ମେକ୍ ଇନ୍ ଓଡ଼ିଶାର ଚତୁର୍ଥ ସଂସ୍କରଣ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ମାଧ୍ୟମରେ ରାଜ୍ୟ ସରକାର ନିଜର ଧାର୍ଯ୍ୟ ଲକ୍ଷ୍ୟର ପ୍ରାୟ ଅଢ଼େଇଗୁଣ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି ହାସଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଶକଙ୍କ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ କରିବା ସହ ନିଜେ ଗ୍ୟାରେଣ୍ଟର ବି ହୋଇଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରି ନିବେଶକମାନେ ରାଜ୍ୟରେ ନିବେଶର ପରିମାଣକୁ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ନିବେଶ ସଂଗ୍ରହ ଟାର୍ଗେଟ୍ ୫ଲକ୍ଷ କୋଟି ଟଙ୍କା ଥିବାବେଳେ ମୋଟ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳିଛି । କିନ୍ତୁ ଓଡ଼ିଶାରେ ନିବେଶକଙ୍କ ସମ୍ମିଳନୀ ପାଇଁ ୨୦୧୬ ମସିହାରୁ ଚାଲି ଆସୁଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ବିଗତ ୩ଟି ସଂସ୍କରଣର ସଫଳତା ହାର ଏବେବି ଚିନ୍ତାଜନକ ରହିଛି । ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୮୪ଟି ପୁଞ୍ଜିନିବେଶର ସହମତି ପ୍ରସ୍ତାବ ଆସିଥିଲେ ମଧ୍ୟ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏଥିରୁ ମାତ୍ର ୪୩ ପ୍ରତିଶତ ପ୍ରସ୍ତାବ ହିଁ ଶିଳ୍ପାୟନରେ ରୂପାନ୍ତରିତ ହୋଇପାରିଛି । ଅର୍ଥାତ୍ ‘୨୦୧୬ ମେକ୍ ଇନ ଓଡ଼ିଶା’ରେ ରାଜ୍ୟ ସରକାର ସ୍ୱାକ୍ଷର କରିଥିବା ୫୭% ପ୍ରସ୍ତାବ ଏବେବି କାର୍ଯ୍ୟକ୍ଷମ ହୋଇପାରିନି । ବିଗତ ବିଜେଡି ସରକାରର ପ୍ରଚାରସର୍ବସ୍ୱ ନୀତି ହେଉ ଅବା ଆଶାନୁରୂପ ଇକୋସିଷ୍ଟମ ବିକଶିତ କରିବାର ବିଫଳତା ଅବା ଅନ୍ୟ କୌଣସି କାରଣରୁ ରାଜ୍ୟରେ ଶିଳ୍ପାୟନକୁ ଆଖିଦୃଶିଆ ସଫଳତା ମିଳିପାରି ନାହିଁ । ଯେଉଁଥିପାଇଁ ପ୍ରାକୃତିକ ସମ୍ପଦଭରା ଓଡ଼ିଶା ନିଜର ଶିଳ୍ପାୟନ ମାଧ୍ୟମରେ ବିକାଶର ଶିଖରକୁ ଛୁଇଁବା ମଧ୍ୟ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନଥିବା ଜଣାପଡ଼ିଛି ।
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫
‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା’ କନକ୍ଳେଭର ସଫଳତାକୁ ନେଇ ବେଶ୍ ଉତ୍ସାହିତ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି କନକ୍ଲେଭ ମାଧ୍ୟମରେ ମୋଟ ୨୦ଟି କ୍ଷେତ୍ରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହାଦ୍ୱାରା ୧୨.୮୮ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏଥି ମଧ୍ୟରୁ ମୋଟ ୧୨.