ବଡ଼ି ଭୋରରୁ ଉଠି ନିତ୍ୟକର୍ମ ସାରିବା ଲାଗି ଆମେ ସର୍ବଦା ପିଲାମାନଙ୍କୁ ଉପଦେଶ ଦେଉ। ତେବେ ସକାଳୁ ସକାଳୁ ଶଯ୍ୟା ଛାଡ଼ିପାରୁନଥିବା ବ୍ୟକ୍ତିଙ୍କ ପାଇଁ ଏକ ଭଲ ଖବର ଆଣିଛନ୍ତି ଆମେରିକାର ମାସାଚ୍ୟୁସେଟ୍ସ ଜେନେରାଲ ହସ୍ପିଟାଲ୍ର ଦଳେ ଗବେଷକ। ସେମାନେ ଚଳାଇଥିବା ଅନୁଧ୍ୟାନ ଅନୁଯାୟୀ, ଯେଉଁମାନେ ସକାଳେ ଶୀଘ୍ର ଉଠିଥା’ନ୍ତି ସେମାନଙ୍କ ଠାରେ ‘ଆନୋରେକ୍ସିଆ ନର୍ଭୋସା’ ନାମକ ଏକ ପ୍ରକାର ଖାଦ୍ୟ ବିକାର ଦେଖାଦେବାର ଆଶଙ୍କା ଅଧିକ ଥାଏ। ଏଥି ସହିତ ନିଦ୍ରାହୀନତା (ଇନ୍ସୋମ୍ନିଆ) ସହିତ ଆନୋରେକ୍ସିଆ ନର୍ଭୋସା ମଧ୍ୟରେ ଥିବା ସଂଯୋଗ ବାବଦରେ ମଧ୍ୟ ଗବେଷକମାନେ ଜାଣିପାରିଛନ୍ତି। ପୂର୍ବ ଗବେଷଣାରୁ ଖାଦ୍ୟ ବିଶୃଙ୍ଖଳା ଓ ଶରୀରର ଆଭ୍ୟନ୍ତରୀଣ ଘଣ୍ଟା ବା ‘ସିର୍କାଡିଆନ୍ କ୍ଲକ୍’ ମଧ୍ୟରେ ସଂଯୋଗ ଥିବା କଥା ସ୍ପଷ୍ଟ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଏହି ସିର୍କାଡିଆନ୍ କ୍ଲକ୍ ହିଁ ଶରୀରର ନିଦ୍ରା ସମେତ ଅନେକ ଜୈବିକ କ୍ରିୟାକୁ ନିୟନ୍ତ୍ରଣ କରିଥାଏ। ଗବେଷକମାନେ ଆନୋରେକ୍ସିଆ ନର୍ଭୋସା ସହ ଜଡ଼ିତ ଗୁଣସୂତ୍ର ଓ ମର୍ନିଂ କ୍ରୋନୋଟାଇପ୍ (ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠିବା) ସହ ଜଡ଼ିତ ଗୁଣସୂତ୍ର ମଧ୍ୟରେ ଏକ ଦ୍ବିପାକ୍ଷିକ ସମ୍ପର୍କର ସନ୍ଧାନ କରିପାରିଛନ୍ତି। ତାହାକୁ ବିଶ୍ଳେଷଣ କଲା ପରେ ଇନ୍ସୋମ୍ନିଆ ସହ ଜଡ଼ିତ ଗୁଣସୂତ୍ର ମଧ୍ୟ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ଆନୋରେକ୍ସିଆ ନର୍ଭୋସା ପରି ରୋଗର କାରଣ ସଠିକ୍ ଭାବେ ଜଣାପଡ଼ିନଥିବା ବେଳେ ଏହାର ଚିକିତ୍ସା ମଧ୍ୟ ସୀମିତ। ସେହିପରି ବିଭିନ୍ନ ପ୍ରକାର ମାନସିକ ରୋଗରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମଧ୍ୟରେ ଆନୋରେକ୍ସିଆ ନର୍ଭୋସା ରୋଗୀଙ୍କ ସଂଖ୍ୟା ଦ୍ବିତୀୟ ସର୍ବାଧିକ। ତେଣୁ, କେହି ଯଦି ସ୍ବତଃପ୍ରବୃତ୍ତ ଭାବେ ସକାଳେ ବିଳମ୍ବରେ ଉଠୁଛି, ତେବେ ତାହାକୁ ପରୋକ୍ଷରେ ଏକ ସୁସ୍ଥ ଅବସ୍ଥା ବୋଲି ଭାବିବାକୁ ପଡ଼ିବ।
More Stories
୧ ଡିଗ୍ରି ତଳକୁ ଖସିଲା ପାରଦ
ମହାକୁମ୍ଭକୁ ୟୁନେସ୍କୋ ମାନ୍ୟତା..
କୋରିଆନ୍ ବିୟୁଟି ସିକ୍ରେଟ୍ ଏବେ ଭାରତରେ