The Topmost

“The eyes believe themselves, the ears believe other people.”

raja sankranti

ପ୍ରାଚୀନ ଉତ୍କଳ ପାଳୁଥିଲା ନାରୀତ୍ବର ପର୍ବ ରଜ

The scientific reason behind the raja parba

‘ରଜ ସଂକ୍ରାନ୍ତି ଓଡ଼ିଶାର ଏକ କୃଷି ଭିତ୍ତିକ ଗଣପର୍ବ I ଏହି ଦିନ ମା’ବସୁମତୀ ରଜସ୍ୱଳା ହୋଇଥାନ୍ତି I ତେଣୁ ବର୍ଷରେ ରଜ ୩ ଦିନ ପୃଥିବୀ ମା’କୁ କଷ୍ଟ ନ ହେବା ପାଇଁ ଭୂମି ସଂଲଗ୍ନ କୌଣସି କାମ କରାଯାଏ ନାହିଁ I ରଜ ୪ର୍ଥ ଦିନରେ ବସୁମତୀ ସ୍ନାନ ପରେ ପୂର୍ବ ପରି ଚାଷ କାମ ଆରମ୍ଭ କରାଯାଇଥାଏ I

ଓଡ଼ିଶାର ଏକ ପାରମ୍ପରିକ ତଥା ଗଣ ପର୍ବ ଭାବେ ରଜ ପରିଚିତ । ଏହା ତିନିଦିନ ଧରି ପାଳନ କରାଯାଏ । ଏହାର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନକୁ ଭୂମି ଦାହ ବା ଭୂମି ଦହନ ବୋଲି କୁହାଯାଏ । ପହିଲି ରଜର ପୂର୍ବ ଦିନକୁ ସଜବାଜ ବୋଲି କୁହାଯାଏ । ଏହି ଦିନରେ ଝିଅବୋହୂମାନେ ସଜବାଜ ହୁଅନ୍ତି । ସେହିପରି ଚତୁର୍ଥ ଦିନକୁ ବସୁମତି ସ୍ନାନ ବୋଲି କୁହାଯାଏ । ଏହି ଦିନରେ ମାତା ଭୂଦେବୀଙ୍କୁ ଗାଧୋଇ ଦିଆଯାଏ, ଯାହା ଚାଷ ଆରମ୍ଭକୁ ସୂଚାଏ । ରଜ ଶବ୍ଦଟି ସଂସ୍କୃତ ଶବ୍ଦ ‘ରାଜସ୍‌’ରୁ ଆସିଛି, ଯାହା ନାରୀମାନଙ୍କର ନାରୀତ୍ୱ ବା ରଜବତୀମାନଙ୍କୁ ବୁଝାଏ । ଏହି ପର୍ବରେ ପୃଥିବୀକୁ ମାତା ରୂପେ ବିବେଚନା କରାଯାଇ ବର୍ଷା ଋତୁର ଆଗମନରେ ପୃଥିବୀମାତା ରଜସ୍ୱଳା ହେବା ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରୁଛି । ଏହି ଦିନରେ ଚାଷୀମାନେ ବସୁମତୀ ମାତା ବା ଭୂଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ହଳଲଙ୍ଗଳକୁ ମଧ୍ୟ ପୂଜା କରନ୍ତି । ଏହାସହ ଚାଷୀମାନେ ଚାଷ କାମରୁ ତିନିଦିନ ପାଇଁ ବିରତି ନେଇଥାନ୍ତି ।

ରଜର ବିଶେଷତ୍ୱ
ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ଯାହା ଫଳରେ ମାଟି ମା’ ରଜସ୍ୱଳା ହୋଇଥାଏ । ଜଣେ ମା’ ଯେଭଳି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ଠିକ୍‌ ସେହିପରି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ଲୋକବିଶ୍ୱାସ ରହିଛି । ପହିଲି ରଜରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିରେ ଭୂ-ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ଏହାକୁ ପାଳନ କରାଯାଏ । ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧିବଦ୍ଧଭାବେ ପାଳିଥାଆନ୍ତି ।

ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାର ସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ, ଭୂମି କର୍ଷଣ ନ କରି, ବିଶ୍ରାମ ଦେଲାଭଳି, କଟା, ବଟା ଆଦି ଘରକାମ ନକରି କୁମାରୀମାନେ ବିଶ୍ରାମ ନିଅନ୍ତି । ଏହି ପର୍ବ ପାଳନ ବେଳେ ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ିମାନେ ଶାଢ଼ୀ ପିନ୍ଧି ସଜବାଜ ହୋଇ ପୋଡପିଠା ଓ ରଜପାନ ଖାଇବା ସହିତ ରଜଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରନ୍ତି । ସେହିପରି ପୁଅମାନେ ଲୁଡୁ, ତାସ୍‌, ବାଗୁଡ଼ି ଆଦି ଖେଳ ଖେଳି ଏହି ଦିନକୁ ମନଭରି ଉପଭୋଗ କରନ୍ତି । ଏହି ତିନିଦିନ ଧରିତ୍ରୀ ମା’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ । କଦଳୀ ପାଟୁଙ୍ଗାରେ ଚପଲ ତିଆରି କରି ଭୂଇଁ ଉପରେ ଚାଲିବାର ବିଧି ରହିଛି ।
ରଜଗୀତ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜଲୋ
ଘେନି ନୂଆ ସଜବାଜ…
ରଜ ତିନିଦିନ ଝିଅବୋହୂମାନେ ଏହି ଲୋକପ୍ରିୟ ଗୀତକୁ ଗାଇଥାଆନ୍ତି । ଏହି ଗୀତ ଲୋକମୁଖରେ ଶୁଣିବାକୁ ମିଳିଥାଏ । ଲୋକମୁଖରେ ବୋଲାଯାଉଥିବା ଏହି ଗୀତ ପରେ ବିଭିନ୍ନ ସମୟରେ ଲିପିବଦ୍ଧ ହୋଇଥିଲା । ମୁଦ୍ରିତ ପୁରାତନ ପ୍ରକାଶନଗୁଡିକ ମଧ୍ୟରୁ ୧୯୪୯ ମସିହାରେ ପ୍ରକାଶିତ ପହିଲି ରଜ ଓ ୧୯୫୨ ମସିହାରେ ପ୍ରକାଶିତ ମାଗୁଣୀ ମହାପାତ୍ରଙ୍କ ରେକର୍ଡ ରଜଦୋଳି ଗୀତ ଅନ୍ୟତମ । ଏହି ଗୀତଟି ବହୁ ବଡ ହୋଇଥିବାବେଳେ ଏହାର ପ୍ରଥମ ପଂକ୍ତିଟି ବେଶ୍‌ ଜଣାଶୁଣା ।