୮୯ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ୧୪୫ଟି ଏମଓୟୁ(ରାଜିନାମା) ଓ ଏହାଦ୍ୱାରା ୮.୯୪ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ଏହି ଏମଓୟୁକୁ ବାଦ୍ ଦେଲେ ୩.୮୪ଲକ୍ଷ କୋଟି ଟଙ୍କାର ମୋଟ ୪୪୮ଟି ପୁଞ୍ଜିନିବେଶ ସହମତି ଫର୍ମ ମଧ୍ୟ ମିଳିଛି । ଏହାଦ୍ୱାରା ଆଉ ୩.୯୨ଲ୪ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି । ୧୬ଟି ରାଷ୍ଟ୍ରପତି ପ୍ରତିନିଧିମାନେ ଏହି କନକ୍ଲେଭରେ ଯୋଗ ଦେଇଥିଲେ । ଏହାଦ୍ୱାରା ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ତାଙ୍କର ଗ୍ୟାରେଣ୍ଟି-ମୋଦି ଗ୍ୟାରେଣ୍ଟି ଦେଇଥିଲେ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାକୁ ଏକ ଗ୍ରୋଥ୍ ଇଞ୍ଜିନ କରିବା ପାଇଁ ସେ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦେଶର ଶ୍ରେଷ୍ଠ ୫ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବା ପାଇଁ ଆମର ସଂକଳ୍ପର ନିକଟତର ଓଡ଼ିଶା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ପୂର୍ବରୁ ଏହି କନକ୍ଲେଭ ମାଧ୍ୟମରେ ୫ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ପାଇଁ ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ । ରାଜ୍ୟରେ ବିଜେପି ସରକାର ନେତୃତ୍ୱରେ ଏହା ପ୍ରଥମ ନିବେଶକ ସମ୍ମିଳନୀ । ମେକ୍ ଇନ୍ ଓଡ଼ିଶାର ୨୦୧୬, ୨୦୧୮ ଓ ୨୦୨୨ ସଂସ୍କରଣ ତତକାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ନେତୃତ୍ୱରେ ହୋଇଥିଲା । ଗୁଜୁରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ନିବେଶକ ସମ୍ମିଳନୀ କରି ନିବେଶକଙ୍କ ଧ୍ୟାନ ଆକୃଷ୍ଟ କରିବା ପରେ ତତକାଳୀନ ବିଜେଡି ସରକାର ଏଭଳି ନୀତି ଆପଣାଇଥିଲେ ।
ବିଗତ ୩ଟି ସଂସ୍କରଣରେ ନିବେଶର ପ୍ରତିଶ୍ରୁତି
ଶିଳ୍ପ ବିଭାଗର ତଥ୍ୟ ଅନୁସାରେ, ମେକ୍ ଇନ୍ ଓଡ଼ିଶା ୨୦୧୬, ୨୦୧୮ ଓ ୨୦୨୨ କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ମୋଟ ୧୬ଲକ୍ଷ ୭୫ହଜାର ୧୫୭କୋଟି ଟଙ୍କାର ୧୦୨୭ଟି ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା । ଏହି ନିବେଶ ଦ୍ୱାରା ରାଜ୍ୟରେ ମୋଟ ୧୭.୬୭ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୦୧୬ ମେକ୍ ଇନ୍ ଓଡ଼ିଶାରେ ୮୪ଟି ନିବେଶ ପ୍ରସ୍ତାବ ମିଳିଥିଲା । ଯେଉଁଥିରେ ୨.