The Topmost

“The eyes believe themselves, the ears believe other people.”

ମେଟ୍ରୋ ପ୍ରକଳ୍ପ ପାଇଁ ଗଛକଟା ଅଭିଯାନ

ରାସ୍ତାକଡ଼ରେ ଆଉ ମିଳିବନି ଗଛ ଛାଇ। ଟ୍ରାଫିକ୍‌ ପୋଷ୍ଟରେ ଖରାରେ ଠିଆ ହେବେ ପଥଚାରୀ। ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନାଁରେ ରାଜଧାନୀରେ ମନଇଚ୍ଛା ଗଛ କାଟାଯାଉଛି। ପ୍ରଥମେ ବିଭିନ୍ନ ରାସ୍ତା ଓ ପରେ ବିଧାୟକ କଲୋନୀ ପାଇଁ ହଜାର ହଜାର ଗଛ ବଳି ପଡ଼ିଥିଲା। ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ରାଜଧାନୀରୁ ଛାଇ ହଜାଇ ଦେବା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି।

ଭୁବେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଗଡ଼ିବ। ତେଣୁ ଏହି ରାସ୍ତାର ଉଭୟ ପାର୍ଶ୍ବ‌ରେ ଥିବା ଗଛ କଟାଯିବ। କେବଳ ଭୁବନେଶ୍ୱରର ସହର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୪୦୦ ଗଛ କଟାଯିବା ପାଇଁ ତାଲିକା ହୋଇସାରିଛି। ଏହି ସଂଖ୍ୟା ଆହୁରି ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଏହାସହ ସହର ଉପକଣ୍ଠ ବାରଙ୍ଗରୁ ତ୍ରିଶୁଳିଆ ମଧ୍ୟରେ ପାଖାପାଖି ୫୦୦ ଗଛ କଟିବା ନେଇ ଏକ ପ୍ରକାର ସ୍ଥିର ହୋଇଛି।

