The Topmost

“The eyes believe themselves, the ears believe other people.”

ଖୁବଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଜାଣନ୍ତୁ କିଏ ପଡିବେ ବାଦ୍

ସୁଭଦ୍ରା ଯୋଜନାର ଐତିହାସିକ ସଫଳତା । ଗୋଟିଏ ଦିନରେ ୩୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଲେଖାଏଁ ଟଙ୍କା ଯାଇଛି । ମୋଟ ୧୭୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବାରିପଦାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରେରଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟର ୨୫ ଲକ୍ଷ ମହିଳାଙ୍କୁ ମିଶାଇ ଏଯାଏଁ ମୋଟ ୬୦ ଲକ୍ଷ ମହିଳାଙ୍କୁ କିସ୍ତି ଅର୍ଥ ପ୍ରଦାନ କରାଯାଇଛି ।


ତେବେ ବଡ କଥା ହେଉଛି କେବେ ଆଉ ୪୦ ଲକ୍ଷ ମହିଳାଙ୍କୁ ମିଳିବ ଟଙ୍କା? ଏ ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ମହିଳା ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ପାଇସାରିଛନ୍ତି । ଆଉ ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଯିବ ସୁଭଦ୍ରା ଟଙ୍କା । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଖୁବଶୀଘ୍ର ଯିବ ।


ତେବେ କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି? ଆବେଦନ କରିଥିଲେ ବି କଟିଯିବ ନାଁ । ଜାଣନ୍ତୁ ରାଜ୍ୟର ସରକାରଙ୍କ ଗାଇଡଲାଇନ୍ କଣ ରହିଛି । ଯେଉଁ ମହିଳାମାନେ ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସିଟି ପୂରଣ କରନ୍ତି, ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ । ବା ସେମାନଙ୍କର ନାଁ କାଟି ଦିଆଯିବ ।


ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୧ ଜୁଲାଇ, ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ ।


ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତା ଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।


ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ସେମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ସେହିଭଳି ଆୟକର ଦେଉଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ ।


ଯେ କୌଣସି ସହରାଞ୍ଚଳ ଶ୍ୱାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ) ତେବେ ସେମାନେ ଏଥିରେ ସାମିଲ ହୋଇପାରିବେ ନାହିଁ । ନାଁ କଟିଯିବ ।


ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body). କିମ୍ବା ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋସିଂ ଏଜେନ୍ସି ମାଧ୍ଯମରେ ନିୟୋଜିତ ସମସ୍ତ / କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।


ଯଦି ଅବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ । ସେହିଭଳି ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ଗାଡି ଥିଲେ ସୁଭଦ୍ରା ଟଙ୍କା ପାଇବେ ନାହିଁ ।