ପିସିସି ସଭାପତି ଭାବେ ଘୋଷଣା ହେବା ପରେ ଭକ୍ତଚରଣ ଦାସ ଗତକାଲି ସବୁ ନିଲମ୍ବନ ଓ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାସହ ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି, ସେମାନଙ୍କୁ ପୁନର୍ବାର ଦଳକୁ ଫେରିବା ଲାଗି ନିବେଦନ କରିଛନ୍ତି। ଏହାର ଦିନକ ପରେ ବହିଷ୍କୃତ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ନିଜର ସମର୍ଥକଙ୍କ ସହ କଂଗ୍ରେସ ଭବନରେ ପ୍ରବେଶ କରିଛନ୍ତି। ସୁରଙ୍କ ଘରବାହୁଡ଼ା ପରେ ଆଉ କିଛି ନେତା କଂଗ୍ରେସ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି।
ସୁର ବାଜା ବଜାଇ କଂଗ୍ରେସ ଭବନରେ ପହଞ୍ଚିଥିଲେ। ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ତାଙ୍କ ଦେହରେ କଂଗ୍ରେସ ପତାକା ବାନ୍ଧି ଦେଇଥିବା ବେଳେ ସେ ନଡ଼ିଆ ବାଡ଼େଇ ଥିଲେ। କଂଗ୍ରେସ ଭବନକୁ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ। ସେଠାରେ ନିଜ ସମର୍ଥକଙ୍କୁ ମିଠା ଖୁଆଇଥିଲେ। ସୁର କହିଛନ୍ତି, ଆଜି ମୁଁ ନିଜ ଘରକୁ ୯ମାସ ପରେ ଫେରିଛି। ରାହୁଲ, ଖଡ଼୍ଗେ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ। ଅନ୍ୟାୟରେ ମୋତେ କାଢ଼ି ଦିଆଯାଇଥିଲା। ୯ ମାସ ପାଇଁ ବହୁ ଯନ୍ତ୍ରଣା ଭୋଗିଛି, ହେଲେ ସଂଗଠନ ଛାଡ଼ିନାହିଁ। ଭୁବନେଶ୍ବରରୁ ପ୍ରଥମେ କଂଗ୍ରେସକୁ ସୁଦୃଢ଼ କରାଯିବ। ଏହି ସମୟରେ ଭାବବିହ୍ବଳ ହୋଇ କାନ୍ଦି ପକାଉଥିବା ସୁରଙ୍କ ଆଖିରୁ ପୁଅ ସିଦ୍ଧାର୍ଥ ଲୁହ ପୋଛି ଦେଇଥିଲେ। ସିଦ୍ଧାର୍ଥ କହିଛନ୍ତି, କଂଗ୍ରେସ ଭବନକୁ ଆସିପାରୁ ନ ଥିବାରୁ ଘରେ ମୁହଁ ଶୁଖାଇ ବସୁଥିଲେ। ତାଙ୍କର ଦୈନିନ୍ଦିନ ଜୀବନରେ କଂଗ୍ରେସ ରହିଛି। ଭକ୍ତ ବାବୁଙ୍କ ପାଇଁ କଂଗ୍ରେସର ଭକ୍ତ କଂଗ୍ରେସକୁ ଫେରିଛନ୍ତି।
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