February 17, 2026

ମସ୍ତିସ୍କ ଓ ଶରୀରକୁ ଥଣ୍ଡା ରଖେ ଏହି ପାନୀୟ

ଶୀତ ଋତୁ ଯାଇ ଏବେ ଗ୍ରୀଷ୍ମ ଋତୁ ଆସିଲାଣି। ଗ୍ରୀଷ୍ମ ପ୍ରଭାବରୁ ନିଜକୁ ଦୂରେଇ ରଖିବାକୁ ହେଲେ ଆମକୁ ଆବଶ୍ୟକୀୟ ସଚେତନତାର ଆବଶ୍ୟକତା ରହିଛି। ସବୁଠାରୁ ବଡ଼ ସଚେତନତା ହେଉଛି ପାନୀୟ ପ୍ରତି ଧ୍ୟାନ ଦେବା। ଖରାଗରମ ହେତୁ ଶରୀରରୁ ଜଳୀୟ ଅଂଶ ଶୁଖିଯାଏ। ‌ଆମେ ଯଦି ଶରୀରକୁ ସୁସ୍ଥ ରଖିବା ପରି ପାନୀୟ ନପିଅନ୍ତି ତେବେ ନିଜ ଶରୀର ଅସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଗ୍ରୀଷ୍ମରୁ ଶରୀରକୁ ସୁସ୍ଥ ରଖୁଥିବା ଅନେକ ପାନୀୟ ମଧ୍ୟରୁ କାକୁଡ଼ି ଓ ଲେମ୍ବୁ ରସ ସରବତ ଅନ୍ୟତମ। ତେବେ, ଚାଲନ୍ତୁ ଜାଣିବା ଏହି ଦୁଇ ଉପକାରୀ ଜିନିଷର ମିଶ୍ରଣରେ ହେଉଥିବା ସରବତ କିପରି ଭାବେ ପ୍ରସ୍ତୁତ କରାଯାଏ।

ଗୋଟାଏ ମଧ୍ୟମ ଧରଣର କାକୁଡ଼ି ନିଅନ୍ତୁ। ତାହାକୁ ସାନ ସାନ କରି କାଟି ଦେଇ ଗ୍ରାଇଣ୍ଡିଂ କରି ରସ ତିଆରି କରନ୍ତୁ। ସେହି ରସରେ କିଛି ମିଣ୍ଟ ପତ୍ର ବି ମିଶାଇଥିବେ। ଅନ୍ୟପଟେ ଏକ ଗ୍ଲାସ୍‌‌ରେ କିଛି ବରଫ ରଖନ୍ତୁ। ସେହି ଗ୍ଲାସ୍‌ରେ ପରିମାଣ ମୁତାବକ ଲୁଣ ମିଶାନ୍ତୁ। ଏହାବ୍ୟତୀତ ଗୋଟାଏ ଚାମଚ୍‌ ମହୁ ଓ ଗୋଟାଏ ଚାମଚ୍‌ ଲେମ୍ବୁ ରସ ବି ମିଶାନ୍ତୁ। ଏ ସମସ୍ତ ରସକୁ ଅଧା ଗ୍ଲାସ୍‌ ଥଣ୍ଡା ପାଣିରେ ମିଶାଇ ଫେଣ୍ଟନ୍ତୁ। ଏହା ପରେ ଆପଣଙ୍କ କାକୁଡି ଓ ଲେମ୍ବୁ ସର୍‌ବତ୍‌ ପ୍ରସ୍ତୁତ ହୋଇଯିବ। ତାହାକୁ ଆପଣ ପିଇପାରନ୍ତି। ଗରମ ଦିନେ ଏହି ସରବତ୍‌ ପିଇଲେ ଅଂଶୁଘାତର ସମ୍ଭାବନା ଖୁବ୍‌ କମ୍‌ ଥାଏ। ଆପଣ ଏହାକୁ ନିୟମିତ ପିଇଲେ ଆପଣଙ୍କ ତ୍ବଚା ବି ଉଜ୍ଜ୍ବଳ ଦିଶିବ।

SHARE BY