୦୩ଲକ୍ଷ କୋଟି ଟଙ୍କାର ନିବେଶର ପ୍ରତିଶ୍ରୁତି ସହ ୧ଲକ୍ଷ ୩୭ହଜାର ୬୩୪ଜଣଙ୍କୁ ନିଯୁକ୍ତି ସୁଯୋଗର ସମ୍ଭାବନା ଥିଲା । ସେହିପରି ୨୦୧୮ ସଂସ୍କରଣରେ ୨୦୨ଟି ନିବେଶ ପ୍ରସ୍ତାବ ମାଧ୍ୟମରେ ୪.୨୩ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିଲା । ୫ଲକ୍ଷ ୯୧ହଜାର ୮୪୭ଜଣଙ୍କୁ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଥିଲା । ୨୦୨୨ ସଂସ୍କରଣରେ ୭୪୧ଟି ନିବେଶ ପ୍ରସ୍ତାବ ମାଧ୍ୟମରେ ୧୦.୪୮ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିଲା । ଯାହାକି ରାଜ୍ୟରେ ଅତିରିକ୍ତ ୧୦.୩୭ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
୩ଟି ସଂସ୍କରଣର ଆୟୋଜନ ବାବଦ ଖର୍ଚ୍ଚ
ପ୍ରଥମଥର ପାଇଁ ଓଡ଼ିଶାରେ ୨୦୧୬ ମସିହାରେ ନଭେମ୍ବର ୩୦ରୁ ଡିସେମ୍ବର ୨ ତାରିଖ ମଧ୍ୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ଆୟୋଜନ ହୋଇଥିଲା ଓ ଏବାବଦରେ ୨୧କୋଟି ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୧୮ ସଂସ୍କରଣରେ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ୩୨କୋଟି ୬୨ଲକ୍ଷ ୭୨ହଜାର ୫୬୩ଟଙ୍କା ଖର୍ଚ୍ଚ ହୋଇଥିଲା ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ମଧ୍ୟରେ ଆୟୋଜନ ହୋଇଥିଲା ଓ ଏବାବଦରେ ୫୭.୭୩କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚ ମଧ୍ୟରେ ଦେଶବିଦେଶରେ ରୋଡ୍ ଶୋ’ ବାବଦରେ ହୋଇଥିବା ଖର୍ଚ୍ଚ ମଧ୍ୟ ସାମିଲ ରହିଛି । ଚଳିତଥର ଏହି ଖର୍ଚ୍ଚ ୧୦୦କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି ।
ମେକ୍ ଇନ୍ ଓଡ଼ିଶାର ସଫଳତା ହାର
ରାଜ୍ୟରେ ପୁଞ୍ଜିନିବେଶ ମାଧ୍ୟମରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରି ଆର୍ଥିକ ବିକାଶର ଶିଖରକୁ ଛୁଇଁବା ଉଦ୍ଦେଶ୍ୟରେ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ଆୟୋଜନ ୨୦୧୬ ମସିହାରୁ ଓଡ଼ିଶା ସରକାର କରୁଛନ୍ତି । ବିଗତ ୩ଟି ସଂସ୍କରଣରେ ମିଳିଥିବା ୧୦୨୭ଟି ନିବେଶ ପ୍ରସ୍ତାବ ମଧ୍ୟରୁ ମାତ୍ର ୨୨୦ଟି ପ୍ରସ୍ତାବ ଏବେ ବାସ୍ତବ ରୂପ ନେଇଛି ଓ ବିଭିନ୍ନ ଜିଲ୍ଲାରେ ଏହି ୨୨୦ଟି ଶିଳ୍ପ ସ୍ଥାପନ ହୋଇ ଆଂଶିକ ଅବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି । ମାତ୍ର ୨୦୧୬ କନ୍କ୍ଲେଭରେ ମିଳିଥିବା ୮୪ଟି ନିବେଶ ପ୍ରସ୍ତାବ ମଧ୍ୟରୁ ଏବେସୁଦ୍ଧା ୩୬ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି । ଅର୍ଥାତ୍ ମାତ୍ର ୪୨.୮୫% ନିବେଶ ପ୍ରସ୍ତାବ ବାସ୍ତବ ରୂପ ନେଇପାରିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ସେହିସବୁ ସଂସ୍ଥା ନିଜର କଳେବର ବଢ଼ାଇଛନ୍ତି । ଆଉ ନିବେଶ ପରିମାଣ ୨୦୧୬ ମେକ୍ ଇନ୍ ଓଡ଼ିଶାରେ ମିଳିଥିବା ପ୍ରତିଶ୍ରୁତିଠୁ ବି ଅଧିକ ହୋଇଛି । ଏହି କାର୍ଯ୍ୟକ୍ଷମ ହୋଇସାରିଥିବା ୩୬ଟି ନିବେଶ ପ୍ରସ୍ତାବ ମାଧ୍ୟମରେ ରାଜ୍ୟରେ ୨.୧୭ଲକ୍ଷ କୋଟି ଟଙ୍କା ନିବେଶ ସହ ୯୦୨୬୮ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ସେହିପରି ୨୦୧୮ କନକ୍ଲେଭରେ ମିଳିଥିବା ୨୦୨ଟି ନିବେଶ ପ୍ରସ୍ତାବ ମଧ୍ୟରୁ ପ୍ରାୟ ୩୬% ଅର୍ଥାତ୍ ୭୩ଟି ପ୍ରସ୍ତାବ ଏବେସୁଦ୍ଧା ଶିଳ୍ପର ରୂପ ନେଇସାରିଛି । ୨.୯୨ଲକ୍ଷ କୋଟି ଟଙ୍କାର ନିବେଶ ସହ ୨ଲକ୍ଷ ୩୩ହଜାର ୭୨ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରିଛି । ସେହିପରି କରେନା ଯୋଗୁ ୨୦୨୦ ମସିହାର କନକ୍ଲେଭକୁ ବାତିଲ କରାଯାଇଥିଲା ଓ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୋଟ ୭୪୧ଟି ନିବେଶ ପ୍ରସ୍ତାବ ମଧ୍ୟରୁ ମାତ୍ର ୧୧୧ଟି ନିବେଶ ପ୍ରସ୍ତାବ ଏବେ ସଫଳ ରୂପ ନେଇଛି । ବିଭିନ୍ନ ଜିଲ୍ଲାରେ ୪.୧୦ଲକ୍ଷ କୋଟି ଟଙ୍କାର ନିବେଶ ମାଧ୍ୟମରେ ଏହି ୧୧୧ଟି ଶିଳ୍ପ ସ୍ଥାପନ ହୋଇ ୧ଲକ୍ଷ ୯୧ହଜାର ୩୩୧ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ôଏହି ୩ଟି ସଂସ୍କରଣରେ ମିଳିଥିବା ମୋଟ ୧୦୨୭ଟି ନିବେଶ ପ୍ରସ୍ତାବ ସେଥିରୁ ମାତ୍ର ୨୨୦ଟି ପ୍ରସ୍ତାବ ବାସ୍ତବ ରୂପ ନେଇଛି ଓ ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରକଳ୍ପ ଆଂଶିକ ଅବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇସାରିଛି । ବାକି ୮୦୭ଟି ନିବେଶ ପ୍ରସ୍ତାବ ଏବେବି ସରକାରୀ ଫାଇଲ ମଧ୍ୟରେ ସୀମିତ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଥିବା ଏହି ୨୨୦ଟି ଶିଳ୍ପ ପ୍ରକଳ୍ପ ଯୋଗୁ ରାଜ୍ୟରେ ୫ଲକ୍ଷ ୧୪ହଜାର ୬୭୧ଟି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିଛି । ଅବଶ୍ୟ ଏସବୁ ନିଯୁକ୍ତିରେ ଓଡ଼ିଶାର ପିଲାମାନଙ୍କ ଭାଗିଦାରୀ କେତେ ରହିଛି, ତାହା ଏବେବି କୋଟିଏ ଟଙ୍କାର ପ୍ରଶ୍ନ ।
ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅନୁମୋଦନ
ମେକ୍ ଇନ୍ ଓଡ଼ିଶାର ୩ଟି ସଂସ୍କରଣରେ ମିଳିଥିବା ୧୦୨୭ଟି ନିବେଶ ସହମତି ପ୍ରସ୍ତାବ ମଧ୍ୟରୁ ୨୦୧୬ ସଂସ୍କରଣର ୫୮ଟି, ୨୦୧୮ ସଂସ୍କରଣର ୧୦୯ଟି ଓ ୨୦୨୨ ସଂସ୍କରଣର ୪୯୨ଟି ପ୍ରସ୍ତାବ(୨୦୨୪ ନଭେମ୍ବର ସୁଦ୍ଧା)କୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । ତେବେ ରାଜ୍ୟରେ ବୃହତ୍ତ ଶିଳ୍ପ ସ୍ଥାପନକୁ ସରଳ ଓ ତ୍ୱରିତ୍ ପଦକ୍ଷେପ ନେବା ପାଇଁ ୨୦୦୨ ମସିହାରୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ପ୍ରଣାଳୀ କାର୍ଯ୍ୟକରୁଛି । ୨୦୦୨ରୁ ୨୦୧୫ ମସିହା ମଧ୍ୟରେ ମାତ୍ର ୨୯୧ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ଅନୁମୋଦନ ମିଳିଥିଲା । ୨୦୦୨ ମସିହାରୁ ୨୦୨୩ ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟରେ ମୋଟ ୨୦.୭୧କୋଟି ଟଙ୍କାର ୮୦୮ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅନୁମୋଦନ ମିଳିଛି । ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର(୨୦୨୪ ନଭେମ୍ବର ୮ତାରିଖ ସୁଦ୍ଧା) ବିଭିନ୍ନ ସଂସ୍ଥା ସହ ଶିଳ୍ପ ସ୍ଥାପନ ନିମନ୍ତେ ମୋଟ ୭୯୧ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି । ସେହିପରି ଏମଓୟୁ ସ୍ୱାକ୍ଷର କରିଥିବା ଶିଳ୍ପ ସଂସ୍ଥା ମଧ୍ୟରୁ ମୋଟ ୪୦ଟି ପ୍ରକଳ୍ପକୁ ରାଜ୍ୟ ସରକାର ବିଗତ ୧୦ବର୍ଷ ମଧ୍ୟରେ ୬୪୨୧.୫୧୪ ଏକର ଜମି ଦେଇଛନ୍ତି । ଯେଉଁଥିରେ ୧୯୦୯.୫୨୫ ଏକର ସରକାରୀ ଓ ୪୫୧୧.୯୮୯ ଏକର ଘରୋଇ ଜମି ।
ଏମଓୟୁ କଲେ, ଓହରି ବି ଗଲେ
ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ଆଗ୍ରହ ବ୍ୟକ୍ତ କରି ରାଜ୍ୟ ସରକାରଙ୍କ ସଙ୍ଗେ ୨୦୦୪ ମସିହାରୁ ୨୦୧୦ ମସିହା ମଧ୍ୟରେ ଏମଓୟୁ ସ୍ୱାକ୍ଷର କରିଥିବା ୧୩ଟି ଶିଳ୍ପ ସଂସ୍ଥା ପ୍ରକଳ୍ପ ନକରି ଓହରି ଯାଇଛନ୍ତି । ସେଥିରେ କେନ୍ଦୁଝରରେ ୪୦ହଜାର କୋଟି ଟଙ୍କା ବ୍ୟୟରେ ମେଗା ଷ୍ଟିଲ ପ୍ଲାଂଟ ପାଇଁ ଏମଓୟୁ କରିଥିବା ଆର୍ସେଲର ମିତ୍ତଲ ସମେତ ପସ୍କୋ, ମହାରାଷ୍ଟ୍ର ସିମଲେସ, ଷ୍ଟେରଲାଇଟ୍ ଇଣ୍ଡଷ୍ଟ୍ରିଜ, ଅନୁଗୁଳ ଏନର୍ଜି, ଟାଟା ପାୱାର, ଜେଆର ପାୱାରଜେନ୍ , ଆରତୀ ଷ୍ଟିଲ, କଳିଙ୍ଗ ଏନର୍ଜିଂ ଆଣ୍ଡ ପାୱାର, ଆରଏସବି ମେଟାଲିକ୍ସ, ବିଜିଆର ଏନର୍ଜି ସିଷ୍ଟମ, ଚମ୍ବଲ ଇନଫ୍ରାଷ୍ଟକଚର ଆଣ୍ଡ ଭେଂଚର, ସିଇଏସସି ଲିଃ ରହିଛନ୍ତି । ପ୍ରକଳ୍ପ ନକରି ଓହରି ଯାଇଥିବା ସଂସ୍ଥା ମଧ୍ୟରେ ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ୫୧ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ ଜଗତସିଂହପୁର ଜିଲ୍ଲାରେ କରିବାକୁ ଚୁକ୍ତିବଦ୍ଧ ହୋଇଥିଇା । ତତକାଳୀନ ବିଜେଡି ସରକାର ଏସବୁ ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ଅନୁକୂଳ ଇକୋସିଷ୍ଟମ ବିକଶିତ କରିବାରେ ବିଫଳ ହେବା ସହ ସ୍ଥାନୀୟ ସମସ୍ୟାକୁ ଅଣଦେଖା କରିବା ଫଳରେ ସେମାନେ ଓଡ଼ିଶା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଅବଶ୍ୟ ଏବେ ବିଦେଶୀ ନିବେଶକମାନେ ଓଡ଼ିଶା ପ୍ରତି ଆଗ୍ରହ ବ୍ୟକ୍ତ କରିଛନ୍ତି । ଆର୍ସେଲର ମିତ୍ତଲ ଓ ପସ୍କୋ ଭଳି କମ୍ପାନୀ ପୁଣିଥରେ ଓଡ଼ିଶା ମୁହାଁ ହୋଇଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ନିବେଶ ପାଇଁ ନିବେଶକଙ୍କୁ ଆହ୍ୱାନ ଦେବା ସହ ନିଜେ ଗ୍ୟାରେଣ୍ଟର ସାଜିଛନ୍ତି । ଯାହା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ସକ୍ଷମ ହୋଇଛି ।
