁ ଗୋଦାମ ଖାଲି ପଡିଥିଲା। ତେବେ ବର୍ତ୍ତମାନ ଆଳୁ ଦରରେ ପରିବର୍ତ୍ତନ ଆସିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ପୂର୍ବ ସରକାରରେ କୃତ୍ରିମ ସମସ୍ୟା ତିଆରି କରାଯାଇଥିଲା। ଆଳୁ ମିଶନ ନିଜ ସରକାରକୁ ବଞ୍ଚାଇବାକୁ କରିଥିଲେ।ଚାଷୀ ବଞ୍ଚାଇବା କାର୍ଯ୍ୟକ୍ରମ ପୂର୍ବ ସରକାର କରିନଥିଲେ। ଏବେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆସିଛି। ଏବେ ଆଳୁ ସମସ୍ୟା ସମାଧାନ ହୋଇଛି। ଭଲ କିସମର ଆଳୁ ଗବେଷଣା କରିବାକୁ OUATକୁ ଆହ୍ବାନ ଦିଆଯାଇଛି। ପିପିପି ମୋଡ୍‌ରେ ଶୀତଳ ଭଣ୍ଡାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

SHARE BY