ଅଧିକ ଚିନି ଖାଇଲେ ଟାଇପ୍-୨ ମଧୁମେହ, ହୃଦ୍ରୋଗ, ମେଦବହୁଳତା ଓ ନିର୍ଦ୍ଦିଷ୍ଟ ପ୍ରକାରର କର୍କଟ ପରି ରୋଗ ହେବାର ଆଶଙ୍କା ବଢ଼ିଥାଏ। ମିଠା ଲାଗୁଥିବା ଖାଦ୍ୟଗୁଡ଼ିକରେ ମଧ୍ୟ ବିଭିନ୍ନ ପ୍ରକାର ଭିଟାମିନ୍, ଖଣିଜ ଓ ତନ୍ତୁର ଅଭାବ ଥାଏ। ଅଧିକ ଚିନିମିଶ୍ରିତ ଖାଦ୍ୟ ଖାଇବା ଦ୍ବାରା ଆମ ଖାଦ୍ୟସାରରେ ସନ୍ତୁଳନ ନ ରହି ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ତେଣୁ ସେଭଳି ଖାଦ୍ୟର ପରିମାଣ କିପରି କମାଇହେବ, ସେ ସମ୍ପର୍କରେ ଆଲୋଚନା କରିବା।
କୌଣସି କିଣା ଖାଦ୍ୟରେ କେତେ ପରିମାଣର ଚିନି ମିଶିଛି, ତାହା ଜାଣିବା ପାଇଁ ପ୍ୟାକେଟ୍ ଉପରେ ଦର୍ଶାଯାଇଥିବା ବିଭିନ୍ନ ଖାଦ୍ୟସାର ପରିମାଣ ବାବଦରେ ଜାଣନ୍ତୁ। ପ୍ୟାକେଟ୍ ଖାଦ୍ୟ ବା ପ୍ରକ୍ରିୟାକୃତ ଖାଦ୍ୟରେ ସାଧାରଣତଃ ଅଧିକ ପରିମାଣର ଚିନି ମିଶିଥାଏ। ତେଣୁ ପ୍ରକ୍ରିୟାକୃତ ଖାଦ୍ୟ ବଦଳରେ ଫଳମୂଳ, ପନିପରିବା ପରିପୂର୍ଣ୍ଣ ଖାଦ୍ୟ ଖାଇବା ଦରକାର।
ପରିଷ୍କୃତ ଧଳା ଚିନି ବଦଳରେ ମହୁ, ମ୍ୟାପଲ୍ ସିରପ୍ କି ଷ୍ଟିଭିଆ ପରି ପ୍ରାକୃତିକ ମଧୁକାରୀ ଗ୍ରହଣ କରିବା ଉଚିତ।
ଭୋଜନରେ ଅଧିକ ପରିମାଣର ପୁଷ୍ଟିସାର ଓ ସ୍ବାସ୍ଥ୍ୟପ୍ରଦ ସ୍ନେହସାର ସାମିଲ କଲେ ଚିନି ପ୍ରତି କ୍ଷୁଧା ଓ ଦୁର୍ବଳତା କମିଥାଏ।
ଶୋଷ ମେଣ୍ଟାଇବା ଲାଗି ସୋଡ଼ାପାଣି, ଶକ୍ତିବର୍ଦ୍ଧକ ପାନୀୟ ବା ଫଳରସ ପିଇବା ବଦଳରେ ପ୍ରଚୁର ପରିମାଣର ସାଦା ପାଣି ପିଇବା ଉଚିତ।
ସମୟ ଅଭାବରୁ ସୁବିଧାରେ ଉପଲବ୍ଧ ମିଠାଳିଆ ସ୍ନାକ୍ସ ଉପରେ ନିର୍ଭର ନକରି ଯଥେଷ୍ଟ ଆଗରୁ ଭୋଜନର ଯୋଜନା କରି ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ପ୍ରସ୍ତୁତ କରିବା ଶ୍ରେୟସ୍କର।
ପାଟିକୁ ଅରୁଚି ଲାଗୁଥିଲେ କୌଣସି ମିଠା କି ଚକୋଲେଟ୍ ଗ୍ରହଣ ନକରି ତଟକା ଫଳ ଗ୍ରହଣ କରନ୍ତୁ। ବିଭିନ୍ନ ଫଳରେ ପ୍ରାକୃତିକ ଶର୍କରା ସହ ପ୍ରଚୁର ତନ୍ତୁ ଓ ଅନ୍ୟାନ୍ୟ ପୋଷକ ରହିଛି ଯାହା ଆମ ସ୍ବାସ୍ଥ୍ୟ ପାଇଁ ଉପକାରୀ।
ନିୟମିତ ବ୍ୟାୟାମ ମଧ୍ୟ ଚିନି ବା ଶର୍କରା ପ୍ରତି ଦୁର୍ବଳତା କମାଇଦେଇଥାଏ। ବ୍ୟାୟାମ ମଧ୍ୟ ଆମ ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣ କରେ।
ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ ଆମେ ନିଜ ଖାଦ୍ୟରେ ଶର୍କରା ପରିମାଣକୁ ଯଥେଷ୍ଟ କମାଇପାରିବା ଏବଂ ବିଭିନ୍ନ ରୋଗର ଆଶଙ୍କାକୁ ମଧ୍ୟ ଦୂରେଇ ଦେଇପାରିବା।
More Stories
କେତେ ସ୍ବାସ୍ଥ୍ୟକର ଅଣ୍ଡା
ଏସିଡିଟି ପାଇଁ ଚିନ୍ତିତ କି
ଶାକାହାରୀ ମାନେ ନିଶ୍ଚୟ ଜାଣନ୍ତୁ ଏହି ତଥ୍ୟ