January 11, 2026

ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍‌ଏଫ୍‌ ଜବାନ୍

ଯାଜପୁର ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରି ରୋକିବା ସମ୍ଭବ ହେଉନାହିଁ। ଖଣିଜ ଚୋରି ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ ସମୟରେ ଖଣି ଚୋରି ରୋକିବା ଓ ଏହାର ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଏଥିପାଇଁ ବଜେଟ୍‌ରେ ୫୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଣିକି ବିଭିନ୍ନ ଖଣିଖାଦାନରେ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ (ଓଆଇଏସ୍‌ଏଫ୍‌) ଯବାନଙ୍କୁ ମୁତୟନ କରାଯିବ ବୋଲି ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବ ସରକାରରେ ଲିଜ୍‌ଧାରୀ ପ୍ରଶାସନକୁ ହାତବାରିସି କରି ବେଆଇନ ଭାବେ ଅନୁମତିଠାରୁ ବହୁଗୁଣ କଳାପଥର ଉତ୍ତୋଳନ କରିଥିଲେ।

ଏ ନେଇ ଲିଜ୍‌ଧାରୀଙ୍କ ଉପରେ ବହୁ କୋଟି ଟଙ୍କା ଜରିମାନା ହୋଇଥିଲା। ଏହା ବିରୋଧରେ ଲିଜ୍‌ଧାରୀମାନେ ଆଇନର ଆଶ୍ରୟ ନେବା ସହ ବହୁ ବର୍ଷ ହେଲା ଜରିମାନା ଅର୍ଥ ପୈଠ କରୁନାହାନ୍ତି। ସେମାନଙ୍କ ଉପରେ ପଡ଼ିଥିବା ଅନାଦାୟ ଜରିମାନା ଅର୍ଥ ଆଦାୟ କରିବାକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ। ତେବେ ଖଣି ବିଭାଗ ଓ ପୁଲିସ ପାଖରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଚୋରି ହେଉଥିବା ଖଣିଖାଦାନରେ ଚଢ଼ଉ କରିବା ସମ୍ଭବ ହେଉନଥିଲା। ଏହାର ସୁଯୋଗରେ ଲିଜ୍‌ଧାରୀ ଓ ପଥର ମାଫିଆ ମନଇଛା ପଥର ଲୁଟ୍ କରିବାକୁ ସକ୍ଷମ ହେଉଛନ୍ତି। ଚଢ଼ଉ ସମୟରେ ପୂର୍ବରୁ ସୂଚନା ପାଇ ମାଫିଆମାନେ ଖସି ଯାଉଛନ୍ତି। ଓଆଇଏସ୍‌ଏଫ୍ ଯବାନ୍ ନିୟୋଜିତ ହେଲେ ଏଥିରେ ଅଙ୍କୁଶ ଲାଗିବ ବୋଲି କୁହାଯାଉଛି।

SHARE BY