ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ଆହତ ଗାଈର ଚିକିତ୍ସା

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) କ୍ଳିନିକାଲ୍ କଂମ୍ପ୍ଲେକ୍ସ ଠାରେ ସଫଳତାର ସହ ଗୋଟିଏ ଗାଈର ଅସ୍ତ୍ରୋପଚାର କରାଯାଇଛି । ଗାଈଟିର ଡାହାଣ ପାର୍ଶ୍ବର ଗୋଡ଼ଟି ଭାଙ୍ଗି ଯାଇଥିବା ବେଳେ ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା । ଗାଈ ମାନଙ୍କ କ୍ଷେତ୍ରରେ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ପ୍ରାୟତଃ କରାଯାଉ ନଥିବା ବେଳେ ଇନ୍‌ଭେସିଭ୍ ସର୍ଜିକାଲ ପ୍ରକ୍ରିୟା ଖୁବ୍ ବିରଳ । ଗାଈଟିକୁ ଭେଟେରିନାରୀ କ୍ଲିନିକାଲ୍ କମ୍ପ୍ଲେକ୍ସକୁ ଅଣାଯାଇଥିବା ବେଳେ ପରୀକ୍ଷା ନିରୀକ୍ଷା ବେଳେ ୩ ମାସ ତଳୁ ତା’ଗୋଡଟି ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ଏବଂ ଇତି ମଧ୍ୟରେ ଏହା ଯୋଡି ହୋଇଯାଇଥିଲା । ଏକ୍ସରୁ ଜଣାପଡ଼ିଥିଲା ଯେ ତାର ଭାଙ୍ଗି ଯାଇଥିବା ଆଗ ଗୋଡଟି ଭୁଲ୍ ଭାବରେ ଯୋଡି ହୋଇଥିଲା ବୋଲି ଆଇଭିଏସ୍‌ଏଏଚ୍‌ର ସର୍ଜରୀ ବିଭାଗର ଫ୍ୟାକଲ୍ଟି ଡାକ୍ତର ରମେଶ ଚନ୍ଦ୍ର ବେହେରା କହିଛନ୍ତି । ତେଣୁ ଏହି ଗାଈଟିର ବୋନ୍ ସ୍କ୍ରୁ ପ୍ରକ୍ରିୟାରେ ହାଡର ପୁନଃସ୍ଥାପନ କରାଯାଇଥିଲା ଓ ସଙ୍କୁଚିତ ମାଂସପେଶୀ କୁ ସଜଡା ଯାଇ ଗୋଡଟିକୁ ପ୍ଳାଷ୍ଟର କରାଯାଇଥିଲା ବୋଲି ସେ କହିଛନ୍ତି । ଡାକ୍ତର ବେହେରାଙ୍କୁ ସର୍ଜରୀ ବିଭାଗର ଡାକ୍ତର ବିକାଶ ଦାସ ଓ ଡାକ୍ତର ଅନାଲିସା ଦେବବର୍ମନ୍ ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ । ଇନ୍‌ଟ୍ରାଭେନସ୍ ଆନେସଥେସିଆ ସାହାଯ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅସ୍ତ୍ରୋପଚାର କରାଯାଇଛି ।

SHARE BY