ପୁଣି ବିବାହ କରୁଛନ୍ତି କାଳିଆ ସାଆନ୍ତ

ଆଜି ମହାପ୍ରଭୁଙ୍କ ବିବାହ ଉତ୍ସବ। ଜଗନ୍ନାଥ ରୂପୀ ଶ୍ରୀକୃଷ୍ଣ  ରୁକ୍ମଣୀଙ୍କୁ ବିବାହ କରିବେ। ଏଥିପାଇଁ ଶ୍ରୀମନ୍ଦିରକୁ ଫୁଲରେ ସୁନ୍ଦର ଭାବରେ ସଜ୍ଜା ହୋଇଛି। ଜଗାର ବିବାହ ପାଇଁ ଶଙ୍ଖ, ମହୁରୀ ଓ ତେଲିଙ୍ଗି ବାଦ୍ୟରେ ପ୍ରକମ୍ପିତ ହେଉଛି ସିଂହଦ୍ୱାର।ଆଜି ମଧ୍ୟ ରୁକ୍ମଣୀ ହରଣ ଏକାଦଶୀ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ଓ  ରୁକ୍ମଣୀ ବିବାହୋତ୍ସବ ନୀତି ପାଳିତ ହୋଇଥାଏ।ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ।

ସକାଳ ଧୂପ ସରିବା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁସେବକ ମାନେ ପାଲିଙ୍କିରେ ନେଇ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି। ସେଠାରେ ଲକ୍ଷ୍ମୀଙ୍କ ଜଗମୋହନରେ ପଡ଼ିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇବା ସହିତ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନକଲାଗି, ଅଳଙ୍କାର ଲାଗି କରାଯାଇଥାଏ।


ଏହି ବେଶ ହେଉଥିବା ସମୟରେ ତଢ଼ାଉକରଣ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି। ଭିତରଚ୍ଛ ମହାପାତ୍ର ଏହି ତାଳପତ୍ର ଓ ଲେଖନୀ ଚଳନ୍ତି ପ୍ରତିମା ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣକୁ ଦେବା ପରେ ସେ ଚିଟାଉ ଲେଖିଥାନ୍ତି। ଏହା ସରିବା ପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ସ୍ତ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ) ଚିଟାଉ ନେଇ ଘଣ୍ଟଛତା, କାହାଳୀ ସହ ଜୟବିଜୟ ଦ୍ଵାର ନିକଟକୁ ଯାଇଥାନ୍ତି

ପୂର୍ବରୁ ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ମଦନମୋହନ ଜୟବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି। ସେଠାରେ ପୁରାଣପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ। ଏହାପରେ ମଦନମୋହନ ଦେବ ସାତ ପାହାଚ ତଳେ ରଖାଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥାନ୍ତି। ଇତ୍ୟବସରରେ ଲକ୍ଷ୍ମୀ ମନ୍ଦିର ଜଗମୋହନଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି।


ଏଠାରେ ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ କରାଯାଇଥାଏ। ପରେ ବିମଳାଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀଦେବୀ ବିମଳାଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ମଦନମୋହନ ଶ୍ରୀଦେବୀଙ୍କୁ ରୁକ୍ମଣୀ ହରଣ କରିଥାନ୍ତି। ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସଂପାଦିତ ହୋଇଥାଏ। ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ମନ୍ଦିର ନିକଟରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି।


ତତ୍ପରେ ଦକ୍ଷିଣୀ ଘରୁ ଚଳନ୍ତି ପ୍ରତିମା ବଳଦେବ ବିମାନରେ ବିଜେ ହୋଇ ଆସି ଶିଶୁପାଳକୁ ବନ୍ଧନମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହାପରେ ଶ୍ରୀଦେବୀ ଓ ଶ୍ରୀମନ୍ଦନମୋହନକୁ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପଠାରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ।https://thetopmost.in/%e0%ac%a6%e0%ad%87%e0%ac%b6-%e0%ac%aa%e0%ac%be%e0%ac%b3%e0%ad%81%e0%ac%9b%e0%ac%bf-%e0%ac%86%e0%ac%9c%e0%ac%be%e0%ac%a6%e0%ad%80%e0%ac%95%e0%ac%be-%e0%ac%85%e0%ac%ae%e0%ad%83%e0%ac%a4-%e0%ac%ae/

https://thetopmost.in/%e0%ac%8f%e0%ac%a5%e0%ac%b0-%e0%ac%95%e0%ad%81%e0%ac%95%e0%ad%81%e0%ac%b0-%e0%ac%9a%e0%ac%bf%e0%ac%b9%e0%ad%8d%e0%ac%a8%e0%ac%bf%e0%ac%ac%e0%ad%87-%e0%ac%95%e0%ac%b0%e0%ad%8b%e0%ac%a8%e0%ac%be/

SHARE BY