ମଧ୍ୟପ୍ରଦେଶ ଇନ୍ଦୋରରେ ବ୍ରେନ୍ ଡେଡ୍ ଘୋଷିତ ଜଣେ ମହିଳା ୨ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କର ଉଭୟ କିଡ୍ନୀ ଓ ଆଖି ଦାନ କରାଯାଇଛି । ଏଥିଲାଗି ଇନ୍ଦୋରରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ଗ୍ରୀନ୍ କରିଡର କରାଯାଇଥିଲା । ଉଭୟ କିଡ୍ନୀକୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି ।
ଏହା ଇନ୍ଦୋରରେ କରାଯାଇଥିବା ୫୮ତମ ଗ୍ରୀନ୍ କରିଡର ଥିଲା । ଶାହପୁର ନିବାସୀ ଭୂପେନ୍ଦ୍ର ରାଠୌର ଓ ପତ୍ନୀ ମନୀଷା (୪୪) ନଭେମ୍ବର ୩ରେ ଭାଇ ଦୁଜ ଲାଗି ଇନ୍ଦୋରରେ ରହୁଥିବା ନଣନ୍ଦଙ୍କ ଘରକୁ ଆସିଥିଲେ । ଫେରିବା ସମୟରେ ରାସ୍ତାରେ ଏକ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କୁ ସିଏଚ୍ଏଲ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କୁ ପାଖାପାଖି ବେଡ୍ରେ ରଖାଯାଇଥିଲା ।
ତେବେ ମନୀଷାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ତାଙ୍କୁ ନଭେମ୍ବର ୬ରେ ବ୍ରେନ୍ ଡେଡ୍ ଘୋଷିତ କରିଥିଲେ ଡାକ୍ତର । ଏହାପରେ ସ୍ୱାମୀ ଭୂପେନ୍ଦ୍ର ମନୀଷାଙ୍କର ଅଙ୍ଗଦାନ ଲାଗି ଇଚ୍ଛା ପ୍ରକାଶ କରିଥିଲେ । ଶୁକ୍ରବାର ଭୂପେନ୍ଦ୍ର ଆଇସିୟୁରେ ହିଁ ମନୀଷାଙ୍କ ମୁଣ୍ଡରେ ସିନ୍ଦୂର ଲଗାଇ ତାଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ । ଏହି ଦୃଶ୍ୟ ଦେଖି ସମସ୍ତଙ୍କର ଆଖି ଲୁହରେ ଭିଜିଯାଇଥିଲା । ଆଇସିୟୁ ବାହାରକୁ ବାହାରିବା ପରେ ପରିଜନ ତାଙ୍କୁ ସଧବା ନାରୀ ବେଶରେ ସଜାଇ ବିଦା କରିଥିଲେ । ଅଙ୍ଗଦାନର ସଂଯୋଜକ ଜୀତୁ ବଗାନି ଓ ସନ୍ଦୀପନ ଆର୍ଯ୍ୟ କହିଛନ୍ତି, ଅଙ୍ଗଦାନର ସବୁ ମାମଲା ଚ୍ୟାଲେଞ୍ଜିଂ । ଏହି ମାମଲାରେ ୭୨ ଘଣ୍ଟାର ଉଦ୍ୟମ ପରେ ଅଙ୍ଗଦାନ ହୋଇପାରିଛି । ଏଥିଲାଗି ସିଏଚ୍ଏଲ୍ ହସ୍ପିଟାଲରୁ ରାଜଶ୍ରୀ ଆପୋଲୋ ହସ୍ପିଟାଲ ଯାଏ ପ୍ରଥମେ ଏକ ଗ୍ରୀନ୍ କରିଡର ହୋଇଥିଲା । ଶୁକ୍ରବାର ସନ୍ଧ୍ୟା ୬.୪୫ରେ ଆମ୍ବୁଲାନ୍ସରେ କିଡ୍ନୀ ପଠାଯାଇଥିବାବେଳେ ମାତ୍ର ୭ ମିନିଟ୍ ମଧ୍ୟରେ ତାହା ରାଜଶ୍ରୀ ଆପୋଲୋ ହସ୍ପିଟାଲ ପହଞ୍ଚିଥିଲା । ଦ୍ୱିତୀୟ କରିଡର ସନ୍ଧ୍ୟା ୬.୪୫ରେ ସିଏଚ୍ଏଲ୍ ହସ୍ପିଟାଲରୁ ଆରମ୍ଭ ହୋଇଥିବାବେଳେ ୬.୫୦ରେ କିଡ୍ନୀ ଏମିନେନ୍ସ ହସ୍ପିଟାଲ ପହଞ୍ଚିଥିଲା । ସେଠାରେ ସଙ୍ଗେ ସଙ୍ଗେ ପ୍ରତିରୋପଣ ଆରମ୍ଭ ହୋଇଥିଲା ।
ସେପଟେ ମନୀଷାଙ୍କ ପରିଜନ ସମସ୍ତଙ୍କୁ ଅଙ୍ଗଦାନ କରିବାକୁ ଆହ୍ୱାନ କରିଛନ୍ତି । ତାଙ୍କ ସ୍ୱାମୀ ଭୂପେନ୍ଦ୍ର ଜଣେ ଶିକ୍ଷକ । ତାଙ୍କ ଝିଅ ପୁନେରେ ଏକ ଆଇଟି କଂପାନିରେ କାମ କରୁଛନ୍ତି । ଉଭୟ କହିଛନ୍ତି, ଅଙ୍ଗଦାନ ଯୋଗୁ ଲୋକଙ୍କୁ ନୂଆ ଜୀବନ ମିଳୁଥିବାରୁ ଲୋକେ ଏଥିପ୍ରତି ଆଗ୍ରହ ପ୍ରକାଶ କରିବା ଦରକାର । ମନୀଷାଙ୍କର ଅନ୍ତିମ ଯାତ୍ରାକୁ ଏକ ରଥରେ ବାହାର କରାଯାଇଥିଲା । ସେଥିରେ ମଧ୍ୟ ସେମାନେ ଅଙ୍ଗଦାନ ସଂପର୍କିତ ସଚେତନତାମୂଳକ ପୋଷ୍ଟର ଲଗାଇଥିଲେ ।
More Stories
ନିୟନ୍ତ୍ରଣ ହୋଇଯିବ ଉଚ୍ଚ ରକ୍ତଚାପ, ଖାଆନ୍ତୁ ଏହି ସବୁ ଦ୍ରବ୍ୟ
ଓଜନ ହ୍ରାସରେ ରାମବାଣ ଲାଉ ଜୁସ୍
ବଟର ବନାମ ଘିଅ: କାହାକୁ ଖାଇବା ସ୍ବାସ୍ଥ୍ୟପକ୍ଷେ ଭଲ