ବେଦରେ ନାରୀକୁ ଅନେକ ମହତ୍ତ୍ୱ ଓ ଅନେକ ଗୁରୁତ୍ୱ ଦିଆଯାଇଛି। ବିଶେଷକରି, ବିଦୁଷୀ ଓ ବ୍ରହ୍ମଚର୍ଯ୍ୟଧାରିଣୀ ନାରୀ ବିଶେଷ ମହତ୍ତ୍ୱ ଓ ଗୁରୁତ୍ୱ ପାଇଛନ୍ତି। ‘ଅଥର୍ବବେଦ’ର ଦ୍ୱାଦଶ କାଣ୍ଡ, ଦ୍ୱିତୀୟ ସୂକ୍ତ ଓ ଏକତ୍ରିଂଶ ମନ୍ତ୍ର ଏହାର ଏକ ଉଦାହରଣ। ଏହି ସୁଭାଷିତରେ ନାରୀକୁ କୁହାଯାଇଛି ସୁପତ୍ନୀ, ସୁମାତା ଓ ସୁରତ୍ନା।
ଏଥିରେ କୁହାଯାଇଛି- ଯେଉଁ ବିଦୁଷୀ ନାରୀ ବ୍ରହ୍ମଚର୍ଯ୍ୟ ଆଦି ସୁଗୁଣର ଅଧିକାରିଣୀ; ଯେଉଁ ନାରୀ ନିଜର ବିଦ୍ୱାନ୍, ସୁଯୋଗ୍ୟ କୁଟୁମ୍ବଙ୍କ ସହିତ ଏବଂ ପତି ଓ ପୁତ୍ରଙ୍କ ସହିତ ସୁସ୍ଥ ଶରୀର ଓ ସୁସ୍ଥ ଆତ୍ମାରେ ଅବସ୍ଥାନ କରେ, ସେ ଅତ୍ୟନ୍ତ ଧନବତୀ ଓ ସୁଖବତୀ ହେବା ସହିତ ଅଗ୍ରଗାମିନୀ ହୋଇଥାଏ।
ଏହି ମନ୍ତ୍ରର ବ୍ୟାଖ୍ୟାରେ ନାରୀର ଅନେକ ଭୂଷଣର କଥା କୁହାଯାଇଛି। ତାହାର ଗୋଟିଏ ଭୂଷଣ ହେଉଛି- ପତିସାନ୍ନିଧ୍ୟ, ଅର୍ଥାତ୍ ସେ ‘ସୁପତ୍ନୀ’। ତାହାର ଅନ୍ୟ ଏକ ଭୂଷଣ ହେଉଛି- ସେ ‘ଆଞ୍ଜନେୟା’; ଅର୍ଥାତ୍ ସେ ସମସ୍ତଙ୍କ ସହିତ ମନମେଳ ରଖି ଚଳିଥାଏ। ସେ ‘ଅନଶ୍ରବା’; ଅର୍ଥାତ୍ ସେ କେତେବେଳେ ହେଲେ ଆଖିରୁ ଲୁହ ଝରାଏ ନାହିଁ। ସେ ‘ଅନମୀବା’; ଅର୍ଥାତ୍ ସେ ସବୁବେଳେ ସୁସ୍ଥ ରହେ। ସେ ‘ସୁମାତା’ ଅର୍ଥାତ୍ ସନ୍ତାନସନ୍ତତିଙ୍କ ସହିତ ସେ ସଦା ସ୍ନେହଭାବ ରଖିଥାଏ। ଏହିସବୁ ଭୂଷଣର ଅଧିକାରିଣୀ ନାରୀକୁ ତେଣୁ ‘ସୁରତ୍ନା’ କୁହାଯାଏ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