ଦିନେ ସବୁଜିମା ପାଇଁ ଦେଶର ରାଜଧାନୀଗୁଡ଼ିକ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ପାଇଥିଲା ଭୁବନେଶ୍ବର। ହେଲେ ବିକାଶ ନାଁରେ ଏବେ ବିନାଶ ଆଡ଼କୁ ଯାଉଛି ଭୁବନେଶ୍ୱର। ମେଟ୍ରୋ ଟ୍ରେନ୍‌କୁ ମେଡିଆନ୍‌ ଉପରେ ଏଲେଭେଟେଡ୍‌ ବ୍ୟବସ୍ଥାରେ ନେବା ପାଇଁ ଯୋଜନା ହୋଇଛି। ଏଥିପାଇଁ ବର୍ତ୍ତମାନ ମେଡିଆନ୍‌କୁ ଲଗାଇ ମାଟି ପରୀକ୍ଷଣ କରାଯାଉଛି। ଅଳ୍ପ କିଛିକିଛି ସ୍ଥାନରେ ବ୍ୟାରିକେଡ୍‌ କରି ଏହି କାର୍ଯ୍ୟ ହେଉଥିଲେ ମଧ୍ୟ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ଆରମ୍ଭ ହୋଇଛି। ହେଲେ ଏହି ପ୍ରକଳ୍ପ ସରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିବ। ତେଣୁ ମେଡିଆନ୍‌ ଉପରେ ପିଲର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେଲେ ମେଡିଆନ୍‌ରୁ ଦୁଇପାର୍ଶ୍ବରେ ପ୍ରାୟ ଗୋଟିଏ ଲେନ୍‌ ପର୍ଯ୍ୟନ୍ତ ଆବଦ୍ଧ କରାଯିବ। ରାସ୍ତାର ଉଭୟ ପାର୍ଶ୍ବରେ ଗୋଟିଏ ଲେଖାଏଁ ଲେନ୍‌କୁ ଆବଦ୍ଧ କରାଯିବାକୁ ଥିବାରୁ ଗୁରୁତର ଭାବେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ମେଟ୍ରୋ ପ୍ରକଳ୍ପ ଯେତେବାଟ ପର୍ଯ୍ୟନ୍ତ କାମ ହେବ, ରାସ୍ତାର ଉଭୟ ପାଶ୍ୱର୍କୁ ଚଉଡ଼ା କରିବା ପାଇଁ ଯୋଜନା ହୋଇଛି। ପ୍ରାଥମିକ ଭାବେ ଶିଶୁଭବନ ଛକଠାରୁ ରଘୁନାଥପୁର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରକୁ ଚଉଡ଼ା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ରାସ୍ତାର ଉଭୟ କଡ଼ରେ ଥିବା ଗଛ କାଟିବାକୁ ଯୋଜନା ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ନଗର ବନଖଣ୍ଡ ଅଧୀନରେ ପ୍ରାୟ ୧୪୦୦ ଗଛ କାଟିବା ପାଇଁ ବର୍ତ୍ତମାନ ସୁଦ୍ଧା ତାଲିକା ହୋଇସାରିଛି। କଟିବା ପାଇଁ ସ୍ଥିର ହୋଇଥିବା ଗଛଗୁଡ଼ିକ ମଧ୍ୟରୁ ପ୍ରାୟ ୧୦୦୦ଟି ଗଛର ମୋଟେଇ ୯୦ ସେଣ୍ଟିମିଟରରୁ ପର୍ଯ୍ୟନ୍ତ ରହିଥିବା ବେଳେ ଅନ୍ୟ ୪୦୦ ଗଛର ମୋଟେଇ ୯୦ ସେମିରୁ ଅଧିକ ରହିଛି। ଗଛଗଡ଼ିକ ମଧ୍ୟରେ ପ୍ରାୟ ୬-୮ ବର୍ଷ ଓ କିଛି କିଛି ଗଛ ୧୦ ବର୍ଷର ପୁରୁଣା ଗଛ ମଧ୍ୟ ରହିଛି। ଏହାବ୍ୟତୀତ ବାରଙ୍ଗଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବାମପାର୍ଶ୍ବ ରାସ୍ତା ଚନ୍ଦକା ବନଖଣ୍ଡ ଅଧିନରେ ଆସୁଛି। ଏହି ରାସ୍ତାରେ ପ୍ରାୟ ୩୦୦ ଗଛ କଟା ହେବା ପାଇଁ ତାଲିକା ହୋଇଥିବା ଜଣାପଡ଼ିଛି। ଏମିତି ହୋଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାର ଗଛ କଟା ହେବା ଏକ ପ୍ରକାର ସ୍ଥିର ହୋଇସାରିଛି।

ଗଛ କାଟିବା ନେଇ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ୍‌ ପକ୍ଷରୁ ହୋଇଥିବା ଏଭଳି ନିଷ୍ପତ୍ତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ସାର୍ବଜନୀନ କରିନାହାନ୍ତି। ଏହା ପୂର୍ବରୁ ସମାନ ପ୍ରକଳ୍ପ ପାଇଁ ଫରେଷ୍ଟ ପାର୍କରେ ଗଛ କଟା ହେବ ବୋଲି ଚର୍ଚ୍ଚା ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। ଏ ସମ୍ପର୍କରେ ଭୁବନେଶ୍ୱର ନଗର ବନଖଣ୍ଡ ଡିଏଫ୍‌ଓ ଅଜିତ ଶତପଥୀ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ କିଛି କଟା ହେବ ବୋଲି ତାଲିକା ପ୍ରସ୍ତୁତ ହୋଇଛି। ଏବେ ବି ସର୍ଭେ କାମ ଜାରି ରହିଛି। ତେବେ ଯେଉଁ ଗଛଗୁଡ଼ିକ କଟାଯିବ, ତାକୁ ପୁନଃରୋପଣ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରସନ୍‌କୁ କୁହାଯାଇଥିବା ସେ କହିଛନ୍ତି।