The Topmost

“The eyes believe themselves, the ears believe other people.”

କଣ ରହିଛି ଶ୍ରୀମନ୍ଦିର ବାଇଶି ପାହାଚର ଲକ୍ଷଣ

ଶ୍ରୀମନ୍ଦିରର ଅନେକ ଏମିତି କଥା ଅଛି ଯାହା ଏବେବି ସାଧାରଣ ଲୋକଙ୍କ ପାଖରେ ଅଛପା ଅଛି । ଅନେକ ଏମିତି ଅଲୌକିକ ଲୋକ କଥା ତଥା ତଥ୍ୟ ଅଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଅନେକ ଅଲୌକିକ ତଥା ଆଶ୍ଚର୍ଯ୍ୟ କଥାବସ୍ତୁ ମଧ୍ୟରୁ ବାଇଶି ପାହାଚ ଅଜଣା ରହସ୍ୟ ବିଷୟରେ ଆଲୋଚନା କରିବା ।

ଶ୍ରୀମନ୍ଦିର ପ୍ରବେଶ ଦ୍ଵାରରୁ ଅର୍ଥାତ୍ ବାହାର ସିଂହ ଦ୍ଵାରରୁ ଭିତର ସିଂହ ଦ୍ଵାର ପର୍ଯ୍ୟନ୍ତ ଥିବା ପାହଚକୁ ବାଇଶି ପାହାଚ କୁହାଯାଏ ।

ବଉଳମାଳା ପାହାଡର ମାଙ୍କଡା ପଥରରେ ନିର୍ମିତ ଏହି ପାହାଚର ଅନେକ କିମ୍ବଦନ୍ତୀ ପ୍ରଚଳିତ । ଅନେକ ବୁଦ୍ଧିଜୀବୀଙ୍କ ମତରେ ବାଇଶି ପାହାଚରେ ନିଜ ସନ୍ତାନମାନଙ୍କୁ ଗଢାଇଲେ ପାହାଚରେ ଥିବା ପବିତ୍ର ଧୂଳି ଦେହରେ ବାଜିଲେ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଥାଏ । ତେବେ ଏହା ମଧ୍ଯ କିମ୍ବଦନ୍ତୀ ରହିଚି କି ରାଜା ଭାନୁଦେବ ଜମ୍ବେଶ୍ଵରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତେ ଏହି ବାଇଶି ପାହାଚ ଦେଇ ଯାଇଥାନ୍ତି । ମହାପ୍ରଭୁ ମଧ୍ୟ ଏଇ ପାହାଚ ଅତିକ୍ରମ କରି ଭକ୍ତମାନଙ୍କୁ ରଥ ଉପରେ ଦର୍ଶନ ଦେବାପାଇଁ ଆସିଥାନ୍ତି । ତେଣୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯୋଗସୂତ୍ର ସାଜିଛି ଏହି ବାଇଶି ପାହାଚ ।

ପତିତପାବନ ଅତିକ୍ରମ କଲା ପରେ ବାଇଶି ପାହାଚରେ ଏକ କଳା ପଥର ଅଛି ଯାହାକୁ ଯମଶିଳା କହନ୍ତି । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ଵାସ ରହିଛି । ଅନ୍ୟପଟେ ଏହି ଶିଳାକୁ କୁଦିକରି ଗଲେ ସମସ୍ତ ପାପ ସେହି ଶିଳାରେ ରହିଯାଏ ଫଳରେ ନିର୍ମଳ ଓ ନିଷ୍ପାପ ଜଗା ଦର୍ଶନ ହୋଇଥାଏ । ଫେରିଲା ବେଳେ ସେହି ଶିଳାକୁ ନ ଛୁଇଁ ଆସିଗଲେ ପାପ ସବୁ ସେହି ଶିଳାରେ ରହିଯାଇଥାଏ ବୋଲି ଅନେକଙ୍କ ବିଶ୍ଵାସ ଅଛି ।