ବିରୋଧୀ ବିଜେଡି- ଶାସକ ବିଜେପି ମୁହାଁମୁହିଁ
ରାଜ୍ୟରେ ଦେଶବିଦେଶର ନିବେଶକମାନଙ୍କ ଉପସ୍ଥିତିରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ ଚାଲିଥିବାବେଳେ ବିରୋଧୀ ବିଜେଡି ନିଜର ରାଜନୀତି ଆରମ୍ଭ କରିଛି । ରାଜ୍ୟର ସ୍ୱାର୍ଥ ଓ ସମ୍ମାନକୁ ଭୁଲି ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭକୁ ସମାଲୋଚନା କରିଛିି । ଦଳର ବିଧାୟକ ତଥା ପୂର୍ବତନ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଉତ୍କଷ ଓଡ଼ିଶା ନାମ ପରିବର୍ତ୍ତନ କରିଦେଲେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆସିଯିବ ନାହିଁ । ପୂର୍ବ ସରକାର(ବିଜେଡି ଶାସନ) ସମୟରେ ୧୬ଲକ୍ଷ କୋଟିରୁ ଅଧକ ବିଦେଶୀ ନିବେଶ ଓଡ଼ିଶା ସହିତ ଯୋଡ଼ି ହୋଇଥିଲା । ଯେଉଁଥିରୁ ୩୪ପ୍ରତିଶତ ଗ୍ରାଉଣ୍ଡିଂ ହୋଇସାରିଥିବାବେଳେ ୧୭ ପ୍ରତିଶତ ଗ୍ରାଉଣ୍ଡିଂ ହେବାକୁ ଯାଉଛି । ସବୁ ଦୃଷ୍ଟିରୁ ଦେଖିଲେ ବିଗତ ୭ମାସ ମଧ୍ୟରେ ବିଜେପି ସରକାର ରାଜ୍ୟରେ ନୂଆ ଶିଳ୍ପ ଆଣିବା ପାଇଁ କିଛି ବି ସର୍ଭେ କରନିାହାନ୍ତି । ଉତ୍କର୍ଷ ଓଡ଼ିଶା ନାଁରେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ ଡାକି ଯାହା କରିଛନ୍ତି ତାହା ପୂର୍ବରୁ ହୋଇସାରିଛି । ବିଜେଡି ସରକାର ସମୟରେ ୩ଲକ୍ଷ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି । ନୂଆ ସରକାରରେ ଜଣେବି ପାଇନାହାନ୍ତି । ନୂଆ ସରକାର ରାଜ୍ୟରେ ଗୋଟିଏ ବି ଶିଳ୍ପ ନୀତିରେ ପରିବର୍ତ୍ତନ ଆଣିପାରିନାହାନ୍ତି ବୋଲି କହି କଟାକ୍ଷ କରିଛନ୍ତି ।
ଅନ୍ୟପକ୍ଷରେ ତାଙ୍କୁ ପାଲଟା ଜବାବ ଦେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ଉତ୍କର୍ଷ ଓଡ଼ିଶାର ସଫଳ ଆୟୋଜନ ଓ ନୂଆ ସରକାରଙ୍କ ୭ମାସର ସଫଳତାକୁ ଦେଖି ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ତାଙ୍କ ସମୟରେ ଶିଳ୍ପ ଫେରୁଥିଲା କିନ୍ତୁ ନୂଆ ସରକାର ଯେତିକି ଟାର୍ଗେଟ୍ ରଖିଥିଲେ ତା’ଠୁ ଢ଼େର ଅଧିକ ନିବେଶ ମିଳିଛି
More Stories
ଲିଙ୍ଗରାଜ ଜମି ପୁନରୁର୍ଦ୍ଧାର ରରେ ଘୋଟାଲା
ସୁଭଦ୍ରା ଋଣ ନେଇ ବଡ ଘୋଷଣା
8.94 ଲକ୍ଷ ନିଯୁକ୍ତି ସୁଯୋଗ ଆଣିଲା ଉତ୍କର୍ସ ଓଡିଶା