The Topmost

“The eyes believe themselves, the ears believe other people.”

ସୋଆକୁ ଓଡ଼ିଶାର ପ୍ରଥମ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା

ସୋଆକୁ ଓଡ଼ିଶାର ପ୍ରଥମ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି । ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ସୋଆକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଶିଳ୍ପ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ଓ ଗବେଷଣା କ୍ଷେତ୍ରରେ ସହାୟତା ନିମନ୍ତେ ସୋଆ କ୍ୟାମ୍ପସ୍‌ରେ ଏହି ୫ ଜି ସେବା ଆରମ୍ଭ କରାଯାଇଥିବା ରିଲାୟନ୍ସ ଜିଓ ପକ୍ଷରୁ କୁହାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଜିଓ ଓଡ଼ିଶାର ରାଜ୍ୟ ମୁଖ୍ୟ ପ୍ରଦୀପ ରାଉତ, ସୋଆ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ସୋଆକୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶାରେ ସୋଆକୁ ପ୍ରଥମ ୫ ଜି କ୍ୟାମ୍ପସ ଭାବେ ଘୋଷଣା କରାଯିବା ପରିପ୍ରେକ୍ଷୀରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ଜିଓର ନେଟୱର୍କ ଉତମ ଭାବେ କାର୍ଯ୍ୟ କରୁଥିବାରୁ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ତଥ୍ୟ ଆଦାନପ୍ରଦାନ ନେଇ ଉପକୃତ ହେବେ । କୃଷି ଓ ସ୍ୱାସ୍ଥ୍ୟ ସମ୍ପର୍କୀୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ୫ ଜି ଦ୍ୱାରା ଲାଭବାନ ହୋଇପାରିବେ । ସୋଆରେ ଏକ ୫ ଜି ଲ୍ୟାବ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି ଓ ଏହି ଲ୍ୟାବ୍‌ରେ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେବା ସହ ଏହି ସେବାକୁ କିଭଳି ଅଧିକ ବଳିଷ୍ଠ କରାଯାଇପାରିବ ସେ ଉପରେ ମଧ୍ୟ ସେମାନେ ଗବେଷଣା କରିବେ ବୋଲି ପ୍ରଫେସର ନନ୍ଦ କହିଛନ୍ତି । ଜେପିଏଲ୍ ଏବଂ ସୋଆ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଜେପିଏଲ୍ ଏବଂ ଏହା ସହ ଅନୁବନ୍ଧିତ ତଥା ଗ୍ରୁପ୍‌ର ଅନ୍ୟ କମ୍ପାନୀଗୁଡ଼ିକ ସୋଆ ସହିତ ମିଳିତ ଭାବେ କାର୍ଯ୍ୟ କରିବେ । ଅତ୍ୟାଧୁନିକ ୫ ଜି ଷ୍ଟାଣ୍ଡାର୍ଡ-୫ ଜି ଷ୍ଟାଣ୍ଡଏଲୋନ୍ (ଏସ୍‌ଏ), ଅପ୍ଟିକାଲ୍ ଫାଇବର୍ ନେଟୱର୍କ୍‌ସ ଇତ୍ୟାଦି କ୍ଷେତ୍ରରେ ଗବେଷଣା ଏବଂ ପ୍ରଶିକ୍ଷଣ ଓ ୫ ଜି ପ୍ଲାଟଫର୍ମରେ ନୂତନ ସେବାର ବିକାଶ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।