ସୁରକ୍ଷିତ ପୃଥିବୀ ପାଇଁ ଧ୍ୱଂସ ସାଧନ ଓ ପ୍ରଦୂଷଣ ବିନା ବିକାଶ, ବର୍ତମାନ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା । ଯାହାକି ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମତ ପ୍ରକାଶ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ଅବସରରେ ବୁଧବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଦାଶ କହିଛନ୍ତି ଯେ ବିନା ବିନାଶରେ ବିକାଶ ଏବଂ ବିନା ପ୍ରଦୂଷଣରେ ଉତ୍ପାଦନ ହିଁ ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇପଡ଼ିଛି । ସଂପୂର୍ଣ୍ଣ ପୃଥିବୀରେ ଉଦ୍ଭିଦ ବାୟୋ ମାସ୍ର ପ୍ରଭାବ ଅଧିକ ହୋଇଥିବା ବେଳେ ସେଥିରେ ଜୀବଜନ୍ତୁ ଓ ମନୁଷ୍ୟମାନଙ୍କର ଅଂଶ ମାତ୍ର ଯଥାକ୍ରମେ ୦.୪ ପ୍ରତିଶତ ଓ ୦.୦୧ ପ୍ରତିଶତ ଅଟେ । ଏଥିରେ ଯଦି ସାମାନ୍ୟତମ ବ୍ୟତିକ୍ରମ ଘଟେ ତେବେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତିର ଉପୁଜିବ ବୋଲି ସେ କହିଥିଲେ । ବର୍ତମାନ ସବୁ ସ୍ଥାନରେ ଜଳବାୟୁ ପରିବର୍ତନ ଦେଖିବାକୁ ମିଳୁଛି ଏବଂ ପ୍ରାଣୀ ଜଗତରେ ଏହାର ଖୁବ୍ ପ୍ରଭାବ ପଡ଼ୁଛି । ଉଦ୍ୟୋଗୀକରଣ ଏବଂ ଜଙ୍ଗଲ ନଷ୍ଟ ଜଳବାୟୁ ପରିବର୍ତନର ପ୍ରମୁଖ କାରଣ ଅଟେ । ବିକାଶକୁ ଆମେ ବନ୍ଦ କରିପାରିବା ନାହିଁ କିନ୍ତୁ ବିନାଶ ନ ହୋଇ କିଭଳି ବିକାଶ ଏବଂ ପ୍ରଦୂଷଣ ନ ହୋଇ ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିବ ସେ ଦିଗରେ ଆମେ ଯତ୍ନବାନ ହେବା ଉଚିତ୍ ବୋଲି ପ୍ରଫେସର ଦାଶ କହିଥିଲେ । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍) ଓ ଓଡ଼ିଶା ଲାଇଭ୍ଷ୍ଟକ୍ ଡେଭେଲପ୍ମେଂଟ ସୋସାଇଟିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଭିଏସ୍ଏଏଚ୍ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଫେସର ପଟ୍ଟନାୟକ କହିଥିଲେ ଯେ ମାନବ ଜାତିର ଜୀବନ ପ୍ରକ୍ରିୟା ନିମନ୍ତେ ପଶୁ ଏବଂ ପକ୍ଷୀମାନଙ୍କର ଗୁରୁତ୍ୱ ଖୁବ୍ ଅଧିକ । କାରଣ ଅନେକ ଟୀକାକରଣ ପ୍ରଥମେ ପଶୁମାନଙ୍କ ଉପରେ ର୍ହି ପ୍ରୟୋଗ କରାଯାଇଥାଏ । ପ୍ରଫେସର ମିଶ୍ର ପ୍ରାଣୀମାନଙ୍କ ପ୍ରତି ନିଜର ଭଲ ପାଇବା ଓ ଯତ୍ନ ବଢ଼ାଇବା ସହ ଶାକାହାରୀ ହେବା ନେଇ ଗୁରୁତ୍ୱାରୋପ କରିଥିଲେ । ଆମେ ସମସ୍ତେ ପଶୁ ପକ୍ଷୀମାନଙ୍କୁ ଭଲ ପାଇବା, ସୁରକ୍ଷା ଦେବା ଓ ଯତ୍ନ ଦେବା ଉଚିତ୍ ବୋଲି ସେ କହିଥିଲେ । ଓଡ଼ିଶା ଲାଇଭଷ୍ଟକ୍ ଡେଭେଲପ୍ମେଂଟ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ଦାସ ଏହି ଅବସରରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରାଣୀଚିକିତ୍ସକଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ ପ୍ରାକ୍ତନ୍ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ରାଜ କିଶୋର ମହାନ୍ତି ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଆଇଭିଏସ୍ଏଏଚ୍ର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବଳରାମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା