ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହୋଇଛି। ଗଞ୍ଜାମର ଆସ୍କାଠାରୁ କଟକ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି। ସୋମବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିପାରେ। ବଙ୍ଗୋପସାଗରୀୟ ପବନ ସହ ଉତ୍ତର ଭାରତରୁ ଆସୁଥିବା ଶୁଷ୍କ ପବନ ମିଶିବାରୁ ବାୟୁମଣ୍ଡଳ ଅସ୍ଥିର ହେବା ସହ ବର୍ଷା ହେଉଛି।
ମଙ୍ଗଳବାରଠାରୁ ଏହି ବର୍ଷା ଛତିଶଗଡ଼କୁ ମୁହାଁଇବ। ଆସନ୍ତା ୧୨ ତାରିଖ ବେଳକୁ ପବନର ଦିଗ ପରିବର୍ତ୍ତନ ହେତୁ ଉତ୍ତର-ପଶ୍ଚିମ ଭାରତରୁ ପବନ ବହିବ। ଉପକୂଳ ସହ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ କମିବ। ତେବେ ସର୍ବାଧିକ ତାପମାତ୍ରା କମିବ ନାହିଁ। ଗୁଳୁଗୁଳି କମିବ। ୧୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗର ନିଷ୍କ୍ରିୟ ରହିବା ସହ କୌଣସି ସିଷ୍ଟମର ସଙ୍କେତ ମିଳୁ ନାହିଁ। ୯ ତାରିଖ ବେଳକୁ ତାମିଲନାଡ଼ୁ ନିକଟସ୍ଥ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରୁ କେରଳ ନିକଟସ୍ଥ ଦକ୍ଷିଣ-ପୂର୍ବ ଆରବସାଗର ପର୍ଯ୍ୟନ୍ତ ଏକ ବିସ୍ତିର୍ଣ୍ଣ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ଦୁଇ ଦିନରେ ଦକ୍ଷିଣ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ଆଡ଼କୁ ମୁହାଁଇ ୧୪ ତାରିଖରେ ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ୧୬ କିମ୍ବା ୧୭ ତାରିଖ ବେଳକୁ ଏହି ସିଷ୍ଟମର ପବନ ଆସି ରାଜ୍ୟରେ କିଛି ବର୍ଷା କରାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଜି ଦିନରେ କଟକ ସର୍ବାଧିକ ୨୬.୨ ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୦.୬, କେନ୍ଦୁଝରରେ ୧୦.୬, ଭୁବନେଶ୍ବରରେ ୧୦.୪, ବାରିପଦାରେ ୪.୨, ଦାରିଙ୍ଗବାଡ଼ିରେ ୪ ମିମି ବର୍ଷା ହୋଇଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୪୪ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୨, ମୟୂରଭଞ୍ଜ ଜିଲ୍ଲାର ଜିବି ନଗରରେ ୨୮, ଗଜପତି ଜିଲ୍ଲାର ଗୁମ୍ମାରେ ୨୫ ମିମି ବର୍ଷା ରେକର୍ଡ କରାଯାଇଥିଲା।
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା