The Topmost

“The eyes believe themselves, the ears believe other people.”

ଆଉ ନାହାଁନ୍ତି ଉତ୍ତମ..

 ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କର ପରଲୋକ ନେଇ ତାଙ୍କର ଘନିଷ୍ଠ ସଂପର୍କୀୟଙ୍କ ସୂତ୍ରରୁ ଏହି ସୂଚନା ମିଳିଛି।

ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଛି ଦିନ ପୂର୍ବରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କର  ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କିଛିଦି ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ତମ ମହାନ୍ତି ଏକ ଜଣାଶୁଣା ନାମ। ସେ ୧୯୫୮ ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ବାରିପଦାରେ ହିଁ ତାଙ୍କର ହାଇସ୍କୁଲ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ହୋଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ସେ ବିବାହ କରିଥିବା ବେଳେ ଏକମାତ୍ର ପୁଅ ବାବୁସାନ ହେଉଛନ୍ତି ଜଣେ ସଫଳ ଅଭିନେତା।  ଉତ୍ତମ ମହାନ୍ତି ୧୯୭୭ ମସିହାରେ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ। ୧୯୭୮ରେ କବି ସମ୍ରାଟ ଭଂଜ, ପତିପତ୍ନୀ, ଶଙ୍ଖମହୁରୀ ମାଧ୍ୟମରେ ଆଗକୁ ବଢ଼ିଥିଲେ।

ତେବେ ଉତ୍ତମ ମହାନ୍ତିଙ୍କର ପରଲୋକ ଖବର ଶୁଣି ଅନେକ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କଳାକାର, ଦର୍ଶକ ଓ ପ୍ରଶଂସକ ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଅଭିନେତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି। ସେହିପରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

SHARE BY