ଶ୍ରୀମନ୍ଦିର ବାଇଶି ପାହାଚ ପ୍ରକୃତରେ ୨୦ଟି ପାହାଚ ବିଶିଷ୍ଟ । ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି । ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ଵନାଥ ମନ୍ଦିର ରହିଛି ।

ବାଇଶି ପାହାଚର ନାମ କରଣ ଉପରେ ଅନେକ ପ୍ରଚଳିତ ବିଶ୍ଵାସ ରହିଛି, ଯଥା:-

# କେତେକଙ୍କ ମତରେ ଦଶ ଅବତାର ଗୁଡ଼ିକର ଗୋଡ଼ ସଂଖ୍ୟା ମିଶି ବାଇଶି ହୋଇଥିବାରୁ ସେହି ଅନୁସାରେ ବାଇଶି ପାହାଚ ହୋଇଛି।*

# ପରଂବ୍ରହ୍ନ ହିରଣ୍ୟ ଗର୍ଭରେ ପଦ୍ମାସନରେ ଥାଆନ୍ତି । ଏହି ରତ୍ନବେଦୀ ନିକଟକୁ ଯିବାକୁ ହେଲେ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ ଦେଇ ଯିବାକୁ ହୁଏ । ଅଷ୍ଟ ବୈକୁଣ୍ଠ ଯଥା- ଶ୍ରୀବୈକୁଣ୍ଠ, କୈବଲ୍ୟ ବୈକୁଣ୍ଠ, କାରଣାର୍ଣ୍ଣବ ବୈକୁଣ୍ଠ, ଶେଷଶାୟୀ ବୈକୁଣ୍ଠ, ଶ୍ଵେତଦୀପ ବୈକୁଣ୍ଠ, ପରବେଶ୍ୟାମ ବୈକୁଣ୍ଠ, ଗଭୌଦକ ଶାୟୀ ବୈକୁଣ୍ଠ ଓ କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନରେ ଚଉଦ ଭୁବନ ବିଦ୍ୟମାନ । ଚଉଦ ଭୁବନ ମଧରେ ସପ୍ତ ଭୁବନ ମର୍ତ୍ତ୍ୟରେ ଓ ସପ୍ତଭୁବନ ପାତାଳରେ ଭୁମ୍ଫା, ଭୁବ, ସ୍ଵା, ମହ, ଜନ, ତପ ଓ ସତ୍ୟ ଏବଂ ସପ୍ତ ପାତାଳ ହେଉଛି ଅତଳ, ସ୍ଵତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ । ତେଣୁ ଅଷ୍ଟ ବୈକୁଣ୍ଠ ଓ ଚଉଦ ଭୁବନ (ସପ୍ତ ମର୍ତ୍ତ୍ୟ ଓ ସପ୍ତ ପାତାଳ) ମିଶି ବାଇଶି ଯାହାକି ବାଇଶି ପାହାଚର ପ୍ରତୀକ ରୂପେ ସୂଚିତ ହୋଇଛି ।

ଭାଗବତ ହେଉଛି ଜଗନାଥଙ୍କ ହୃଦୟର ଭାଷା ସ୍ଵରୂପ । ଏହା ଦ୍ଵାଦଶ (୧୨) ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, କମଳା ଓ ଭୁବନେଶ୍ଵରୀ । ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ ମିଶି ବାଇଶି ସଂଖ୍ୟା ହେଉଛି ବାଇଶି ପାହାଚର ପ୍ରତିଫଳନ ।

ପଞ୍ଚମାତ୍ରା, ପଞ୍ଚଭୂତ, ପଞ୍ଚବୀଜ, ପଞ୍ଚଦେବଙ୍କ ସହିତ ଜୀବ ଓ ପରମ ଦୁଇ ମିଶି ବାଇଶି, ଏହାର ପ୍ରତୀକାମୂକ ହେଉଛି ବାଇଶି ପାହାଚ ।

ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି । ଯାହାକି ବାଇଶି ପାହାଚରେ ପ୍ରତିଫଳିତ ରୂପେ କେତେକ କହନ୍ତି । ତେଣୁ ବାଇଶି ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ଵପୂର୍ଣ୍ଣ ଓ ରହସ୍ୟମୟ ।